Unknown

 

 

 

 

 

 

 

 

 

୪୦ତମ ସଂଖ୍ୟା କୋଣାର୍କ ୧୯୭୯

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର

 

ଭାରାପ୍ରାପ୍ତ ସମ୍ପାଦକ

ଶ୍ରୀ କରୁଣାକର ରାଉତ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

 

ମୁଦ୍ରଣ :

ପ୍ରଜାତନ୍ତ୍ର ପ୍ରେସ୍‍, କଟକ–୭୫୩୦୦୨

 

ସୂଚୀପତ୍ର

 

ବିଷୟ

 

ରସ–ଉଦ୍‍ବୋଧନରେ ଭଞ୍ଜ–ସାହିତ୍ୟ

ଡକ୍ଟର କୃଷ୍ଣଚରଣ ବେହେରା

ଗୀତିକବି ଦୀନକୃଷ୍ଣ

ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଚେତନା

କେଶବଚନ୍ଦ୍ର ମେହେର

ଆମ ସାହିତ୍ୟ

ଡକ୍ଟର ଶ୍ରୀଶ ପଟେଲ

ଶ୍ରୀ ଜଗନ୍ନାଥଙ୍କ ଦୋଳୋତ୍ସବ

ଶ୍ରୀମତୀ ମମତା ମିଶ୍ର

ଓଡ଼ିଶାରେ ଲୋକନାଟ୍ୟର ବିକାଶ ପରମ୍ପରା

ଶ୍ରୀ ଧୀରେନ୍ଦ୍ରନାଥ ପଟ୍ଟନାୟକ

ଓଡ଼ିଆ ଲୋକନାଟ୍ୟର ଏକ ଆଲୋଚିତ ଦିଗ–

‘‘ଚଢ଼େଇଆ–ଚଢ଼େଇଆଣୀ ନାଟ’’

ଡକ୍ଟର ମନୀନ୍ଦ୍ର ମହାନ୍ତି

ସମ୍ପାଦକୀୟ

 

 

ରସ–ଉଦ୍‌ବୋଧନରେ ଭଞ୍ଜ–ସାହିତ୍ୟ

ଡକ୍ଟର କୃଷ୍ଣ ଚରଣ ବେହେରା

 

ଉପେଦ୍ର ଭଞ୍ଜ ଏବେ ଆଉ କବି–ବିଶେଷ ହୋଇ ରହି ନାହାନ୍ତି; ସେ ଆମର ଏକ ଜାତୀୟ ଅନୁଷ୍ଠାନରେ ପରିଣତ ହୋଇଛନ୍ତି । ଆମ ଜାତୀୟ ସଂସ୍କୃତିର ସେ ଆଜି ଅନ୍ୟତମ ପ୍ରିୟ ପ୍ରତିଭୂ–ବଙ୍ଗୀୟ ସାହିତ୍ୟରେ ଯେପରି କବିଗୁରୁ ରବୀନ୍ଦ୍ର ନାଥ–ଇଂରାଜୀ ସାହିତ୍ୟରେ ଯେପରି ମହାକବି ସେକ୍‍ସପିୟର । ପ୍ରାଚୀନ ଭାରତୀୟ ସାହିତ୍ୟରେ ନିଜର ପରିଚୟ ପାଇଁ ଓଡ଼ିଆ ଜାତି ଯେଉଁ ଅଳ୍ପ କେତେ ଜଣ ମନୀଷୀଙ୍କ ଆଡ଼କୁ ଚାହିଁଥାଏ, ସେମାନଙ୍କ ମଧ୍ୟରେ କବି ଉପେନ୍ଦ୍ର ଭଞ୍ଜ ଅନ୍ୟତମ । ଆପଣା ଅସ୍ତିତ୍ୱ ଅନୁସନ୍ଧାନ କଲାବେଳେ ଉତ୍କଳୀୟମାନେ ଯେଉଁ ଜାତୀୟ ବୀରମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥାଆନ୍ତି, କବି ଉପେନ୍ଦ୍ର ଭଞ୍ଜ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ । ସେଥି ସକାଶେ ଆଧୁନିକ ଯୁଗ ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ବିଭିନ୍ନ କବି, ମନୀଷୀ, ଦେଶନାୟକଗଣ ତାଙ୍କର ମହତ୍ତ୍ୱ ପ୍ରତିପାଦନ ପୂର୍ବକ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ନିବେଦନ କରି ଆସିଛନ୍ତି । ୧୮୬୬ ମସିହାରେ ବଙ୍ଗୀୟ ପାଠକ ସମାଜରେ ଭଞ୍ଜ କବିଙ୍କୁ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ କବି ରାଧାନାଥ ରାୟ ତାଙ୍କ ପ୍ରତି ଏହିପରି ଶ୍ରଦ୍ଧା–ନିବେଦନ କରିଥିଲେ :–

 

ନୀଳକଣ୍ଠାତ୍ମଜ କାମମୟ ଶକ୍ତିଧର

ତ୍ରିଦଶ ଦଲେର ଶୂର ସେନାନୀ ହଇୟେ

ବହୁ କଷ୍ଟ ସହି, କରି ରନ ଘୋରତର

ପାଇଲା ଅକ୍ଷୟ ଯଶଃ ତାରକେ ବଧିୟେ ।

ହେ ନୀଳକଣ୍ଠ ନନ୍ଦନ ନୃପକୁଳଧନ,

ତୁମି ଓ ତେମତି ଶୂର । ସୁକବିମଣ୍ଡଳେ

ହୟେ ଅଗ୍ରଗଣ୍ୟ କବି, ନିଜ ବାହୁବଳେ

ନାଶିଲା ଉତ୍କଲ–ନିନ୍ଦା–ଉତ୍କଳଭୂଷଣ ।

ଧନ୍ୟ ରାଜକବି ତୁମି, ଜନମ ସୁକ୍ଷନେ

ଗ୍ରହନିଲା ଏ ପ୍ରଦେଶେ ହେ କବିନ୍ଦ୍ରମନି ।

ସୁଯଶସ୍ୱୀ ସୁସମୟେ ସରସ ଲେଖନୀ

ଧରିଲା ଉପେନ୍ଦ୍ର । ମରି ଯେ ଚାରୁ ଭୂଷନେ

ସାଜାୟେଛ ବୈଦେହୀଶେ ହେ କବିରତନ

ତୁମ ବିନା ସାଧ୍ୟ କାର ସାଜାୟ ଏମନ ! *

 

*

ଶ୍ରୀ ରାଧାନାଥ ରାୟ କର୍ତ୍ତୃକ ପ୍ରଣୀତ ‘କବିତାବଳୀ’, ୧୧।୧ ବେଚୁ ଚାଟୁଯ୍ୟେର ଷ୍ଟ୍ରିଟ୍, କଲିକତା (ସମ୍ବତ ୧୯୨୪)–ଗ୍ରନ୍ଥରୁ ଗୃହୀତ ।

 

+

ଶ୍ରୀ ଗୋପାଳବଲ୍ଲଭ ଦାସଙ୍କ ‘କବିତା ମଞ୍ଜରୀ, କଟକ ପ୍ରିଣ୍ଟିଙ୍ଗ କମ୍ପାନୀ (୧୮୯୫)–ଗ୍ରନ୍ଥରୁ ଗୃହୀତ ।

 

ସ୍ୱର୍ଗୀୟ ଗୋପାଳବଲ୍ଲଭ ଦାସ ମଧ୍ୟ ସେହିପରି ୧୮୯୫ ମସିହାରେ କବି ଉପେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ବାଢ଼ିଥିଲେ :–

 

ଭଞ୍ଜକୁଳ–କଞ୍ଜ ଉପଇନ୍ଦ୍ର ବୀରବର

ଧନ୍ୟ ଧନ୍ୟ ନୀଳକଣ୍ଠ ନୃପତି–ନନ୍ଦନ

ଆବାଳ ବନିତା ବୃଦ୍ଧ ହୃଦୟ–ଚନ୍ଦନ

ଋତୁପତି–ସହଚର ମତ୍ତ ପିକବର ।

ପୂର୍ଣ୍ଣ ଶଶିଧର କିବା ମଳୟ ପବନ

ପରି ସୁଧାଜିଣା ତବ ସଙ୍ଗୀତ ଲହରୀ

ତରଙ୍ଗେ ତରଙ୍ଗେ ଦିଗ ବିଦିଗେ ପ୍ରସରି

ପ୍ରାସାଦେ କୁଟୀରେ କରେ ଚିତ୍ତବିନୋଦନ ।

ଦେଖେଁ ଯେବେ ପଥେ ଘାଟେ ମଳିନ ବସନ

ପିନ୍ଧି ଦୀନହୀନ, ତବ ମଧୁର ସଙ୍ଗୀତ

ଗାଇ, ସର୍ବ ଦୁଃଖ ଭୁଲି ପ୍ରପୁଲ୍ଲବଦନ

ତବ ଗୁଣ ଭାବି ହୁଏ ଚକିତ ବିସ୍ମିତ ।

କବିର କୁହୁକ ଧନ୍ୟ, ସାର୍ଥକ ଜୀବନ

ବରି କାଳେ କାଳେ ପର ଦୁଃଖ ବିମୋଚନ । +

 

କବି ରାଧାନାଥ ଓ ଗୋପାଳବଲ୍ଲଭ, ଉପେନ୍ଦ୍ରଭଞ୍ଜଙ୍କର ବୈଶିଷ୍ଟ୍ୟ ଯଥାର୍ଥତଃ ନିରୂପଣ କରିପାରିଛନ୍ତି । ଭଞ୍ଜ ‘ସରସ ଲେଖନୀ’ ଧାରଣ କରିଥିଲେ; ତାଙ୍କ ସାହିତ୍ୟ–ଆସ୍ୱାଦନରେ ପ୍ରାସାଦବାସୀ ତଥା କୁଟୀରବାସୀ ଚିତ୍ତବିନୋଦନ କରେ–‘ସର୍ବ ଦୁଃଖ ଭୁଲି’ ହୁଏ ‘ପ୍ରଫୁଲ୍ଲ ବଦନ’ । ଅର୍ଥାତ୍ ଭଞ୍ଜସାହିତ୍ୟର ଗାନ ବା ପଠନ ଆନନ୍ଦପ୍ରଦ; ଭଞ୍ଜ–ସାହିତ୍ୟସୃଷ୍ଟି ସହୃଦୟ ସାମାଜିକମାନଙ୍କ ହୃଦୟରେ ବିଭିନ୍ନ ରସର ଉଦ୍‌ବୋଧନ କରିଥାଏ । ଭାରତୀୟ ସାହିତ୍ୟତତ୍ତ୍ୱ ଅନୁଯାୟୀ–ରସ ଆଲୌକିକ; ବାହ୍ୟ ଇନ୍ଦ୍ରିୟଦ୍ୱାରା ତାହା ଆସ୍ୱାଦନ କରି ହୁଏନା । ରସ ଅନ୍ତରର ସହଜାତ ଐଶ୍ୱର୍ଯ୍ୟ; ଅନୁଭୂତି ବା ଉପଲବ୍ଧିଦ୍ୱାରା ଉଦବୋଧିତ ହୋଇଥାଏ । ଏହି ଅନୁଭୂତି ବା ଉପଲବ୍ଧି ଆସେ ସାହିତ୍ୟପାଠରୁ । ପାଠକ ସମାଜର ହୃଦୟରେ ବିଭିନ୍ନ ଭାବ, ସାହିତ୍ୟାଶ୍ରିତ ବିଭାବ, ଅନୁଭାବ, ସଞ୍ଚାରୀଭାବ ସମବାୟରେ ବିକଶିତ ହୋଇ ରସରେ ପରିଣତ ହୁଏ । ରସ ପ୍ରକୃତରେ ସାହିତ୍ୟସୃଷ୍ଟି ମଧ୍ୟରେ ନ ଥାଏ; ଥାଏ ସହୃଦୟ ପାଠକମାନଙ୍କ ହୃଦୟରେ । ତାକୁ ଜାଗ୍ରତ ବା ଜାଗରୁକ କରିବାହିଁ ସାହିତ୍ୟର କାର୍ଯ୍ୟ । ଭଞ୍ଜସାହିତ୍ୟ ସେହି କାର୍ଯ୍ୟ ସୁଚାରୁରୂପେ ସମାହିତ କରୁଥିବାରୁ ଆମ ସାହିତ୍ୟତତ୍ତ୍ୱ ମାନଦଣ୍ଡରେ ଉଚ୍ଚକୋଟୀର ବୋଲି ପରିଗଣିତ ହୋଇଥାଏ ।

 

ଉପେନ୍ଦ୍ରଭଞ୍ଜ ଜଣେ ବହୁ ଶାସ୍ତ୍ରଦର୍ଶୀ ପଣ୍ଡିତ କବି ଥିଲେ । ସଂସ୍କୃତ–ପ୍ରାକୃତାଦି ଭାଷାରେ ରଚିତ ଭାରତୀୟ ସାହିତ୍ୟତତ୍ତ୍ୱରେ ତାଙ୍କର ଗଭୀର ପ୍ରବେଶ ଥିଲା । ସେହି ସାହିତ୍ୟତତ୍ତ୍ୱର ଅନୁଶାସନ ବା କବିଶିକ୍ଷା ଅନୁଯାୟୀ ସେ କାବ୍ୟକବିତା ରଚନା କରିଯାଇଛନ୍ତି । ଆପଣା ‘ରସପଞ୍ଚକ’ ଗ୍ରନ୍ଥରେ ସେ ସ୍ପଷ୍ଟ ସୂଚାଇଛନ୍ତି–

 

‘ରସତରଙ୍ଗିଣୀ’ ଗ୍ରନ୍ଥ ‘ସାହିତ୍ୟ ଦର୍ପଣ’

            କବି ସମ୍ମତିକି ଏ ଆସିବ

ରସାଇବ ଚିତ୍ତ, ଗୀତ ନାୟିକା ନାୟକ–

            ଲକ୍ଷଣରେ ପରପୂର୍ଣ୍ଣ ହେବ ।।

 

ତେଣୁ ପ୍ରାଚୀନ ଭାରତୀୟ ସାହିତ୍ୟ ତତ୍ତ୍ୱର ମାନଦଣ୍ଡରେ ଆମେ ଭଞ୍ଜ–ସାହିତ୍ୟର ସମାଲୋଚନା କରିବା ଯୁକ୍ତିଯୁକ୍ତ ହେବ । ଭାରତୀୟ ଅଳଙ୍କାର ଶାସ୍ତ୍ର ବା ସାହିତ୍ୟ ବିଦ୍ୟାରେ ଯେଉଁ ନଅ–ଦଶଟି ରସ ବିଷୟ ବୋଲାଯାଇଛି, ଉପେନ୍ଦ୍ର ଭଞ୍ଜ ଆପଣା ସାହିତ୍ୟ ସୃଷ୍ଟି ମାଧ୍ୟମରେ ପାଠକ ସମାଜ ହୃଦୟରେ ଊଣାଧିକେ ସେହି ସବୁ ରସର ଉଦବୋଧନ ପାଇଁ ଉଦ୍ୟମ କରିଛନ୍ତି । ରସ ସମୂହ ମଧ୍ୟରେ ତତକାଳୀନ ପରମ୍ପରା * ଅନୁଯାୟୀ ସେ ଶୃଙ୍ଗାର ରସର ଉଦ୍‌ବୋଧନ କରିଛନ୍ତି ଅତ୍ୟଧିକ । ଲାବଣ୍ୟବତୀ କାବ୍ୟରେ–‘‘ନବ ରସରେ ସାର, ଆଦ୍ୟେ ଲେଖି ଶୃଙ୍ଗାର’’, କିମ୍ବା ରସିକ ହାରାବଳୀ କାବ୍ୟରେ–‘‘ବିଚାରଇ କରିବି ଉତ୍ତମ ଛାନ୍ଦ ଗୀତ, ରସସାର ଶୃଙ୍ଗାର ତହିଁରେ ହେବ ବ୍ୟକ୍ତ’’ ପ୍ରଭୃତି ଉକ୍ତିରୁ କବି ଉପେନ୍ଦ୍ରଙ୍କ ଶୃଙ୍ଗାର–ସମ୍ପର୍କୀୟ ଆଭିମୁଖ୍ୟ ସହଜରେ ଜଣାପଡ଼େ । ସମ୍ଭୋଗ ଓ ବିପ୍ରଲମ୍ଭ ଅଥବା ମିଳନ ଓ ବିଚ୍ଛେଦ ଭେଦରେ ଶୃଙ୍ଗାର ଦୁଇ ପ୍ରକାର । ପ୍ରେମର ଐଶ୍ୱର୍ଯ୍ୟ ପ୍ରକଟିତ ହୁଏ–ମିଳନ ସହିତ ବିରହର ସମବାୟରେ । ଉପେନ୍ଦ୍ର ଭଞ୍ଜ ନିଜ କାବ୍ୟ କବିତାରେ, ତାହା ପୌରାଣିକ ହେଉ ବା କାଳ୍ପନିକ ହେଉ, ଏହି ଉଭୟ ପ୍ରକାର ଶୃଙ୍ଗାର ରସର ଉଦ୍‍ବୋଧନ କରିଛନ୍ତି । କିନ୍ତୁ ଭଞ୍ଜ–ସାହିତ୍ୟରେ ବିପ୍ରଲୟ ଶୃଙ୍ଗାରର ପ୍ରାଧାନ୍ୟ ଥିବାର ମନେ ହୁଏ-। ଅଧ୍ୟାପକ ଉପେନ୍ଦ୍ର ନାୟକ ଭଞ୍ଜ କବିଙ୍କର କେତେକ ପ୍ରଧାନ ପ୍ରଧାନ କାବ୍ୟରୁ ଉଦାହରଣ ଦେଇ ଏହା ପ୍ରମାଣ କରିଛନ୍ତି । * ବାସ୍ତବିକ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମ–ସୁଧାନିଧି, ରସିକ ହାରାବଳୀ, ଲାବଣ୍ୟବତୀ, ରସଲେଖା ପ୍ରଭୃତି କାବ୍ୟରୁ ଜଣାପଡ଼େ–କବି ଉପେନ୍ଦ୍ର ଭଜ୍ଞ ନାୟକ–ନାୟିକାଙ୍କର ମିଳନ ଅପେକ୍ଷା ବିରହର ଚିତ୍ର ଆଙ୍କିଛନ୍ତି ଅଧିକ ମାନବୀୟ ପ୍ରେମକୁ ପ୍ରଭାବଶାଳୀ କରିବାପାଇଁ ସମ୍ଭୋଗ ଶୃଙ୍ଗାର ତୁଳନାରେ ବିପ୍ରଲମ୍ଭ ଶୃଙ୍ଗାରର ଉଦବୋଧନ କରିଛନ୍ତି ବେଶି । ଏ କ୍ଷେତ୍ରରେ ମଧ୍ୟ ସେ ପରମ୍ପରାନୁରାଗ । ‘ସାହିତ୍ୟ ‘ଦର୍ପଣ’ର ତୃତୀୟ ପରିଚ୍ଛେଦରେ ବିଶ୍ୱନାଥ କବିରାଜ (ଖ୍ରୀଷ୍ଟୀୟ ୧୪ଶ ଶତାବ୍ଦୀ) ଉଲ୍ଲେଖ କରିଛନ୍ତି–

 

ନ ବିନା ବିପ୍ରଲମ୍ଭେନ ଶୃଙ୍ଗାର ପୁଷ୍ଟିମଶ୍ନୁତେ ।

କଷାୟିତେ ହି ବସ୍ତ୍ରାଦୌ ଭୂୟାନ୍ ରାଗୋ ବିବର୍ଦ୍ଧତେ ।।

 

ଅର୍ଥାତ୍–କଷା ଲୁଗାରେ ରଙ୍ଗ ଦେଲେ ଯେପରି ଭଲ ରଙ୍ଗ ହୁଏ, ସେହିପରି ବିପ୍ରଲମ୍ଭଦ୍ୱାରା ଶୃଙ୍ଗାର ପରିପୁଷ୍ଟ ହୁଏ । କବି ଉପେନ୍ଦ୍ର ଭଞ୍ଜ ବ୍ୟକ୍ତିଗତ ଜୀବନରେ ପତ୍ନୀ–ବିରହୀ ଥିବାର ବୋଲାଯାଏ । ଆପଣାର ସେହି ବିରହାନୁଭୂତି ସେ କାବ୍ୟ କବିତାରେ ରୂପାୟିତ କରିଥିବାର ମନେ ହୁଏ । ଲାବଣ୍ୟବତୀରେ କବି ଲେଖିଛନ୍ତି–
 

କି ହେବ ଇନ୍ଦ୍ର ହୋଇଲେ ସର୍ବ ସମ୍ପଦେ ସେ

ସ୍ତିରୀହୀନଠାରୁ ପାପୀ ନାହିଁ ମହୀଦେଶେ ଯେ ।–୨୮।୩୪

 

ସେହିପରି ଅନ୍ୟତ୍ର–

ଯୁବାଙ୍କୁ ଯୁବତୀ

ବିଚ୍ଛେଦରୁ ଆଉ ନାହିଁ ବିପତ୍ତି ।–୩୯।୨୩

 

*

ଶୃଙ୍ଗାର ଏବ ମଧୁରଃ ପର ପ୍ରହ୍ଲାଦରସଃ x x–ଧ୍ୱନ୍ୟାଲୋକ .: ଆନନ୍ଦ ବର୍ଦ୍ଧନ (ଖ୍ରୀଷ୍ଟୀୟ ୯ମ ଶତାବ୍ଦୀ)

 

ଶୃଙ୍ଗାରୀ ଚେତ୍ କବିଃ କାବ୍ୟେ ଜାତଂ ରସମୟଂ ଜଗତ୍ x x–ସରସ୍ୱତୀ କଣ୍ଠାଭରଣ : ଭୋଜରାଜ (୧୧ଶ ଶତାବ୍ଦୀ)

*

ଭଞ୍ଜ ସାହିତ୍ୟ : ଏକ ଦିଗ୍ ଦର୍ଶନ–ପ୍ରକାଶକ ଲିଙ୍ଗରାଜ ପଣ୍ଡା, ବାଙ୍କାବଜାର, କଟକ (୧୯୭୫) ପୃଷ୍ଠା ୧୭୩–୮୭

 

ଶୃଙ୍ଗାର ରସ ଉଦ୍‌ବୋଧନ ଉପେନ୍ଦ୍ର ଭଞ୍ଜଙ୍କର ଉଚ୍ଛ୍ୱାସ ଓ ଆନ୍ତରିକତାର ବିଭିନ୍ନ କାରଣ ରହିଛି । ଏ ସମ୍ପର୍କରେ ସଂସ୍କୃତ ଅଳଙ୍କାର ଶାସ୍ତ୍ରର ନିର୍ଦ୍ଦିଷ୍ଟ ଅନୁଶାସନ ତ ଥିଲା ! ତାହା ବ୍ୟତୀତ, ଭାରତରେ ସୁପ୍ରସାରିତ ତତ୍‍କାଳୀନ ଇସଲାମୀ ସଂସ୍କୃତିର ପ୍ରଭାବ ଏହା ମୂଳରେ ଥିବା ବିଷୟ ଅସ୍ୱୀକାର କରାଯାଇ ନ ପାରେ । ଏ ସମ୍ପର୍କୀୟ ଅନ୍ୟ ଏକ ବିଶେଷ କାରଣ ଏଠାରେ ଉପସ୍ଥାପନ କରାଯାଉଛି । ଭଞ୍ଜକବି କିମ୍ବା ତାଙ୍କର ଅନୁସରଣ–କାରୀ ବିଭିନ୍ନ କବିଙ୍କ ରଚନାରେ ଶୃଙ୍ଗାରିକତାର ବାହୁଲ୍ୟ ଭଳି, ଆମର ପ୍ରାଚୀନ ମନ୍ଦିରମାନଙ୍କ ଗାତ୍ରରେ ଖୋଦିତ ବହୁ କାମୋଦ୍ଦୀପକ ଚିତ୍ର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ଖ୍ରୀଷ୍ଟୀୟ ଏକାଦଶ ଶତାଦ୍ଦୀଠାରୁ ଅଷ୍ଟାଦଶ ଶତାଦ୍ଦୀଯାଏଁ–କେତେବେଳେ ରାଜ୍ୟ ଜୟ ଲାଗି, ଆଉ କେତେବେଳେ ପ୍ରତିରକ୍ଷା ଉଦ୍ଦେଶ୍ୟରେ ଉତ୍କଳୀୟମାନଙ୍କୁ ଘନ ଘନ ଯୁଦ୍ଧ କରିବାକୁ ପଡ଼ିଛି ଏବଂ ତହିଁରେ ବରାବର ପ୍ରଚୁର ଲୋକକ୍ଷୟ ଘଟିଛି । ସେତେବଳେ ପୁଣି ବିଭିନ୍ନ ପ୍ରାକୃତିକ ଦୁର୍ଯ୍ୟୋଗରେ ପଡ଼ି ଏବଂ ଉନ୍ନତ ଚିକିତ୍ସା ପ୍ରଣାଳୀ ଅଭାବରୁ ରୋଗବ୍ୟାଧି ମହାମାରୀରେ ବହୁ ଲୋକ ପୋକ ମାଛି ପରି ମରି ଯାଉଥିଲେ । ତେଣୁ ପରିବାର–ନିୟନ୍ତ୍ରଣ ନୁହେଁ; ପରିବାର ପରିବର୍ଦ୍ଧନହିଁ ଥିଲା ସେତେବେଳର ସାମାଜିକ ଉପଯୋଗିତା । ସେଥିସକାଶେ ଜନବଳ ବା ଲୋକଶକ୍ତିର ଅଭିବୃଦ୍ଧି ଲାଗି ଜନସମାଜକୁ ପ୍ରରୋଚିତ ଓ ଅନୁପ୍ରାଣିତ କରିବା ସେତେବେଳେ ସାହିତ୍ୟ ତଥା ସ୍ଥାପତ୍ୟକଳାର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ସେଥିଲାଗି ଭୁବନେଶ୍ୱର, ପୁରୀ, କୋଣାର୍କର ମନ୍ଦିର ଗାତ୍ରରେ କାମୋଦ୍ଦୀପକ ସ୍ଥାପତ୍ୟ କଳାର ବାହୁଲ୍ୟ–ସେଥିଲାଗି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ–କବିତାରେ ଶୃଙ୍ଗାରିକତାର ଆତ୍ୟନ୍ତିକ ଉଚ୍ଛ୍ୱାସ । ଏହାଦ୍ୱାରା ପାଠକ, ଶ୍ରୋତା ବା ଦର୍ଶକ ଆନନ୍ଦଲାଭ ଅର୍ଥାତ୍ ଶୃଙ୍ଗାର ରସରେ ଉଦ୍‍ବୁଦ୍ଧ ହେବା ସଙ୍ଗେ ସଙ୍ଗେ ଏକ ମହତ୍ ଉଦ୍ଦେଶ୍ୟ ସାଧନ ପାଇଁ ପ୍ରବଣତା ପ୍ରକାଶ କରିବେ–ସେ ଉଦ୍ଦେଶ୍ୟ ହୋଇପାରେ ସ୍ଥୂଳ ଓ ସାଂସାରିକ । ଏଠାରେ ଏହା ଉଲ୍ଲେଖନୀୟ ଯେ–ଆମର ସାଂସ୍କୃତିକ ପରମ୍ପରାରେ ସାହିତ୍ୟ–ଶିଳ୍ପକଳାଦିର ଫଳିତ ଦିଗ କେବେ ଅସ୍ୱୀକୃତ ବା ପରିତ୍ୟକ୍ତ ହୋଇନାହିଁ । * ପୁଣି ସଂସ୍କୃତି ଓ ନିୟମାନୁରାଗ ଯୌନାଚାର ମଧ୍ୟରେ କୌଣସି ବିରୋଧ ସୃଷ୍ଟି ହୋଇନାହିଁ । ଉନ୍ନତ ଜୀବନଚର୍ଯ୍ୟାରେ ବିଚାରସିଦ୍ଧ କାମକ୍ରୀଡ଼ା ଆଦୌ ବାଧକ ବା ପ୍ରତିବନ୍ଧକ ନୁହେଁ ବୋଲି ଉଦ୍‍ଘୋଷିତ ହୋଇଛି । ଆମର ଏହି ଐତିହ୍ୟ ବିଷୟରେ ଅବହିତ ନ ହେଲେ, ଭଞ୍ଜକବିଙ୍କ କାବ୍ୟକବିତାରେ ଶୃଙ୍ଗରିକତା–ବାହୁଲ୍ୟର ତାତ୍ପର୍ଯ୍ୟ ହୃଦୟଙ୍ଗମ କରି ହେବ ନାହିଁ ।

 

*

ଏହା ସହିତ ଶ୍ରୀ ନୀରଦ ଚୌଧୁରୀଙ୍କ ନିମ୍ନ ଉକ୍ତିଟି ତୁଳନୀୟ–‘‘One thing, which distinguished the Hindus before they were corrupted by a certain kind of European hypocrisy, was their capacity to face all realities, and wherever possible derive pleasure from them.’’–Hinduism : A Religion To Live By (B.I. Publication, New Delhi)

 

ଶୃଙ୍ଗାର ରସ ବ୍ୟତୀତ କବି ଉପେନ୍ଦ୍ର ଭଞ୍ଜ ବୀର, କରୁଣ, ଅଦ୍ଭୁତ, ହାସ୍ୟ, ଶାନ୍ତ ପ୍ରଭୃତି ଅନ୍ୟାନ୍ୟ ରସର ଉଦ୍‍ବୋଧନ ପାଇଁ ପ୍ରୟାସୀ ହୋଇଛନ୍ତି । କିନ୍ତୁ ଶୃଙ୍ଗାର ରସ ଭଳି ଅପରାପର ରସ–ସଞ୍ଚାରରେ ସେ କୃତିତ୍ୱ ଅର୍ଜନ କରି ଥିବାର ବୋଲାଯାଇ ନ ପାରେ । ବୈଦେହୀଶ ବିଳାସ, ଲାବଣ୍ୟବତୀ, ସୁଭଦ୍ରା ପରିଣୟ ପ୍ରଭୃତି କାବ୍ୟର ସ୍ଥଳବିଶେଷରେ ବୀର, କରୁଣ, ଅଦ୍ଭୁତ ତଥା ଶାନ୍ତ ରସର ଉଦ୍‍ବୋଧନ କରାଯାଇଛି ସତ୍ୟ, କିନ୍ତୁ ତାହା ଶୃଙ୍ଗାରିକତାକୁ ଅତିକ୍ରମ କରିପାରି ଥିବାର ମନେ ହୁଏ ନାହିଁ । ବସ୍ତୁତଃ ଭଞ୍ଜ–ସାହିତ୍ୟ ନବରସ ବା ଦଶରସ ସଞ୍ଚାରର ଆଦର୍ଶ ଗ୍ରହଣ କରିଥିଲେ ହେଁ, ଶୃଙ୍ଗାର ରସକୁ ପ୍ରଧାନ ରସରୂପେ ଏବଂ ଅନ୍ୟାନ୍ୟ ରସକୁ ଗୌଣରସ ଭାବରେ ସଞ୍ଚାର କରାଇବାରେ ସଫଳକାମ ହୋଇଛି । ଲାବଣ୍ୟବତୀ କାବ୍ୟର ପଞ୍ଚଚତ୍ୱାରିଂଶ ଛାନ୍ଦରେ ସ୍ୱୟଂ କବି ଉପେନ୍ଦ୍ରଭଞ୍ଜ ତାହାର ଏକ ଚମତ୍କାର ସୂଚନା ପ୍ରଦାନ କରିଛନ୍ତି । ଦେବତାମାନଙ୍କ ଦୃଷ୍ଟିରେ–ଯୁଦ୍ଧଜୟର କୀର୍ତ୍ତି ଚନ୍ଦ୍ରଭାନୁକୁ ‘ନବରସେ ନବଗ୍ରହ’ରୂପେ ପ୍ରତିଷ୍ଠିତ କରାଇଛି :–

 

ଦେଖି ନୃପଜ ଚରିତ      ଦେବଙ୍କୁ ଦେବେ କଥିତ

ନବ ରସେ ନବଗ୍ରହ ଏହି ହେ ।

ଶୃଙ୍ଗାରେ ଗୁରୁ ନିଶ୍ଚୟ      ବୀର ରସେ କେତୁ ପ୍ରାୟ

କରୁଣରେ କବିପଣ ବହି ହେ ।।

 

ଅଦ୍ଭୁତେ ମଙ୍ଗଳ ସତ      ହାସ୍ୟରେ ମନ୍ଦ ବିଦିତ

ଭୟାନକେ ତମ ପରି ଟାଣ ହେ ।

ଗ୍ରହବର ବୀଭତ୍ସରେ      ବୁଧ ଏ ରୌଦ୍ର ରସରେ

ଶାନ୍ତିରେ ଚନ୍ଦ୍ରମା ପରି ଜାଣ ହେ ।।

 

ଅର୍ଥାତ୍ ଚନ୍ଦ୍ରଭାନୁ ଶୃଙ୍ଗାର ରସରେ ବୃହସ୍ପତି, ବୀର ରସରେ କେତୁ, କରୁଣ ରସରେ ଶୁକ୍ର, ଅଦ୍ଭୁତ ରସରେ ମଙ୍ଗଳ, ହାସ୍ୟ ରସରେ ଶନି, ଭୟାନକ ରସରେ ରାହୁ, ବୀଭତ୍ସ ରସରେ ସୂର୍ଯ୍ୟ, ରୌଦ୍ର ରସରେ ବୁଧ ଏବଂ ଶାନ୍ତ ରସରେ ଚନ୍ଦ୍ର ସଦୃଶ ।

 

***

 

ଗୀତିକବି ଦୀନକୃଷ୍ଣ

ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)

 

ମଧ୍ୟଯୁଗର ଓଡ଼ିଆ–ସାହିତ୍ୟର ବିଶିଷ୍ଟ କବି ଭାବେ ଦୀନକୃଷ୍ଣ ଅଗ୍ରଗଣ୍ୟ । ସୁଲଳିତ ପଦ ଯୋଜନା ଓ ରସସୃଷ୍ଟି ଦୃଷ୍ଟିରୁ ତାହାଙ୍କୁ ଓଡ଼ିଆ–ସାହିତ୍ୟର ଜୟଦେବ କହିଲେ ଅତ୍ୟୁକ୍ତି ହେବ ନାହିଁ-। ପ୍ରାଚୀନ ସାହିତ୍ୟର ତିନିଗୋଟି ମୁଖ୍ୟ ବିଭାଗ ପୁରାଣ, କାବ୍ୟ ଓ ଗୀତିକାବ୍ୟ କ୍ଷେତ୍ରରେ ସେ ଆପଣାର ଅସାମାନ୍ୟ ସୃଜନ ପ୍ରତିଭାର ଦୃଷ୍ଟାନ୍ତ ରଖିଯାଇଛନ୍ତି ।

 

ଗୀତିକାବ୍ୟ ପ୍ରଣେତା ଭାବେ ତାହାଙ୍କ କୃତିତ୍ୱ ଅବିସମ୍ବାଦିତ । ତାଙ୍କୁ ସପ୍ତଦଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଗୀତିକବି କହିଲେ ଅତ୍ୟୁକ୍ତି ହେବ ନାହିଁ । କୃଷ୍ଣଲୀଳାତ୍ମକ ବହୁ ଚଉତିଶା, ଚୌପଦୀ, ଜଣାଣ, ଭଜନ ଓ ଶ୍ରୀ ଜଗନ୍ନାଥଙ୍କ ଚନ୍ଦନ, ଝୁଲଣ ପ୍ରଭୃତି ବିଭିନ୍ନ ପର୍ବ ଉପଲକ୍ଷେ ବହୁ ଗୀତିକା–ରଚନା କରି ଓଡ଼ିଆ ଗୀତି–ସାହିତ୍ୟକୁ ସେ ସମୃଦ୍ଧ କରିଯାଇଛନ୍ତି ।

 

ତାହାଙ୍କ ପ୍ରଣୀତ ଗୀତିକା ଓ କ୍ଷୁଦ୍ର ରଚନାବଳୀକୁ ଭକ୍ତିଗୀତିକା, କୃଷ୍ଣଲୀଳାତ୍ମକ ଗୀତିକା, ଲୌକିକ ଗୀତିକା, ଚଉତିଶା ଓ ବିବିଧ ଭେଦରେ ପାଞ୍ଚଭାଗରେ ବିଭକ୍ତ କରାଯାଇପାରେ । ସେହି କ୍ଷୁଦ୍ର ଗୀତମାନଙ୍କ ସମ୍ପର୍କୀୟ ସଂକ୍ଷିପ୍ତ ବିବରଣୀ ଏଠାରେ ଉଲ୍ଲେଖଯୋଗ୍ୟ ।

 

(କ)

ଭକ୍ତି ଗୀତିକା–ତାହାଙ୍କ ରଚିତ ଜଣାଣ, ଭଜନ ଗୁଡ଼ିକରେ ଭକ୍ତ–ସୁଲଭ ଆତ୍ମିକ ପରିଚୟ ଉତ୍ତମରୂପେ ଲିପିବଦ୍ଧ । ସେମାନଙ୍କ ମଧ୍ୟରୁ ‘ଭଜମନ କଳାକହ୍ନାଇ’, ଜୟ ଜଗବନ୍ଧୁ ହେ ଯଦୁନନ୍ଦନ’, ‘ଆରେ କଳାମଲ୍ଲୀ’, ‘କରୀନ୍ଦ୍ର ଦନ୍ତ ପଲଙ୍କ ତେଜି ପ୍ରଭୁ’, ‘ଜଗବନ୍ଧୁ ପରି ଜଣେ ସାମନ୍ତ’, ସତ୍ୟବାଦୀ ଗୋବିନ୍ଦ ରାଧାମୋହନ’, ‘ତୋର ଶରଣ ଗଲିରେ ମୂରଲୀ’ ପ୍ରଭୃତି ଆଦ୍ୟ ଛତ୍ରବଶିଷ୍ଟ ଗୀତଗୁଡ଼ିକ ଏକାନ୍ତ ଜନପ୍ରିୟ । ଦୀନକୃଷ୍ଣଙ୍କ ରଚିତ ପ୍ରାୟ ୩୦ ଗୋଟି ଭକ୍ତି କବିତା ଏଯାବତ୍ ଲୋକ–ଲୋଚନକୁ ଆସି ପାରିଛି । ତନ୍ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ପ୍ରଶସ୍ତିମୂଳକ ଚଉଦଗୋଟି, ଶ୍ରୀକୃଷ୍ଣ ଓ ରାଧାଙ୍କ ଉଦ୍ଦେଶ୍ୟରେ ଏଗାର ଗୋଟି ଓ ବୃନ୍ଦାବନ ପ୍ରାପ୍ତି ଲାଳସା ସମ୍ବଳିତ ଗୋଟିଏ ଏବଂ ମନଃଶିକ୍ଷା ଓ ଅଣାକାର ଭଜନମୂଳକ ପାଞ୍ଚଗୋଟି-। ଦୀନକୃଷ୍ଣଙ୍କ ଭଣିତା ଥିବା ଶ୍ରୀରାମ ପ୍ରଭାତ ଅବକାଶ ଓ ହରଚଣ୍ଡୀଙ୍କ ମାଳଶ୍ରୀ ନାମକ ଗୀତ ମଧ୍ୟ ପ୍ରକାଶ ପାଇଅଛି । ଶେଷୋକ୍ତ ଗୀତଟି ସୁପ୍ରତିଷ୍ଠିତ ଭକ୍ତକବି ଦୀନକୃଷ୍ଣଙ୍କର ରଚନା ବୋଲି କବିବାକୁ ସନ୍ଦେହ ହୁଏ । ସେହିପରି ବୃନ୍ଦାବନବାସ ଲାଳସା ସୂଚିତ (ମଦନ ମୋହନ ଗୋପୀନାଥ) ଗୀତିକା, ଶ୍ରୀରାଧାଙ୍କ ବନ୍ଦନାଗୁଡ଼ିକ ଉତ୍କଳୀୟ ବୈଷ୍ଣବମତବାଦୀ ଦୀନକୃଷ୍ଣଙ୍କଦ୍ୱାରା ରଚିତ ହୋଇଥିବା ସମ୍ପର୍କରେ ସନ୍ଦେହ ଜନ୍ମିଥାଏ । ଜଗନ୍ନାଥଙ୍କ ପ୍ରଭାତ ଦର୍ଶନ, ଚନ୍ଦନ ଉତ୍ସବ ଓ ପହୁଡ଼ ଶୋଭା ବର୍ଣ୍ଣନାରୁ କବିଙ୍କ ପ୍ରତ୍ୟକ୍ଷ ଦର୍ଶନ ଓ ଜଗନ୍ନାଥୈକ ପ୍ରାଣତା ସହଜରେ ଅନୁଭୂତ ହୁଏ ।

 

(ଖ)

କୃଷ୍ଣଲୀଳାତ୍ମକ ଗୀତିକା–ଏହି ପର୍ଯ୍ୟାୟରେ ପ୍ରାୟ ଚାଳିଶଗୋଟି ଗୀତ ଏଯାବତ୍ ଲୋକଲୋଚନକୁ ଆସିଅଛି । ଦୀନକୃଷ୍ଣ ଉତ୍କଳୀୟ ବୈଷ୍ଣବ ଥିଲେ ହେଁ ଗୌଡ଼ୀୟ ପ୍ରୀତିତତ୍ତ୍ୱ ସମ୍ବନ୍ଧରେ ଅନବହିତ ନ ଥିଲେ । ତାହାଙ୍କ ସମୟକୁ ଉତ୍କଳୀୟ ଓ ଗୌଡ଼ୀୟ ଉତ୍କଳୀୟ ଓ ଗୌଡ଼ୀୟ ମତବାଦ ମଧ୍ୟରେ ଏକ ସୁସମନ୍ୱୟ ସ୍ଥାପିତ ହୋଇସାରିଥିଲା । ସେଥିପାଇଁ କବି ରାଧାକୃଷ୍ଣ–ଲୀଳାତ୍ମକ ବହୁ ଚୌପଦୀ ବା ପଦ୍ୟାବଳୀ ରଚନା କରିବା ସ୍ୱାଭାବିକ । ସେଗୁଡ଼ିକରେ ରାଧାକୃଷ୍ଣଙ୍କ ନବାନୁରାଗ, ରୂପପ୍ରୀତି, ମାନ, ମାନଭଙ୍ଗ ଲାଗି ଚାଟୁ, ଆପେକ୍ଷାନୁରାଜ, ବଂଶୀ ବିଭବ, ଘାଟଲୀଳା, କୃଷ୍ଣଙ୍କ ମଥୁରାଗମନ ଜନିତ ବିରହ କାରୁଣ୍ୟ, ବସନ୍ତ ବିଚ୍ଛେଦ, ପ୍ରୀତିବିପତ୍ତି, ଅଭିସାରିକା, ମିଳେନୋତ୍କଣ୍ଠିତା ପ୍ରଭୃତି ବିବିଧ ନାୟିକା ଭେଦରେ ଶ୍ରୀରାଧାଙ୍କ ଭାବ ଓ ରାଧାକୃଷ୍ଣଙ୍କ ଯୁଗଳମିଳନ ପ୍ରଭୃତି ବିଷୟ ବର୍ଣ୍ଣିତ । ନିମ୍ନୋକ୍ତ ଯୁଗଳମିଳନ ବର୍ଣ୍ଣନାତ୍ମକ ଗୀତିକାଟି ଦୀନକୃଷ୍ଣଙ୍କ ଏକ ଅପୂର୍ବ କମନୀୟ ସୃଷ୍ଟି ଭାବରେ ପ୍ରଣିଧାନଯୋଗ୍ୟ ।

 

‘‘ଏ ସଉଦାମିନୀ            ଘେନି କାଦମ୍ବିନୀ

ଘନେ ଘନରସ ବରଷିଲା

ଅତି ହରଷରେ            ମଦନ ବଶରେ

ଶ୍ୟାମ ଶ୍ୟାମାତନୁ ଜଡ଼ିଗଲା ।

 

ତମ୍ପକମାଳାରେ            ବସି କି ଭ୍ରମର

ମହାମତ୍ତ ଭୋଳେ ଚୁମ୍ବୁ ଦେଲା

ତମାଳ ଲତାରେ            ହେମ ବ୍ରତତୀ କି

ଘେନି ପବନରେ ପଡ଼ିଗଲା ।

 

ସୁବର୍ଣ୍ଣ ଧରଣୀ            ଆବୋରି କି ଫଣୀ–

ବଇରି ବିଚିତ୍ର ନାଟ କଲା

ମର୍କତ ପଞ୍ଜରୀ            ମଧ୍ୟରେଣ ଥାଇ

ବସନ୍ତ ପକ୍ଷୀ କି ଡାକ ଦେଲା ।୨।

 

ଉକ୍ତିପ୍ରତ୍ୟୁକ୍ତି ଛଳରେ ରଚିତ ଏତାଦୃଶ ଗୀତଗୁଡ଼ିକରେ ସଖୀ ଓ ଗୋପୀମାନଙ୍କ ଭୂମିକା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ । ସଖୀମାନଙ୍କ ବିବିଧ କୌତୁକ, ଶ୍ରୀରାଧାଙ୍କୁ ମାନ ତ୍ୟାଗ ଲାଗି ପରାମର୍ଶ, ଶ୍ରୀକୃଷ୍ଣଙ୍କ ନିକଟରେ ଶ୍ରୀମତୀଙ୍କ ବିରହ ଅବସ୍ଥା ବର୍ଣ୍ଣନ, ଶ୍ରୀରାଧାଙ୍କୁ ଆଶ୍ୱାସନା, ଦୌତ୍ୟ, ଅଭିସାର ରଚନା ଲାଗି ପରାମର୍ଶ ଓ କୋକିଳ ପ୍ରତି ସନ୍ଦେଶ ପ୍ରଭୃତି ଏହି ଗୀତିକାରେ ସରସ ଭାବେ ବର୍ଣ୍ଣିତ ।

 

(ଗ)

ଲୌକିକ ଗୀତିକା–ଦୀନକୃଷ୍ଣ ବିରଚିତ ନାୟକ ନାୟିକାଙ୍କ ପ୍ରଣୟାନୁଭୂତିମୂଳକ ମାତ୍ର ତିନିଗୋଟି ଗୀତ ଏଯାବତ୍ ସଂଗୃହୀତ । ସଂସ୍କୃତ ଅଳଙ୍କାର ଶାସ୍ତ୍ରସମ୍ମତ ରୀତିକାବ୍ୟର ପ୍ରଭାବ ଏହି ଗୀତିକାରେ ସୁସ୍ପଷ୍ଟ । ଏହି ଗୀତ ତିନିଗୋଟିରେ ମାନିନୀର ଲକ୍ଷଣ, ମାନବତୀ ନାୟିକା ପ୍ରତି ନାୟକର ଚାଟୂକ୍ତି ଓ କେଳିଭବନ ବାହୁଡ଼ା ନାୟିକାର ଅବସ୍ଥା ପ୍ରଭୃତି ବର୍ଣ୍ଣିତ । କବିଙ୍କ ସରସ ଲେଖନୀରେ କେଳିବାହୁଡ଼ା ନାୟିକାର ରୂପ ଏହିପରି ମନୋଜ୍ଞ ରୀତିରେ ବର୍ଣ୍ଣିତ–

 

‘‘ଲିଭି ପ୍ରେମ ଲୋତକରେ ଅଞ୍ଜନର ଗାର

ଶୋଭିଛି ହେବପୀଠେ କି କାଳନ୍ଦୀର ଧାର ଯେ ।୨।

ତୁଟି ମୋତିହାର ଉରେ ଗୋଟି ଗୋଟି ହୋଇ

ଖସିବାର ଅବନୀରେ ନକ୍ଷତ୍ର ପରାୟୀ ଯେ ।୩।

ବାଳା ଅଧରକୁ ଏ ଉପମା ହେବ ନୂଆ

ପକ୍ୱ ବିମ୍ବ ଚାଖି ଚାଲିଯାଇଛି କି ଶୁଆ ଯେ ।୪।

ବକ୍ଷୋଜେ କରଜକ୍ଷତ ଲକ୍ଷଣା ଏମନ୍ତ

ସ୍ୱର୍ଣ୍ଣ ଶମ୍ଭୁଶିରେ କି ଦ୍ୱିତୀୟା ନିଶାକାନ୍ତ ଯେ ।୫।

ବରନି ନୋହିବ ବର–ବରନୀର ଠାଣି

ବୋଲେ ଦୀନକୃଷ୍ଣ ପିକମୂକ ଶୁଣି ବାଣୀ ଯେ ।୬।

 

(ଘ)

ଚଉତିଶା–ଦୀନକୃଷ୍ଣ ପ୍ରାଚୀନ କବିମାନଙ୍କ ମଧ୍ୟରୁ ସର୍ବାଧିକ ଚଉତିଶାର ରଚୟିତା । ତାହାଙ୍କ ରଚିତ ଅଧିକାଂଶ ରାଧାକୃଷ୍ଣ ଲୀଳାତ୍ମକ । ‘କମଳାକାନ୍ତ ଚଉତିଶା’ କବିଙ୍କର ଏକ ଅଳଙ୍କାର–ସମୃଦ୍ଧ ରଚନା । ‘ପ୍ରାଣସଖୀ ଚଉତିଶା’ରେ ଶ୍ରକୃଷ୍ଣଙ୍କ ମୁଖରେ ଶ୍ରୀରାଧାଙ୍କ ରୂପ–ପ୍ରଶସ୍ତି ବିଷୟ ବର୍ଣ୍ଣିତ । ‘ରାଧାକୃଷ୍ଣ ଚଉତିଶା’ଟି ମଧ୍ୟ ରାଧାକୃଷ୍ଣ ଲୀଳାତ୍ମକ । ରାଧିକାଙ୍କ ବିରହ ଦୁଃଖ ଦେଖି ସଖୀ କୃଷ୍ଣଙ୍କ ନିକଟକୁ ଆସିଛନ୍ତି ଓ ତାଙ୍କୁ ଚାଟକ୍ତି କଲାପରେ ଦୁହିଁଙ୍କର ଯୁଗଳ ମିଳନ ସଂପାଦିତ ହୋଇଛି । ଏହାପରେ ଶ୍ରୀକୃଷ୍ଣ ରାଧାଙ୍କ ବେଶ ରଚନା କରିଛନ୍ତି । ‘ଆର୍ତ୍ତତ୍ରାଣ ଚଉତିଶା’, ‘ସ୍ନାନୋତ୍ସବ ଚଉତିଶା’ ଦୁଇଟି ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରଚିତ । ‘ସ୍ନାନୋତ୍ସବ ଚଉତିଶା’ରେ କବି ଶ୍ରୀଜଗନ୍ନାଥଙ୍କ ସ୍ନାନୋତ୍ସବ ଦେଖିବା ସୁଯୋଗରୁ ବଞ୍ଚିତ ହୋଇ ଥିବାରୁ ଆପଣାର ଦୁର୍ଭାଗ୍ୟକୁ ନିନ୍ଦା କରିଛନ୍ତି । ମାତ୍ର ‘ଆର୍ତ୍ତତ୍ରାଣ ଚଉତିଶା’ଟି କବିଙ୍କ ଶ୍ରୀକ୍ଷେତ୍ରବାସ ସମୟର ରଚନା । କଥିତ ଅଛି, କବି ଏହି ‘ଚଉତିଶା’ଟି ଜଗନ୍ନାଥଙ୍କ ‘ଗରୁଡ଼ସ୍ତମ୍ଭ ସନ୍ନିଧାନରେ’ ଗାନ କରି ଦୁରାରୋଗ୍ୟ କୁଷ୍ଠବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ । ‘କମଳାକାନ୍ତ ଚଉତିଶା’ଟି ଶ୍ରୀକୃଷ୍ଣଙ୍କ ଭକ୍ତିମୂଳକ ଓ ଏଥିରେ ପ୍ରଶସ୍ତି ବା ଶ୍ରୀକୃଷ୍ଣଙ୍କ ଚାଟୂକ୍ତି ବର୍ଣ୍ଣିତ ।

 

(ଙ)

ବିବିଧ–ଜଣାଣ, ଭଜନ, ଚଉପାଦୀ, ଚଉତିଶା ବ୍ୟତୀତ ସରଳ ଭାଷାରେ ଲୋକଶିକ୍ଷା ଉଦ୍ଦେଶ୍ୟରେ କବି ବହୁବିଧ ଗୀତି ରଚନାରେ ମଧ୍ୟ ବ୍ରତୀ ହୋଇଥିଲେ । ତନ୍ମଧ୍ୟରୁ ତାହାଙ୍କ ରଚିତ ‘ପ୍ରସ୍ତାବସିନ୍ଧୁ’, ନାବକେଳି’, ଭୂତକେଳି, ଅଳଙ୍କାର ବୋଲି’ ପ୍ରଭୃତି ପୁସ୍ତବର ନାମ ଉଲ୍ଲେଖଯୋଗ୍ୟ । ସେଇସବୁ କ୍ଷୁଦ୍ର ରଚନାବଳୀ ସମ୍ପର୍କୀୟ ସଂକ୍ଷିପ୍ତ ଆଲୋଚନା ଏଠାରେ ପ୍ରଦତ୍ତ ହେଲା ।

 

(୧)

ପ୍ରସ୍ତାବସିନ୍ଧୁ–ଏହି ପୁସ୍ତକଟିରେ କବି ଚାଣକ୍ୟନୀତି ଶ୍ଳୋକ ନାମରେ ପରିଚିତ ବହୁ ସଂସ୍କୃତ ଶ୍ଳୋକର ବ୍ୟାଖ୍ୟାତ୍ମକ ପଦ୍ୟାନୁବାଦ କରିବା ସଙ୍ଗେ ସଙ୍ଗେ ‘ପଞ୍ଚତନ୍ତ୍ର’ର କେତେକ ନୀତି କଥାକୁ ସରଳ ପଦ୍ୟାକାରରେ ବର୍ଣ୍ଣନା କରିଛନ୍ତି । ଏଥିରେ ସର୍ବମୋଟ ଦଶଗୋଟି ଉପଖ୍ୟାନ ନିହିତ । ଦୀନକୃଷ୍ଣହିଁ ସର୍ବପ୍ରଥମେ ସଂସ୍କୃତ ପଞ୍ଚତନ୍ତ୍ରକୁ ଓଡ଼ିଶାର ସାଧାରଣ ପାଠକଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି । ଏତଦ୍‍ବ୍ୟତୀତ ମନୁଙ୍କ ସ୍ମୃତି ଓ କେତେକ ପ୍ରକୀର୍ଣ୍ଣ ଜନପ୍ରୀୟ ସଂସ୍କୃତ ଶ୍ଳୋକର ପଦ୍ୟାନୁବାଦ ମଧ୍ୟ ଏଥିରେ ପରିଦୃଷ୍ଟ ହୁଏ । ଏହି ରଚନାଟି ବହୁ ସ୍ୱତନ୍ତ୍ର ବିଷୟର ସମଷ୍ଟି ହୋଇଥିବାରୁ ଏହାର ବିବିଧ ସ୍ଥାନରେ କବି ଆପଣାର ନାମୋଲ୍ଲେଖ ବା ଭଣିତା କରିଛନ୍ତି । ଏଥିରେ–

 

(୧) ଦୁର୍ଜନ ସଙ୍ଗତର ପରିଣାମ (୨) ଅବ୍ୟାପାରର ପରିଣାମ (୩) ଅନ୍ୟର ମନ୍ଦ ଚିନ୍ତାର ପରିଣାମ (୪) ମର୍ମକଥା ପ୍ରକାଶର ପରିଣାମ (୫) ସ୍ୱଜନ ଅପ୍ରୀତିର ପରିଣାମ (୬) ଅତି ଲୋଭର ଫଳ (୭) ବୁଦ୍ଧିର ବଳ (୮) ଇତର ବ୍ୟକ୍ତି ଅହଂକାରୀ (୯) ସୁସଙ୍ଗର ଫଳ (୧୦) ନୀଚ ବ୍ୟକ୍ତିର ଉପକାର ଅକର୍ତ୍ତବ୍ୟ (୧୧) ନାରୀ ଅବିଶ୍ୱାସୀ ପ୍ରଭୃତି ପ୍ରସଙ୍ଗ ବର୍ଣ୍ଣିତ । ଅନୁମିତ ହୁଏ, ଏହା ରଚନା କଲାବେଳକୁ କବି ପରିଣତ ବୟସ୍କ ଓ ସାଂସାରିକ ଅଭିଜ୍ଞତାରେ ପରିପକ୍ୱତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଭକ୍ତି ଭାବରେ ଅନୁଭାବିତ ହୋଇ ସାରିଥିଲେ । ସେଥିପାଇଁ ଗୋଟିଏ ସଂସ୍କୃତ ଶ୍ଳୋକରେ ଧନର ମହତ୍ତ୍ୱ ସର୍ବାଧିକ ବୋଲି ବର୍ଣ୍ଣିତ ହୋଇଥିବାରୁ ଏହା କବିଙ୍କ ମନଃପୂତ ହୋଇପାରି ନାହିଁ । ଏଣୁ ସେହି ସଂସ୍କୃତ ଶ୍ଳୋକର ଭାବ ଯଥାର୍ଥ ନୁହେଁ ବୋଲି କବି ଆପଣାର ବ୍ୟାଖ୍ୟା ଯୁକ୍ତି ସହ ଉପସ୍ଥାପିତ କରିଛନ୍ତି । ଶ୍ଳୋକଟି ହେଉଛି–

 

‘ଧନେନ ପୂଜିତଂ ସର୍ବଂ ନିର୍ଦ୍ଧନଂ କେନ ପୂଜ୍ୟତେ

ତଣ୍ଡୁଳେନ ଯୁତଂ ଧାନ୍ୟଂ ମାନନୀୟଂ ଭବେତ୍ସବା ।’’

 

ଅର୍ଥାତ୍ ଧନଥିଲା ଲୋକ ଆଦର ପାଏ । ନ ଥିଲା ଲୋକକୁ କେହି ଆଦର କରନ୍ତି ନାହିଁ । କବି ଶ୍ଳୋକଟିର ଏପରି ଅର୍ଥ ଲେଖି ସାରି ସେ ବିଷୟରେ ମନ୍ତବ୍ୟ ପ୍ରକାଶ କରିଛନ୍ତି–

 

‘‘ଏକ ମନ ହୋଇ ସୁଜନେ ଶୁଣ । ଅର୍ଥକୁ ଏ ନ ଘଟିଲା ତ ପୁଣ ।’’

x            x            x            x

‘‘ଶାସ୍ତ୍ରରେ ଏମନ୍ତ କହି ଯେ ଅଛି । ଅନୁଭବକୁ ତ ନଇଲା କିଛି ।’’

 

କବି ଏ ବିଷୟରେ ଆଲୋଚନା କରି ଶେଷରେ ଧର୍ମ ରୂପକ ଧନକୁ ଶ୍ରେଷ୍ଠ ବୋଲି ଦୃଢ଼ ଭାବରେ ମତ ଦେଇଛନ୍ତି ।

 

‘‘ଶ୍ରୀକୃଷ୍ଣଙ୍କ ନାମ ଗଣ୍ଠି ଧନ କର୍ । ଯାହା ଘେନିଯିବ ବୈକୁଣ୍ଠ ପୁର ।’’

 

ଏହି ରଚନାଟି ମାଧ୍ୟମରେ ଜନସାଧାରଣଙ୍କୁ ନୈତିକ ଉପଦେଶ ଦେବା, ଭଲ ଓ ମନ୍ଦ ବିଷୟରେ ଅବହିତ କରିବା ଥିଲା ଜନହିତୈଷୀ କବିଙ୍କ ଅଭିପ୍ରାୟ ।

 

(୨)

ଭୂତକେଳି–କବିଙ୍କ ରଚିତ କୃଷ୍ଣ ଉପାଖ୍ୟାନମୂଳକ କ୍ଷୁଦ୍ର ଗୀତମାନଙ୍କ ମଧ୍ୟରୁ ଭୂତକେଳି, ନାବକେଳି ଓ ପ୍ରତ୍ୟେକେ ଏକ ଛନ୍ଦ ବିଶିଷ୍ଟ ରଚନା ଓ ସେଗୁଡ଼ିକ ‘ବୋଲି’ ପର୍ଯ୍ୟାୟଭୁକ୍ତ । କୃଷ୍ଣ କିପରି ଚନ୍ଦ୍ରସେଣା ଗୃହରେ ଭୂତ ଆକାର ଧାରଣ କରି ଚନ୍ଦ୍ରସେଣା ଓ ଗୋପବାସୀଙ୍କୁ ଭୟଭୀତ କରାଇ ଥିଲେ ଓ ରାଧାଙ୍କ ସହିତ କ୍ରୀଡ଼ାରତ ହୋଇଥିଲେ, ତାହା ଏଥିରେ ବର୍ଣ୍ଣିତ । ଚାରିଗୋଟି ପର୍ଯ୍ୟାୟରେ ଏହି ଖଣ୍ଡ କାବ୍ୟଟି ପରିସମାପ୍ତ । ରଚନାଟି କବିଙ୍କ ପ୍ରାଥମିକ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ତାହା କବିଙ୍କ ସ୍ୱୀକାରୋକ୍ତିରୁହିଁ ଜଣାଯାଏ–

 

‘ବେଭାରେ ବାଳୁତ ମୁଁ ଯେ ଅଜ୍ଞାନ ଅଟଇ ।

ପାଠଶାଠ ନ ଜାଣଇ ମୂର୍ଖମତି ସିନା

ଜଗନ୍ନାଥ ଦୟାକଲେ ପୂରିବ ବାସନା ।’

 

(୩)

ନାବକେଳି–ଏକ ବୃଦ୍ଧ ନାବିକ ବେଶରେ କୃଷ୍ଣ ଦଧି ବିକ୍ରୟ କରିବାପାଇଁ ଯାଉଥିବା ରାଧାଙ୍କୁ ନୌକାରେ ନେଇ କିପରି ସମ୍ଭୋଗ କରିଥିଲେ ଏବଂ ପରେ ବହୁରୂପ ଧାରଣ କରି କିପରି ଗୋପୀମାନଙ୍କ ସହ କ୍ରୀଡ଼ା କରିଥିଲେ, ତାହା ଏଥିରେ ବର୍ଣ୍ଣିତ । କବି ଏହି ଖଣ୍ଡକାବ୍ୟର ପ୍ରାରମ୍ଭରେ ଗୋପୀମାନଙ୍କର ଦଧିମନ୍ଥକାଳୀନ ଗୀତ ଭାବରେ ଏକ ଚଉତିଶାକୁ ମଧ୍ୟ ସଂଯୋଜିତ କରିଛନ୍ତି ।

 

(୪)

ଅଳଂକାର ବୋଲି–ଅଳଂକାର ବିକ୍ରେତା ବା ସୁନାରି ବେଶରେ କୃଷ୍ଣ ଯମୁନାକୁ ଜଳ ପାଇଁ ଯାଉଥିବା ଗୋପୀମାନଙ୍କ ନିକଟରେ ଉପସ୍ଥିତ ହୋଇ କିପରି ରାଧାଙ୍କ ସହ ବିବିଧ କ୍ରୀଡ଼ା କରିଥିଲେ, ତାହା ଏଥିରେ ବର୍ଣ୍ଣିତ ।

 

(୫)

ସମଦୀର୍ଘ ବୋଲି ବା ସ୍ତ୍ରୀ ପୁରୁଷ ଲକ୍ଷଣ–ସମ୍ପ୍ରତ୍ତି ଏହି ରଚନାଟି ଆମ୍ଭମାନଙ୍କର ହସ୍ତଗତ ହୋଇଅଛି । (୧) ‘ରସବିନୋଦ’ରେ କବି ତାହାଙ୍କ ରଚିତ ଏହି ରଚନାଟି ୩୨୦ ପଦବିଶିଷ୍ଟ ବୋଲି ଉଲ୍ଲେଖ କରିଅଛନ୍ତି । ମାତ୍ର ମିଳିଥିବା ପୋଥିଟି ୨୯୨ ପଦ ବିଶିଷ୍ଟ । ଏହି ରଚନାଟି କବିଙ୍କ ପରିଣତ ବୟସର ସୃଷ୍ଟି । କବି କୃଷ୍ଣଚରିତ ମୂଳକ ବହୁ ଗ୍ରନ୍ଥ ପ୍ରଣୟନ କଲା ପରେ ଏହି କ୍ଷୁଦ୍ର ରଚନାଟି ଲେଖିଥିବା ବିଷୟ ସ୍ୱୀକାର କରି ଲେଖିଛନ୍ତି–

 

‘‘କୃଷ୍ଣ ଚରିତ ଥୋକାଏ ହୋଇଲା

ସଂସାର ଭାବ କିଛିହିଁ ନୋହିଲା ।’’ (୩୮ ପଦ)

 

(୧) ୩୩ ସେ.ମି. ଦୌର୍ଘ୍ୟ ବିଶିଷ୍ଟ ଏକ ପୋଥିର ଆଠଟି ପୃଷ୍ଠାରେ ଏହା ଲିଖିତ । ପୋଥିଟି ରେଭେନ୍‍ସା କଲେଜ ଉପାଧ୍ୟୁତ୍ତର ଓଡ଼ିଆ ବିଭାଗର ପୋଥି ସଂଗ୍ରହର ଅନ୍ତର୍ଭୁକ୍ତ ।

 

ଏହି କ୍ଷୁଦ୍ର ରଚନାଟିରୁ କବିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମଧ୍ୟ କେତେକ ବିଷୟ ଜଣାଯାଇଥାଏ । କବି କୁଷ୍ଠରୋଗଗ୍ରସ୍ତ ହୋଇଥିବା ବିଷୟ ଜନଶ୍ରୁତିରୁ ଜଣାଯାଏ । ସମ୍ଭବତଃ ଏହା ଯଥାର୍ଥ । କାରଣ ଗୋଟିଏ ପଦରେ କବି ଲେଖିଛନ୍ତି–

 

‘‘ପାଦ ପାଣି ମୋର ନାହିଁ ନା ଦେଖା ।

            ଜନ୍ମରୁ ମୂରୁଖ ପଶୁରେ ଲେଖା ।।

ବିଷୟାରମ୍ଭେ ତ ହୋଇଲି ଦୁଃଖୀ ।

            ସୁଜନ ସଙ୍ଗହିଁ ନାହିଁ ମୁଁ ଦେଖି ।।’’

 

କୁଷ୍ଠ–ରୋଗାକ୍ରାନ୍ତ ହେବା ଫଳରେ କବିଙ୍କ ହାତ ଓ ପାଦର ଆଙ୍ଗୁଠି ବିକୃତ ବା ଛିନ୍ନ ହୋଇ ଯାଇଥିବା ପ୍ରସଙ୍ଗ ହୁଏତ ଏଠାରେ ସୂଚିତ । ରଚନା ଆରମ୍ଭରୁ କବି ବିଷ୍ଣୁ, ଗଣେଶ, ଶିବ ଓ ସରସ୍ୱତୀଙ୍କୁ ବନ୍ଦନା କରିଛନ୍ତି । ସର୍ବୋପରି ଶ୍ରୀ ଜଗନ୍ନାଥଙ୍କ ନିର୍ଦ୍ଦେଶରେ କବି ଏହି ଗ୍ରନ୍ଥ ରଚନାରେ ମନୋନିବେଶ କରିଥିବା ମଧ୍ୟ ସ୍ୱୀକାର କରିଛନ୍ତି–

 

‘‘ଭଗତବନ୍ଧୁ ମୋତେ ଦୟାକଲେ । ପଦ ଯୋଡ଼ିବାକୁ ଆଜ୍ଞା ହୋଇଲେ ।।

x            x            x

ପ୍ରଭୁଙ୍କ ମୁଖରୁ କ୍ଷରିଲା ଯାହା । ସାହାସ୍ର ଯୁଗତେ କହୁଛି ତାହା ।୪୦।’’

 

ବସ୍ତୁତଃ ଏହି ପ୍ରସଙ୍ଗର ବକ୍ତା ହେଉଛନ୍ତି ସ୍ୱୟଂ ବିଷ୍ଣୁ ଏବଂ ନାରଦ ହେଉଛନ୍ତି ପ୍ରଶ୍ନକର୍ତ୍ତା ଓ ଶ୍ରୋତା । ଏଥିରେ ସ୍ତ୍ରୀ ପୁରୁଷଙ୍କ ଶାରୀରିକ ଓ ଆଚରଣଗତ ସୁଲକ୍ଷଣ ଓ କୁଲକ୍ଷଣ ଏବଂ ତାହାର ପରିଣାମ ସରଳ ଭାଷାରେ ବର୍ଣ୍ଣିତ ହୋଇଅଛି ।

 

ଭାଷା–ଦୀନକୃଷ୍ଣଙ୍କ କାବ୍ୟକବିତାରେ ନିୟୋଜିତ ଭାଷାର ଆଦର୍ଶ ଥିଲା ଏକ ସମଭାଷା-। ସାଧୁ ଶବ୍ଦବହୁଳ ଅଥବା ସଂସ୍କୃତ ଶବ୍ଦାଡ଼ମ୍ବର ସମୃଦ୍ଧ ଭାଷାକୁ କବି ସ୍ୱରଚିତ କାବ୍ୟକବିତାରେ ନିୟୋଜିତ କରିବାକୁ ଚାହିଁ ନ ଥିଲେ । ଆପଣାର ରଚନାବଳୀକୁ ଜନସାଧାରଣଙ୍କ ପକ୍ଷେ ସୁବୋଧ୍ୟ କରାଇବା ଉଦ୍ଦେଶ୍ୟରେହିଁ ସେ ସରଳ, ଲୋକପ୍ରଚଳିତ ଭାଷାକୁ ଭାବ ଅଭିବ୍ୟକ୍ତିର ମାଧ୍ୟମଭାବେ ଗ୍ରହଣ କରି ତାହାର ଗୌରବବର୍ଦ୍ଧନ କରିଯାଇଛନ୍ତି । କବି ଦୀନକୃଷ୍ଣଙ୍କ ଲେଖନୀରେ ଓଡ଼ିଶାର ଲୋକପ୍ରଚଳିତ ଶବ୍ଦାବଳୀ ଏକ ଅପୂର୍ବ ନୂତନ ଦୀପ୍ତିରେ ଉଦ୍‍ଭାସିତ ଓ ନୂତନ ଭାବରସରେ ସଂଜୀବିତ ହୋଇପାରିଥିଲା । ଅବଶ୍ୟ ତାହାଙ୍କ କାବ୍ୟକବିତାରେ ସ୍ଥାନେ ସ୍ଥାନେ ସଂସ୍କୃତ ସାଧୁଶବ୍ଦର ବ୍ୟବହାର ଦେଖିବାକୁ ମିଳେ । ସମ୍ଭବତଃ ଏହାହିଁ ଦୀନକୃଷ୍ଣଙ୍କ କଥିତ ‘ସମ’ ଭାଷା ବା ‘କଥା ନୁହେଁ ଦିବ୍ୟ ଅଦିବ୍ୟ ସମ’ । ଓଡ଼ିଶାର ଲୋକମୁଖରେ କଥିତ ସରଳ, ଦେଶଜ ଭାଷା ଯେ ଏପରି ସୁଲଳିତ ହୋଇପାରେ, ତାହା ପ୍ରଥମ କରି ଦୀନକୃଷ୍ଣଙ୍କ କୃତିରେହିଁ ସମ୍ଭବପର ହୋଇପାରିଥିଲା । ଦୀନକୃଷ୍ଣ ‘ରସକଲ୍ଲୋଳ’ କାବ୍ୟଟି ପଦଲାଳିତ୍ୟ ଦୃଷ୍ଟିରୁ ଓଡ଼ିଆ ସାହିତ୍ୟର ସର୍ବଶ୍ରେଷ୍ଠ ରଚନା ଭାବରେ ଗୃହୀତ ହୋଇଥାଏ । ଉକ୍ତି ପ୍ରତ୍ୟୁକ୍ତି ଓ ଅନ୍ୟାନ୍ୟ ବର୍ଣ୍ଣନାରେ ଦୀନକୃଷ୍ଣ କାବ୍ୟଧର୍ମୀ କୃତ୍ରିମଭାଷା ବ୍ୟବହାର କ ନକରି ସ୍ୱାଭାବିକ କଥ୍ୟଭାଷା ବ୍ୟବହାର କରି ଲୋକଭାଷାର ଗୌରବ ବୃଦ୍ଧି କରି ଯାଇଛନ୍ତି । ତାହାଙ୍କ କାବ୍ୟକବିତାର ଭାଷା କିପରି ସଂସ୍କୃତ ସାଧୁଶବ୍ଦକୁ ପରିହାର କରି ଦେଶଜ ବା ଗ୍ରାମ୍ୟ ଶବ୍ଦାବଳୀ ସମାହାରରେ ରସମୟ ଓ ଭାବଦ୍ୟୋତକ ହୋଇପାରିଛି, ତାହା ନିମ୍ନୋକ୍ତ ଉଦାହରଣରୁ ଅନୁମେୟ-

 

‘ଜଗମୋହନରେ ଛିଡ଼ା ହୋଇ କେହି ଧର ଧର ବୋଲି ଯାଚୁଛି

ଉଠକିନା ମନ ଧରୁଛି ଚରଣ ଗହଳି ହୋଇ ଯେ ଆସୁଛି ।

କାଳିଆ କାହ୍ନୁକୁ ବେଗେ ଦେଖି ଯିବା ସୁଖରେ ଦର୍ଶନ ମିଳୁଛି

ଆନନ୍ଦରେ କେହି କର ପ୍ରସାରିଣ ତୁଣ୍ଡେ ଖାଇ ମୁଣ୍ଡେ ପୋଛୁଛି ।।’

(ଶ୍ରୀ ଜଗନ୍ନାଥଙ୍କ ପ୍ରଭାତ ଦର୍ଶନ)

 

ଅଳଙ୍କାର ଯୋଜନା–ଦୀନକୃଷ୍ଣ କାବ୍ୟକବିତାରେ ବିବିଧ ଅଳଙ୍କାର ସମାବେଶ କରିଥିଲେ ହେଁ ଅଳଙ୍କାର ଯୋଜନାକୁ କାବ୍ୟର ମୁଖ୍ୟଆଦର୍ଶ ଭାବରେ ଗ୍ରହଣ କରିନାହାନ୍ତି । ପରନ୍ତୁ ତାହାଙ୍କ ରଚନାରେ ଅଳଙ୍କାର ସ୍ୱାଭାବିକ ଭାବରେ ସଂଯୋଜିତ ହୋଇ କାବ୍ୟଶ୍ରୀକୁ ବର୍ଦ୍ଧିତ କରିବାରେ ସହାୟକ ହୋଇଅଛି ।

 

ଅକ୍ଷର ନିୟମରେ କାବ୍ୟକବିତା ରଚନା ପ୍ରତି ଦୀନକୃଷ୍ଣଙ୍କର ଥିଲା ସ୍ୱାଭାବିକ ଅନୁରକ୍ତି । ସେଥିପାଇଁ ସେ ‘କ’ ଆଦ୍ୟନିୟମରେ ‘ରସକଲ୍ଲୋଳ’ କାବ୍ୟ ରଚନା କରିବା ବ୍ୟତୀତ ଅକ୍ଷର ନିୟମରେ କେତେକ ଗୀତ ମଧ୍ୟ ରଚନା କରିଅଛନ୍ତି । ‘କ’ ପ୍ରାନ୍ତ ନିୟମରେ ନିମ୍ନୋକ୍ତ ଗୀତଟି ତାହାଙ୍କଦ୍ୱାରା ରଚିତ ।

 

‘‘ଆହେ ନୀଳାଚଳ ନାୟକ

ଦୀନ ଅକିଞ୍ଚନେ ସୁଖଦାୟକ ।୦।

 

ଚନ୍ଦ୍ରକାନ୍ତି ଜିଣି କମନୀୟ ଠାଣି କଳାକଳେବର କି ଜକଜକ

ଆର୍ତ୍ତୀ ଜନଙ୍କର ଆର୍ତ୍ତ ବିଧ୍ୱଂସନେ ମହାବାହୁ ପ୍ରସାରିଛ କାଳକ ।୧।

ଧବଳକମଳ ନୟନଯୁଗଳ ଚାହାଣି ଭଙ୍ଗିମା ତ ଅତିରେକ

ଦଶନ ବସନ ରଙ୍ଗିମା ହସନ ପ୍ରସନ୍ନମୟ ଶ୍ରୀ କଳା ଶ୍ରୀମୁଖ ।୨।

 

x                  x                  x

କଣ୍ଠେ ବିଲମ୍ବିତ ମଣିମୟ ହାର କଉସ୍ତୁଭ ଦୀପ୍ତିମନ୍ତ ଝଲକ

କଳିତ ଲଳିତ ବାସ ବନମାଳା ବୈଜୟନ୍ତୀ ଦାମ ଆଜାନୁତକ ।୫।’’

 

‘ଅ’ ଆଦ୍ୟନିୟମରେ ଲିଖିତ ନିମ୍ନୋକ୍ତ ଗୀତଟିରୁ କବିଙ୍କ ଅଳଙ୍କାର ଯୋଜନା ପ୍ରତି ଅନୁରାଗ ମଧ୍ୟ ଅନୁମେୟ–

 

‘‘ଅକ୍ଷ ଲୀଳା ଲକ୍ଷ୍ୟ କଲୁ ଯା’ ମୋହନରାଜରେ

ଅର୍ଯ୍ୟମା ରାଜଦୁଲଣୀ କି ଯୋଗେ ତୁ ଆଜରେ ।୦।

ଅପୂର୍ବ କୀର୍ତ୍ତିକେତନ, ଉଡ଼ିବଟି ଜୀବଧନ

ଅବଶ୍ୟ ତୋ ନାମେ ଏ ଅଖିଳ ବ୍ରଜ ରାଜ୍ୟରେ ।୧।

 

x            x            x

ଅକଳଙ୍କ ଚନ୍ଦ୍ରବଂଶେ            ଅଠା ଲାଗିବ ବିଶେଷ

ଅଡ଼ୁଆରେ ପଡ଼ିଗଲୁ ନ ରଖି ନିହାଜରେ ।୫।

ଅଶ୍ରୁଧାର କର ପଛେ            ପୋଛିବୁ ଜାଣିଲି ସ୍ୱଚ୍ଛେ

ଅସମ୍ଭାଳ ହେଲୁ ଦୀନକୃଷ୍ଣେ କରି ତ୍ୟାଜରେ ।୬।’’

 

ଅନୁପ୍ରାସ ଅଳଂକାର ବହୁଳ ପ୍ରୟୋଗ ‘ଅଞ୍ଜନ ଅନ୍ଧକାର ଗଞ୍ଜନ ସୁଧାକର’ ଓ ‘ମଦନମୋହନ ଗୋପୀନାଥ (‘ଜ’ ଅନୁପ୍ରାସ) ଆଦ୍ୟଛତ୍ର ଶୀର୍ଷକ ଗୀତରୁ ମଧ୍ୟ ଅବଧାରଣା କରାଯାଇପାରେ । ଯମକ ଅଳଂକାର ପ୍ରୟୋଗ ଚାତୁରୀ ମଧ୍ୟ ନିମ୍ନୋକ୍ତ ଗୀତରେ ସୁପରିସ୍ଫୁଟ ।

 

‘‘ବ୍ରଜେଶ୍ୱର ଆହେ କି କରିବ ଏବେ ବ୍ରଜେଶ୍ୱରୀ ।୦।

ତରି ଥରି ମହୀ ଉପରେ ପଡ଼ୁଛି ମଦନ ଶରକୁ ଡରି ଡରି ।୧।

x            x            x

 

ମାରି ମାରି ମାର ଶରକୁ ବିସାର

            ତନୁ ପକାଉଛି ଘାରି ଘାରି

ଝୁରି ଝୁରି ଦୀନ ଦୀନକୃଷ୍ଣ ନେତ୍ରୁ

            ରହୁ ନାହିଁ ନୀର ଝରି ଝରି ।୩।’’

 

କବିଙ୍କ ଅଳଂକାର ଯୋଜନାର ଚରମ ଉତ୍କର୍ଷ ‘କମଳାକାନ୍ତ ଚଉତିଶା’ରେ ଦେଖିବାକୁ ମିଳେ । ଦୀନକୃଷ୍ଣ ସମଗ୍ର ରଚନା ମଧ୍ୟରେ ଏହା ସର୍ବାଧିକ କ୍ଳିଷ୍ଟ ଶବ୍ଦାଡ଼ମ୍ବରପୂର୍ଣ୍ଣ ଓ ଅଳଂକାର ଭାରାକ୍ରାନ୍ତ । ଏହି ଦୃଷ୍ଟିରୁ ଏହି ରଚନାଟି ସୁଲଳିତ ପଦଯୋଜନାକାରୀ ଦୀନକୃଷ୍ଣଙ୍କ ରଚନା ବୋଲି ଭ୍ରମ ଜାତ କରାଇଥାଏ ।

 

ମାନବିକତା–କବି ତାହାଙ୍କ କାବ୍ୟକବିତାରେ କଳ୍ପନାବିଳାସ ଏବଂ ଶବ୍ଦ ଓ ଛନ୍ଦ ଯୋଜନାରେ ପରାକାଷ୍ଠା ଦର୍ଶାଇବା ସଙ୍ଗେ ସଙ୍ଗେ ତାହାଙ୍କ ସୁଗଭୀର ସାଂସାରିକ ଜ୍ଞାନର ମଧ୍ୟ ପରିଚୟ ପ୍ରଦାନ କରିଯାଇଛନ୍ତି । କାବ୍ୟରେ ଲୋକବ୍ୟବହାର, ଲୋକଚଳଣି ସମ୍ପର୍କୀୟ ବିଷଦ ବର୍ଣ୍ଣନା ତାହାଙ୍କର ସମାଜର ଦୁଃସ୍ଥ ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ଓ ଘନିଷ୍ଠ ସମ୍ପର୍କର ଫଳରୁହିଁ ସମ୍ଭବ ହୋଇଥିବା ଅନୁମେୟ । କବିଙ୍କୁ ଅତ୍ୟନ୍ତ ଦୁଃଖରେ କାଳତିପାତ କରିବାକୁ ପଡ଼ୁଥିଲା ଓ ଗ୍ରାସାଚ୍ଛାଦନ ପାଇଁ ଇତସ୍ତତଃ ଭ୍ରମଣ କରିବାକୁ ପଡ଼ୁଥିଲା । ବେଳେବେଳେ ଋଣଗ୍ରସ୍ତ ହେବାକୁ ମଧ୍ୟ ପଡ଼ୁଥିଲା । ଏହି ପ୍ରସଙ୍ଗକୁ କବି ଉପମାଛଳରେ ରସକଲ୍ଲୋଳ କାବ୍ୟରେ ବର୍ଣ୍ଣନା କରିଥିଲେ–

 

‘କୁଟୁମ୍ବୀ ଦୀନଜନମନ ପରାୟେ ଦିବସ ହୋଏ ହନ୍ତସନ୍ତ

ଅଥବା

କୁଟୁମ୍ବୀ ଦୀନଜନ ମନ ପରାୟେ ସନ୍ତାପି ହେଲେ ଏକା ଦିନେ ।’

 

ପ୍ରାଚୀନ କବିମାନଙ୍କ ମଧ୍ୟରୁ ଦୀନକୃଷ୍ଣ ଅଧିକ ପରିମାଣରେ ମାନବବାଦୀ ଥିବା ଅନୁମିତ ହୁଏ । ସମାଜର ଦୀନ ଜନସାଧାରଣଙ୍କ ପାଇଁ କବିଙ୍କ ଗଭୀର ସହାନୁଭୂତି ତାହାଙ୍କ କାବ୍ୟ ଓ ଗୀତିକାବ୍ୟରେ ପ୍ରତିଫଳିତ । ଅନ୍ୟ କୌଣସି ପ୍ରାଚୀନ କବିଙ୍କ ରଚନାବଳୀରେ ଉଦାହରଣ ଛଳରେ ମଧ୍ୟ ଏତାଦୃଶ ବର୍ଣ୍ଣନ ପରିଲକ୍ଷିତ ହୁଏ ନାହିଁ । ତନ୍ମଧ୍ୟରୁ କେତେଗୋଟି ଉଦାହରଣ ଏଠାରେ ଦିଆଯାଇପାରେ ।

 

(୧)      ସବୁ ଭଲ ଘେନି ସିନା କଉଡ଼ି

      ଭଲ ନୋହିଲେ କେଉଁକଥା ଲୋଡ଼ି । (ଅଳଙ୍କାର ବୋଲି)

 

(୨)      ଦୁର୍ଜନ ଲୋକର ପ୍ରତିଜ୍ଞା ଗାଢ଼

      କାଳ ସର୍ପରୁ ଯେ ଅଟଇ ବଡ଼ x x

      ଗୋରୁ ବ୍ରାହ୍ମଣ ସ୍ତିରୀ ହତ୍ୟା ମୂଳେ

      ଏତେକ ପାପ ସେ କରନ୍ତି ଠୁଳେ । (ପ୍ରସ୍ତାବ ସିନ୍ଧୁ)

 

(୩)      ଜୀବ ଯିବାର ବଡ଼ ସୁଖ

      ଜୀଇବା ସମ ନାହିଁ ଦୁଃଖ ।

 

ଜନସାଧାରଣଙ୍କ ପାଇଁ ସୁଗଭୀର ମମତ୍ୱବୋଧହିଁ କବିଙ୍କୁ ଧର୍ମୋପଦେଷ୍ଟାରେ ପରିଣତ କରିଅଛି । ଭଣ୍ଡ ବୈଷ୍ଣବ ଓ ଖଚୁଆଙ୍କ କୁପରାମର୍ଶରେ ପରିଚାଳିତ ଅବିବେକୀ ରାଜାଙ୍କ ବିଷୟରେ ସତର୍କ ହେବାଲାଗି ସେ ଲେଖିଛନ୍ତି–

 

‘ଉଦାସ ହୋଇଣ ଜ୍ଞାନ ନ ପାଇଣ ବୁଲୁଥାଇ ରାଜ୍ୟଯାକ

ଦେହେ ଛାପା ନିଏ ଲୋକଙ୍କୁ ଭଣ୍ଡାଏ ଏତେ ତୀର୍ଥ କଲି ଦେଖ ।’

 

ଜନସାଧାରଣଙ୍କ ପକ୍ଷେ ସେମାନଙ୍କ ବୃତ୍ତି ଅନୁସରଣରେ ଆବଶ୍ୟକତା ବର୍ଣ୍ଣନା କରି ଲେଖିଛନ୍ତି–‘ଯେ ଯାହା ଜୀବିକା ସେ ତାହା ନ କଲେ କେହି ପାରିବ ନେଇ ଦିନ ।’

 

ଉପଦେଶାତ୍ମକତା ଓ ସଦୁକ୍ତି ସମ୍ଭାର–

ଦୀନକୃଷ୍ଣ ଥିଲେ ଉତ୍କଳୀୟ ବୈଷ୍ଣବ ଧର୍ମାବଲମ୍ବୀ । ଜଗନ୍ନାଥ ତଥା କୃଷ୍ଣଙ୍କ ଗୁଣକୀର୍ତ୍ତନହିଁ ଥିଲା ଧର୍ମାଚାରଣର ମୁଖ୍ୟ ବିଭାଗ । ସେହି ଉଦ୍ଦେଶ୍ୟରେ ସେ କାବ୍ୟ ଓ ଗୀତିକାବ୍ୟ ରଚନାରେ ପ୍ରବୃତ୍ତ ହୋଇଥିଲେ । ଜନସାଧାରଣ ସଂଯତ, ସୁନୀତିପରାୟଣ ଓ ବିଷ୍ଣୁଭକ୍ତି ପରାୟଣ ହୁଅନ୍ତି–ଏହାହିଁ ଥିଲା ତାଙ୍କର ଏକାନ୍ତ ଅଭିଳାଷ । ସମ୍ଭତଃ କବିଙ୍କ ସାହିତ୍ୟ ସାଧନା କାଳରେ ଯବନ ଶାସିତ ଓଡ଼ିଶାର ଜନସାଧାରଣଙ୍କ ଜୀବନରେ କେତେକ ପରିମାଣରେ ଅନୈତିକତା ଓ ଅସଂଯମ ପ୍ରବେଶ କରିଥିଲା । ତେଣୁ ଜନସାଧାରଣଙ୍କ ଜୀବନକୁ ମାର୍ଜିତ, ସଂଯତ ଓ ନୀତିନିଷ୍ଠ କରିବା ଉଦ୍ଦେଶ୍ୟରେ କବି ବହୁ ଭକ୍ତି ଗ୍ରନ୍ଥ, ଉପଦେଶାତ୍ମକ ରଚନା ପ୍ରଣୟନ କରିବାରେ ବ୍ରତୀ ହୋଇଥିଲେ । କବିଙ୍କ ‘ପ୍ରସ୍ତାବ ସିନ୍ଧୁ’ ଗୁଣସାଗର ପ୍ରଭୃତି ଗ୍ରନ୍ଥରୁ ତାହାଙ୍କ ଆଦର୍ଶ ନିଷ୍ଠା ଓ ଉପଦେଶାତ୍ମକତା ସହଜରେ ଜଣାଯାଏ ।

 

ନୀତିର ପ୍ରଚାର ଓ ଉପଦେଶାତ୍ମକତା କାବ୍ୟ କବିତାର ସୌନ୍ଦର୍ଯ୍ୟ ତଥା ଗୁଣଗତ ଉତ୍କର୍ଷର ପରିପନ୍ଥୀ । କବି ଉପଦେଷ୍ଟା ବା ଗୁରୁ ନୁହେଁ । ସୌନ୍ଦର୍ଯ୍ୟ ତଥା ରସ ସୃଷ୍ଟିହିଁ କବିର ପ୍ରଧାନ ଲକ୍ଷ୍ୟ । ପାଠକ ମନରେ ଆନନ୍ଦ ସଞ୍ଚାର ଓ ରମ୍ୟବୋଧର ଜାଗରଣହିଁ କାବ୍ୟାନୁଶୀଳନର ଚରମ ଉଦ୍ଦେଶ୍ୟ । ସେଥିପାଇଁ କାବ୍ୟ ଓ ନୀତିଶାସ୍ତ୍ରର ପାର୍ଥକ୍ୟ ସ୍ୱୀକାର କରାଯାଇଥାଏ । ଯେଉଁ କାବ୍ୟରେ ପ୍ରତ୍ୟକ୍ଷ ଭାବରେ ନୀତିର ପ୍ରଚାର ବା ଉପଦେଶ ବର୍ଣ୍ଣିତ ହୋଇଥାଏ, ତାହା ନିତ୍କୃଷ୍ଟ ସାହିତ୍ୟଭାବେ ପରିଗଣିତ ହୁଏ । ମାତ୍ର ଦୀନକୃଷ୍ଣଙ୍କ ଶ୍ରେଷ୍ଠ ରଚନା ‘ରସକଲ୍ଲୋଳ’ କାବ୍ୟରେ ଉପଦେଶାତ୍ମକତା ଓ ଆଦର୍ଶ ପ୍ରଚାର ହୋଇଥିଲେହେଁ ତାହା କାବ୍ୟର ଅନ୍ତଃସୌନ୍ଦର୍ଯ୍ୟକୁ ବ୍ୟାହତ କରି ନାହିଁ । ପରନ୍ତୁ ଏହା କାବ୍ୟରେ ପରୋକ୍ଷ ଭାବରେ ରହି ତାହାର ମହତ୍ତ୍ୱ ବୃଦ୍ଧିର ସହାୟକ ହୋଇଅଛି । ତାହାଙ୍କ ଗୀତି ରଚନାରେ ମଧ୍ୟ ଏହାର ବ୍ୟତିକ୍ରମ ହୋଇ ନାହିଁ ।

 

କବି କିପରି ଜନସାଧାରଣଙ୍କୁ ଧର୍ମୋପଦେଶ ପ୍ରଦାନ କରିଯାଇଛନ୍ତି, ତାହା ନିମ୍ନୋକ୍ତ ପଂକ୍ତିମାନଙ୍କରୁ ଅନୁମେୟ । ଏଥିରୁ କବିଙ୍କ ଆନ୍ତରିକତା ଓ ବ୍ୟାକୁଳତା ସୁସ୍ପଷ୍ଟରୂପେ ଅନୁଭୂତ ହୁଏ-। ଏହାହିଁ କବିଙ୍କ ସମୁଚ୍ଚ ନିର୍ମଳ ହୃଦୟବତ୍ତା ଓ ଉଦାର ମାନବିକତାର ପରିଚାୟକ । କବିଙ୍କ ଏହି ଉପଦେଶାତ୍ମକତା ତାହାଙ୍କ ବୈଷ୍ଣବଧର୍ମୋଚିତ ଧାରଣା ଉପରେହିଁ ପ୍ରତିଷ୍ଠିତ । ଶ୍ରୀକୃଷ୍ଣଙ୍କର ନାମସ୍ମରଣ, ଶ୍ରବଣ, କୀର୍ତ୍ତନ, ଅର୍ଚ୍ଚନ, ପଦସେବନ ଓ ତାହାଙ୍କ ନିକଟରେ ପୂର୍ଣ୍ଣ ଆତ୍ମନିବେଦନ ପ୍ରଭୃତିକୁ ଅନୁସରଣ କରିବାକୁ ଓ ମନରୁ କ୍ରୋଧ, ଅଭିମାନ ଦୂର କରିବାକୁ, ପ୍ରାଣୀମାନଙ୍କୁ ଦୟା କରିବାକୁ, କୁସଙ୍ଗ ପରିହାରପୂର୍ବକ ସାଧୁସଙ୍ଗ କରିବାକୁ ଓ ମିଷ୍ଟଭାଷୀ ହେବାକୁ କବି ଉପଦେଶ ଦେଇଯାଇଛନ୍ତି ।

 

ଏତଦ୍ ବ୍ୟତୀତ କବି ତାହାଙ୍କ କାବ୍ୟ–କବିତାରେ ବହୁ ସଦୁକ୍ତି ସନ୍ନିବେଶିତ କରି କାବ୍ୟର ମହତ୍ତ୍ୱକୁ ବଢ଼ାଇଛନ୍ତି । ରସକଲ୍ଲୋଳକୁ ଏହି ସୂକ୍ତି ସମୂହର ଏକ ମନୋଜ୍ଞ ଭଣ୍ଡାର କୁହାଯାଇପାରେ-। ଅତି ସଂକ୍ଷେପରେ କଥିତ ଏହି ସୂକ୍ତିଗୁଡ଼ିକରୁ କେତେକ ଓଡ଼ିଶାରେ ପ୍ରବଚନର ଗୌରବ ଅର୍ଜନ କରିଅଛି । ଏଗୁଡ଼ିକ ଯେପରି ଶିକ୍ଷାପ୍ରଦ, ସେହିପରି ସୁଗଭୀର ମାନବିକ ସତ୍ୟାନୁଭୂତିର ପରିଚାୟକ ।

 

କ୍ଷୁଦ୍ର ଗୀତ ଓ ଖଣ୍ଡକାବ୍ୟମାନଙ୍କରେ ମଧ୍ୟ ବହୁ ସଦୁକ୍ତି ନିହିତ । ପ୍ରସଙ୍ଗକ୍ରମେ ତହିଁରୁ କେତୋଟି ଏଠାରେ ଉଲ୍ଲେଖ କରାଗଲା ।

 

(୧)      ସେହିମତି ସିନା ସବୁ ଜୀବିକା

ଲାଭ ନ ଥିଲେ କେଉଁ କଥା ବିକା । (ଅ: ବୋଲି)

 

(୨)      ସାନ ବଡ଼ ହୋଇ କିସ କରିବ

ଯେବେ ଆପଣା ଜୀବିକା ଶିଖିବ ।। (ଅ: ବୋଲି)

 

(୩)       ଆରତ ହୋଇଲେ କାର୍ଯ୍ୟ ନୁହଁଇଟି କିଛି । (ଭୂତକେଳି)

(୪)       ଅତି ଆଣ୍ଟ କଲେ ଯେ ନୁହଁଇ କିଛି ଯଶ । (ଭୂତକେଳି)

 

(୫)       ଆପଣାର ଆରତ କି ପରଠାରେ ଥାଇ । (ଭୂତକେଳି)

(୬)       ହସ୍ତର ମାଣିକ୍ୟ କି ପରକୁ ଯାଚି ଦେଇ । (ଭୂତକେଳି)

 

(୭)       ବିଦ୍ୟା ଯେ ଅଟଇ ସଂସାରେ ସାର

ବିଦ୍ୟାହୀନ ପ୍ରାଣୀ ଲେଖା ନ କର ।       (ପ୍ର : ସିନ୍ଧୁ)

 

(୮)      ନିଷ୍କଳଙ୍କ ହୋଇ କେହି ତ ନାହିଁ

କଳଙ୍କ ଅଛି ଯେ ସବୁରି ଠାଇଁ ।      (ପ୍ର: ସିନ୍ଧୁ)

 

ସଖୀର କର୍ମ, ବୈଷ୍ଣବୀୟ ପ୍ରେମ ଓ ପ୍ରେମିକା ଶିରୋମଣି ଶ୍ରୀରାଧାଙ୍କ ବିବିଧ ଭାବଚିତ୍ରଣରୁ କବିଙ୍କ ରସିକତା ଓ ସୌନ୍ଦର୍ଯ୍ୟାନୁଭୂତିର ପରିଚୟ ମିଳିଥାଏ ।

 

କବି କୃଷ୍ଣ–ଗୋପୀମାନଙ୍କ ରସିକତା ପ୍ରସଙ୍ଗ ବର୍ଣ୍ଣନା କରୁ କରୁ ସ୍ୱୀୟ ମାନବିକ ରସାନୁଭୂତିର ମର୍ମସ୍ଥଳରେ ଉପସ୍ଥିତ ହୋଇ ଏହି ମାନବିକ ରସାନୁଭୂତିର ମହତ୍ତ୍ୱ ପ୍ରତିପାଦନ କରି କହିଛନ୍ତି–ରସବତୀ ନାୟିକାର ହାବ ଭାବ ଦେଖିବାରେ ଓ ତା’ର ସୁମଧୁର କଥା ଶୁଣିବାରେ ଏବଂ କାବ୍ୟରସ ସୃଷ୍ଟି ଓ ତାହାର ଆସ୍ୱାଦନରେହିଁ ଜୀବନରେ ଅପୂର୍ବ ଆନନ୍ଦାନୁଭୂତି ନିହିତ ।

 

କବିଙ୍କ ଜୀବନ ଚରିତ ସମ୍ପର୍କରେ ଆମ୍ଭମାନଙ୍କ ଜ୍ଞାନ ଅତ୍ୟନ୍ତ ସୀମିତ ଓ ତାହାଙ୍କ ରଚିତ ବହୁଗ୍ରନ୍ଥ ଏ ଯାବତ୍ ଲୋକଲୋଚନକୁ ଆସି ପାରି ନାହିଁ । ପ୍ରକାଶିତ କାବ୍ୟ କବିତାରୁ ତାହାଙ୍କ ସୁମହାନ୍ ପ୍ରତିଭାର ମହତ୍ତ୍ୱ ଅନସ୍ୱୀକାର୍ଯ୍ୟ । କବି ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ସାହିତ୍ୟ ସାଧନାରେ ବ୍ରତୀ ହୋଇଥିଲେ । ଏହି ସମୟରେ ଓଡ଼ିଶା ଯବନ ଶାସନାଧୀନ ଥିଲା । ଦେଶ ଅରାଜକତାରେ ଭରି ରହିଥିଲା । ଗଜପତି ରାଜା ନାମକୁ ମାତ୍ର ରାଜା ଥିଲେ । ଲୋକମାନଙ୍କର ଧନ, ଜୀବନ ନିରାପଦ ନ ଥିଲା । ସମ୍ଭବତଃ ଧର୍ମାଚାରଣର ଅନୁକୂଳ ସୁଯୋଗ ମଧ୍ୟ ଦେଶରେ ନ ଥିଲା । ଏପରି ଏକ ଅବସାଦଗ୍ରସ୍ତ ଯୁଗରେ କବି ଦୀନକୃଷ୍ଣ ସୁଗଭୀର ମାନବ ପ୍ରୀତିରେ ଉଦ୍‍ବୁଦ୍ଧ ହୋଇ ଜନସାଧାରଣଙ୍କ ଲାଗି ଯେଉଁସବୁ ଗ୍ରନ୍ଥ ରଚନା କରିଯାଇଥିଲେ, ତାହା ତତ୍‍କାଳୀନ ଜନସାଧାରଣଙ୍କ ରସବୋଧକୁ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ନୈତିକ ଜୀବନକୁ ଉନ୍ନତ କରିବାରେ ପ୍ରଭୂତ ସାହାଯ୍ୟ କରିଥିଲା । ଦୀନକୃଷ୍ଣଙ୍କ ରଚନା ପ୍ରାଚୀନ ଓଡ଼ିଆ ଗୀତି–ସାହିତ୍ୟକୁ ଯେ ବହୁ ଭାବ–ବିଭାବରେ ସମୃଦ୍ଧ କରିଛି, ଏ ବିଷୟରେ ସନ୍ଦେହର ଅବକାଶ ନାହିଁ ।

 

***

 

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଚେତନା

କେଶବଚନ୍ଦ୍ର ମେହେର

 

ଉତ୍କଳୀୟ ପରମ୍ପରା, ସାମାଜିକ ରୀତି, ନୀତି, ସଂସ୍କୃତି ଓ ସର୍ବୋପରି ସାହିତ୍ୟରେ ଜଗନ୍ନାଥ ଚେତନା, ଶୂନ୍ୟବାଦ ତଥା ପୁରୁଷୋତ୍ତମ ତତ୍ତ୍ୱ ଅତି ଗଭୀର ସ୍ତରରେ ତା’ର ମୂଳ ବିସ୍ତାର କରି ସଦମ୍ଭେ ସୁଦୃଢ଼େ ଦଣ୍ଡାୟମାନ । ‘ଜଗନ୍ନାଥ ଚେତନା’ ବିଷୟଟି ଏତେ ବ୍ୟାପକ ଏବଂ ଏହାର ପ୍ରଭାବ ଓ ପ୍ରତିକ୍ରିୟା ଏପରି ସୁଦୂରପ୍ରସାରି ଯେ ଏହାର ପୂର୍ବରେ ‘ଓଡ଼ିଆ ସାହିତ୍ୟରେ ଶବ୍ଦଦ୍ୱୟର ଲଗାମ୍ ଲଗା ହୋଇଥିଲେ ମଧ୍ୟ ଚେତନମନ ଏହି ଲଗାମ୍‍କୁ ସାଥୀରେ ଘୋଷାଡ଼ି ନେଇ ବୈଦିକ ସାହିତ୍ୟ, ପୁରାଣ ସାହିତ୍ୟ ତଥା ଭାରତୀୟ ମହାକାବ୍ୟୟ ମହାନ୍‍ପଥ ଦେଇ ବହୁ କଷ୍ଟରେ ଶ୍ରାନ୍ତ କ୍ଲାନ୍ତ ହୋଇ ପ୍ରତ୍ୟାବର୍ତ୍ତନ କରୁଛି ଓଡ଼ିଆ ସାହିତ୍ୟର ବଡ଼ଦାଣ୍ଡକୁ ।

 

ଜଗନ୍ନାଥ ଚେତନାରେ ଏ ଜାତିର ସାହିତ୍ୟ କେବଳ ବଡ଼ ନ ଥିଲା; ବରଂ ସେଇ ସାହିତ୍ୟ ଓ ସଂସ୍କୃତି ଭିତର ଦେଇ ବଡ଼ ଥିଲା ଆମର ଦେବତା, ତା’ର ମନ୍ଦିର, ତା’ର ଦାଣ୍ଡ, ତା’ର ଭୋଗ, ତା’ର ରଥ । ତା’ରି ସ୍ପର୍ଶରେ ଓଡ଼ିଆର ଥିଲା ବଡ଼ ତ୍ୟାଗ, ବଡ଼ ସେବା, ବଡ଼ ଆତିଥେୟତା, ବଡ଼ ମନ, ବଡ଼ ହୃଦୟ, ବଡ଼ କାର୍ଯ୍ୟ ଇତ୍ୟାଦି, ଇତ୍ୟାଦି । ‘ଜଗନ୍ନାଥ ଚେତନା’ ବୈଦିକ ସାହିତ୍ୟରେ ଋଷି ଶିରିଂବିଙ୍କ ମୁଖରୁ ନିଃସୃତ ହୋଇଛି–

 

ଅଦୋଯାଦ୍ଦାରୁ ପ୍ଲବତେ ସିଂଧୋପାରେ ଅପୁରୁଷମ୍

ତଦାରଭସ୍ୱ ଦୁର୍ହଣୋ ! ତେନଗଚ୍ଛ ପରସ୍ତରମ୍ ।।

(ଋଗ୍‍ବେଦ ୧୦।୧୫୫।୭)

 

ଅର୍ଥାତ୍ ‘‘ସିନ୍ଧୁ ପରପାରେ ଯେଉଁ ଦାରୁ ଭାସୁଛି, ସେ ପୁରୁଷ ନୁହେଁ । ହେ ଦୁର୍ହଣୋ ! ତୁମେ ତାହା ତ୍ୟାଗ କରି ପରସ୍ତରକୁ ଯାଅ ।’’ ପୁଣି କାହିଁ ‘‘ସିନ୍ଧୋ ମଧ୍ୟେ’’ ପାଠାନ୍ତର ମଧ୍ୟ ଅଛି ।

 

ଈଶୋପନିଷଦ୍‍ର–

ସ ପର୍ଯ୍ୟଗାତ୍ ଶୁକ୍ରକାୟମବ୍ରଣମ୍

ଅସ୍ନାବିରଂ ଶୁଦ୍ଧମପାପବିଦ୍ଧମ୍ ।

କବିର୍ମନୀଷୀର୍ପରିଭୁଃ ସ୍ୱୟମ୍ଭୁଃ

ଯାଥାତଥ୍ୟତୋର୍ଥାନ ବ୍ୟଦଧ୍ୟାଚ୍ ଶାଶ୍ୱଭ୍ୟଃସମାଭ୍ୟଃ ।।

 

ଏବଂ ଶ୍ୱେତାଶ୍ୱେତୋପନିଷଦ୍‍ର–

‘‘ଅପାଣିପାଦୋ ଜବନୋଗ୍ରହୀତା

ପଶ୍ୟତ୍ୟ ଚକ୍ଷୁଃ ସଶୃ ଣୋତ୍ୟ କର୍ଣ୍ଣଃ

ସ ବେତ୍ତି ବେଦ୍ୟଂ ନ ତସ୍ତାସ୍ତିବେତ୍ତା

ତମାହୁରଗ୍ର୍ୟମ୍ ପୁରୁଷଂ ମହାନ୍ତମ୍ ।’’

 

ଅର୍ଥାତ୍ ତାଙ୍କର ହାତ ନାଇଁ, ଗୋଡ଼ ନାଇଁ, କିନ୍ତୁ ସେ ସମସ୍ତ ଧରି ରଖିଛନ୍ତି ଓ ସବୁଠିକି ଗମନ କରୁଛନ୍ତି । ତାଙ୍କର ଚକ୍ଷୁ ନାଇଁ ଅଥଚ ସମଗ୍ର ବିଶ୍ୱକୁ ସେ ନିରୀକ୍ଷଣ କରୁଛନ୍ତି । ଜଣେ ଓଡ଼ିଆ କବି ଅଭିମାନରେ ଏଇ ଜଗନ୍ନାଥଙ୍କୁ ଗାଳି ଦେଇ କହିଲେ–

 

‘‘ଗଢ଼ାହୋଇ ନାହିଁ ତ କାନ

 

ଗୁହାରୀ ଶୁଣିବାରେ ତୋ କାହିଁ ଧିଆନ’’ ? କିନ୍ତୁ ଉପନିଷଦ୍ ଏହାର ଉତ୍ତର ଆଗରୁ ଯେମିତି ସଜାଡ଼ି ରଖିଥିଲେ । ସେ କର୍ଣ୍ଣବିହୀନ, ତଥାଚ ସମସ୍ତ ଶବ୍ଦ ଓ ଧ୍ୱନୀକୁ ସେ ଗ୍ରହଣ କରୁଛନ୍ତି । କିମ୍ବା ଭକ୍ତକବି ମଧୁସୂଦନଙ୍କ ଭାଷାରେ–

 

‘‘ନୟନ ନାହିଁ ନିରଞ୍ଜନ

ସକଳ କରୁ ଦରଶନ ।

ସକଳ ଶୁଣୁ ନାହିଁ କର୍ଣ୍ଣ

ନାହିଁ ତୋହର ରୂପ ବର୍ଣ୍ଣ ।’’ ଇତ୍ୟାଦି

 

‘‘ସ ବେତ୍ତି ବେଦ୍ୟମ୍ ନ ତସ୍ୟାସ୍ତି ବେତ୍ତା’’–ସେ ସମସ୍ତ ଜାଣୁଛନ୍ତି, କିନ୍ତୁ ତାହାଙ୍କୁ କେହି ଜାଣିପାରନ୍ତି ନାଇଁ । ସେଇ ମହାନ୍ ପୁରୁଷ ବା ପୁରୁଷୋତ୍ତମଙ୍କୁ ଅଗ୍ର ବା ପ୍ରଧାନ ବୋଲି ଜାଣି ରଖ-। ପୁଣି ଏଇ ହସ୍ତପଦବିହୀନ ଜଗନ୍ନାଥ ଅତି ବିଚିତ୍ର ।

 

କାରଣ–

ତଦେଜତି ତନ୍ନୈଜତି ତଦ୍‍ଦୂରେ ତଦ୍‍ବନ୍ତି କେ

ତଦନ୍ତରସ୍ୟ ସର୍ବସ୍ୟ ତଦୁ ସର୍ବସ୍ୟାସ୍ୟ ବାହ୍ୟତଃ ।

 

ହାତ ନାହିଁ, ପାଦ ନାହିଁ, ଆଖି ନ ଥିବା ଏଇ ଦେବତା ଚାଲିପାରେ, ପୁଣି ଚାଲେ ନାହିଁ, ଦୂରରେ ଥାଏ, ପୁଣି ପାଖରେ ରହେ । ସେ ସମସ୍ତଙ୍କ ଭିତରେ ପୁଣି ସମସ୍ତଙ୍କ ବାହାରେ । ଜଗନ୍ନାଥ ଚେତନା ଏପରି ଏକ ସର୍ବବ୍ୟାପି ବୈଦିକ ଓ ବୈଦାନ୍ତିକ ଚେତନାର ନିଗୂଢ଼ ରୂପାୟନ ।

 

ବେଦାରଣ୍ୟରେ ବର୍ଧିତା ଉପନିଷଦ୍ ଗାଭୀର କ୍ଷୀରପୁଷ୍ଟ ମାତା ଶ୍ରୀମଦ୍ ଭଗବଦ୍ ଗୀତା ପୁରୁଷୋତ୍ତମ ତତ୍ତ୍ୱ ବା ଜଗନ୍ନାଥ ଚେତନାକୁ ବାରମ୍ବାର ଆବୃତ୍ତି କରିଛନ୍ତି ବିଭିନ୍ନ ଅର୍ଥରେ, ବିଭିନ୍ନ ମର୍ମରେ ଓ ଭିନ୍ନ ଭିନ୍ନ ତାତ୍ପର୍ଯ୍ୟରେ ।

 

ଭାରତୀୟ ପୁରାଣ ସାହିତ୍ୟର ଅନେକତ୍ର ଏହି ‘ଜଗନ୍ନାଥ ଚେତନା’ ସ୍ଥାନ ଲାଭ କରିଥିବାର ଦେଖାଯାଏ । ବ୍ରହ୍ମ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ସ୍କନ୍ଦ ପୁରାଣ, ଚତୁର୍ବଗ ଯୋଗୀଶ୍ୱର, ନୀଳାଦ୍ରି ମହୋଦୟ ପ୍ରଭୃତି ଗ୍ରନ୍ଥମାନଙ୍କରେ ଏହାର ପ୍ରମାଣ ଉପଲଭ୍ୟ । ସୁତରାଂ ଏହି ଚେତନା ସମଗ୍ର ଭାରତୀୟ ସାହିତ୍ୟକୁ ପ୍ରଭାବିତ କରିଥିବାର ଜଣାଯାଏ । ଓଡ଼ିଶାରେ ଏହାର ପ୍ରଭାବ ଅତି ପ୍ରାଚୀନ । ମନେହୁଏ, ଓଡ଼ିଶାରେ ପ୍ରକୃତ ସାହିତ୍ୟ ସୃଷ୍ଟି ହେବା ବହୁ ପୂର୍ବରୁ ଓଡ଼ିଆର ଚାହାଣି, ଚଳଣି ଓ ଚମକରେ, ତା’ର ବିଚାର, ବର୍ଣ୍ଣନା ଓ ବ୍ୟଞ୍ଜନାରେ, ତା’ର ସାମାଜିକ ଏବଂ ଏପରିକି ରାଜନୈତିକ କ୍ଷେତ୍ରରେ ମଧ୍ୟ ଜଗନ୍ନାଥ ଚେତନା ସୃଷ୍ଟି ହୋଇ ସାରିଥିଲା । ସେଥିପାଇଁ ଗୋପବନ୍ଧୁ ‘ଉତ୍କଳର ନେତା ନିଜେ ନାରାୟଣ’ କହିଥିଲେ ସିନା ! ଓଡ଼ିଶାର ସାହିତ୍ୟଠାରୁ ଏହି ଚେତନା ପ୍ରାଚୀନ ବା ଜ୍ୟେଷ୍ଠ । ତେଣୁ ‘ଜଗନ୍ନାଥ ଚେତନାରେ ଓଡ଼ିଆ ସାହିତ୍ୟ’ କହିଲେ ହୁଏତ ଅଧିକ ସଙ୍ଗତ ହେବ । କିନ୍ତୁ, ‘ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଚେତନା’ ଶୀର୍ଷକରେ ମଧ୍ୟ ଜଗନ୍ନାଥ ଚେତନାରେ ଓଡ଼ିଆ ସାହିତ୍ୟର ଭାବ–ରୂପ ଉଠିଥାଏ ।

 

ଓଡ଼ିଆ ସାହିତ୍ୟର ବିକାଶ ବହୁ ପୂର୍ବେ ସପ୍ତମ ଶତାବ୍ଦୀରେ ବଜ୍ରଯାନର ପ୍ରଚାରକ ସମ୍ବଲପୁରର ରାଜା ଇନ୍ଦ୍ରଭୂତି ସ୍ୱ ପ୍ରଣୀତ ‘‘ଜ୍ଞାନସିଦ୍ଧି’’ ନାମଧେୟ ସଂସ୍କୃତ ଗ୍ରନ୍ଥର ପ୍ରାରମ୍ଭରେ ଜଗନ୍ନାଥଙ୍କ ବନ୍ଦନା ପୂର୍ବକ ଗ୍ରନ୍ଥାରମ୍ଭ କରିଛନ୍ତି । ଷୋଡ଼ଶ ଶତାବ୍ଦୀରେ ପୁଣି ସମ୍ବଲପୁରର ମହାକବି ଶ୍ରୀ ଗଙ୍ଗାଧର ମିଶ୍ର ତାଙ୍କର ‘‘କୋଶଳାନନ୍ଦ କାବ୍ୟ’’ରେ ପୁରୁଷୋତ୍ତମ କ୍ଷେତ୍ର ତଥା ପୁରୁଷୋତ୍ତମ ଜଗନ୍ନାଥଙ୍କର ମହିମା ବର୍ଣ୍ଣନ ପୂନଃ ପୂନଃ କରିଛନ୍ତି । ଏପରିକି ସମ୍ପୂର୍ଣ୍ଣ ଏକାଦଶ ସର୍ଗରେ ଶ୍ରୀ ପୁରୁଷୋତ୍ତମ ବର୍ଣ୍ଣନ ଏବଂ ତ୍ରୟୋଦଶ ସର୍ଗରେ ରଥଯାତ୍ରୋତ୍ସବ ବର୍ଣ୍ଣନ କରାଯାଇଛି । ବର୍ଣ୍ଣନର ଶୈଳୀ କେଡ଼େ ସୁନ୍ଦର ହୋଇଛି ତାହା ତ୍ରୟୋଦଶ ସର୍ଗର ପ୍ରଥମ ଶ୍ଳୋକରୁ ଦେଖନ୍ତୁ–

 

‘‘ପୂତଃକ୍ଷ୍ମାବାସିରାଶିସ୍ତବ ଧବ ଜୟତି ସ୍ୟନ୍ଦନେ ନନ୍ଦିଘୋଷେ

ସାନନ୍ଦଂ ନନ୍ଦନେଶଃ ସମମମରଗଣୈର୍ଭାଗ୍ୟ ଭାଞ୍ଜୀ କ୍ଷଣାନୀ ।

ସଂସ୍ତୁତ୍ୟ ତ୍ୱଂ ଚ ପୂଣ୍ୟାତିଶୟ ବିରଚିତା ନୀତି ନୀତି ପ୍ରବୀଣୋଽ

ନନ୍ତସ୍ତ୍ୱଂ ସ୍ତୋତୁମନ୍ତଃ ସ୍ମରତି ହୃଦି ହରିଂ ନାଥିତୁଂ ଲୋକନାଥଂ’’ ।।୧।।

 

କବି ଗଙ୍ଗାଧର ମିଶ୍ର ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭ କାଳରେ ସମ୍ବଲପୁରର ମହାରାଜା ଶ୍ରୀ ବଳିୟାର ସିଂହଙ୍କ ରାଜତ୍ୱ ସମୟରେ ସମ୍ବଲପୁର ନଗରୀରେ ବିଦ୍ୟମାନ ଥିବାର ଜଣାଯାଏ ।

 

ସାଧାରଣତଃ ଏକାଦଶ–ଦ୍ୱାଦଶ ଶତାବ୍ଦୀରେ ଲିଖିତ ମାଦଳା ପାଞ୍ଜିର ପ୍ରଥମାଂଶରେହିଁ ଜଗନ୍ନାଥଙ୍କ ପୂଜା–ପାର୍ବଣର ବିଧି–ବିଧାନାଦି ସମ୍ବନ୍ଧରେ ଲିପିବଦ୍ଧ ହୋଇଥିବାର ଆମେ ଅବଗତ ହୋଇଥାଉଁ । ଏହା ସାହିତ୍ୟ–ପର୍ଯ୍ୟାୟର ନ ହେଲେହେଁ ପରବର୍ତ୍ତୀ ଓଡ଼ିଆ–ସାହିତ୍ୟରେ ଏହାର ପ୍ରଭାବ କିଛି ଋଣା ନୁହେଁ । ଏହାର ପ୍ରାୟ ତିନିଶହ ବର୍ଷ ପରେ ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ ଓଡ଼ିଶାର ଆଦିକାଳ ସାରଳା ଦାସଙ୍କ ସାହିତ୍ୟରେ ପ୍ରକୃତ ଜଗନ୍ନାଥ ଚେତନା ରୂପଲାଭ କଲା । ପଞ୍ଚଦଶ ଶତାବ୍ଦୀର ପ୍ରାରମ୍ଭରେ ଗଙ୍ଗବଂଶର ଅବସାନ ପରେ ପ୍ରଥମ ଓଡ଼ିଆ ରାଜାଙ୍କ ରାଜତ୍ୱ କାଳରେ ପ୍ରଥମ ଓଡ଼ିଆ ମହାକବିଙ୍କର ଆବିର୍ଭାବ ।

 

ଶୁଦ୍ରମୁନି ତାଙ୍କର ମହାଭାରତର ଆଦି ପର୍ବରେ ଲେଖିଛନ୍ତି–

 

ଅହୋ ଜମ୍ବେଶ୍ୱର ଲିଙ୍ଗ ମଉଦଧିର ଉତର ତଟେ

ନୀଳ ସୁନ୍ଦର ପର୍ବତ ନୀଳକଳ୍ପ ବଟେ ।୪।

ବିଜୟେ ରାମକୃଷ୍ଣ ସୁଭଦ୍ରା ନାମେ ବ୍ରହ୍ମା

ଚାରିଲକ୍ଷ ବତିଶ ସହସ୍ରକୁ ବଉଦରୂପେ ମହାତମା ।୫।

(ଆଦିପର୍ବ–ମହାଭାରତ)

 

ଶୁଦ୍ରମୁନି ସାରଳା ଦାସ ଶାକ୍ତ ଥିଲେ ମଧ୍ୟ ତାଙ୍କ ସାହିତ୍ୟର ଅନେକତ୍ର ଜଗନ୍ନାଥଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଥିବାର ଦେଖାଯାଏ । ଓଡ଼ିଶାର ପବିତ୍ରତା ଓ ଗୌରବ ବିବୃଦ୍ଧି ସକାଶେ ସେ ଦେଖାଇଛନ୍ତି ଯେ ସୌରାଷ୍ଟ୍ରରେ ଶ୍ରୀକୃଷ୍ଣଙ୍କର ତିରୋଭାବ ସଙ୍ଗେ ସଙ୍ଗେ ପବିତ୍ର ପୁରୀ କ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କର ଆବିର୍ଭାବ । ସେ ପାଣ୍ଡବମାନଙ୍କୁ ଆଣିଛନ୍ତି ଏହି ଜଗନ୍ନାଥ ଭୂମି ଓଡ଼ିଶାକୁ । ଏପରିକି ଓଡ଼ିଶାରେ ୭୫ ବର୍ଷ କାଳ ପାଣ୍ଡବମାନେ ବାସ କରି ରହିଥିବାର ବର୍ଣ୍ଣନା ତାଙ୍କ ମହାଭାରତରେ ମିଳିଥାଏ ।

 

ଶୁଦ୍ରମୁନି ସିଦ୍ଧେଶ୍ୱର ଥିଲେ ସାରଳାଙ୍କର ଭକ୍ତ । ସେ ତାଙ୍କ ମହାଭାରତର ବହୁ ସ୍ଥଳରେ ସାରଳାଙ୍କର ସ୍ତୁତିଗାନ କରିଛନ୍ତି; କିନ୍ତୁ ତା’ ସଙ୍ଗେ ସଙ୍ଗେ ଜଗନ୍ନାଥଙ୍କୁ ସ୍ମରଣ କରିବାକୁ ସେ ବିସ୍ମୃତ ତ ହୋଇନାହାନ୍ତି; ଯଥା–

 

ଶ୍ରୀ ଚଣ୍ଡୀ ସାରୋଳା ଚରଣେ ଦଇନି

ଦୟାକରି ଯାହା ସେ କହଇ ବିଘ୍ନସେନୀ

ତାହା ଶୁଣି ମୁହିଁ କରଇଁ ବଖାଣ

ନୋହିଲା କଥାକୁ ରକ୍ଷା ନାହିଁ ମୋର ମନ ।

ଶ୍ରୀ ଜଗନ୍ନାଥ ଜାଣନ୍ତି ଏଥିର ବିଧାନ

କବି ସାରଳା ଦାସ ଜଗନ୍ନାଥରେ ଶରଣ ।

(ମହାଭାରତ–ଆଦିପର୍ବ)

 

ଶ୍ରୀକ୍ଷେତ୍ରର ଜଗନ୍ନାଥ ଶିବ ଓ ବିମଳା ଶକ୍ତି ରୂପରେ ମଧ୍ୟ ପୂଜିତ । ‘ବିମଳା ଭୈରବୀ ଯାତ୍ର ଜଗନ୍ନାଥସ୍ତୁ ଭୈରବଃ ।’ ଓଡ଼ିଶାରେ ଶାକ୍ତ ଧର୍ମର ଲୋକପ୍ରିୟତା ସମୟରେ ଜଗନ୍ନାଥ–ଶିବ ଏବଂ ବିମଳା ଶକ୍ତି ରୂପରେ ସ୍ଥାନ ଲାଭ କରିଥିଲେ ।

 

ମହାକବି ସାରଳା ଦାସଙ୍କ ପରେ ବିପ୍ର ନୀଳାମ୍ବର ଦାସଙ୍କ ‘ଦେଉଳ ତୋଳା’, ମତ୍ତ ବଳରାମ ଦାସଙ୍କ ‘‘ବଟ ଅବକାଶ’’, ‘‘ଭାବ–ସମୁଦ୍ର’’, ଅତିବଡ଼ି ଜଗନ୍ନାଥ ଦାସଙ୍କ ‘‘ଦାରୁବ୍ରହ୍ମ ଗୀତା’, ‘ପାଷାଣ୍ଡ ଦଳନ’, ଭକ୍ତ ସାଲବେଗ ପ୍ରଭୃତି କବିମାନଙ୍କ ରଚନାବଳୀରେ ଜଗନ୍ନାଥ ଚେତନା ଶିଖା ଓ ପ୍ରଦୀପ, ପୁଷ୍ପ ଓ ସୌରଭ, ଗୀତି ଓ ଝଙ୍କାର ପରି ନିବିଡ଼ ଭାବରେ ଜଡ଼ିତ ହୋଇରହିଅଛି-

 

ଆଦିମ ବୈଦିକ ସଭ୍ୟତା ଓ ସାହିତ୍ୟର ଭାବ ବିନିମୟ ଫଳରେ ‘ଅଣାକାର’ ମହାଶୂନ୍ୟରୁ ‘ପରମାତ୍ମା’ ଓ ପୁରୁଷୋତ୍ତମ’ଙ୍କ ଉଦ୍ଭବ । ଏଇ ପୁରୁଷୋତ୍ତମ ହେଉଛନ୍ତି ଓଡ଼ିଶାର ଜଗନ୍ନାଥ । ବିଶ୍ୱ–ଦର୍ଶନ ସମାଧାନର ପ୍ରତୀକ ଏଇ ଜଗନ୍ନାଥ ଉତ୍କଳରେ ପ୍ରତିଷ୍ଠିତ ଓ କଳିଙ୍ଗର ପୁରୁଷୋତ୍ତମ ପୁରୀ ବା ଜଗନ୍ନାଥ ଧାମ ଭାରତ ବର୍ଷରେ ଶ୍ରେଷ୍ଠ ଧାମରୂପେ ଖ୍ୟାତିଲାଭ କରିଅଛି ।

 

ଶୂନ୍ୟବାଦରୁ ଆସିଛି ‘ବୌଦ୍ଧବତାର’ କଥାଟି । ନିର୍ବାଣ ସାଧନାରେ ସିଦ୍ଧ ବ୍ୟକ୍ତିକୁ ବୁଦ୍ଧ ବା ଜ୍ଞାନୀ କୁହାଗଲା । ଏଇ ଅର୍ଥରେ କାଳେ କାଳେ ଅନେକ ବୁଦ୍ଧଙ୍କର ଆବିର୍ଭାବ ଘଟିଛି । ଏଇ ସୂତ୍ରରେ ପୁରୁଷୋତ୍ତମ ଜଗନ୍ନାଥ ମଧ୍ୟ ଶେଷ ଅବତାର ବା ବୌଦ୍ଧବତାର । ବର୍ତ୍ତମାନ ସୁଦ୍ଧା ଉତ୍କଳର କେତେକ ପୀଠରେ ଶୂନ୍ୟ ସାଧକଗଣ ନିଜ ନିଜକୁ ‘ବୌଦ୍ଧ’ ବୋଲି କହିବାର ଶୁଣାଯାଏ-। କିନ୍ତୁ ଶାକ୍ୟ ମୁନି ବୁଦ୍ଧଙ୍କ ବୌଦ୍ଧ ଧର୍ମରୁ ଏହାର ଉଦ୍ଭବ ନୁହେଁ । ଅଚ୍ୟୁତାନନ୍ଦ ଦାସ ତାଙ୍କର ଛୟାଳିଶ ପଟଳ ଗ୍ରନ୍ଥରେ ନିରାକାରଙ୍କର ବୁଦ୍ଧ ସ୍ୱରୂପକୁ ପ୍ରକାଶ କରି ଯେଉଁ ସଂକେତ ଦେଇଛନ୍ତି, ସେଥିରୁ ଶୂନ୍ୟ–ସାଧନା, ଯୋଗ, ମହିମା ଧର୍ମ ଓ ଅଲେଖ ଧର୍ମ ଆଦି ହେଉଛି ଓଡ଼ିଶାର ବୌଦ୍ଧଧର୍ମ । ଏଇ ବୁଦ୍ଧ ଶୂନ୍ୟ ଧର୍ମକୁ ପ୍ରଚାର କରିଥାନ୍ତି । ଏଥିରେ ‘ସଂଘ’ ନାଇଁ । ସମଗ୍ର ସମାଜ ହେଉଛି ଏଇ ଧର୍ମର କ୍ଷେତ୍ର । ଏଇ ବୁଦ୍ଧ ହେଉଛନ୍ତି ଜଗନ୍ନାଥ ।

 

ବେଦ ଓ ଗୀତାର ଶ୍ରେଷ୍ଠ ପୁରୁଷ ହେଉଛନ୍ତି ଓଡ଼ିଶାର ପୁରୁଷୋତ୍ତମ ବା ପୁରୀର ଜଗନ୍ନାଥ-। ଋଗ୍‍ବେଦ ସଂହିତାର ନାସଦୀୟ ସୂକ୍ତରେ ଋଷିଙ୍କ ଅନ୍ତରରେ ଈଶ୍ୱର ଓ ସୃଷ୍ଟି ସମ୍ବନ୍ଧରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତା’ର ସମାଧାନ ଆମେ ପାଉ ପୁରୁଷୋତ୍ତମରେ । ଏଥିରେ ଶୂନ୍ୟ ହେଉଛି ଅବ୍ୟକ୍ତ ବା ଅକ୍ଷରପୁରୁଷ–ଅଣାକାର । ସୃଷ୍ଟି ହେଉଛି ବ୍ୟକ୍ତି ବା କ୍ଷର ପୁରୁଷ । ଠୁଳ ରୂପର ବିସ୍ତାର ଏଇ ଦୁଇ ପୁରୁଷର ଅତୀତ ବା ଉତ୍ତମ ହେଉଛନ୍ତି ପୁରୁଷୋତ୍ତମ ‘‘ଜଗନ୍ନାଥ’’ ।

 

ଯସ୍ମାତ୍ କ୍ଷର ମତୀତୋଽହଂ ଅକ୍ଷରାଦପିଚୋତ୍ତମଃ

ଅତୋଽସ୍ମି ଲୋକେ ବେଦେ ଚ ପ୍ରଥିତଃ ପୁରୁଷୋତ୍ତମଃ

ଶ୍ରୀମଦ୍ ଭଗବଦ୍ ଗୀତା–ଅ ୧୫। ଶ୍ଳୋ ୧୮।

 

ତେଣୁ ପୁରୁଷୋତ୍ତମ କ୍ଷେତ୍ର ବା ଜଗନ୍ନାଥ ଧାମ ହେଉଛି ଓଡ଼ିଆ ସାହିତ୍ୟର ଏକ ମହନୀୟ ସମ୍ପଦ ।

 

ସର୍ବତଃ ପାଣି ପାଦଂ ତତ୍ ସର୍ବତୋଽକ୍ଷି ଶିରୋମୁଖଂ

ସର୍ବତଃ ଶ୍ରୁତିମଲ୍ଲୋକେ ସର୍ବମାବୃତ୍ୟ ତିଷ୍ଠତି ।୧୭।

 

ଜଗତରେ ସବୁଠି ତା’ର ହାତ, ସବୁଠି ତା’ର ଗୋଡ଼, ସବୁଠାରେ ତା’ର ଆଖି, ସର୍ବତ୍ର ତା’ର ମୁଣ୍ଡ, ମୁହଁ, କାନ । ସେ ସମସ୍ତ ବ୍ୟାପି ରହିଛି । ଏହାହିଁ ଆମର ଜଗନ୍ନାଥ ।

 

ପୁରୁଷୋତ୍ତମ–ବାଦରେ ଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ସୃଷ୍ଟି ବିକାଶର ସଂକେତ । ଚତୁର୍ଦ୍ଧା ମୂର୍ତ୍ତି ହେଉଛି–ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ । ଅନେକେ ‘ସୁଦର୍ଶନ’ଙ୍କୁ ଛାଡ଼ି ତ୍ରିମୂର୍ତ୍ତିର କଳ୍ପନା କରିଥାନ୍ତି । ମାତ୍ର ପରମ୍ପରାରେ ସୁଦର୍ଶନ ହେଉଛନ୍ତି ଆଗ । ସମସ୍ତ ବିଜେ ଏବଂ ନୀତିରେ ସୁଦର୍ଶନଙ୍କର ବିଜେ ପ୍ରଥମରେ ହୋଇଥାଏ । ଯଶୋବନ୍ତ ଦାସ ତାଙ୍କର ‘‘ପ୍ରେମ–ଭକ୍ତି–ତତ୍ତ୍ୱ ଗୀତା’’ରେ ଲେଖିଛନ୍ତି–

 

ପାରୁଶେ ସୁଦର୍ଶନ ଯତି

ସେ ମହାଶୂନ୍ୟ ବ୍ରହ୍ମ ଜ୍ୟୋତି ।୧୧୧।

ନାହିଁ ଯାହାର ପାଦ ପାଣି

ଶିର ନାସିକା କର୍ଣ୍ଣ ପୁଣି ।୧୧୨।

ଅମନ ମନ ଭିନ୍ନ ନାହିଁ

ସେ ସଦାନନ୍ଦ ରୂପ ୟେହି ।୧୧୩।

(ଅଧ୍ୟେୟ ୫)

 

ଜଗନ୍ନାଥ ସଂସ୍କୃତିରେ ସୁଦର୍ଶନ ବିଷ୍ଣୁଙ୍କର ଆୟୁଧ ମାତ୍ର ନୁହନ୍ତି । ସେ ହେଉଛନ୍ତି ବିଷ୍ଣଙ୍କର ତେଜୋମୟୀ ଶକ୍ତି । ତେଣୁ ରଥଯାତ୍ରାରେ ସେ ବିଷ୍ଣୁଙ୍କର ରଥରେ ନ ରହି ସୁଭଦ୍ରାଙ୍କର ‘ଦେବଦଳନ’ ରଥରେ ବିରାଜିତ ଥାଆନ୍ତି । ଦାରୁମୂର୍ତ୍ତି ତତ୍ତ୍ୱାନୁଯାୟୀ ସୁଦର୍ଶନ ଆଦିମୂର୍ତ୍ତି ଭାବରେ କଥିତ । ଏକଦା ଏହାଙ୍କୁ ବୁଦ୍ଧମଙ୍ଗଳ ଓ କଳିଙ୍ଗ ଜିନ ନାମରେ ନାମିତ କରାଯାଇଥିଲା । ଏହି ସୁଦର୍ଶନ ଥିଲେ ଜ୍ୟୋତିର୍ମୟ ସ୍ତମ୍ଭ ପୁରୁଷ । ଏହାଙ୍କର ଆକୃତିର ସାମାନ୍ୟ ପରିବର୍ତ୍ତନ କରି ଅନ୍ୟାନ୍ୟ ମୂର୍ତ୍ତିମାନଙ୍କର ନିର୍ମାଣ–କଳ୍ପନା କରାଯାଇଛି ।

 

ଭାରତର ଚାରିଧାମର ଦେବତା ମଧ୍ୟରେ ପୁରୀ ଧାମର ଜଗନ୍ନାଥ ବିଗ୍ରହ ବୈଦିକ ଧ୍ୟାନ–ଧାରଣାର ଏକମାତ୍ର ପ୍ରତୀକ । ଅନ୍ୟାନ୍ୟ ଧାମରେ ଦେବ ବିଗ୍ରହ ସବୁ ମଣିଷ ପରି । ନାମକରଣରେ ମଧ୍ୟ ଏହା ସମସ୍ତ ଧାମରୁ ସ୍ୱାତନ୍ତ୍ର୍ୟ ଓ ସାର୍ବଜନୀନତା ରକ୍ଷା କରେ । ଜଗନ୍ନାଥ ଏହା କୌଣସି ନାମବିଶେଷକୁ ବ୍ୟକ୍ତ କରେ ନାଇଁ, ଏହା ହେଉଛି ବୈଦିକ ଚେତନାର ମୂର୍ତ୍ତିମନ୍ତ ବିଗ୍ରହ । ତାଙ୍କର ହାତ ନାହିଁ, ଗୋଡ଼ ନାହିଁ । ଆଖି ବୋଲି ଯାହା ଦେଖାଇ ଦିଆ ହୋଇଛି ତାହା କ’ଣ ମଣିଷର ଆଖି ? ଅଥଚ–‘‘ଅପାଣି ପାଦୋ ଜବନୋ ଗ୍ରହୀତା’’ ଏଇ ପୁରୁଷ ମହାନ୍ତମ୍ । ଥୁଣ୍ଟା ହାତ ଓ ଦିଓଟି କର୍ମେନ୍ଦ୍ରିୟର ଶଙ୍କୁ । ତା’ପରେ ଅନନ୍ତ ଶକ୍ତିର ଆଧାର ବିଶ୍ୱରୂପ ବଳଭଦ୍ର । ବଳଭଦ୍ର ଓ ଜଗନ୍ନାଥଙ୍କର ମଧ୍ୟସ୍ଥଳରେ ରଜୋରୂପିଣୀ ଯୋଗମାୟା ପ୍ରକୃତି ସୁଭଦ୍ରା । ଏହାଙ୍କର ବର୍ଣ୍ଣ ଦଳା ହଳଦୀ ବର୍ଣ୍ଣ । ଏହି ବର୍ଣ୍ଣହିଁ ଆମ ଉତ୍କଳୀୟଙ୍କର ଶାରୀର ସୌନ୍ଦର୍ଯ୍ୟର ମାପକାଠି । ଏଇ ଆଦିମାତାଙ୍କର ହାତ ଓ ମାତୃତ୍ୱର କର୍ମେନ୍ଦ୍ରିୟ ନଥିବା କଥା ଆମର ପ୍ରାଚୀନ ଯୋଗ–ସାହିତ୍ୟରେ ରହିଛି । ସେଇ ଯଶୋବନ୍ତଙ୍କର ‘ପ୍ରେମଭକ୍ତି ତତ୍ତ୍ୱ ଗୀତା’ର ଦ୍ୱିତୀୟ ଅଧ୍ୟାୟରେ ଜଗନ୍ନାଥ ଦାସଙ୍କ ‘ତୁଳାଭିଣା’ର ମଧ୍ୟ ଏହାର ସଙ୍କେତ ରହିଛି ।

 

ଅଣାକାର, ନିରଂଜନ, ଅବର୍ଣ୍ଣନୀୟ ସୁଦର୍ଶନକୁ ନେଇ ଜଗନ୍ନାଥଙ୍କର ଚତୁର୍ଦ୍ଧା ମୂର୍ତ୍ତି । ଏଥିରେ ମହାଶୂନ୍ୟ ବା ସୁଦର୍ଶନ ହେଉଛନ୍ତି ମୂଳ । ତା’ପରେ ବିଶ୍ୱରୂପ ବଳଭଦ୍ର, ତା’ପରେ ଯୋଗମାୟା ସୁଭଦ୍ରା ଓ ଶେଷରେ ଶୂନ୍ୟରୂପ ଜଗନ୍ନାଥ । ତେଣୁ ସ୍ଥୂଳରୁ ସୂକ୍ଷ୍ମକୁ ଗତି କରି ଏହି ଚାରୋଟି ମୂର୍ତ୍ତି ଏକ ଜଗନ୍ନାଥ ପୁରୁଷୋତ୍ତମଙ୍କର ଭାବ–ରୂପ ।

 

କୃଷ୍ଣ ଉପାସନା ପାଇଁ ‘‘ଅକ୍ଷର ବ୍ରହ୍ମଙ୍କୁ ଜାଣିବା ଏକାନ୍ତ ଆବଶ୍ୟକ ବୋଧ ହେଉଥିଲା ।’’ ପୁଣି ଅକ୍ଷର ମଧ୍ୟରେ ପୁରୁଷୋତ୍ତମଙ୍କ କଳ୍ପନା ଆସିଲା । ଦିବାକର ଦାସ ଲେଖିଲେ–

 

‘‘ଅକ୍ଷର ରୂପ ଜଗନ୍ନାଥ,

କ୍ଷର ଅକ୍ଷର ଏ ଜଗତେ ।

ଅକ୍ଷର କ୍ଷରରୂପେ ଏହି–

ପୁରୁଷୋତ୍ତମ ଅଛନ୍ତି ରହି ।’’

(ଜଗନ୍ନାଥ ଚରିତାମୃତ)

 

ଆମ ସାହିତ୍ୟ ଓ ଚଳଣିରେ ଜଗନ୍ନାଥଙ୍କର ମୈତ୍ରୀଭାବ ମଧ୍ୟ ଲକ୍ଷ୍ୟ କରିବାର କଥା । ଜଗନ୍ନାଥଙ୍କ ପାଖରେ କେହି ଛୋଟ ନୁହେଁ କି କେହି ବଡ଼ ନୁହେଁ । ଆଦିମ ବୁଦ୍ଧ ଧର୍ମରେ ସମସ୍ତ ମାନବ ଏପରି କି ଜୀବମାତ୍ରେ ଥିଲେ ସେବ୍ୟ । ଏହାର ନାମ ମୈତ୍ରୀ । ଜଗନ୍ନାଥ ଏଇ ମୈତ୍ରୀର ପ୍ରତୀକ । ଏଇ ମୈତ୍ରୀଧର୍ମର ବର୍ଣ୍ଣନା ଦେଇ ଅଚ୍ୟୁତାନନ୍ଦ ଦାସ ତାଙ୍କର ‘ଛୟାଳିଶ ପଟଳ’ରେ ଲେଖିଛନ୍ତି–

 

‘‘ଏ ବ୍ରହ୍ମାଣ୍ଡେ ଜଳ ଯେବେ କରଇ ବର୍ଷଣ

ସମସ୍ତ ସ୍ଥାନେ ପଡ଼ଇ ହୋଇଣ ସମାନ ।୧୦।

ଜଳ ସମ ଧର୍ମ ଯେବେ କରି ପାରୁ ବାବୁ !

ଅଣରୂପ ପୂର୍ଣ୍ଣବ୍ରହ୍ମ ଭକ୍ତ ବୋଲାଇବୁ ।୧୧।’’

 

ନିର୍ବାଣ–ଯୋଗର ସାରକଥା ହେଉଛି ସମାଜରେ ବିଶ୍ୱ–ମୈତ୍ରୀଭାବର ସଞ୍ଚାର କରିବା । ବିଶ୍ୱ–ମାନବର ଅଭାବରେ, ଦୈନ୍ୟରେ ଦୁଃଖରେ ସମଭାଗୀ ହେବା ହେଉଛି ବିଶ୍ୱ–ମୈତ୍ରୀ । ସେବାର ଭାବହିଁ ହେଉଛି ବ୍ୟକ୍ତିର ପ୍ରକାଶ । ଏହାର ନିରନ୍ତର ସାଧନାଦ୍ୱାରା କାମନାର ବିନାଶ ହୋଇଥାଏ ଏବଂ ବ୍ୟକ୍ତିର ପୂର୍ଣ୍ଣତା ଆଡ଼କୁ ଗତି ହୋଇଥାଏ । ଏହାର ନାମ ନିର୍ବାଣ । ଓଡ଼ିଶାର ଜଗନ୍ନାଥ ରାମନାଥ, ବଦ୍ରୀନାଥ କି ଦ୍ୱାରକାନାଥ ନୁହନ୍ତି । ସେ ଜଗତର ନାଥ–ଜଗନ୍ନାଥ । ସେ ହେଉଛନ୍ତି ବିଶ୍ୱ–ମୈତ୍ରୀର ଶ୍ରେଷ୍ଠ ପ୍ରତୀକ ।

 

ଓଡ଼ିଆ ସାହିତ୍ୟର ତଅପୋଇ, ସାଧବ ଝିଅ ପ୍ରଭୃତି ଲୋକକଥା, ଲୋକଗୀତିରେ ଓଡ଼ିଆର ସାର୍ବଜନୀନତା ଭରିରହିଛି । ଓଡ଼ିଆ ସଭ୍ୟତା ଦିନେ ଦେଶ ବିଦେଶରେ ବିସ୍ତୃତ ଥିଲା । ଜାବା, ସୁମାତ୍ରା, ସିଂହଳ, ବ୍ରହ୍ମ, ପ୍ରଶାନ୍ତ ମହାସାଗର ବାଟେ ଏପରି କି ଆମେରିକା ପର୍ଯ୍ୟନ୍ତ ଓଡ଼ିଆ ସାଧବମାନେ ବାଣିଜ୍ୟ ଓ ସଭ୍ୟତା ପ୍ରଚାର ସୂତ୍ରେ ଯାତାୟାତ କରୁଥିଲେ । ଓଡ଼ିଆର ବିଦେଶ ଯାତ୍ରା ଧର୍ମପ୍ରଚାର ପାଇଁ ନୁହେଁ କି ସାମ୍ରାଜ୍ୟ ବିସ୍ତାର ପାଇଁ ନୁହେଁ । ତା’ର ବାଣିଜ୍ୟ ଲୋଭାତୁର ଶୋଷଣ ସ୍ପୃହାରେ ପର୍ଯ୍ୟବସିତ ନ ଥିଲା । ଓଡ଼ିଆ ସାହିତ୍ୟରେ ଏଇ ସବୁ ଉଦାରତା ଓ ମହନୀୟତା ତଥା ସାର୍ବଜନୀନ ଭାବକୁ ଲକ୍ଷ୍ୟ କରିବାର କଥା ।

 

ଇନ୍ଦ୍ରଦ୍ୟୁମ୍ନଙ୍କ ବରମଗାରେ ମଧ୍ୟ ଆମେ ଦେଖୁଁ ଜ୍ୱଳନ୍ତ ବିଶ୍ୱ–ମୈତ୍ରୀର ଦୃଷ୍ଟାନ୍ତ । ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା ପରେ ଇନ୍ଦ୍ର ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଲେ ବରମାଗିବା ପାଇଁ । ଇନ୍ଦ୍ରଦ୍ୟୁମ୍ନ ମାଗିଲେ–‘‘ଦେବ-! ମୋ ବଂଶରେ ଯେପରି କେହି ରହିବେ ନାହିଁ ।’’ କି ଆଶ୍ଚର୍ଯ୍ୟ ତ୍ୟାଗ ! ଇନ୍ଦ୍ରଦ୍ୟୁମ୍ନଙ୍କ ଏଇ ବରମଗା ସମୟରେ ସେଠାରେ ଯେଉଁ ଦେବତାମାନେ ଉପସ୍ଥିତ ଥିଲେ ସେମାନେ ମଧ୍ୟ ଏହାର ଅର୍ଥ ବୁଝି ପାରିଲେ ନାହିଁ । ଇନ୍ଦ୍ରଦ୍ୟୁମ୍ନ ବୁଝାଇଦେଲେ, ‘ଏହା ମୋ ବାପା ଅଜାର କୀର୍ତ୍ତି ବୋଲି କହିବାକୁ ଯେପରି କେହି ନ ରହେ । ଜଗନ୍ନାଥ ଚେତନାର ଏହାହିଁ ଯଥାର୍ଥ ପ୍ରାଣ–ବିକାଶ, ବିଶ୍ୱ–ମୈତ୍ରୀର ଆଦର୍ଶ । ଏଇ ମୈତ୍ରୀରେ ପୁଣି ଜାତିଭେଦ ନ ଥିଲା, ନାଇଁ । ସାରଳା ଦାସ ଏ ମାଟିରେ ଶୂଦ୍ରମୁନି, କନ୍ଧ ଭୀମା ଭୋଇ ସିଦ୍ଧସାଧକ, ଗଉଡ଼ ଅଚ୍ୟୁତାନନ୍ଦ ବେଦମନ୍ତ୍ର ସବୁକୁ ଛିନ୍ନ ଭିନ୍ନ କରି ସେଥିରୁ ନିଜର ଶୂନ୍ୟ–ସାଧନାର ତତ୍ତ୍ୱ ବାହାର କରି ଲୋକଙ୍କୁ ବୁଝାଇଛନ୍ତି । ସେମାନେ ସବୁ ଏ ମାଟିର ଚଳଣି ବା ପରମ୍ପରାରେ ଗୁରୁ ବା ଅବତାର । ଏମାନଙ୍କ ରଚନାବଳୀରେ ଓ ସାହିତ୍ୟରେ ପ୍ରକୃତ ଜଗନ୍ନାଥ ଚେତନାର ବିକାଶ ଘଟିଛି ।

 

ରୀତିଯୁଗର କବି ଉପେନ୍ଦ୍ରଭଞ୍ଜଙ୍କ ପୂର୍ବବର୍ତ୍ତୀ କବି ଶିଶୁଶଙ୍କରଙ୍କଠାରେ ମଧ୍ୟ ଏହି ଚେତନାର ଉନ୍ମେଷ ଷୋଡ଼ଶ ଶତାବ୍ଦୀରେ ଆମେ ଦେଖିବାକୁ ପାଇଥାଉଁ । ଶିଶୁଶଙ୍କର ତାଙ୍କର ‘ଉଷାଭିଳାଷ’ କାବ୍ୟର ପ୍ରଥମ ଛାନ୍ଦର ଇଷ୍ଟ ବନ୍ଦନା କ୍ରମରେ ଜଗନ୍ନାଥଙ୍କ ବନ୍ଦନା କରି କବି ଶ୍ରୀ ଜଗନ୍ନାଥଙ୍କଠାରେ ଶ୍ରୀକୃଷ୍ଣଙ୍କ ଅସ୍ତିତ୍ୱ ଓ ଅଭେଦତ୍ୱ ସୂଚିତ କରିଛନ୍ତି । ଯଥା–

 

‘‘ଜମ୍ବୁଦୀପ ଉତ୍ତର ଖଣ୍ଡ ଶେଷେ

ଦକ୍ଷିଣ ସିନ୍ଧୁ ଉତ୍ତର ପାରୁଶେ ।୧।

ଶ୍ରୀ ପୁରୁଷୋତ୍ତମ ପବିତ୍ର ଦେଶେ

ନୀଳ ମହୀଧର ନାମ ପ୍ରକାଶେ ।୨।

ଅଶେଷ ବ୍ରହ୍ମାଣ୍ଡ ଭୁରୁହ କନ୍ଦ

ତଥିରେ ବିଜୟ ପରମାନନ୍ଦ ।୩।

ଭଗତ–ଜନ–ଭୃଙ୍ଗ–ଅରବିନ୍ଦ

ସାଧୁଙ୍କ ଲୋଚନ–ଚକୋର ଚନ୍ଦ୍ର ।୪।

ନିଗମ ତତ୍ତ୍ୱଭାଗ ଅଭିରାମ

ଯୋଗୀ–ଜନଙ୍କର ନିର୍ବାଣ ଧାମ ।୫।

ବିଚିତ୍ର ଚିତ୍ର ନୀଳମଣି ଶ୍ୟାମ

ଅଭିନବ ରୂପ ବଳିତ କାମ ।୬।

ବିଶ୍ୱ ପ୍ରପଞ୍ଚ ଯା’ର ଖେଡ଼ ରସ

ଏକରୁ ଅନେକ ହୋଏ ପ୍ରକାଶ ।୭।

ଅନେକ ଏକ ହୋଅନ୍ତେଣ ଶେଷ

ଏହି ରୂପକୁ ତଲୟେ ଅଭ୍ୟାସ ।୮।

ବଚନ ଲୋଚନ ମନକୁ ଦୂର

ଆକାଶମତ ମହିଁମା ଯାହାର ।୯।’’ ଇତ୍ୟାଦି

 

ଏହାପରେ ଭଞ୍ଜଙ୍କ ରଚନାବଳୀରେ ଏହି ଚେତନାର ପୁଷ୍କଳ ପ୍ରକାଶ ହୋଇଛି । ବୈଷ୍ଣବ ସାହିତ୍ୟରେ ପରକୀୟା ପ୍ରୀତିର ବୀଭତ୍ସ ବୌଦ୍ଧିକ ଅପଚାର ଭଞ୍ଜ–ସାହିତ୍ୟରେ ସ୍ଥାନ ନ ପାଇ ସ୍ୱକୀୟା ପ୍ରେମର ଚିତ୍ରଣରେ ଓଡ଼ିଆର ସଂଯମ ଓ ମୌଳିକତା ତଥା ନୈତିକତା ପ୍ରକାଶ ପାଇଛି । ଉପେନ୍ଦ୍ର ଭଞ୍ଜ ନିଜ ରଚନାବଳୀରେ ବଳିଷ୍ଠ ଉତ୍କଳୀୟତାର ସ୍ଫୁଟନ ସହ ଜଗନ୍ନାଥ ଚେତନାର ନବୋନ୍ମେଷ ଘଟାଇ ଥିବାର ଆମେ ଲକ୍ଷ୍ୟ କରିଥାଉ । ତାଙ୍କ କାବ୍ୟାବଳୀର ଅନେକତ୍ର ଜଗନ୍ନାଥ ବନ୍ଦନା ସହ ତାଙ୍କ ମହିମାଁ ପ୍ରକଟନରେ ଭଞ୍ଜ–ଲେଖନୀ ମୁଖର ହୋଇ ଉଠିଛି । ‘ସୁଭଦ୍ରା ପରିଣୟ’ କାବ୍ୟରେ ଭଞ୍ଜ ଭଙ୍ଗଳାଚରଣ କରି ଲେଖିଛନ୍ତି–

 

‘‘ସିନ୍ଧୁ ତଟେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରାଜ

ସାଧୁଜନେ ! ଅଛି ତହିଁ ବହୁତ ଆଶ୍ଚର୍ଯ୍ୟ ହେ ।୧।

ସେ ଭୂମି ପ୍ରବେଶେ ବ୍ରହ୍ମହତ୍ୟା ପାପ ହରେ

ସାକ୍ଷାତ ହୋଇଛି ଏ କପାଳମୋଚନରେ ଯେ ।୧।

ସେ ହୋଏ ଚତୁର ଭୁଜ ଯେ ସେ କ୍ଷେତ୍ରେ ରହି

ସାକ୍ଷୀ ଏ କଥାକୁଟି ଅଜ୍ଞାନ କାକ ତହିଁ ଯେ

ସ୍ୱପଚ କରୁଁ ବ୍ରାହ୍ମଣ ତହିଁ ପାଇ ଅନ୍ନ

ଶଏ ଜନ୍ମ ପାପ ଗଲା ଭାବି ତୋଷ ମନ ଯେ ।୪।

ସର୍ବଦାରେ ମୁକତି ପସରା ବସିଥାଇ

ସାରେ ପାପ ନର ବରାଟକେ କିଣି ନେଇ ଯେ ।୫।

ସୁମିଧ ଶରୀରକୃତ ବିଷ୍ଣୁ ନିଜେ ତହିଁ

ସୁଦରଶନେ ଆଶ୍ଚର୍ଯ୍ୟ ଅପବର୍ଗ ଦେଇ ଯେ ।୬।

ସ୍ୱରୂପ ଏ ନାସା କର୍ଣ୍ଣ ହସ୍ତ ପାଦହୀନ

ସ୍ମର କୋଟି ନୋହେ ତେବେ ଶୋଭାକୁ ଦମାନ ଯେ ।୭।’’ ଇତ୍ୟାଦି ।

 

ଏହି ବର୍ଣ୍ଣନାରେ ଭଞ୍ଜ ଜଗନ୍ନାଥ ଧାମ ବା ପୁରୁଷୋତ୍ତମ କ୍ଷେତ୍ରକୁ କ୍ଷେତ୍ରରାଜ ଆଖ୍ୟା ଦେଇଛନ୍ତି । ସମସ୍ତ ଧାମ ବା କ୍ଷେତ୍ରରୁ ଏହାର ଉତ୍କର୍ଷ ଅଧିକ ଥିବାର ସୂଚନା ଦେବାକୁ ଯାଇ ସେ କହନ୍ତି ଯେ ଏହି ଭୂମିରେ ପାଦଦେଲା ମାତ୍ରେ–ହୃଦୟରେ ପବିତ୍ର ଭାବନା ଜାତ ହୋଇ ପାପ ହରଣ କରିଥାଏ । ଏଇ କ୍ଷେତ୍ରରେ ଜାତି ଭେଦ ଅନେକ ଆଗରୁ ନ ଥିଲା । ଚଣ୍ଡାଳ ହାତରୁ ବ୍ରାହ୍ମଣ ଅନ୍ନ ଭୋଜନ କରି ଅନେକ ଜନ୍ମର ପାପ ଗଲା ବୋଲି ଏହି କ୍ଷେତ୍ରରେ ସନ୍ତୁଷ୍ଟ ହୋଇଥାଏ । ତେଣୁ, ଏଠାରେ ଛୋଟ ବଡ଼, ଉଚ୍ଚନୀଚ, ଚାଣ୍ଡାଳ ବ୍ରାହ୍ମଣ ମଧ୍ୟରେ ପାର୍ଥକ୍ୟର ସୀମାରେଖାକୁ ନିଶ୍ଚିହ୍ନ କରିଦିଆଯାଇଛି । ସାକ୍ଷାତ୍ ବିଷ୍ଣୁ ଜଗନ୍ନାଥଙ୍କର ଉପସ୍ଥିତିରେ ଏହି କ୍ଷେତ୍ର ମାହାତ୍ମ୍ୟ ଏପରି ବୃଦ୍ଧି ପାଇ ସହସ୍ର ସହସ୍ର ଯୋଜନ ଦୂରରୁ ଲୋକଙ୍କୁ ତାଙ୍କ ଦର୍ଶନ ସକାଶେ ଆକୃଷ୍ଟ ଓ ଆତୁର କରିଥାଏ । ଏହି କାବ୍ୟର ମଙ୍ଗଳାଚରଣରେ ଭାରତର ଅନ୍ୟ କବି ହୋଇଥିଲେ ଶ୍ରୀକୃଷ୍ଣଙ୍କର ବନ୍ଦନା କରିଥାନ୍ତେ । ଭଞ୍ଜ କିନ୍ତୁ ଜଗନ୍ନାଥଙ୍କଠାରେ ଶ୍ରକୃଷ୍ଣଙ୍କର ଅଭେଦତ୍ୱ କଳ୍ପନା କରି ଜଗନ୍ନାଥ ତତ୍ତ୍ୱର ସାର୍ବଜନୀନତାକୁ ସୁଦୂରପ୍ରସାରୀ ତଥା ବିଶ୍ୱ–ଧର୍ମର ସିଂହାସନରେ ଆସୀନ କରାଇଛନ୍ତି । ରାମଭକ୍ତ ଭଞ୍ଜ ତାଙ୍କର ‘ବୈଦେହୀଶ ବିଳାସ’ କାବ୍ୟର ମଙ୍ଗଳାଚରଣରେ ଭଗବାନ ସୂର୍ଯ୍ୟ ଓ ବିଷ୍ଣୁଙ୍କର ଅଭେଦ କଳ୍ପିତ ବନ୍ଦନା ଭିତରେ ସ୍ଥାନ ଦେଇଛନ୍ତି ଆମର ଜଗତର ନାଥ ଜଗନ୍ନାଥଙ୍କୁ–

 

ବଇନତେୟ ଯାହା ଅଗ୍ରତେ ସ୍ଥିତ ଯେ

ବଇକୁଣ୍ଠ ପକ୍ଷକ ଲୋକ ତୋଷିତ ଯେ

ବିକାଶ ଅଖଣ୍ଡିତ ମଣ୍ଡଳେ ସିଂହ ଭାବରେ କ୍ରୀଡ଼ିତ କାଳେ

ଭବେ ତରଣି ହୋଇ ମଞ୍ଜୁଳେ ଗିରି ଉଦିତ ଯେ ।୧।

 

ବୈକୁଣ୍ଠରେ ବିଷ୍ଣୁଙ୍କ ଆଗରେ ବୈନତେୟ (ଗରୁଡ଼) ଉଭା ହୋଇ ରହିଥାଏ । ସୂର୍ଯ୍ୟଙ୍କ ଆଗରେ ବୈନତେୟ (ଅରୁଣ) ତାଙ୍କ ସାରଥୀ ଭାବରେ ରଥ ଚାଳନା କରନ୍ତି ଏବଂ ଓଡ଼ିଶାର ଜଗନ୍ନାଥଙ୍କ ଆଗରେ ଗରୁଡ଼ ସ୍ତମ୍ଭରେ ମଧ୍ୟ ଗରୁଡ଼ ଦଣ୍ଡାୟମାନ ଥାଆନ୍ତି । ସୂର୍ଯ୍ୟ ଉଦୟଗିରିରେ ଉଦିତ ହେଲା ପରି ଜଗନ୍ନାଥ ନୀଳଗିରି (ଅଦ୍ରି)ରେ ଉଦିତ ହୋଇ ସିଂହ ଭାବରେ କ୍ରୀଡ଼ା କରୁଛନ୍ତି-। ତେଣୁ ଭକ୍ତକବି ଗୌରଚରଣ ଅଧିକାରୀ କହିଲେ–‘‘ନୀଳାଦ୍ରି ସିଂହ, କି ଲୀଳା ଲଗାଇଛ ଆଣିକି’’-। ସୁତରାଂ, ସୂର୍ଯ୍ୟ ଓ ବିଷ୍ଣୁଙ୍କ ବନ୍ଦନା କାଳରେ ମଧ୍ୟ ଭଞ୍ଜ–ମାନସରେ ଜଗନ୍ନାଥ ଚେତନାର ଉଦୟ ହେବାରୁ ସେଠି ଜଗନ୍ନାଥଙ୍କର ମହିମା ମଧ୍ୟ ବର୍ଣ୍ଣିତ ହୋଇ ଯାଇଛି ।

 

‘ରସକଲ୍ଲୋଳ’କାର ଦୀନକୃଷ୍ଣ ତାଙ୍କର ଏହି କାବ୍ୟର ଆଦ୍ୟଛାନ୍ଦର ପ୍ରାରମ୍ଭରେ ଜଗନ୍ନାଥଙ୍କ ବର୍ଣ୍ଣନା କରି ଲେଖିଥିଲେ–

 

‘‘କଳିତ ଲଳିତ ଫୁଲମାଳ ଅନେକ

କରଇ ବଶ ଅବଶ୍ୟ ତ୍ରୈଲୋକ୍ୟଯାକ ।

କଳ୍ପବୃକ୍ଷେ ନାନା ଭଲ ଫଳ ପ୍ରାୟକ,

କଳାପି ଶୋଭା ଶ୍ରୀଅଙ୍ଗଯାକ ।’’ ଇତ୍ୟାଦି ।

 

କବି ଦୀନକ୍ୟଷ୍ଣ ତାଙ୍କର ‘ଆର୍ତ୍ତତ୍ରାଣ ଚୌତିଶା’ରେ ନଜ ହୃଦୟର ବେଦନା ଓ ଆତୁରତା ଜଗନ୍ନାଥଙ୍କ ଆଗରେ ଥୋଇଦେଇ ଭକ୍ତର ଅଭିମାନଭରା କଣ୍ଠରେ ଗରୁଡ଼ ସ୍ତମ୍ଭ ଆଗରେ ଗାଇ ଉଠଛନ୍ତି–

 

‘‘ନିରକ୍ଷ ନିସ୍ତାରଣ କାରଣେ ପ୍ରହରଣ

            କର କମଳରେ ବହିଛ,

ନିଧନ ସମୟରେ ନିରକ୍ଷ ଜନଠାରେ

            ନିର୍ଦ୍ଦୟ ହୃଦୟ ହେଉଛ ହେ ମହାପ୍ରଭୁ !

 

      ନୀଳାଚଳରେ ତୁମ୍ଭେ ଥିବ,

      ନିରକ୍ଷ ଜନ ନାଶ ଯିବ

ନିଖିଳ ନିକେତନ ନବ ପଞ୍ଚଭୁବନ

      ଭିତରେ କେମନ୍ତ ଶୁଭିବ ହେ ମହାପ୍ରଭୁ ।୫।’’

 

କବିସୂର୍ଯ୍ୟ ବଳଦେବ ରଥ ‘ଜଗନ୍ନାଥ ଜଣାଣ’ରେ ମଧ୍ୟ ସେହି ଭକ୍ତର ଅଭିମାନଭରା ଦୁଃଖ ଓ କାତରତା ଜଗନ୍ନାଥଙ୍କୁ ଶୁଣାଇଛନ୍ତି–‘‘ହେ କ୍ଷୀରମୟସିନ୍ଧୁ–ଜେମା–ଜୀବବନ୍ଧୁ ଜଗତପତି ଜଗନ୍ନାଥ ! ସମଦୃଷ୍ଟିର ପତାକା ଟେକି ଏ କି ପକ୍ଷପାତ ନୀତି ମହାପ୍ରଭୁ ! କିଏ ବା କ’ଣ କଲା, ଆଉ ମୁଁ କଲି ନାହିଁ ! କିଏ ବା କ’ଣ ଦେଲା, ଆଉ ମୁଁ ନ ଦେବାରୁ ଏତିକି ସରି ହେଲି !’’ ଜଣାଣର ଶେଷରେ ପୁଣି ସେ ଗାଇଲେ–

 

‘‘କବି ରବି ରାୟଗୁରୁ ଯୋଡ଼ି କର ଯୁଗକୁ ଛାମୁରେ କହେ

ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର ଆୟତ୍ତ ନୁହେଁ ହେ,

ମହାପ୍ରଭୁ ! ଯାହା ତୁମ୍ଭ ଇଚ୍ଛା ସିନା

ରଖ ବା ନ ରଖ ମୋହର ଗତିତ

ପତିତପାବନ ବାନା ହେ ମହାପ୍ରଭୁ ।’’

 

କବିସୂର୍ଯ୍ୟଙ୍କ ସମସାମୟିକ କବି ଯଦୁମଣି ମହାପାତ୍ରଙ୍କଠାରେ ଜଗନ୍ନାଥ ଚେତନା ଏକ ଚାତୁର୍ଯ୍ୟମୟୀ ଉକ୍ତି ମାଧ୍ୟମରେ ପ୍ରକାଶ ପାଇ ଏକାନ୍ତ ହୃଦ୍ୟ ହୋଇ ଉଠିଛି–

 

‘‘ଦେଲ ଯାହା ନେଲ ତାହା

ଏଥିକୁ କିପାଇଁ ମହା–

ଦାତାପଣେ ପତାକା ବାନ୍ଧିଛ ହେ

ନୀଳାଚଳ–କଳାକାର ! ସତ କିଏ ମିଛ ।’’

 

ପ୍ରମାଣ ଦେଇ କବି ମହାପାତ୍ର କହିଲେ–‘ଷୋଳ ହଜାର ଗୋପୀଙ୍କ ପାଲଟା ଲୁଗା ଚୋରାଇ ନେଇ ଦ୍ରୌପଦୀଙ୍କର ବସ୍ତ୍ର ହରଣ କାଳରେ ତାଙ୍କୁ ବସ୍ତ୍ର ଦେଇ ମାନ ରକ୍ଷା କଲ । ଏଇତ ତୁମର ଦାତାପଣିଆ !’

 

ଜଗନ୍ନାଥଙ୍କୁ ଅତି ଆପଣାର ମଣି ଏଇ କବିମାନେ ତାଙ୍କ ଆଗରେ ନିଜ ହୃଦୟର ଗୋପନ ଦ୍ୱାର ଖୋଲି ଦେଇଛନ୍ତି । ଯେତେ ଦୁଃଖ, ଯେତେ ଅଭିମାନ, ଯେତେ ଆତୁରତା, ଯେତେ ପ୍ରେମ, ଐକାନ୍ତିକତା–ସବୁ ସେଇ କାଳିଆ ଠାକୁର ପାଖରେ ଅଜାଡ଼ି ଦେଇଛ ଓଡ଼ିଆ କବି ଓ ସେଇ ହେତୁ ଏ ସାହିତ୍ୟ ଜଗନ୍ନାଥ ଚେତନାରେ ସମୃଦ୍ଧ ଓ ଭାସ୍ୱର ହୋଇଅଛି । ଜଗନ୍ନାଥ ମୂର୍ତ୍ତି ମଧ୍ୟରେ ଦାରୁବ୍ରହ୍ମର ସଂସ୍କୃତ ପରି ଓଡ଼ିଆ ସାହିତ୍ୟର ଭାବମୂର୍ତ୍ତି ଭିତରେ ପ୍ରଚ୍ଛନ୍ନ ଅଥଚ ଦୃଢ଼ ଆସନରେ ସମାସୀନ ହୋଇଛି ଏଇ ଜଗନ୍ନାଥ ଚେତନା । ସାଲବେଗ, ଗୌରହରି, ଗୋପାଳକୃଷ୍ଣ, ଗୌରଚରଣ ପ୍ରଭୃତି ବିଭିନ୍ନ କବିଙ୍କ ଲେଖନୀରେ ନାନା ଭାବରେ, ନାନା ଭଙ୍ଗୀରେ, ନାନା ମର୍ମରେ ପ୍ରକାଶ ପାଇଛି ଜଗନ୍ନାଥ ମହିମା ।

 

ମଧ୍ୟ ଯୁଗରେ ରାଧାନାଥ, ଗଙ୍ଗାଧର, ମଧୁସୂଦନ ପ୍ରଭୃତି କବିମାନଙ୍କ ରଚନାବଳୀରେ ନୀଳାଚଳ ଓ ଜଗନ୍ନାଥ ମାହାତ୍ମ୍ୟ ତଥା ପବିତ୍ରତା ଚିତ୍ରିତ ହୋଇଛି ବିଭିନ୍ନ କୌଶଳରେ । ଜଗନ୍ନାଥଙ୍କର ପୁଷ୍ୟାଭିଷେକ ଅବସରରେ ରାଧାନାଥଙ୍କ ‘ଚନ୍ଦ୍ରଭାଗା’ କାବ୍ୟାରମ୍ଭ । ସେହିପରି ‘ନୀଳାଚଳ’ର ଦୋଳ ମହୋତ୍ସବର ଅବକାଶରେ ତାଙ୍କର ‘‘ପାର୍ବତୀ’’ କାବ୍ୟର ଆରମ୍ଭ । ହିମାଚଳ ଦେଇ ସ୍ୱର୍ଗାରୋହଣ ପଥରେ ରାଧାନାଥ ପାଣ୍ଡବମାନଙ୍କୁ ଆଣିଛନ୍ତି ଉତ୍କଳର ନୀଳାଚଳ ବେଳା ଭୂମିକୁ–

 

‘‘ନାନା ତୀର୍ଥ ସେବି, ଶୂରେ ଆସିଣ ମିଳିଲେ,

ଉତ୍କଳର ପ୍ରାଚ୍ୟ–ନୀର–ପ୍ରାଚୀର ଆକୃତି

ନୀଳ–ଫେନାକୁଳ–ତୁଙ୍ଗ–ତରଙ୍ଗ–ଭଙ୍ଗୁର,

ନୀଳାଚଳ ତଟେ, ଯହିଁ ଲୋଟେ ବାରାନିଧି

ଗମ୍ଭୀର ନିର୍ଘୋଷେ ଘୋଷି ବିଶ୍ୱ ଚରାଚର ।’’

 

ଏହି ସମୁଦ୍ରରୁ ଅଗ୍ନି ଆବିର୍ଭୁତ ହୋଇ ପାଣ୍ଡବମାନଙ୍କୁ ନିଜର ପରିଚୟ ଦେଇ–

 

ଉତ୍ତରିଲେ ଅଗ୍ନି, ‘‘ଏହା ନୀଳାଚଳ ଧାମ

ସୃଷ୍ଟି ଦିନୁ ଅପ୍ରସିଦ୍ଧ ଥିଲା ମହୀ ତଳେ ।

x      x      x      x

ପୁଣ୍ୟତମ ଏ ସୈକତ ବିଶ୍ୱ ଚରାଚରେ

ବାଛି ନେଇଛନ୍ତି ଯାହା ନିଜେ ଲୀଳାମୟ

ପୁଣି ମର୍ତ୍ତ୍ୟ ଲୀଳା ଅଖିଳ ଭାରତେ;

ପର୍ଣ୍ଣ ଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ

ଶ୍ରେଷ୍ଠ ଏ ଉତ୍କଳ ଭୂମି ଗୁଣେ ଗରୀୟସୀ ।’’

 

ଅଗ୍ନିଙ୍କ ମୁଖରେ ନୀଳାଚଳ ଧାମର ଏପରି ମାହାତ୍ମ୍ୟ ବର୍ଣ୍ଣନ କରି ରାଧାନାଥ ଏହା ଭାରତର ଶ୍ରେଷ୍ଠ ତୀର୍ଥ ବୋଲି କହିଛନ୍ତି ।

 

କବି ଗଙ୍ଗାଧର ମେହର ତାଙ୍କର ଉତ୍କଳ ଗୌରବ କବିତାରେ ଜଗନ୍ନାଥ ସଂସ୍କୃତିର ମହନୀୟତା ପ୍ରତିପାଦନ କରି ଲେଖିଛନ୍ତି–

 

‘‘ସର୍ବ ଧର୍ମ ସୂକ୍ଷ୍ମ ମର୍ମ ପୂର୍ଣ ତା’ର ଗର୍ଭରେ

ପାଦସ୍ପୃଷ୍ଟ ନାଦ ହୃଷ୍ଟ ସିନ୍ଧୁ ନାଚେ ଗର୍ବରେ ।

x      x      x      x

ଏକ ଭେକ ଏକ ଟେକ ଦୂରେ ଫିଙ୍ଗୁ ପାର୍ଥକ୍ୟ

ନୀଳ ଶୈଳ ସାମ୍ୟ ନୀତି ପ୍ରାଣେ ହେଉ ସାର୍ଥକ ।’’

 

କେବଳ କବିତାରେ ନୁହେଁ, କବିଙ୍କ ‘ପ୍ରଣୟ ବଲ୍ଲରୀ’, ‘ତପସ୍ୱନୀ’, ‘ଉତ୍କଳ–ଲକ୍ଷ୍ମୀ’ ପ୍ରଭୃତି କାବ୍ୟମାନଙ୍କରେ ମଧ୍ୟ କାବ୍ୟମାନଙ୍କରେ ମଧ୍ୟ ନୀଳାଚଳ ଧାମର ମନୋଜ୍ଞ ଚିତ୍ର ଅଙ୍କିତ ହୋଇଛି । ମଧୁର ବସନ୍ତ କାଳରେ ବାଲ୍ମୀକି ଆଶ୍ରମରେ ସୀତାଙ୍କର ଅବସ୍ଥାନକାଳୀନ ବର୍ଣ୍ଣନା ଦେଇ ଗଙ୍ଗାଧର ‘ତପସ୍ୱିନୀ’ର ପଞ୍ଚମ ସର୍ଗରେ ଠାଏଁ ଲେଖିଛନ୍ତି–

 

‘‘ଉଜ୍ଜ୍ୱଳ ଚିକ୍‍ଣ ନୀଳ ପତର

ପୁନ୍ନାଗ–କାନନ ଶ୍ୟାମଳତର

ଉଡ଼ି ଓଡ଼ିଶାରୁ ଥିଲା କି ଯାଇ,

ଦେଉଥିଲା ସତୀ ମନ ରଞ୍ଜାଇ,

ନୀଳାଚଳ ରୂପ ଧରି

ବିଜେ ଅବା ରାମ ଲଭିବାକୁ ସୀତା

ପ୍ରୀତି–ସାଗର–ଲହରୀ ।୧୯।’’

 

ସେହିପରି ‘ପ୍ରଣୟ–ବଲ୍ଲରୀ’ର ସପ୍ତମ ସର୍ଗରେ ନୀଳାଚଳ ବେଳାଭୂମିରେ ଦେବକନ୍ୟା ଓ ରାକ୍ଷସ କନ୍ୟାଙ୍କର ବିବାଦର ସୂତ୍ରପାତ ସହ ଅସୁର ଦମନ ସକାଶେ ସ୍ୱର୍ଗରୁ ଦୁଷ୍ମନ୍ତଙ୍କ ନିକଟକୁ ପ୍ରସଙ୍ଗକୁ ପ୍ରସଙ୍ଗୋଚିତ ଓ ଯଥାର୍ଥ୍ୟ ମଣ୍ଡିତ କରାଇଛନ୍ତି । ‘ଉତ୍କଳ–ଲକ୍ଷ୍ମୀ’ରେ ଲେଖିଛନ୍ତି–

 

‘‘ତୋହୋରୂପେ ମୁଗ୍ଧ ହୋଇ ଜଗନ୍ନାଥ

      ଛାଡ଼ି ଦ୍ୱାରାବତୀପୁର

କଳିନ୍ଦଜାତଟ–ବିପୀନ–ବିହାର

      ସୁଖ କରି ମନୁ ଦୂର ।

 

ପୂର୍ବାଚଳ–ଚୂଳେ ଦିନମଣି ପ୍ରାୟେ

      ବିଜେ କରି ନୀଳାଚଳେ,

ପ୍ରେମେ ଆଲିଙ୍ଗନ କରଛନ୍ତି ତୋତେ

      ପ୍ରକାଣ୍ଡ ବାହୁ ଯୁଗଳେ ।’’ ଇତ୍ୟାଦି ।

 

‘ଜଗନ୍ନାଥ ଧର୍ମ’ ଏକ ବିବଦମାନ ବିଷୟ ବୋଲି ମନେ ହୁଏ । ‘ଧର୍ମ’ ଶବ୍ଦକୁ ପ୍ରାୟଶଃ ସମ୍ପ୍ରଦାୟ ଘେରି ରହେ । ତେଣୁ ମୁସଲମାନ ଧର୍ମ, ଖ୍ରୀଷ୍ଟିୟାନ ଧର୍ମ, ବୌଦ୍ଧ ଧର୍ମ, ଜୈନ ଧର୍ମ, ଶୈବ, ଶାକ୍ତ ପ୍ରଭୃତି ଧର୍ମର କଥା ଶୁଣିଥାଉ । ଜଗନ୍ନାଥ ଚେତନା ବା ସଂସ୍କୃତି ଏପରି ଏକ ସାମ୍ପ୍ରଦାୟିକ ଧର୍ମର ନୁହେଁ ବା ଜଗନ୍ନାଥଙ୍କ ଏପରି ଏକ ଧର୍ମ ଥିବା କଥା ମନକୁ ଆସୁନାଇ । କୋରାନ୍, ବାଇବେଲ, ଧର୍ମ୍ମପଦ, ଶକ୍ତିତନ୍ତ୍ର ପରି ଜଗନ୍ନାଥ ସଂସ୍କୃତିର କୌଣସି ନିର୍ଦ୍ଧିଷ୍ଟ ଧର୍ମଗ୍ରନ୍ଥ ନାହିଁ । ତେଣୁ ଅନ୍ୟାନ୍ୟ ସାମ୍ପ୍ରଦାୟିକ ଧର୍ମ ପରି ଏହାର ଏକ ଧର୍ମ ନାହିଁ । ତେଣୁ ସନାତନ କାଳରୁ ବୌଦ୍ଧ, ଶାକ୍ତ, ଶୈବ, ବ୍ରାହ୍ମଣ୍ୟ ପ୍ରଭୃତିଙ୍କର ସେ ସମଭାବରେ ଉପାସ୍ୟ । ବ୍ରାହ୍ମଣ୍ୟଧର୍ମୀ ତାଙ୍କୁ ‘‘ବେଦନାଂ ସାରମୀଶଂ ସ୍ୱଜନ ପରିବୃତଂ ବ୍ରହ୍ମଦାରୁ ସ୍ମରାମି’’ କହି ସ୍ମରଣ କଲାବେଳକୁ ବୈଷ୍ଣବମାନେ–

 

‘‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ’’ କହି ତାଙ୍କର ଦର୍ଶନ ସକାଶେ ଆତୁର ହୋଇଥାନ୍ତି । ଜୈନ ତାଙ୍କୁ ‘‘ସର୍ବଜୀନତ୍ୟର୍ଚ୍ଚିତଂ’’ କହିଲେ ବୌଦ୍ଧମାନେ ‘‘ସର୍ବବୁଦ୍ଧମୟ’’ କହନ୍ତି । ମୁସଲମାନ କହେ–

 

‘‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ,

ମୋ ଆରତ–ନଳିନୀ–ବନକୁ କର ଦଳନ ।’’

 

ମହିମାଧର୍ମୀଗଣ ଦେଖାଇ କହନ୍ତି–

 

‘‘ନୀଳାଚଳ ଠୁଳ ଶୂନ୍ୟ ରହିଛି ଦେଖ

କି ଶୋଭା ପାଉଛି ବସି ପଙ୍କଜ ମୁଖ ।’’

 

ଏଣୁ ଜଗନ୍ନାଥ ଚେତନାରେ ‘ଜଗନ୍ନାଥ ଧର୍ମ ବୋଲି ଏକ ଇତର ଧର୍ମ ନାହିଁ । ତା’ ହୋଇଥିଲେ ସମସ୍ତ ଧର୍ମର ଲୋକଙ୍କଦ୍ୱାରା ସେ ପୂଜିତ, ଆରାଧିତ ଓ ପ୍ରାର୍ଥିତ ହୁଅନ୍ତେ କିପରି ? ତେଣୁ ଜଗନ୍ନାଥ ହେଉଛନ୍ତି ସର୍ବଜନ ସମାଦୃତ, ସର୍ବଧର୍ମର ଉପାସ୍ୟ, ସମନ୍ୱିତ ଏକ ବିଶ୍ୱବିନ୍ଦ୍ୟ ଦେବାଧିରାଜ ।

 

ପୁଣି ଜଗନ୍ନାଥ କେବଳ ଆମର ନୁହନ୍ତି, ସେ ସମଗ୍ର ଜଗତର ନାଥ–ଜଗନ୍ନାଥ । ଏଇ ‘ଆମର ପଣିଆ’ କାଳେ ତାଙ୍କ ବଂଶରେ, ଓଡ଼ିଆ ଜାତି ମଧ୍ୟରେ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରି ବିପ୍ର ନୀଳାମ୍ବର ଦାସଙ୍କର ‘ଦେଉଳ ତୋଳା’ରେ ରାଜା ଇନ୍ଦ୍ରଦ୍ୟୁମ୍ନ ଇନ୍ଦ୍ରଙ୍କୁ ବର ମାଗିଲେ–

 

‘‘ତୁମ୍ଭେ ଯେବେ ବର ଦେବ ମାଗୁଅଛି ମୁହିଁ,

ମୋହର ବଂଶରେ କେହି ନ ଥିବେ ଗୋସାଇଁ ।

x            x            x

ପୁତ୍ର ନାତି ବୋଲିବେ ଯେ ଦେଉଳ ଆମ୍ଭର,

ଆମ୍ଭର ବୋଲନ୍ତେ ଧର୍ମ ଯିବ ଯେ ମୋହର ।’’

 

ବଡ଼ ଠାକୁର ଥିବା ମନ୍ଦିରକୁ କାଳେ ନିଜ ଲୋକେ ଦାବି କରିପାରନ୍ତି ବୋଲି ଇନ୍ଦ୍ରଦ୍ୟୁମ୍ନଙ୍କର ଯଦି ଏ ଆତୁରତା ଓ ସତର୍କତା, ତେବେ ସ୍ୱୟଂ ବଡ଼ ଠାକୁର ଜଗନ୍ନାଥଙ୍କୁ ‘ଆମର’ ମାତ୍ର କହି ଆମେ ବୁଦ୍ଧି ଓ ବିଚାରର ଅପଚାର କରୁନାହୁଁ କି ? ସେ ପରା ଜଗତର ନାଥ–ଜଗନ୍ନାଥ ! ତେବେ ସେ କେବଳ ସେ ଆମର ବୋଲି ପ୍ରଚାରିତ ହେବେ କାହିଁକି ?

 

ଗଙ୍ଗାଧର କହିଲେ–ହେ ବିଶ୍ୱ–ଜୀବନ ! ସମଗ୍ର ବିଶ୍ୱର ପ୍ରାଣଧାର ! ତମର ପଦର ଧୂଳିକୁ ମୁଁ ମଥାରେ ନେବି କିପରି ? ଏଇ ପାଦ କ’ଣ ମଣିଷର ପାଦଭଳି ? ଏହାର ଅନ୍ୟ ନାମ ଯେ ‘ବିଷ୍ଣୁପଦ’–ଆକାଶ । କୋଟି କୋଟି ସୂର୍ଯ୍ୟ, ପୁଣି ସୂର୍ଯ୍ୟଠୁଁ କେତେ କେତେ ବଡ଼ ଗ୍ରହ,ନକ୍ଷତ୍ର, ଯେଉଁ ପାଦରେ ଧୂଳି ସୂରୁପ ଲୁଣ୍ଠିତ, ସେ ଧୂଳିକୁ ମଣିଷର ପଦଧୂଳି ପରି ମନେ କରିବା ଏକ କ୍ଷୁଦ୍ର ବୁଦ୍ଧିର ସଂକେତ ଏବଂ ହୁଏତ ଅପରାଧ ମଧ୍ୟ । ଏଇପରି ଜଗତର ନାଥ କେବଳ ‘ଓଡ଼ିଆ ନାଥ’ ହେବେ କିପରି ?

 

ଓଡ଼ିଆ–ସାହିତ୍ୟରେ ନାନା ଭାବରେ ବିଭିନ୍ନ କବିଙ୍କ ଲେଖନୀରେ ଜଗନ୍ନାଥ ଚେତନା ରୂପାୟିତ ହୋଇଛି । କବି ଦନାଇ ଦାସ କହିଲେ–‘‘ଜଗନ୍ନାଥ ଛାଡ଼ିଲେ ଆଉ କେଉଁଠି ବା ମୁଁ ତରିବି-?’’ କବି ବନମାଳୀ ପଟ୍ଟନାୟକ ଗାଇଲେ–

 

‘‘ଜଗନ୍ନାଥ ହୋ, କିଛି ମାଗୁ ନାହିଁ ତୋତେ,

ଧନ ମାଗୁ ନାହିଁ, ଜଗ ମାଗୁ ନାହିଁ;

ମାଗୁଛି ଶରଧା ବାଲିରୁ ହାତେ ।’’

 

ଆଧୁନିକ ଓଡ଼ିଆ କବିତାର ପ୍ରତିଷ୍ଠିତ କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘‘ଶ୍ରୀ ଗୁଣ୍ଡିଚା’’ କବିତାଠାରୁ ଆରମ୍ଭ କରି ଶ୍ରୀନେତ୍ରାନନ୍ଦ ସାମନ୍ତରାୟଙ୍କ ‘‘ଶ୍ରେଷ୍ଠ କାଲା’’ କବିତା ପର୍ଯ୍ୟନ୍ତ ବିଭିନ୍ନ କବି ଓ ଲେଖକଙ୍କ ଜଗନ୍ନାଥ ଚେତନାରେ ଓଡ଼ିଆ–ସାହିତ୍ୟର ଗନ୍ତାଘର ସମୃଦ୍ଧ ହୋଇଅଛି ।

 

ଦିନେ ଜଗନ୍ନାଥ ବିଗ୍ରହ ବଲାଙ୍ଗୀର ଜିଲ୍ଲାର (ସୁନପୁର୍) ସୋନପୁର ନିକଟରେ ପ୍ରୋଥିତ ହୋଇ ରହିଥିଲା । ମୋଗଲମାନଙ୍କ ଆକ୍ରମଣ ପରେ ଅତ୍ୟାଚାର ଆରମ୍ଭ ହେବାରୁ ଶ୍ରୀଜଗନ୍ନାଥ ବିଗ୍ରହକୁ ଆଣି ଏକ ବଟବୃକ୍ଷ ତଳେ ଦଇତାପତିମାନେ ଲୁଚାଇ ରଖିଥିଲେ । ଯଯାତି କେଶରୀ ତାଙ୍କ ରାଜତ୍ୱର ୧୧ ଅଙ୍କରେ ଏହାର ଅନୁସନ୍ଧାନ କରି ଜଗନ୍ନାଥଙ୍କୁ ସୁନପୁରରୁ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ଶଙ୍ଖନାଭି ମଣ୍ଡଳକୁ ଅଣାଇ ମନ୍ଦିର ନିର୍ମାଣ ପୂର୍ବକ ତାଙ୍କୁ ପ୍ରତିଷ୍ଠିତ କରିଥିବା କଥା ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ।

 

‘‘ନୀଳଦ୍ରି–ମହୋଦୟ’’ ଶୀର୍ଷକ ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ ମାଳବର ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କୁ ଦର୍ଶନ କରିଯିବା ସମୟରେ ଏହି ସୋନପୁର ଦେଇ ଗମନ କରିଥିଲେ । ସୋନପୁରର ଉତ୍ତର ତୀରରେ ଥିବା ମହାନଦୀ ଓ ପୂର୍ବଭାଗରେ ପ୍ରବାହିତା ତେଲନଦୀର ସଙ୍ଗମ ସ୍ଥଳରେ ପବିତ୍ରତା ଓ ମନୋହାରିତ୍ୱରେ ମୁଗ୍ଧ ହୋଇ ସେ ସସୈନ୍ୟ ଶ୍ରୀ ରାମେଶ୍ୱରଠାରେ ରାତ୍ରିଯାପନ କରିଥିଲେ–

 

‘‘ଅବନ୍ତୀ ନଗରସ୍ଥୈଶ୍ଚ ଚଚାର ନୀଳ ଭୂଧରଂ

ଉତ୍ତର ତୀରମାସାଦ୍ୟ ମହାନଦ୍ୟା ମନୋରମଂ,

ବିଶ୍ରମ୍ୟ ଭୋଜନାଦୀଶ୍ଚ ଚକ୍ରୁସର୍ବେ ମୁଦାନ୍ୱିତାଃ

ତତୋ ମହାନଦୀଂ ତୀର୍ତ୍ୱ। ପୁଣ୍ୟାରାମୋ ପ୍ରବେଶିତାଃ ।।

x            x            x

ଏକତ୍ର ତୁ ସୁବର୍ଣ୍ଣା ଖ୍ୟଃ ଶିବୋଽପ୍ୟସ୍ତିକ୍ଷିତୌ ମହାନ୍ ।’’

 

ବଲାଙ୍ଗୀର ପାଟଣା ଜିଲ୍ଲାରେ ଜନ୍ମଲାଭ କରିଥିବା କବି ନକୁଳାନନ୍ଦ ନାୟକ ତିନି ସହସ୍ରାଧିକ ପୃଷ୍ଠାର ‘ଶ୍ରୀ ଜଗନ୍ନାଥ ପୁରାଣ’ ବା ବୌଦ୍ଧ ପୁରାଣ’ ଲେଖି ଥିବାର ସୂଚନା ମିଳିଛି । ଓଡ଼ିଶାର ବିଶିଷ୍ଟ ଗବେଷକ ଡକ୍ଟର ବଂଶୀଧର ମହାନ୍ତି କହନ୍ତି ଯେ ‘ଛାପ ଗଲେ ଏହି ବିରାଟ ମହାପୁରାଣର ପୃଷ୍ଠା ସଂଖ୍ୟ ତିନି ହଜାର ପୃଷ୍ଠା ହୋଇପାରେ ।’ ଏଥିରେ କବି ନିଜେ ଲେଖିଛନ୍ତି–‘‘କିଛି ସମୟ ଗଲାପରେ ଅନୁଭବ କରିବାକୁ ହେବ ଯେ ରାମଚନ୍ଦ୍ର ଚତୁର୍ଦ୍ଧାବତାର–ତାଙ୍କ ଯଶ, ଲୀଳା, ଗୁଣ ଓ କୀର୍ତ୍ତି ରାମାୟଣ ତଥା କୃଷ୍ଣଚନ୍ଦ୍ର ଚତୁର୍ଦ୍ଧପୁରାଣ–ତାଙ୍କ ଯଶ, ଗୁଣ, ଲୀଳା ଓ ଲୀଳା, ଗୁଣ ଓ କୀର୍ତ୍ତି ରାମାୟଣ ଏବଂ ଭାଗବତ । ତଦ୍ରୂପ ଜଗନ୍ନାଥ ମଧ୍ୟ ଚତୁର୍ଦ୍ଧାବତାର-। ଏହାଙ୍କର ଯଶ, ଲୀଳା, ଗୁଣ ଓ କୀର୍ତ୍ତି ପ୍ରକାଶ ହେବା ପୁରାଣରୂପେ ନ ପାଇ ।’’ ଏହି ଅଭାବର ପରିପୂର୍ତ୍ତି ସକାଶେ କବି ନକୁଳାନନ୍ଦ ନାୟକ ଲେଖିଲେ ‘ବୌଦ୍ଧପୁରାଣ’ । ଶ୍ରୀ ଜଗନ୍ନାଥ ବୌଦ୍ଧାବତାର ହେତୁ ଏହାକୁ ‘ବୌଦ୍ଧପୁରାଣ ନାମରେ କବି ନାମିତ କରିଛନ୍ତି । ଏହିପରି ଏକ ମହାପୁରାଣ କବି ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କ ଇଙ୍ଗିତରେ ଲେଖିଥିବା ଗ୍ରନ୍ଥର ପ୍ରାକ୍‌କଥନରେ ଉଲ୍ଲେଖ କରିଛନ୍ତି ।

 

ଏହି ଗ୍ରନ୍ଥର ପ୍ରଥମ ବେଦର ପ୍ରାରମ୍ଭରେ କବି ଶ୍ରୀ ଜଗନ୍ନାଥଙ୍କ ବନ୍ଦନାପୂର୍ବକ ସୃଷ୍ଟି ପ୍ରକ୍ରିୟା, ଭୂମନୁକେଶରୀ ଓ ମନୁଙ୍କ ପ୍ରସଙ୍ଗାଦି ବର୍ଣ୍ଣନ କରିଛନ୍ତି । ଏହି ଗ୍ରନ୍ଥ ୬ଟି ବେଦ ଓ ୨ଟି ନିର୍ବେଦରେ ବିଭକ୍ତ ହୋଇଅଛି । ସାରଳା ସାହିତ୍ୟରୁ ଆରମ୍ଭ କରି ଊନବିଂଶ ଶତାବ୍ଦୀର ବିଭିନ୍ନ ପୁରାଣ ଓ ଭକ୍ତି–ସାହିତ୍ୟରେ ଜଗନ୍ନାଥ ବୌଦ୍ଧ ଦେବତା ଭାବରେ ବର୍ଣ୍ଣିତ ଏବଂ ଓଡ଼ିଶାର ଧର୍ମ ଓ ସଂସ୍କୃତିରେ ସେ ବୁଦ୍ଧାବତାର ଭାବରେ ଗୃହୀତ ହୋଇଥିବାରୁ କବି ଏହି ଗ୍ରନ୍ଥର ନାମକରଣ କରିଛନ୍ତି ‘‘ବୌଦ୍ଧପୁରାଣ ।’’

 

ଜଗନ୍ନାଥ ଚେତନାରେ ବୌଦ୍ଧଧର୍ମର ତଲ୍ଲୀନତା ସୂଚିତ କରି କବି ଏହି ଗ୍ରନ୍ଥର ଷଷ୍ଠ ଖଣ୍ତରେ ଲେଖିଛନ୍ତି–

 

‘‘ଭୋଜନ ବେଳେ ଯେ ଯାହା କରଇ କବଳ

କଣିକା ପ୍ରାପତ ହେଲେ ସାକ୍ଷାତେ ନିର୍ମାଲ୍ୟ ।

ଏହି ସର୍ବ ବଉଧ ଧରମର କରମ

ଥାବରୁଁ ଯେ କୀଟଯାଏ ଯେଣୁ ସର୍ବେ ବ୍ରହ୍ମ ।

ଏ କାରଣୁଁ ଦାରୁବ୍ରହ୍ମପୁର ମହାତମ

ସୁରକ୍ଷାକୃତେ ପ୍ରକାଶି ବଉଧ ଧରମ ।’’

 

ଶ୍ରୀ କ୍ଷେତ୍ରରେ ସାନ ବଡ଼, ଛୁଆଁ ଅଛୁଆଁ ଭେଦଭାବ ନାହିଁ । ଏଠାରେ କେହି ପତିତ ନୁହେଁ କି କେହି ଉଚ ନୁହେଁ । ଏହାହିଁ ହେଉଛି ବାସ୍ତବ ବୌଦ୍ଧଧର୍ମ । ଦାରୁବ୍ରହ୍ମ ଜଗନ୍ନାଥଙ୍କର ଏହି ସାମ୍ୟନୀତିକୁ ବୃଦ୍ଧଦେବ ତାଙ୍କ ଇଙ୍ଗିତରେ ସମଗ୍ର ଭାରତରେ ବିସ୍ତାର କରିଥିବାର କବି ସୂଚାଇଛନ୍ତି–

 

‘‘ନୀଳାଚଳେ ବୌଦ୍ଧଧର୍ମ ଯେ ଯେ ଗତି ରୀତି

ଦେଶେ ଦେଶେ ଗ୍ରାମେ ଗ୍ରାମେ ତାହା ପ୍ରଚାରନ୍ତି ।

ଘରେ ଘରେ ଜନେ ଜନେ ଯାଆନ୍ତି ବୁଝାଇ

ସର୍ବେ ବ୍ରହ୍ମ ବିକାରାଦି ଦୋଷି ଗୁଣ ନାହିଁ ।

ଭେଦାଭେଦ ଏହି ସର୍ବ ଅଟେ ଭ୍ରମ କଥା

ଏତେ ବୋଲି ଆତ୍ମଜ୍ଞାନେ ପରମ ଯୋଗ୍ୟତା ।’’ ଇତ୍ୟାଦି

 

ବ୍ରହ୍ମ ପୁରାଣ ଭିତ୍ତିରେ ପ୍ରଣୀତ ଏହି ‘ବୌଦ୍ଧ ପୁରାଣ’ ବା ‘ଶ୍ରୀ ଜଗନ୍ନାଥ ପୁରାଣ’ ଏକ ମହାନ୍‌ କୃତି । ଜଗନ୍ନାଥଙ୍କୁ ନେଇ ଏପରି ଏକ ବିରାଟ ପୁରାଣ ସମଗ୍ର ଓଡ଼ିଆ–ସାହିତ୍ୟ ଏପରି କି ଭାରତୀୟ ସାହିତ୍ୟରେ ବିରଳ । ଏହାର ଦୃଷ୍ଟିରୁ ଏହାକୁ ପୁରାଣ ନ କହି ଏକ ମହାପୁରାଣ କହିବା ହୁଏତ ଯଥାର୍ଥ ହେବ । ଜଗନ୍ନାଥ ସଂସ୍କୃତିକୁ ଉପଜୀବ୍ୟ କରି ବହୁ ପୁରାଣର ନିର୍ମନ୍ଥନ ସହ କବି ନକୁଳାନନ୍ଦ ନାୟକ ଲେଖିଛନ୍ତି ଏହି ମହପୁରାଣ । ବର୍ତ୍ତମାନ ଯୁଗରେ ଜଗନ୍ନାଥ ତତ୍ତ୍ୱକୁ ନେଇ ତିନି ସହସ୍ରାଧିକ ପୃଷ୍ଠାର ଏହି ମହାପୁରାଣ କେବଳ ଲୋକମାନସରେ ଯୁଗପତ୍‌ ହର୍ଷ ଓ ବିସ୍ମୟର ସଞ୍ଚାର କରିଥାଏ ।

 

ଡକ୍ଟର ମାୟାଧର ମାନସିଂହ ତାଙ୍କର ‘‘History of Oriya literature" ରେ କହନ୍ତି–"The symbol of this purely indigenous Indian cultural synthesis is the shrine of Jagannatha. Originally a god of the tribal Savaras and adopted later successively by the Aryan faith of Jainism, Buddhism, Tantricism and Vaishnavism, Jagannatha bears the indelible impress of each of these cults even today."

 

ଜଗନ୍ନାଥ ଭାବନା ପୃଥିବୀର ମାନବ ଜାତି ପକ୍ଷରେ ଏକ ଅତ୍ୟୁଚ୍ଚ ଓ ପବିତ୍ରତମ ଭାବନା-। ବହୁ ଧର୍ମ, ବହୁ ମର୍ମ, ବହୁ ତତ୍ତ୍ୱ, ନାନା ସଂସ୍କୃତି, ନାନା ବିଚାର, ନାହା ଆଚାର ଓ ପନ୍ଥାସ୍ଥ କରି ଏହି ଭାବନା ଓ ଚେତନା ମଣିଷକୁ ତା’ର ବିରାଟ ଅକ୍ଷୟ ବଟର ଏକ ନିଶ୍ଚିତ ବିଶ୍ୱାସର ଛାଇ ତଳେ ଆଶ୍ରୟ ଦେଇ ଆସିଛି । ମଣିଷର ଜୀବନ ଯାତ୍ରା, ଯୁଗୀୟ ପରିବର୍ତ୍ତନ, ସାଂପ୍ରଦାୟିକ ଧକ୍‌କା, ବିଭିନ୍ନ ଧର୍ମ ଓ ଜାତିର ଅଣଞ୍ଚାଶ ପବନ ଏଇ ବିଶାଳ ବଟଦ୍ରୁମକୁ ଉତ୍ପାଟନ କରିବାରେ ସମର୍ଥ କରିବାରେ ସମର୍ଥ ହୋଇ ନାଇଁ । ଆଜିର ଏଇ ଅବକ୍ଷୟୀ ଯୁଗରେ, ଅପ୍ରତ୍ୟୟର ଧସି ଧସି ଯାଉଥିବା ମୁହାଣରେ ପାଦ ରଖି ଆମେ କେବଳ କହିବାକୁ ବାଧ୍ୟ ହେଉଛୁ–‘‘ଜଗନ୍ନାଥ ଭରସା’’ । ମାତୃସ୍ତନର କ୍ଷୀର ପରି ଏହି ଚେତନା ଆମର, ଆମ ସାହିତ୍ୟର, ଆମ ସଂସ୍କୃତିର ପ୍ରତିଟି କୋଷରେ ପ୍ରଭାବ ବିସ୍ତାର କରିଚାଲିଛି । ଏହି ଚେତନାହିଁ ଆମକୁ ଦେଇଛି ଏକ ଉଦାର ଦୃଷ୍ଟିକୋଣ, ଏକ ବଳିଷ୍ଠ ପରମ୍ପରା, ଏକ ସ୍ୱକୀୟ ରୀତି ନୀତି, ଏକ ଭେଦାଭେଦହୀନ, ସାମ୍ୟ–ମୈତ୍ରୀ–କରୁଣୋର ସାର୍ବଜନୀନ ପୂତ–ରୁଚିର ତ୍ରିବେଣୀର ଜୀବନ–ଧାରା । ସୁତରାଂ ସେହି ଦାରୁବ୍ରହ୍ମ ପୁରୁଷୋତ୍ତମ ବୁଦ୍ଧ, ଜୀନ, ନୀଳଶୈଳର ପ୍ରବଳ ମତ୍ତବାରଣ ବ୍ରହ୍ମଦାରୁ ଜଗନ୍ନାଥଙ୍କ କରୁଣାର ଶରଧା ବାଲିରୁ ଚାଖଣ୍ତେ ମାତ୍ର ମିଳିବାର ଭରସା ରଖି ଶେଷରେ ମୁଁ କହୁଛି ‘ଜୟ ଜଗନ୍ନାଥ, ଜୟ ଜଗତ୍‌।’’ *

 

* ତା ୧୨ । ୫ ।୭୯ ରେ ବଲାଙ୍ଗୀରଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ କର୍ତ୍ତୃକ ଆୟୋଜିତ ସାହିତ୍ୟ ସଭାରେ ପଠିତ ।

 

ସହାୟକ ଗ୍ରନ୍ଥ–

୧.

ଓଡ଼ିଆ ସାହିତ୍ୟର କ୍ରମ–ପରିଣାମ

୨.

History of Oriya Literature.

୩.

ଭକ୍ତିମାଳା (ଉତ୍କଳ ସାହିତ୍ୟ ସମାଜ ସମ୍ପାଦିତ)

୪.

୧୯୭୮ ଜଲାଇ ସଂଖ । ‘‘ ଉତ୍କଳ–ପ୍ରସଙ୍ଗ’’

୫.

ଅଧ୍ୟାପକ ପ୍ରିୟଦର୍ଶୀ ସମ୍ପାଦିତ ‘‘ଉଷାଭିଳାଷ’’

୬.

କବିତା–ପ୍ରବେଶ (ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃକ ପ୍ରକାଶିତ)

୭.

ସ୍ନ ୧୯୭୪ ବିଷୁବ ସଂଖ୍ୟା ‘‘ଝଙ୍କାର’’

୮.

ପଣ୍ତିତ ଗଙ୍ଗାଧର ମିଶ୍ର ପ୍ରାଣୀତ–‘‘କୋଶଳାନନ୍ଦ କାବ୍ୟମ୍‌’’

 

***

 

ଆମ ସାହିତ୍ୟ

ଡକ୍ଟର ଶ୍ରୀଶ ପଟେଲ

 

ସାହିତ୍ୟର ଅର୍ଥ :

ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ । ଆନନ୍ଦ–ଦାନହିଁ ସାହିତ୍ୟର ମୂଳ ଉଦ୍ଦେଶ୍ୟ । ଉପନିଷଦ୍‌ର ବର୍ଣ୍ଣନାନୁସାରେ ପ୍ରତ୍ୟେକ ଜୀବାତ୍ମା ଅବା ମନୁଷ୍ୟ ପାଞ୍ଚୋଟି ଶରୀରରେ ରହି ସ୍ୱକାର୍ଯ୍ୟରେ ନିଯୁକ୍ତ ରହିଥାଆନ୍ତି । ସେଗୁଡ଼ିକ ହେଲେ ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ ଏବଂ ଆନନ୍ଦମୟ କୋଷ । ଆଧ୍ୟାତ୍ମିକ ଭାବଧାରାପୁଷ୍ଟ ସାହିତ୍ୟସ୍ରଷ୍ଟାର ଅଧିଷ୍ଠାନ ଏହି ଆନନ୍ଦମୟ କୋଷରେ । ଯେହେତୁ ସାହିତ୍ୟ–ସ୍ରଷ୍ଟା ଏଠାରେ ନିର୍ଲିପ୍ତ, ଆତ୍ମାରାମ । ଗୀତାରେ ଅଛି–‘‘ସର୍ବତ୍ରାବସ୍ଥିତୋ ଦେହେ ତଥାତ୍ମା ନୋପଲିପ୍ୟତେ ।’’ ଅଧିକନ୍ତୁ ସାହିତ୍ୟର ଗତିଧାରାକୁ ବିଶ୍ଳେଷଣ କଲେ ଦେଖାଯାଇଥାଏ ଯେ, ଏତାଦୃଶ ଲକ୍ଷଣ ତଥା ଉପାଦାନ ଯେଉଁ ସାହିତ୍ୟରେ ଯେତେ ଅଧିକ, ସେହି ସମୟରେ ସେ ଦେଶର ସଭ୍ୟତା ତଥା ସଂସ୍କୃତି ସେତିକି ଉନ୍ନତ । ସଂକୀର୍ଣ୍ଣତାକୁ ଦୂର କରି ଦୈନନ୍ଦିନ ଜୀବନର ସୁଖ ଦୁଃଖକୁ ଆଲୋଚ୍ୟ କରି ମଣିଷକୁ ଏ ସାହିତ୍ୟ ପ୍ରକୃତି ମାର୍ଗ ଦର୍ଶାଇଥାଏ । ଅପର ପକ୍ଷରେ ସାହିତ୍ୟହିଁ ଜୀବନରେ ପ୍ରେରଣା ଦିଏ, ଉଦ୍ଦୀପନା ସୃଷ୍ଟିକରେ ଏବଂ ତଥ୍ୟଭାରରେ ମଣିଷର ମନକୁ ଭାରାକ୍ରାନ୍ତ ମଧ୍ୟ କରିପାରେ ।

 

ପ୍ରତ୍ୟେକ ଘଟଣାରେ କାର୍ଯ୍ୟ କାରଣ ସମ୍ପର୍କ ଥିଲା ଭଳି, ସାହିତ୍ୟରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥିବାର କଥା ଭୌତିକବାଦୀଗଣ ବିଶ୍ୱାସ କରିଥାଆନ୍ତି । ମଣିଷ ଜୀବନର ନୀଚ ପ୍ରବୃତ୍ତି, ଈର୍ଷା, ଦ୍ୱେଷ, ଅସୂୟା, ଜୈବିକ କ୍ଷୁଧାଆଦି ଏମାନଙ୍କ ସାହିତ୍ୟର ମୁଳପିଣ୍ତରୂପେ ଆଧାରିତ ହୋଇଥାଏ । ସମାଜର ପରିବର୍ତ୍ତନ ସହିତ ଏ ସାହିତ୍ୟ ସମତାଳରେ ଗତି କରିଥାଏ । ବିଭିନ୍ନ ରାଜନୈତିକ ଚିନ୍ତାଧାରା ସମାଜକୁ ପରିଚାଳିତ କରିବା ସଙ୍ଗେ ସଙ୍ଗେ ସାହିତ୍ୟକୁ ମଧ୍ୟ ପରିଚାଳିତ କରିଥାଏ ।

 

ସାହିତ୍ୟର ପ୍ରାଚୀନତା :

ପ୍ରାଚୀନ ଓ ଆଧୁନିକ ଭାରତୀୟ ସାହିତ୍ୟକୁ ସାଧାରଣତଃ ତିନିଗୋଟି ପର୍ଯ୍ୟାୟଭୁକ୍ତ କରାଯାଇପାରେ । ଯଥା–ଖ୍ରୀଷ୍ଟପୂର୍ବ ୧୫୦୦–ଖ୍ରୀ: ପୂ: ୫୦୦ର ସାହିତ୍ୟ, ଖ୍ରୀ:ପୂ: ୫୦୦–୧୦୦୦ ଖ୍ରୀ:ର ସାହିତ୍ୟ ଏବଂ ଖ୍ରୀଷ୍ଟ୍ରୀୟ ୧୦୦୦–ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସାହିତ୍ୟ । ଖ୍ରୀ:ପୂ: ୫୦୦ ବେଳକୁ ପାଣିନୀଙ୍କଦ୍ୱାରା ସଂସ୍କୃତ ବ୍ୟାକରଣ–ବଦ୍ଧ ହେବାପରେ ଚଳନ୍ତି ଭାଷା ଭାବେ ନ ରହି କ୍ରମଶଃ ଶାସ୍ତ୍ରୀୟ ହୋଇଗଲା । ତତ୍ପରେ ଖ୍ରୀ:ପୂ: ୫୦୦–୧୦୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟରେ ‘‘ପ୍ରାକୃତ–ଯୁଗ’’ ବିସ୍ତାର ଲାଭ କରିଥିଲା । ପାଳି ଓ ପ୍ରାକୃତ ପ୍ରାୟ ସମସାମୟିକ । ‘ପାଳି’ ଶବ୍ଦର ଅର୍ଥ ‘ପାଳନ’, ‘ରକ୍ଷଣ’ ଅଥବା ସଂଗ୍ରହ ଅର୍ଥରେ ବୁଝାଯାଇଥାଏ । ଅପରପକ୍ଷେ ଯେଉଁ ସାହିତ୍ୟରେ ବୁଦ୍ଧ–ବଚନର ସୁରକ୍ଷା ହୋଇଛି ତାହାହିଁ ହେଉଛି ପାଳି ( ପା ରକ୍‌ଖତୀତି ବୁଦ୍ଧ ବଚନଂ ଇତି ପାଳି) । ତ୍ରିପିଟକ, ଧମ୍ମପଦ ଇତ୍ୟାଦି ଏହି ଭାଷାର ପ୍ରକୃଷ୍ଟ ସାହିତ୍ୟ-। ମଗଧର ମାଗଧୀ ପ୍ରାକୃତକୁ ‘ପାଳି’ ଭାଷାର ମୂଳ ବୋଲି କେତେକେ ମତବ୍ୟକ୍ତ କରିଥାଆନ୍ତି ।

 

ପ୍ରାକୃତ ଭାଷା ପାଞ୍ଚ ଭାଗରେ ବିଭକ୍ତ । ଯଥା:–ମହାରାଷ୍ଟ୍ରା, ଶୌରସେନୀ, ମାଗଧୀ, ଅର୍ଦ୍ଧ–ମାଗଧୀ ଏବଂ ପୈଶାଚୀ । ଏଥି ମଧ୍ୟରୁ ମହାରାଷ୍ଟ୍ରୀ ପ୍ରାକୃତକୁ ସବୁଠାରୁ ଉନ୍ନତ ପ୍ରାକୃତ ଭାବେ ଗ୍ରହଣ କରାଯାଇଥାଏ । ‘ରାବଣବହେ’ ଏହି ପ୍ରାକୃତର ପ୍ରଧାନ ସାହିତ୍ୟିକ ଗ୍ରନ୍ଥ । ପୈଶାଚୀ ପ୍ରାକୃତର ପ୍ରଧାନ ଗ୍ରନ୍ଥ ‘ବଡ଼୍‌କହା’ ସାଧାରଣତଃ କାଶ୍ମୀର, ଦରଦୀ, କାଫ୍‌ରୀ, ଚିତ୍ରାଳି ପ୍ରଭୃତି ଉପଭାଷା ଗୁଡ଼ିକର ମୂଳଗ୍ରନ୍ଥୀ, ମାଗଧୀ ପ୍ରାକୃତର ଉପଭେଦ ସାକରୀ, ଚାଣ୍ତାଳୀ, ତକ୍ଳୀ ଓ ଶାବରୀ ପ୍ରଭୃତି । ଶୌରସେନୀ ପ୍ରଭାବିତ ମାଗଧୀ ପ୍ରାକୃତର ନାମ ଅର୍ଦ୍ଧମାଗଧୀ । ଶୁଦ୍ଧ ଜୈନ ସାହିତ୍ୟରେ ଏହାର ପ୍ରଚଳନ ଅଧିକ । ଶୌରସେନୀ ପ୍ରାକୃତର ବିସ୍ତାର ଲାଭ ହୋଇଥିଲା ମଧ୍ୟପ୍ରଦେଶ ବା ମଥୁରାରେ । ଅଦ୍ୟାବଧି କେତେକ ସଂସ୍କୃତ ନାଟକ ଏବଂ ଜୈନ ଗ୍ରନ୍ଥରେ ଏହି ଭାଷାର ସାହିତ୍ୟ ଲକ୍ଷ୍ୟ କରାଯାଇଥାଏ ।

 

ଅପଭ୍ରଂଶ ପ୍ରାକୃତ ଭାଷାକୁ ଭରତ (ତୃତୀୟ ଶତାବ୍ଦୀ) ଶାବର ଓଆଭୀର୍‌ମାନଙ୍କ ଭାଷା ବୋଲି ଦର୍ଶାଇଥିବା ସ୍ଥଳେ ଦଣ୍ତୀ (ସପ୍ତମ ଶତାବ୍ଦୀ) ଏହାକୁ ‘ଆଭିରାଦି ଗିରଃ’ ଆଖ୍ୟା ଦେଇଛନ୍ତି । ଶ୍ରୀ ମାର୍କଣ୍ତେୟଙ୍କ ମତାନୁସାରେ ଅପଭ୍ରଂଶ ନାଗର, ଉପନାଗର ଓ ବାଚଡ଼ ଏହିପରି ତିନି ଭାଗରେ ବିଭକ୍ତ; ଅଥଚ କାଳକ୍ରମେ ‘ପ୍ରାକୃତ’ର ବିଭିନ୍ନ ବିକାଶିତ ଅଙ୍ଗକୁ ମଧ୍ୟ ଅପଭ୍ରଂଶ କୁହାଗଲା । ଯଥା:–ଶୌରସେନୀ, ମହାରାଷ୍ଟ୍ରୀ ଓ ମାଗଧୀ ଇତ୍ୟାଦି । ସୁତରାଂ କହିବାକୁ ଗଲେ ବିଭିନ୍ନ ଅପଭ୍ରଂଶରୁ ଆଧୁନିକ ଭାରତୀୟ ଭାଷାମାନଙ୍କର ଉତ୍ପତ୍ତି । ସୁତରାଂ କହିବାକୁ ଗଲେ ବିଭିନ୍ନ ଅପଭ୍ରଂଶରୁ, ଆଧୁନିକ ଭାରତୀୟ ଭାଷାମାନଙ୍କର ଉତ୍ପତ୍ତି । ଅର୍ଥାତ୍‌ ବ୍ରାଚଡ଼୍‌ରୁ ସିନ୍ଧୀ, ନାଗରରୁ ଗୁଜରାତୀ, ଶୌରସେନୀରୁ ପଶ୍ଚିମହିନ୍ଦୀ, ଅର୍ଦ୍ଧମାଗଧୀରୁ ପୂର୍ବୀୟ ହିନ୍ଦୀ, ମାଗଧୀ ଅପଭ୍ରଂଶରୁ ମୈଥିଳୀ, ବଙ୍ଗଳା ଓ ଓଡ଼ିଆ, କେକୟରୁ କାଶ୍ମୀରୀ ଏବଂ ପଞ୍ଜାବୀ ଭାଷାର ଉତ୍ପତ୍ତି ।

 

ଭାରତ ବର୍ଷରେ ଆର୍ଯ୍ୟ ଓ ଦ୍ରାବିଡ଼ ଉଭୟ ପରିବାରର ଭାଷା ଓ ସାହିତ୍ୟ ଦେଖାଯାଇଥାଏ । ସୁତରାଂ ଯଦି କର୍ଣ୍ଣାଟ ଓ ଦ୍ରାବିଡ଼ ଅପଭ୍ରଂଶରୁ ଦକ୍ଷିଣୀ ଭାଷା ସମୂହର ଉତ୍ପତ୍ତି ହୋଇଥିବାର ଧରାଯାଏ ତେବେ ଏତିକିହିଁ ଯଥେଷ୍ଟ ନୁହେଁ । କାରଣ ଦ୍ରାବିଡ଼ ପରିବାରର ତେଲୁଗୁ, ତାମିଲ୍‌, ମଲୟାଲାମ୍‌ ଓ କନ୍ନଡ଼ ମଧ୍ୟରୁ ତାମିଲ୍‌ ଭାଷାଟିହିଁ ସର୍ବ ପ୍ରାଚୀନ । ଯେହେତୁ ଏହା ତୃତୀୟ ଶତାବ୍ଦୀରୁ ବିକାଶ ଲାଭ କରିଥିବାର ବହୁ ପ୍ରମାଣ ରହିଛି । (ଥୋଲ୍‌କାପୀୟମ ନାମକ ବ୍ୟାକରଣ, ପଟ୍ଟିନାପଟ୍ଟୁ ଆଦି ସଙ୍କଳନ ଏବଂ ତିରୁଭଲଓ୍ୱରଙ୍କର ‘କୁରାଲ’ ଏହି ସମୟରେ ତାମିଲ୍‌ ରଚନା) ଅଥଚ ଅନ୍ୟାନ୍ୟ ଭାଷା ଓ ସାହିତ୍ୟ ପ୍ରାୟ ଅଷ୍ଟମ ନବମ କିମ୍ବା ତତ୍ପରେ ବିକାଶ ଲାଭ କରିପାରିଥିଲା । ପୁନଶ୍ଚ ତାମିଲ୍‌ ଭାଷା ବ୍ୟତିରେକ ଅନ୍ୟାନ୍ୟ ଭାରତୀୟ ଭାଷାମାନଙ୍କର ତିନୋଟି ଯୁଗ ସ୍ପଷ୍ଟ ହୋଇଥାଏ । ସେଗୁଡ଼ିକ ଆଦିକାଳ, ମଧ୍ୟକାଳ ଓ ଆଧୁନିକ କାଳ ଅବା ଯୁଗ ହିସାବରେ ଗ୍ରହଣ ଯୋଗ୍ୟ । ଏଗୁଡ଼ିକ ହେଲା, ଦଶମ ଶତାବ୍ଦୀଠାରୁ ଅଷ୍ଟାଦଶ ଶତାବ୍ଦୀ ପ୍ରାରମ୍ଭ ପର୍ଯ୍ୟନ୍ତ, ଚତୁର୍ଦ୍ଦଶ ଶତାବ୍ଦୀଠାରୁ ଅଷ୍ଟାଦଶ ଶତାବ୍ଦୀ ଏବଂ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ।

 

ସାହିତ୍ୟ ଓ ସାମାଜିକ ଜୀବନ :–

ସାହିତ୍ୟହିଁ ଜାତୀୟ ଜୀବନକୁ ପ୍ରଭାବିତ କରିଥାଏ, ଏଥିରେ ସନ୍ଦେହ ନାହିଁ । ଦେଖିବାକୁ ଗଲେ ସାରଳା, ବଳରାମଙ୍କ ମୁକ୍ତ ପଦଗୁଡ଼ିକୁ ଦାଇକା, ପ୍ରବଚନ ଆକାରରେ ଏ ଜାତି ଅଦ୍ୟାବଧି ସାଇତି ରଖିଛି । ଏବଂ ଦୀର୍ଘ ଶତାବ୍ଦୀ ଧରି ଜଗନ୍ନାଥ ଦାସ ଏ ଦେଶର ନୈତିକ ଓ ଆଧ୍ୟାତ୍ମିକ ଜୀବନକୁ ନିୟନ୍ତ୍ରିତ କରି ଆସୁଛି । କୌଣସି ଜାତିର ପ୍ରାଚୀନ ସଂସ୍କୃତିକୁ ଶ୍ରଦ୍ଧା ଓ ସମ୍ମାନ କରିବା ନିମିତ୍ତ ପାଶ୍ଚାତ୍ୟ ସଭ୍ୟତା କଦାପି ପ୍ରତିବନ୍ଧକ ସୃଷ୍ଟି କରିନି, ଅଥବା ଜାତୀୟ ସାହିତ୍ୟର ଐତିହ୍ୟକୁ ଉପଯୁକ୍ତ ମର୍ଯ୍ୟାଦା ଦେବାରେ କୁଶିକ୍ଷା ଦେଇନାହିଁ । ଜଡ଼ିବାଦୀ ବସ୍ତୁତାନ୍ତ୍ରିକ ସଭ୍ୟତା ସମ୍ମୁଖରେ ପ୍ରାଚୀନ ସାହିତ୍ୟ କୀର୍ତ୍ତି କଦାପି ଲୋପ ପାଇପାରିବ ନାହିଁ । ଭଗବଦ୍‌ବାଣୀ ବ୍ୟତିରେକ ମନୁଷ୍ୟର ଦୈନନ୍ଦିନ କର୍ମଜଞ୍ଜାଳ ଜୀବନକୁ ମଧ୍ୟ ପ୍ରାଚୀନ ସାହିତ୍ୟ ଉଦ୍‌ବୁଦ୍ଧ କରିପାରିଛି ।

 

ଯେଉଁ ସାହିତ୍ୟ ରସୋତ୍ତୀର୍ଣ୍ଣ ଓ କାଳଜୟୀ, ତାହା ସମସ୍ତ ପ୍ରକାର ବାଧାବନ୍ଧନ ମଧ୍ୟରେହିଁ ସୃଷ୍ଟି ହୋଇପାରିବ ଏବଂ ଜନଚିତ୍ତକୁ ପ୍ରଭାବିତ କରିପାରିବ । ଯେହେତୁ, ଉଦାହରଣ ସ୍ୱରୂପ, ଜୀବନର ଜଟିଳ ତତ୍ତ୍ୱଗୁଡ଼ିକୁ ଜଗନ୍ନାଥ ଦାସ ଅତି ସ୍ୱଚ୍ଛନ୍ଦ ଭାବେ ବିବିଧ ଆଖ୍ୟାୟିକା ସାହାଯ୍ୟରେ ଜନ–ଗଣ ସମ୍ମୁଖରେ ଉପସ୍ଥାପନଳା କରିପାରିଛନ୍ତି । ଅତି ସରଳ ନ ହେଲେ ହେଁ ଉପେନ୍ଦ୍ର ଭଞ୍ଜ ଭାବୋପଯୋଗୀ ଛନ୍ଦ ଓ ସାଙ୍ଗୀତିକତା ବଳରେ ପାଠକର କର୍ଣ୍ଣମନ–ସୁଖଦାୟୀ ହୋଇ ପାରିଛନ୍ତି ।

 

ପ୍ରାଚୀନ କାଳରେ ସମାଜ ଥିଲା କ୍ଷୁଦ୍ର, ଖଣ୍ତିତ ଏବଂ ସୀମାବଦ୍ଧ । ଜୀବନଯାପନ ପଦ୍ଧତି ସରଳ ଓ ସ୍ୱଚ୍ଛନ୍ଦ ଥିବାରୁ ମଣିଷର ଚିନ୍ତାଧାରା ଓ ମାନସ ରାଜ୍ୟରେ ଦ୍ୱନ୍ଦ୍ୱ ଓ ଜଟିଳତା ପ୍ରକାଶ ପାଇ ନଥିଲା । ଧର୍ମହିଁ ଥିଲା ଜାତୀୟ ଜୀବନର ନିୟାମକ । ସୁତରାଂ ଜନତାର ସରଳ ନିଷ୍କପଟ ହୃଦୟେ ଧର୍ମ–ପ୍ରାଣୋଦିତ ସାହିତ୍ୟ ସହଜରେ ପ୍ରଭାବ ବିସ୍ତାର କରିପାରୁଥିଲା । ଅଥଚ ଆଜିର ସାମାଜିକ ଜୀବନ କ୍ଷୁଦ୍ର ନୁହେଁ କିମ୍ବା ନିଜ ଭିତରେ ସୀମାବଦ୍ଧ ନୁହେଁ । ପୁନଶ୍ଚ ସମାଜର ଚିନ୍ତାଧାରା ସହିତ ବିଶ୍ୱ–ଚିନ୍ତାର ଆଦାନ–ପ୍ରଦାନ ଚାଲିଛି । ଜୀବନ–ଯାପନ ପ୍ରଣାଳୀ ଜଟିଳ ଓ ସଂଘର୍ଷମୟ ହୋଇ ଉଠୁଛି । ଚତୁର୍ଦ୍ଦିଗରେ କେବଳ ଅସ୍ଥିରତା ଓ ଅନିର୍ଦ୍ଦିଷ୍ଟତା । ଜାତୀୟ ଜୀବନ ଉପରୁ ଧର୍ମର ପ୍ରଭାବ ଲାଘବ ହେବା ସଙ୍ଗେ ସଙ୍ଗେ ବିଜ୍ଞାନ ଓ ରାଜନୀତିର ପ୍ରଭାବ ଅତି ସୁସ୍ପଷ୍ଟ । ଏହି ସବୁ କାରଣରୁ ସମକାଳୀନ ସାହିତ୍ୟ ହୋଇଛି ବହୁମୁଖୀ ।

 

ମନେ ରଖିବା ଉଚିତ ଯେ, ସମାଜ ବିଶେଷର ଗତିବିଧି, ରୂପରେଖ ପ୍ରଭୃତି ବିବର୍ତ୍ତନ ଉପରେ ଧର୍ମମତର ପ୍ରଭାବ ଯଥେଷ୍ଟ ରହିଛି ଏବଂ ପ୍ରତ୍ୟେକ ଧର୍ମମତ ଓ ତଜ୍ଜନିତ କର୍ମସମ୍ପାଦନ ପ୍ରକ୍ରିୟା କୌଣସି ଏକ ଦାର୍ଶନିକ ମତବାଦ ଉପରେ ନିର୍ଭର କରିଥାଏ । କାରଣ ପ୍ରଥମେ ଆର୍ଯ୍ୟଧର୍ମ ଅଥବା ବ୍ରାହ୍ମଣ୍ୟ ଧର୍ମ ଓଡ଼ିଆ ସମାଜର ଥିଲା ମୂଳପିଣ୍ତ । ଅଥଚ ଆର୍ଯ୍ୟମାନେ ଉତ୍କଳରେ ବାସ କରିବା ପୂର୍ବରୁ ଉତ୍କଳର ଆଦିମ ଅଧିବାସୀମାନେ ଅନାର୍ଯ୍ୟମାନଙ୍କ ସଂଘର୍ଷରେ ଆସି ଅନାର୍ଯ୍ୟମାନଙ୍କ ବିଧିବିଧାନମାନଙ୍କରେ ପ୍ରଭାବିତ ହୋଇ ଏକ ମିଶ୍ରିତ ସମାଜରେ ପରିଣତ ହୋଇଗଲେ । କିନ୍ତୁ ପରେ ପରେ ଅନ୍ୟାନ୍ୟ ଆର୍ଯ୍ୟମାନେ ବହୁ ସଂଖ୍ୟାରେ ଉତ୍କଳରେ ପ୍ରବେଶ କରି ସେମାନଙ୍କର ସମାଜଗତ ବ୍ରାହ୍ମଣ୍ୟ ବା ବୈଦିକ ଧର୍ମ ଓ ତାହା ମୂଳରେ ନିହିତ ଦାର୍ଶନିକ ମତବାଦକୁ ପ୍ରତିଷ୍ଠା କରି ବସିଲେ । ଫଳରେ ମିଶ୍ର ଶ୍ରେଣୀୟ ଓଡ଼ିଆମାନେ ନିମ୍ନସ୍ତରକୁ ଚାଲିଗଲେ ଏବଂ ଏହି ଆର୍ଯ୍ୟ ଦାର୍ଶନ ଓ ତଜ୍ଜନିତ ଆର୍ଯ୍ୟ ଧର୍ମାଚରଣର ଏକ ସମାଜ ପ୍ରତିଷ୍ଠିତ ହେବାକୁ ଲାଗିଲା ।

 

ସୁତରାଂ ବିଭିନ୍ନ ଦାର୍ଶନିକ ଚିନ୍ତାଧାରା ଯେ ସମାଜ ଓ ଜାତିର ବିକାଶ ଦିଗରେ କାର୍ଯ୍ୟ କରିଆସିଛି, ତାହା ସ୍ୱୀକାର୍ଯ୍ୟ । ଯେହେତୁ ସେଗୁଡ଼ିକର ସମ୍ୟକ୍‌ ସୂଚନା ମିଳି ପାରିଥାଏ ସମକାଳୀନ ସୃଷ୍ଟି ସାହିତ୍ୟରୁ ।

 

ଆଦିବାସୀ ସାହିତ୍ୟ :–

ଆର୍ଯ୍ୟମାନଙ୍କ ଆଗମନ ପୂର୍ବରୁ ଭାରତବର୍ଷରେ ଅଷ୍ଟ୍ରିକ୍‌ ବା କୋହ୍ଲ ଏବଂ ଦ୍ରାବିଡ଼ବଂଶୀୟ ଅଧିବାସୀମାନେ ବିସ୍ତାର ଲାଭ କରିଥିଲେ । ଆର୍ଯ୍ୟମାନଙ୍କ ସହିତ ଏମାନଙ୍କର ସଂଘର୍ଷ ଘଟିଥିବାର କେତେକ ପ୍ରମାଣ ଋଗ୍‌ବେଦର ସୂକ୍ତମାନଙ୍କରେ ବର୍ଣ୍ଣିତ ହୋଇଛି । ଆର୍ଯ୍ୟ ସଂସ୍କୃତି ଉପରେ ଅନାର୍ଯ୍ୟ ବା ଦ୍ରାବିଡ଼ ସଂସ୍କୃତିର ମଧ୍ୟ ବହୁ ପ୍ରଭାବ ପଡ଼ିଛି । ମନ୍ଦିର ସ୍ଥାପନ ତଥା ଦେବତାମାନଙ୍କ ପୂଜା ବିଧାନ ଆଦି ଦ୍ରାବିଡ଼ମାନଙ୍କ ମଧ୍ୟରେ ପ୍ରଚଳିତ ଥିବା ସ୍ଥଳେ ଆର୍ଯ୍ୟମାନଙ୍କ ମଧ୍ୟରେ ପ୍ରାକୃତିକ ଶକ୍ତି ସମୂହର ସ୍ତୁତି ଏବଂ ସେମାନଙ୍କ ସନ୍ତୋଷ ବିଧାନ ନିମନ୍ତେ ହୋମ, ଯଜ୍ଞାଦି କରିବାର ବିଧି ପ୍ରଚଳିତ ଥିଲା ।

 

‘ସପ୍ତସିନ୍ଧିବା’ ଏବଂ ‘ପଞ୍ଚକନ୍ୟା’ ପରକଳ୍ପନାଦି, ସାମାଜିକ ତଥା ସାଂସ୍କୃତିକ କ୍ଷେତ୍ରରେ ସାଂହତି ସ୍ଥାପନ ଉଦ୍ୟମର ଜ୍ୱଳନ୍ତ ନିଦର୍ଶନ । ସୁତରାଂ ପଞ୍ଚନଦୀର ଦ୍ରୌପଦୀ, ଗାଙ୍ଗେୟ ଉପତ୍ୟକାର ସୀତା, ମଧ୍ୟପ୍ରଦେଶର ଅହଲ୍ୟାଙ୍କ ସହିତ ଦାକ୍ଷିଣାତ୍ୟର ମନ୍ଦୋଦରୀ ଏବଂ ତାରା, ମଧ୍ୟ ଆମର ପ୍ରାତଃ ସ୍ମରଣୀୟା । ସେହିପରି ଉତ୍କଳରେ ଅନାର୍ଯ୍ୟମାନଙ୍କ ଦେବତା ‘ଜଗନ୍ନା୍‌ଥ’, ଆର୍ଯ୍ୟମାନଙ୍କ ଦେବତା ‘ବିଷ୍ଣୁ’ଙ୍କ ପ୍ରତିରୂପ ଭାବେ ଯେପରି ଗୃହୀତ, ସେହିଭଳି ଅନାର୍ଯ୍ୟମାନେ ମଧ୍ୟ ଆର୍ଯ୍ୟମାନଙ୍କର ବେଦ, ଉପନିଷଦ ଆଦିକୁ ଗ୍ରହଣ କରିନେଇଥିଲେ ।

 

କୁହାଯାଇଅଛି ଯେ, ଭାରତରେ ସର୍ବ ପ୍ରଥମ ହେଲା ମୁଣ୍ତା ବା ମୁଣ୍ତାରୀ ଜାତି । କୋଚିନ–ଚାୟୋନା, ମାଳୟ, ନିକୋବର ଦ୍ୱୀପପୁଞ୍ଜ, ଫିଲିପାଇନ୍‌ ଦ୍ୱୀପପୁଞ୍ଜ, ମାଲାବା ଏବଂ ଅଷ୍ଟ୍ରେଲିଆର କଥିତ ଭାଷା ସହିତ ଅନେକ ସାମଜ୍ଞସ୍ୟ ରହିଛି ବୋଲି ଧ୍ୱନିତତ୍ତ୍ୱବିଦ୍‌ମାନେ ମତ ପ୍ରକାଶ କରିଥାଆନ୍ତି ।

 

ମୁଣ୍ତାରୀ, ସାନ୍ତାଳି, ଭୁମିଜ, ହୋ, ବୀରହୋର, କୋଡ଼ା, ତୋଡ଼ି, ଅସୁରୀ, କୁଳୁ, ଖଡ଼ିଆ, ଜୁଆଙ୍ଗ, ଶବର, ଗଦବା, ପରଜାମାନଙ୍କର କଥିତ ଭାଷାରେ ମଧ୍ୟ ସାମଞ୍ଜସ୍ୟ ରହିଛି । ଏହା କିନ୍ତୁ ନିର୍ବିବାଦରେ ସ୍ୱୀକାର କରିବାକୁ ପଡ଼ିବ ଯେ ସାନ୍ତାଳ, କୋହ୍ଲ ପ୍ରଭୃତି ଆଦିବାସୀଙ୍କର ଭାଷାର ମୂଳପିଣ୍ତ ହେଲା ମୁଣ୍ତାରୀ ଭାଷା ।

 

ଆଦିବାସୀମାନଙ୍କର ଜୀବନର ଆଭିମୁଖ୍ୟ, ଦର୍ଶନ ସେମାନଙ୍କ କବିତାରୁ ସ୍ପଷ୍ଟ ହୋଇଥାଏ । ପ୍ରତ୍ୟେକ ପର୍ବରେ ନୃତ୍ୟ–ଗୀତ ମଧ୍ୟ ଜଡ଼ିତ । ସାନ୍ତାଳମାନଙ୍କର ଦୁଇଟି ସଙ୍ଗୀତରୁ ସେମାନଙ୍କର ସାହିତ୍ୟ, ଦର୍ଶନ ଇତ୍ୟାଦି ସମ୍ପର୍କରେ ଯଥେଷ୍ଟ ପ୍ରମାଣ ମିଳିପାରିବ ।

 

ସାନ୍ତାଳମାନଙ୍କର ‘ନାଗ୍‌ମେ ନାଟ’ର ସଙ୍ଗୀତ–

 

ତୁଳା ଟାମାକା ନେଲତେ ଗୁରୁହ,

ସ୍ୟାନାମ୍‌ ଦୋଳେତେନ୍‌ ତାହେଁୟନା ଗାତିୟା ତି’ରେ,

ବୀର ବୁରୁ ଦାଳାନ୍‌ ଗୋସାୟାଁ ଆତୁ ଦିଶମ୍‌ପାନ୍ତେ ଗୋସାନାୟଁ,

ଦାଳେ ତିନ୍‌ ତାହେଁଏନା ଗାତିୟା ତୀରେ ।

 

ଅର୍ଥାତ୍‌ ବିବାହିତ ଯୁବତୀଟି କହୁଛି–ମାଦଳ ଧୁମ୍‌ସା ସ୍ୱରରେ ମନଟା ନାଚିବାକୁ, ଗାଇବାକୁ ବ୍ୟାକୁଳ ହେଉଛି, କିନ୍ତୁ ସବୁ ଶକ୍ତି ତ ମୋର ସେଇ ସ୍ୱୀମୀ ପାଖରେ ।

 

ସେମାନଙ୍କର ବିବାହ ସମୟର ଗୀତ–

ଦଙ୍ଗ–ଚାନ୍ଦ ଦାୟାଢ଼େ ଚାନ୍ଦ ମାୟଢ଼େ

ଜିଓ୍ୱରେ ଜିଓ୍ୱଦରେ ଜାପାମାକେନ–

ମିନଟାଂ ଡାରରେ ଜଲାମାଲି ବାହା ଲେକା

ହଳମ୍‌ କେସେ ଗବନ୍‌ ଆପନା କାନ

 

–ଭଗବାନଙ୍କ ଦୟାରୁ ଏମାନଙ୍କର ବିବାହ ହୋଇଗଲା । ଆତ୍ମାର ମିଳନ ହେଲା । ଗୋଟିଏ ଡାଳରେ ଦୁଇଟି ମଲ୍ଲୀ ଫୁଲ । ଦେହ ସିନା ଫରକ୍‌, ହେଲେ ଗୋଟିଏ ବୃନ୍ତରେ ଦୁଇଟି ଫୁଲ ।

 

ଆଦିବାସୀ ଗଳ୍ପ ଓ ସଙ୍ଗୀତରେ ସେମାନଙ୍କର କର୍ମପଟୁତା, ବିଶ୍ୱସ୍ତତା, ସଚ୍ଚୋଟ ପଣିଆ ଏବଂ ଜୀବନପ୍ରତି ଆଭିମୂଖ୍ୟର ପ୍ରମାଣ ମିଳିଥାଏ ।

 

ସାଧାରଣ ଜୀବନ–କାର୍ଯ୍ୟ, ସଙ୍ଗୀତ ଓ ନୃତ୍ୟରେ ଭରପୂର । ପରିବେଶରେ ଏବଂ ଅତ୍ୟାଚାରରେ ସେମାନେ ଭୀରୁଭାବ ଦର୍ଶାଇଥାନ୍ତି ।

 

ଉପସଂହାର

କଥାରେ ଅଛି ‘ପାଠ ପଢ଼ିଥିଲେ ଗୀତ ଗାଉଥାଏ, ଶଅର ବାଉରୀ ପୁଅ; ଅଥଚ କ୍ରମଶଃ ଲୋକ–ସାହିତ୍ୟର ମର୍ଯ୍ୟାଦା ଲୋପ ପାଇବାକୁ ବସିଲାଣି । କାରଣ ଦେଖାଯାଉଛି, ସଲ୍ଲଜ୍ଜ ଗାଏ, ନିର୍ଲଜ୍ଜ ବାଏ, ଅତି ଅଲାଜୁକ ନାଚି ନାଚି ଯାଏ । ଆଜିର ଯୁଗରେ ସଭ୍ୟତା–ସଚେତନ ନାମରେ ଲୋକେ ନିଜର ସଂସ୍କୃତି ଭୁଲିଯିବାକୁ ବସିଲେଣି । ଅନେକ କୁସଂସ୍କାର ସହିତ ସୁନ୍ଦର, ସରସ ପଦାବଳୀ, ରୋମାଞ୍ଚକର ନୃତ୍ୟ, ଚମତ୍କାର କିମ୍ବଦନ୍ତୀ ଇତ୍ୟାଦି ଲୋପ ପାଇବାକୁ ବସିଲାଣି । ଅଥଚ ସେହି ମୌଖିକ–ସାହିତ୍ୟ ଯୁଗ ଯୁଗ ଧରି ଜନମାନସକୁ ମନ୍ତ୍ରମୁଗ୍‌ଧ କରି ରଖିଥିଲା । ନାଥ ଯୋଗୀମାନେ ଓଡ଼ିଶାର ଚାରଣ । ସେମାନଙ୍କର ଗୀତ ଥିଲା ଧର୍ମାତ୍ମକ ଓ ନୀତିଶିକ୍ଷାମୂଳକ । କୁଳାଙ୍ଗନାମାନଙ୍କ ହୃଦୟ ଶୁଦ୍ଧ କରିବା, ତ୍ୟାଗ ଓ ସଂଯମ ଶିକ୍ଷାଦେବା ଯୋଗୀ ଗୀତର ଉଦ୍ଦେଶ୍ୟ । ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ ପ୍ରଭୃତି ଗଣକବି ଲୋକ–ଶିକ୍ଷକ ।

 

କିନ୍ତୁ ସମକାଳୀନ ସାହିତ୍ୟ ପୂର୍ବଭଳି ଜାତୀୟ ଜୀବନ ଉପରେ ପ୍ରଭାବ ପକାଇ ପାରୁନାହିଁ-। କାରଣ ସାହିତ୍ୟର ପ୍ରଭାବ ଓ ଚିରନ୍ତନତାର ଏକ ପରୀକ୍ଷକ ହେଉଛି କାଳ । ବସ୍ତୁତାନ୍ତ୍ରିକ ସଭ୍ୟତା କବଳରେ ମଣିଷ ଅନ୍ତରର ସୂକ୍ଷ୍ମ ଓ ମହନୀୟ ଭାବ ସମୂହ ହ୍ରାସ ପାଉଛି । ସୁତରାଂ ଜୀବନ ନିକଟରେ ସାହିତ୍ୟର ଆବେଦନ ସମ୍ପ୍ରତି କ୍ଷୀଣ ଓ ଦୁର୍ବଳ ହୋଇପଡ଼ିଛି । ସୁତରାଂ ଜୀବନ ନିକଟରେ ସାହିତ୍ୟର ଆବେଦନ ସମ୍ପ୍ରତି କ୍ଷୀଣ ଓ ଦୁର୍ବଳ ହୋଇପଡ଼ିଛି । ବାହ୍ୟ ଆଡ଼ମ୍ବର, ଚିତ୍ତ ଉତ୍ତେଜନା, କାମ ଉଦ୍ଦୀପନା ଇତ୍ୟାଦି ଅତି ସହଜରେ ଆଜି ମଣିଷକୁ କବଳିତ କରି ପାରୁଛି । ପୁନଶ୍ଚ ଏ ଦେଶର ଶକ୍ଷିତ ପାଠକ–ଗୋଷ୍ଠୀ ବିଦେଶୀ ବା ପଡ଼ୋଶୀ ସାହିତ୍ୟ ଯେତେ ଅଧ୍ୟୟନ କରୁଛନ୍ତି ଏବଂ ସେହି ସବୁ ସାହିତ୍ୟଦ୍ୱାରା ଯେତେ ପ୍ରଭାବିତ ହେଉଛନ୍ତି, ଜାତୀୟ ସାହିତ୍ୟ ସେତେ ଅଧ୍ୟୟନ କରୁ ନାହାନ୍ତି କିମ୍ବା ଏହାଦ୍ୱାରା ସେତେ ପ୍ରଭାବିତ ହୋଇପାରୁ ନାହାନ୍ତି । ଗଣ ବିଷୟରେ ସାହିତ୍ୟ ସୃଷ୍ଟି ହେଉଛି ସତ୍ୟ ଅଥଚ ତାହା ଗଣ–ଗ୍ରହଣଯୋଗ୍ୟ ନୁହେଁ । ପରନ୍ତୁ ଜଣ ନିକଟରେ ତାହା ସୀମାବନ୍ଧ ହୋଇ ରହି ଯାଉଛି ମାତ୍ର ।

 

ଏଠାରେ ଏତିକି କହିଲେ ସ୍ପଷ୍ଟ ହେବ ଯେ, ସାହିତ୍ୟ ଅଧ୍ୟୟନ କରିବା, ଅନୁଶୀଳନ କରିବା କିମ୍ବା ତାହାର ଇତିହାସ ବିଚାର କରିବା ଗୋଟିଏ କଥା, ଏବଂ ସାହିତ୍ୟିକ ରସ୍ୱା ସାଦନ କରିବା ଅନ୍ୟ ଏକ କଥା । ସେଥିପାଇଁ ପାଠକର ମାନସିକ ପ୍ରସ୍ତୁତି ଅପରିହାର୍ଯ୍ୟ । ସେଥିରେ ଯୁକ୍ତିର ସ୍ଥାନ ନାହିଁ, ରହିଛି କେବଳ ଗ୍ରାହିକା ଶକ୍ତିର ଆଭିମୁଖ୍ୟ ମାତ୍ର ।

 

ସହାୟକ ଗ୍ରନ୍ଥମାଳା–

(୧)

Literatures in Modern Indian Language.

(୨)

Contemporary Indian Literature.

(୩)

Annual Report 1961, Sahitya Academy.

 

 

ଅଧ୍ୟାପକ–ବି. ଜେ. ବି ମହାବିଦ୍ୟାଳୟ

ଭୁବନେଶ୍ୱର

 

***

 

Unknown

ଶ୍ରୀ ଜଗନ୍ନାଥଙ୍କ ଦୋଳତ୍ସବ

ଶ୍ରୀମତୀ ମମତା ମିଶ୍ର

 

ଶ୍ରୀ ଜଗନ୍ନାଥଙ୍କ ଦାରୁବିଗ୍ରହ ଯେପରି ରହସ୍ୟମୟ, ତାଙ୍କ ମନ୍ଦିରରେ ପାଳିତ ହେଉଥିବା ଯାତ୍ରାଗୁଡ଼ିକର ବିଧି ମଧ୍ୟ ସେହିପରି ଉତ୍ସାହପ୍ରଦ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ବିଭିନ୍ନ ଯାତ୍ରା ମଧ୍ୟରୁ ଦ୍ୱାଦଶ ଯାତ୍ରା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ଧର୍ମଶାସ୍ତ୍ର ଗ୍ରନ୍ଥ ‘ଯାତ୍ରା–ଭାଗବତରେ’ ବାଲୁଙ୍କି ପାଠି ଦୋଳଯାତ୍ରାକୁ ଦ୍ୱାଦଶ ଯାତ୍ରାର ଗଣନା ମଧ୍ୟରେ ପ୍ରଥମେ ଗ୍ରହଣ କରିଛନ୍ତି–

 

‘‘ଦୋଳଯାତ୍ରା ଦମନକ ମହୋଽକ୍ଷୟ ପୁଣ୍ୟ ତୃତୀୟା,

ମଞ୍ଚସ୍ଥାନଂ ରଥବରପତିଃ ଶାୟନଂ ଚାୟନେଦ୍ୱେ,

ପାର୍ଶ୍ୱାବୃତ୍ତି ଶୟପରିହୃତିଃ ପ୍ରାବୃତିଃ ପୁଷ୍ୟପୂଜା,

ଚୈବ ଯାତ୍ରାବିଧି ନିଦିତା ଦ୍ୱାଦଶୈତା ନରେନ୍ଦ୍ର ।।’’

 

ବସନ୍ତ ୠତୁରେ ଦୋଳଯାତ୍ରା ପାଳନ ପଛରେ ଧାର୍ମିକ ମତବାଦ ଅପେକ୍ଷା ସ୍ୱାସ୍ଥ୍ୟ ପ୍ରତି ତୀକ୍ଷ୍‍ଣ ଦୃଷ୍ଟିର ପ୍ରାଧାନ୍ୟ ଯଦିଓ ବେଶି ପରିଲକ୍ଷିତ ହୁଏ, ତଥାପି ଶ୍ରୀମନ୍ଦିରରେ ପାଳିତ ହେଉଥିବା ଏହି ଯାତ୍ରାର ବିଧିକୁ ଲକ୍ଷ୍ୟ କଲେ ଜଣାଯାଏ–ଏଥିରେ ସାଧାରଣ ଭାବେ ଶ୍ରୀଜଗନ୍ନାଥଙ୍କ ଆଡ଼ମ୍ୱର ଅଧିକ ପରିସ୍ଫୁଟ ।

 

ଫାଲ୍‌ଗୁନ ମାସ ‘ଦୋଳପୂର୍ଣ୍ଣମୀ’ ନାମରେ ସର୍ବ ଭାରତୀୟ ସ୍ତରରେ ଖ୍ୟାତି କିନ୍ତୁ ଶ୍ରୀମନ୍ଦିରରେ ଉକ୍ତ ପର୍ବ ମାଘମାସର ବସନ୍ତ ପଞ୍ଚମୀଠାରୁ ପାଳିତ ହୁଏ ଏବଂ ଚୈତ୍ରାସ କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଏହି ଯାତ୍ରା ଲାଗି ରହେ । ସାଧାରଣ ଭାବେ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟତ୍ର ପ୍ରତ୍ୟେକ ସ୍ଥାନରେ ଶୁକ୍ଳପକ୍ଷ ଦଶମୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଛ’ଦିନ ଧରି ଦୋଳଯାତ୍ରା ପାଳିତ ହୁଏ । ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବିଗ୍ରହରେ ବସନ୍ତ ପଞ୍ଚମୀଠାରୁ ଅବିର ଲାଗି କରାଯାଏ । କିନ୍ତୁ ଫାଲ୍‌ଗୁନ୍‌ ଶୁକ୍ଳପକ୍ଷ ଦଶମୀଠାରୁ ବିଧିବଦ୍ଧ ଭାବରେ ଫଲ୍‌ଗୂତ୍ସବ ବିଧି ପାଳିତ ହୁଏ । ପ୍ରତ୍ୟହ ଦ୍ୱିପ୍ରହର ଭୋଗ ପରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଖଇ, କୋରା, ଚଣା, ଶାକର ଆଦି ଭୋଗ ସର୍ମପଣ କରାଯାଏ । ଭୋଗ ପରେ ଶ୍ରୀଜଗାନ୍ନଥଙ୍କ ନିକଟରୁ ଆଜ୍ଞାମାଳ ଅଣାଇ ଶ୍ରୀ ଦୋଳଗୋବିନ୍ଦ ବିଗ୍ରହଙ୍କୁ ବିଭିନ୍ନ ପୁଷ୍ପ ଚନ୍ଦନାଦିଦ୍ୱାରା ବିମଣ୍ଡିତ କରାଯାଇ ମଣିବିମାନରେ ବିଜେ କରାହୋଇ ଶ୍ରୀମନ୍ଦିରର ଅନତିଦୂରରେ ଅବସ୍ଥିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ନିଆଯାଏ । ସାଧାରଣତଃ ରଥଯାତ୍ର ବ୍ୟତୀତ ଅନ୍ୟ ଯାତ୍ରଗୁଡ଼ିକରେ ଶ୍ରୀଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଶ୍ରୀ ମଦନମୋହନଙ୍କୁ ତାଙ୍କର ପ୍ରତିନିଧି ସ୍ୱରୂପ ବାହାରକୁ ନିଆଯାଏ କିନ୍ତୁ ଦୋଳଯାତ୍ରରେ ମଦନମୋହନଙ୍କ ପରିବର୍ତ୍ତେ ଦୋଳଗୋବିନ୍ଦ ବିଗ୍ରହଙ୍କୁ ନିଆଯାଇଥାଏ । ଦୋଳଗୋବିନ୍ଦଙ୍କ ଦୁଇପାର୍ଶ୍ୱରେ ଲକ୍ଷ୍ମୀ ସରସ୍ୱତୀଙ୍କୁ ବସାଇ ଦିଆଯାଇଥାଏ । ଆଗରେ ଅନ୍ୟ ଏକ ପାଲିଙ୍କିରେ ଶ୍ରୀରାମ, ବଳରାମ ବିଜେହୋଇ ଯାଆନ୍ତି । ସେବକମାନେ ଛତ୍ର, ଚମର ଧରି ଘଣ୍ଟା, କାହାଳୀ ଆଦି ବାଦ୍ୟ ବଜାଇ ବିମାନ ସହିତ ଯାଆନ୍ତି । ଶ୍ରୀ ଜଗନ୍ନାଥବଲ୍ଲଭ ମଠକୁ ଯିବା ସମୟରେ ଶ୍ରୀ ରାଜନବରଠାରେ ତଥା ଅନ୍ୟ କେତେକ ସ୍ଥାନରେ ପଙ୍‌କ୍ତି ଭୋଗ କରାଯାଏ ।

 

ଏହି ଯାତ୍ରା ଉପଲକ୍ଷେ ସଂସ୍କୃତ ଧର୍ମଶାସ୍ତ୍ରୀୟ ଗ୍ରନ୍ଥ ‘ନୀଳାଦ୍ରି ମହୋଦୟରେ ଲିଖିତ ଅଛି–’

 

‘‘ତିଥୌ ଦଶମ୍ୟାଂ ରାଜେନ୍ଦ୍ର ନୀଳାଚଳପତେଃ ପ୍ରଭୋଃ ।

ମଧ୍ୟାହ୍ନ ପୂଜନାନ୍ତେଽପି ଭଗବନ୍ତଂ ଜନାର୍ଦ୍ଦନଂ ।।

କୌସୁମ୍ଭବସ୍ତ୍ରାଳଂ କାରୌର୍ଭ ଷୟେତ୍‌ ପରମେଶ୍ୱରଂ ।

ଗୋବିନ୍ଦ ନାମ ପ୍ରତ୍ୟର୍ଚ୍ଚା ଜଗଦୀଶାନ୍ତିକଂ ନ୍ୟସେତ୍‌ ।

 

ସନ୍ନ୍ୟାସ୍ୟ ତ୍ୱଥ ଦେବାଂଶ୍ଚ ନାନାଭୋଗୌର୍ମନୋହରୈଃ ।

ପଞ୍ଚୋପଚାରବିଧିନା ପୂଜୟଦ୍ଦେଶିକୋତ୍ତମଃ ।।

 

ଛତ୍ରରାମର ଘଣ୍ଟାଦିସ୍ଫୁରଦଗ୍ରତଳେଽମଳେ ।

ତାଦୃଶେ ଦେବଯାନେ ଚ ସ୍ଥାପୟିତ୍ୱା ଚ ତାଃ ଶୁଭାଃ ।।

ଏବଂ ବିଧଂ ପ୍ରକୁର୍ବୀତ ଦଶମୀଦିନତୋ ନୃପ ।

ତ୍ରୟୋଦଶୀଦିନମଭତସ୍ଫୁ ରଦୁତ୍ସବଯୋଗତଃ ।।’’

 

ଯାତ୍ରାଭାଗବତରେ ରହିଛି–

 

‘‘ଦଶମୀଦିନମାରଭ୍ୟ ଯାବତ୍‌ ପଞ୍ଚଦଶୀ ଭବେତ୍‌ ।

ଫାଲ୍‌ଗୁନସ୍ୟ ସିତେ ପକ୍ଷେ ଫଲ୍‌ଗୁଯାତ୍ରା ହରେର୍ଭବେତ୍‌ ।।’’

 

ପ୍ରସିଦ୍ଧ ଓଡ଼ିଆ କବି ଶ୍ରୀ ଲୋକନାଥ ବିଦ୍ୟାଧର ‘ନୀଲାଦ୍ରି ମହୋତ୍ସବ’ କାବ୍ୟରେ ଦୋଳଯାତ୍ରା ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି–

 

‘‘ଏହି ସମୟରେ ଶୁଣିମା ରସ, ମାସନ ନିବେଶି ବିଦୁଷ ବଶ ।

ପ୍ରଥମ ଦୋଳ ନିମିତ୍ୟେ ତୁରିତେ, ଆଣନ୍ତି ମହାସୂପକାର ବାତେସେ ।

ବିବଧପ୍ରକାରେ ଭୋଗ ଯେ,

କେ କହିବ ତହିଂ ଚରିତ ଯହିଂରେ ପ୍ରଭୁଙ୍କର ଅନୁରାଗ ଯେ ।।

 

ଏହ୍ନେ ଅମୃତ ମଣୋହି ସମୟେ, ହୁଅଇ ମାହା ମାହା ସୁଖ ଦ୍ୱୟେ ।

ବାଜଇ ଘନ ଘନ ଘନ ହୋଇ, ସାନ୍ଦ୍ର ଧପ ଦୀପକୁ ଅନୁଯାୟୀ ସେ ।

ବିବିଧ ମତେ ଭୋଗ ସେ,

ବନ୍ଦାପନା ହେବା କି ଅବା କହିବା ବଚନ ଛବି ବିନାଶେ ଯେ ।।’’

 

ଶ୍ରୀ ଜଗନ୍ନାଥ ପଙ୍‌କ୍ତି ଭୋଗ ପାଇ ପାଇ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପହଞ୍ଚି ସାରିବା ପରେ ସେଠାରେ ଅବିର ଖେଳ ହୁଏ । ଖେଳ ପରେ ସେହି ମଠରେ ପୁନଃ ଭୋଗ ଦିଆଯାଏ । ତା’ ପରେ ଶ୍ରୀ ଦୋଳଗୋବିନ୍ଦ ଶ୍ରୀମନ୍ଦିରକୁ ଫେରି ଆସନ୍ତି । ଶ୍ରୀ ଦୋଳଗୋବିନ୍ଦଙ୍କ ପ୍ରତ୍ୟାବର୍ତ୍ତନ ପରେ ଶ୍ରୀ ଜଗନ୍ନାଥଙ୍କ ପହୁଡ଼ ହୁଏ । ଏହିପରି ଭାବରେ ଭାବରେ ଶ୍ରୀଜଗନ୍ନାଥଙ୍କ ଦୋଳଯାତ୍ରା ଦଶମୀଠାରୁ ତ୍ରୟୋଦଶୀ ପର୍ଯ୍ୟନ୍ତ ପାଳିତ ହୁଏ ।

 

ଚତୁର୍ଦ୍ଦଶୀ ଦିନ ଶ୍ରୀ ଜଗନ୍ନାଥଙ୍କ ବହ୍ନ୍ୟୁତ୍ସବ ପାଳନ କରାଯାଏ, ଯାହାକୁ ସାଧାରଣତଃ ଗାଁ ଗହଳିରେ ଲୋକମାନେ ‘ଅଇ ଘରପୋଡ଼ା’ ବା ‘ଅଗି ଘର ପୋଡ଼ା’ ବୋଲି କହିନ୍ତି । ଦୋଳଯାତ୍ରାରେ ଫଗୁ ଖେଳ ପରି ଏହି ବହ୍ନ୍ୟୁତ୍ସବର ମହତ୍ତ୍ୱ ମଧ୍ୟ ଯଥେଷ୍ଟ । ଶ୍ରୀ ଜଗନ୍ନାଥଙ୍କର ପୂର୍ବୋକ୍ତ ସମସ୍ତ ବିଧି ସମାପିତ ହୋଇ ସାରିବା ପରେ ଶ୍ରୀ ଦୋଳଗୋବିନ୍ଦ ବିଗ୍ରହଙ୍କୁ ଶ୍ରୀମନ୍ଦିରର ଉତ୍ତର–ପୂର୍ବ କୋଣରେ ଅବସ୍ଥିତ ଦୋଳବେଦୀ ନିକଟକୁ ନିଆଯାଏ । ଦେଳବେଦୀର ପୂର୍ବଦିଗରେ ଅଗ୍ନୁତ୍ସବ ପାଳିତ ହୁଏ । ଦୋଳମଣ୍ତପର ପୂର୍ବଭାଗରେ ଗୋଟିଏ ଅସ୍ଥାୟୀ ଗୃହ ନିର୍ମାଣ କରାଯାଏ । ତା’ ପରେ ଶ୍ରୀ ଜଗନ୍ନାଥଙ୍କର ସେବକ ଅଗ୍ନିଶର୍ମା ସଂକଳ୍ପ କରି ବିଧିବଦ୍ଧ ଭାବରେ ସେଥିରେ ‘ଓଁ ସୁଚକ୍ରାୟ ଶିଖାୟୌ ସ୍ୱାହା’ ବୋଲି ଉଚ୍ଚାରଶ କରି ଅଗ୍ନି ସଂଯୋଗ କରନ୍ତି । ନୀଳାଦ୍ରି ମହୋଦୟରେ ବହ୍ନ୍ୟୁତ୍ସବ ବିଧି ସମ୍ପର୍କରେ କୁହାଯାଇଛି–

 

‘‘ଦୋଳମଣ୍ତପ ପୂର୍ବେ ସାମାନ୍ୟ ଗୃହ ନିର୍ମିତଂ

କୃତ୍ୱା ଦ୍ୱାରଦ୍ୱୟଂ ତତ୍ର ପୂର୍ବ ପଶ୍ଚିମ ଦେଶତଃ ।

X X X

ବ୍ରହ୍ମାବରଣମାକୁର୍ଯ୍ୟାତ୍‌ ପୁଣ୍ୟାହବାଚନଂ ତତଃ ।

ଆଚାର୍ଯ୍ୟ ସ୍ଥଣ୍ତିଳେ ରାଜନ୍‌ କୁଣତ୍ରୟମନିନ୍ଦିତଂ ।।

ଗୋମୟଂ ସ୍ଥାପ୍ରିତ୍ୱା ତୁ ଗଳପାତ୍ରଂ ତଥୌବଚ ।

ପୁନଃ କୁଶ ତ୍ରୟଂ ଚୈବ ନ୍ୟସେତ୍‌ କର୍ମ କଳାପବିତ୍‌ ।।

ପୁରା କୁଶତ୍ରୟେଣୈବ ପରିମାର୍ଜନ ମାଚରେତ୍‌ ।

ଗନ୍ଧୋଦକୌର୍ବି ଲିପ୍ୟାଶୁ ବଜ୍ରେଣୋଲ୍ଲେଖନଂ ଚରେତ୍‌ ।।

X X X

ତୌଲୋକ୍ୟରକ୍ଷଣ ପଦଂ ପୁରତଶ୍ଚ କୃତ୍ୱା

ଚତ୍ରାୟୟେତି ନପତେଃ ଶିଖିନଃ ପ୍ରୟାନ୍ତଂ ।

ଚତ୍ରାୟ ହୁମିତି ନିଗଦ୍ୟ ତଦୌବ ମନ୍ତ୍ରଂ ।

ହ୍ୟ ଭ୍ୟ କ୍ଷଣଂ ରଚୟତୁ ସ୍ଫୁଟମତ୍ର ଭୁୟଃ ।।

 

      ଦୋଳବେଦୀ ନିକଟରେ ବହ୍ନ୍ୟୁତ୍ସବ ପାଳିତ ହୋଇ ସାରିବା ପରେ ଶ୍ରୀ ଦୋଳଗୋବିନ୍ଦ ବିଗ୍ରହଙ୍କୁ ଶ୍ରୀ ମନ୍ଦିରକୁ ଅଣାଯାଏ । ଶ୍ରୀ ମନ୍ଦିରର ରତ୍ର ସିଂହାସନ ଚାରିପଟେ ତାଙ୍କୁ ସାତଥର ବୁଲେଇବା ପରେ ବିଗ୍ରହଙ୍କୁ ତାଙ୍କର ଆସ୍ଥାନକୁ ନିଆଯାଏ ।

 

ଗ୍ରାମମାନଙ୍କରେ ଏହି ବହ୍ନ୍ୟୁତ୍ସବ ମଧ୍ୟ ଖୁବ୍‌ ବିଧିବଦ୍ଧଭାବରେ ପାଳନ କରାଯାଏ ସାଧାରଣ ଲୋକମୁଖରେ ଏହା ‘ ଅଇ ଘରପୋଡ଼ା’ ନାମରେ ଖ୍ୟାତି । ଖୁବ୍‌ ସମ୍ୱବତଃ ଏହା ‘ଅଗ୍ନ୍ୟୁତ୍ସବ’ ‘ଅଗ୍ନି ଘର’–‘ଅଇ ଘର’ ଭାବେ ଅପଭ୍ରଂଶ ହୋଇ ଲୋକମୁଖରେ ସ୍ଥାନ ପାଇଛି । ପ୍ରତ୍ୟେକ ଶାସନ ଗ୍ରାମର ସୀମାନ୍ତଃ ପ୍ରଦେଶରେ ଦୋଳମଣ୍ତପ ନିର୍ମିତ ହୋଇଥାଏ । ପୀଠଦେବମାନଙ୍କର ଆସ୍ଥାନ ପୂର୍ବମୁଖା ହୋଇଥାଏ; ତେଣୁ ତାଙ୍କର ସିଂହାସନ ମଧ୍ୟ ସେହିପରି ନିର୍ମିତ ହୋଇଥାଏ । ବହ୍ନି ଗୃହ ନଡ଼ିଆଗଛ ପତ୍ରରେ ତିଆରି ଛାଞ୍ଚରେ ନିର୍ମିତ ହୋଇଥାଏ । ଗାଁମାନଙ୍କର ପରମ୍ପରା ରହିଛି–ଏହି ନିଆଁରେ ଆଳୁ, ବାଇଗଣ ଆଦି ପନିପରିବା ପୋଡ଼ିଆଣି ଖାଇଲେ ସ୍ୱାସ୍ଥ୍ୟପକ୍ଷରେ ହିତକର । ଏ ସବୁକୁ ଆଜିକାଲିର ସଭ୍ୟସମାଜ ଏକ ଅନ୍ଧବିଶ୍ୱାସ ବୋଲି ମାନି ନେଇପାରେ; କିନ୍ତୁ ଉତ୍କଳରେ ଗାଁ ଗହଳିରେ ପ୍ରଚଳିତ ଏସବୁ ବିଶ୍ୱାସ ପଛରେ ନିଶ୍ଚୟ କୌଣସି ଉଦ୍ଦେଶ୍ୟ ରହିଛି । ସେହି ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ଆମେ ଏସବୁ ପାଳନ କରି ଚାଲିଛୁ ।

 

ଶ୍ରୀ ଜଗନ୍ନାଥଙ୍କର ଚତୁର୍ଦ୍ଦଶୀ ତିଥିରେ ବହ୍ନ୍ୟୁତ୍ସବ ବିଧିବଦ୍ଧ ଭାବରେ ପାଳିତ ହୁଏ । ଦଶମୀରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥଙ୍କୁ କୁଣ୍ତଳ ବେଶରେ ଭୂଷିତ କରାଯାଏ । ପୂର୍ଣ୍ଣିମା ଦିନ ଦୋଳୋତ୍ସବ ମହାସମାରୋହରେ ପାଳନ କରାଯାଏ । ସମଗ୍ର ଭାରତବର୍ଷରେ ଦୋଳପୂର୍ଣ୍ଣିମୀଦିନ ଶ୍ରୀକୃଷ୍ଣଙ୍କ ଉପାସନା କେବଳ କରାଯାଏ ଏବଂ ତତ୍‌ପର ଦିନ ହୋଲି ଉତ୍ସବ ପାଳିତ ହୁଏ; କିନ୍ତୁ ଉତ୍କଳ ପ୍ରଦେଶରେ ଦୋଳ ପୂର୍ଣ୍ଣମୀ ଦିନହିଁ ହୋଲି ଉତ୍ସବ ଅନୁଷ୍ଠିତ ହୁଏ, ଅନୁକରଣପ୍ରିୟ ମାନବ କିନ୍ତୁ ବର୍ତ୍ତମାନ ଅନ୍ୟମାନଙ୍କ ରୀତିନୀତିରେ ଅନୁପ୍ରାଣିତ ହୋଇ ଦୋଳପୂର୍ଣ୍ଣମୀ ପରଦିନ ହୋଲି ଖେଳିବା ଆରମ୍ଭ କଲେଣି ।

 

ଦୋଳପୂର୍ଣ୍ଣମୀଦିନ ଦ୍ୱିପ୍ରହର ଭୋଗ ପରେ ଶ୍ରୀ ଦୋଳଗୋବିନ୍ଦ ବିଗ୍ରହଙ୍କୁ ସୁଗନ୍ଧିତ ଜଳରେ ସ୍ନାନ କରାଇ ନୂତନ ବସ୍ତ୍ରରେ ପୋଛି ଦିଆଯାଏ । ନୂତନ ବସ୍ତ୍ର, ବିଭିନ୍ନ ଅଳଙ୍କାର, ପୁଷ୍ପମାଳାଦିଦ୍ୱାରା ତାଙ୍କୁ ବିଭୂଷିତ କରାଯାଏ । ପଞ୍ଚୋପଚାର ବିଧିରେ ପୂଜା ସମାପନ ପରେ ବିଗ୍ରହଙ୍କୁ ସିଂହାସନର ଚତୁଃପାର୍ଶ୍ୱରେ ସାତଥର ବୁଲେଇ ଦିଆଯାଏ । ଏ ସମସ୍ତ ବିଧି ସମାପିତ ହେବାପରେ ବିଗ୍ରହଙ୍କୁ ପର୍ବଦିନ ଭଳି ଶ୍ରୀଲକ୍ଷ୍ମୀ ଓ ସରସ୍ୱତୀ ସହ ଦିବ୍ୟ ବିମାନରେ ସ୍ଥାପନ କରାଯାଏ । ବିମାନର ଆଗରେ ଅନ୍ୟ ଏକ ପାଲିଙ୍କିରେ ଶ୍ରୀରାମ ଓ ଶ୍ରୀ ବଳରାମଙ୍କ ବିଗ୍ରହକୁ ନିଆଯାଏ, ବିମାନବାହକମାନଙ୍କ ବ୍ୟତୀତ ଅନ୍ୟାନ୍ୟ ସେବକମାନେ ଶ୍ୱେତ ଓ କୃଷ୍ଣ ଆତପତ୍ର କାହାଳୀ ଆଦି ବିଭିନ୍ନ ପ୍ରକାର ବାଦ୍ୟ ବାଦ୍ୟକାରମାନେ ବଜାଉଥାନ୍ତି । ଦୋଳମଣ୍ତପ ନିକଟରେ ପହଞ୍ଚିବା ପରେ ମଣ୍ତପର ଚତୁଃପାର୍ଶ୍ୱରେ ସାତଥର ବୁଲେଇ ଦିଆଯାଏ । ତତ୍‌ପରେ ଏ ବିଗ୍ରହଙ୍କୁ ଦୋଳ ଉପରେ ସ୍ଥାପନ କରାଯାଏ ଏହାର ପ୍ରମାଣ ସ୍ୱରୂପ ନୀଳାଦ୍ରି ମହୋଦୟରେ ରହିଛି–

 

‘‘ଶ୍ରୀସକ୍ତଂ ଚ ସମୁଚ୍ଚାର୍ଯ୍ୟ ଗନ୍ଧତୋୟେନ ତାଂ ପୁନଃ

ସ୍ନାପୟେଦିତି ଯନ୍ନେନ ପ୍ରେଞ୍ଛୟେନ୍ନବ ବାସସା’’

 

ବସ୍ତ୍ରାଳଂକାର ମାଲ୍ୟାଦ୍ୟୈର୍ଭୁଷୟେଦ୍ଦେବତାସ୍ତତଃ

ପଞ୍ଚୋପଚାରତଃ ପୂଜାଂ କୁର୍ଯ୍ୟାଦର୍ଯ୍ୟ ଜନୋତ୍ତମଃ ।।

 

ବନ୍ଦାପନାଂ ପ୍ରକୁର୍ବୀତ ଯଥାବିଧିତୟା ତଦା,

ଦିବ୍ୟେ ବିମାନେ ସଂସ୍ଥାପ୍ୟ ମହୋତ୍ସବତୟା ନୃପ ।।

X x x

ଶ୍ୱେତଛନ୍ତ୍ରଂ ତଥା କୃଷ୍ଣଂ ଧାରୟେଦ୍ଧରଣୀ ଧର,

ମେଘଡମ୍ୱରବିଖ୍ୟାତମାତପତ୍ରଂ ଚ ଧାରୟେତ୍‌ ।।

x x x

ଊର୍ଦ୍ଧ୍ୱବେଦୀଂ ସମାଲମ୍ୱ୍ୟ ସପ୍ତଶୋ ଭ୍ରାମୟେତ୍‌ ପୁନଃ,

ତଦୂର୍ଦ୍ଧ୍ୱବେଦ୍ୟାଂ ତାଂ ଦୋଳାଂ ଭ୍ରାମୟିତ୍ୱା ଚ ସପ୍ତବୌ ।। ’’

 

ଦୋଳୋତ୍ସବ ପାଇଁ ନିର୍ଦ୍ଦିଷ୍ଟ ଦୋଳମଣ୍ତପର ନିର୍ମାଣ ପ୍ରଣାଳୀରେ କେତେକ ନିୟମ ପାଳନ କରିବାକୁ ପଡ଼ିଥାଏ । ଶ୍ରୀମନ୍ଦିରର ଉତ୍ତର ପୂର୍ବକୋଣରେ ଦୋଳମଣ୍ତପ ନିର୍ମିତ ହୋଇଛି । ସେଥିରେ ଷୋଳଟି ସ୍ତମ୍ଭ ରହିଛି । ଚୂନଦ୍ୱାରା ପ୍ରତିବର୍ଷ ତାହାକୁ ପରିଷ୍କାର କରାଯାଏ । ମଣ୍ତପ ଉପରେ ଦୁଇଟି ଆସନ ନିର୍ମାଣ କରାଯାଇଥାଏ । ସେହି ଆସନ ବା ବେଦୀ ଉପରେ ତୋରଣ ନିମତ ହୋଇଥାଏ । ସ୍ତମ୍ଭମାନଙ୍କରେ ଶୁଆ, କୋଇଲି, ହଂସାଦି ପକ୍ଷୀମାନଙ୍କର ଚିତ୍ର ଖୋଦିତ ହୋଇଥାଏ । ଦୋଳପୂର୍ଣ୍ଣମୀଦିନ ସେଠାରେ ଚାନ୍ଦୁଆ ବାନ୍ଧ ନଡ଼ିଆ, ପଣସ, କଦଳୀ ଆଦି ଫଳ ତଥା ଆମ୍ୱ, ଜାମୁଡାଳଦ୍ୱାରା ମଣ୍ତପଟିକୁ ସଜା ଯାଇଥାଏ । ତୋରଣ ତଳେ ଦୋଳା ନିର୍ମିତ ହୋଇଥାଏ । ଦୋଳାର ଆସନ ଶ୍ରୀପର୍ଣ୍ଣି କାଷ୍ଠଦ୍ୱାରା ନିର୍ମିତ । ସେଠାରେ ଶ୍ରୀ ଦୋଳଗୋବିନ୍ଦ ବିଗ୍ରହ ସ୍ଥାପିତ ହୁଅନ୍ତି ।

 

ଦୋଳଗୋବିନ୍ଦ ବିଗ୍ରହଙ୍କ ସ୍ଥାପନା ପରେ ବିଧିବଦ୍ଧ ଭାବରେ ପୁଜାକାର୍ଯ୍ୟ ବଢ଼େ । ଶ୍ରୀଦେବଙ୍କୁ ପ୍ରଥମେ ନୌବେଦ୍ୟ ଏବଂ ପରେ ଖଇ, କୋରା ଶାକର, କଦଳୀ, ଚଣା ଆଦି ସମର୍ପଣ କରାଯାଏ । ଶ୍ରୀଦେବଙ୍କୁ ଦଶମୀଠାରୁ ଆମ୍ବ ସମର୍ପଣ କରିବା ଏକ ବିଧି । ଏହି ବିଧି ପ୍ରତ୍ୟେକ ଘରେ ମଧ୍ୟ ପାଳିତ ହେବାର ଦେଖାଯାଏ । କୁହାଯାଏ–ଫଗୁଦଶମୀଠାରୁ ଶ୍ରୀଦେବଙ୍କୁ ଆମ୍ବ ସମର୍ପଣ କରାଯାଏ ବୋଲି ତତ୍‌ପୂର୍ବରୁ ଆମ୍ବ ଖାଇବା ନିଷିଦ୍ଧ । ସେଠାରେ ଅବିରଖେଳ ମୁଖ୍ୟ ଭାବରେ ଆରମ୍ଭ ହୋଇଥାଏ । ଠାକୁରଙ୍କ ଉପରେ ଅବିର ଲାଗି କରାଇ ଭକ୍ତଜନତା ପରସ୍ପରକୁ ଅବିରଦ୍ୱାରା ରଞ୍ଜିତ କରି ଆନନ୍ଦ ଅନୁଭବ କରନ୍ତି । ଅନେକ ରାତ୍ରି ପର୍ଯ୍ୟନ୍ତ ଯାତ୍ରା ଲାଗି ରହେ । ଧୂପ, ଦୀପ, ଭୋଗଦ୍ୱାରା ଶ୍ରୀଦେବଙ୍କୁ ଆପ୍ୟାୟିତ କରିବା ପରେ ଶ୍ରୀ ଦୋଳଗୋବିନ୍ଦ ବିଗ୍ରହଙ୍କୁ ପୂର୍ବଭଳି ବିମାନରେ ବସାଇ ଘଣ୍ଟକାହାଳୀ ଆଦି ବାଦନପୂର୍ବକ ଶ୍ରୀମନ୍ଦିରକୁ ଅଣାଯାଏ । ଉକ୍ତଦିନ ଶ୍ରୀ ଜଗନ୍ନାଥଙ୍କୁ ରାଜବେଶରେ ଭୂଷିତ କରାଯାଏ । ଦୋଳଗୋବିନ୍ଦ ବିଗ୍ରହ ମନ୍ଦିରକୁ ଆସି ରତ୍ନ ସିଂହାସନ ଚାରିପଟେ ସାତଥର ପରିକ୍ରମା କରି ସାରିବା ପରେ ନିଜର ଆସ୍ଥାନକୁ ଫେରିଯାଆନ୍ତି ଏବଂ ତା’ପରେ ଶ୍ରୀଜଗନ୍ନାଥଙ୍କର ପହୁଡ଼ ହୁଏ । ଉତ୍କଳୀୟ ପରମ୍ପରା ଅନୁସାରେ ପୂର୍ଣ୍ଣିମାଦିନ ଦୋଳୋତ୍ସବ ସମାପ୍ତ ହେଲେ ଚୈତ୍ରମାସ କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କୁ ଅବିର ଲାଗି କରାଯାଉଥାଏ । ତେଣୁ ଦେଖିବାକୁ ଗଲେ ଶ୍ରୀମନ୍ଦିରରେ ଉକ୍ତ ଉତ୍ସବ ମାଘମାସ ଶୁକ୍ଲପକ୍ଷ ପଞ୍ଚମୀ (ଶ୍ରୀପଞ୍ଚମୀ)ଠାରୁ ଚୈତ୍ରମାସର କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଦୀର୍ଘ ଦେଢ଼ମାସ ଧରି ପାଳନ କରାଯାଏ ।

 

ଫାଲଗୁନ ପୂର୍ଣ୍ଣମୀ ପରମବୈଷ୍ଣବ ଶ୍ରୀଚୈତନ୍ୟଦେବଙ୍କ ଜନ୍ମଦିବସ ବୋଲି କୁହାଯାଏ । ଯାତ୍ରା ଭାଗବତରେ କୁହାଯାଇଛି–

 

‘‘ଫାଲ୍‌ଗୁନେ ପୌର୍ଣ୍ଣମାସ୍ୟାଂ ତୁ ଚୈତନ୍ୟ ଜନ୍ମବାସରେ,

ତସ୍ମିନ୍ ଦିନେ ଦ୍ୱିଜଶ୍ରେଷ୍ଠ ଯେ କୁର୍ବନ୍ତି ମହୋତ୍ସବଂ,

ତେ ଭକ୍ତିଂ ପ୍ରାପ୍ତୟୁର୍ନିତ୍ୟଂ ଚୈତନ୍ୟେନ ସମୋ ଭବେତ୍ ।।’’

 

ଦୋଳାତ୍ସବରେ ଅବିର ବା ଫଗୁ ଖେଳିବା ପଛରେ ବୈଜ୍ଞାନିକ କାରଣ ମଧ୍ୟ ନିହିତ ରହିଛି-। ବସନ୍ତ ୠତୁରେ ବସନ୍ତ ରୋଗର ପ୍ରାବଲ୍ୟ ପ୍ରତ୍ୟେକ ସ୍ଥାନରେ ଅନଭୂତ ହୁଏ । ଫଗୁ ବସନ୍ତ ରୋଗର ଜୀବାଣୁମାନଙ୍କର ପ୍ରତିଷେଧକ ହୋଇଥିବାରୁ ଫଗୁଖେଳ ବିଧି ପରମ୍ପରା କ୍ରମେ ଆମ ଭିତରେ ପଡ଼ି ଆସୁଛି । କିନ୍ତୁ ଆଧୁନିକ ସଭ୍ୟ ସମାଜ ବର୍ତ୍ତମାନ ଫଗୁ ଉପରେ ବିଶେଷ ଗୁରୁତ୍ୱ ନ ଦେଇ ବିଭିନ୍ନ ପ୍ରକାର ରଙ୍ଗ ଉପରେ ଯୋର୍ ଦେଇ ଚାଲିଛି । ସମୟ ସମୟରେ ଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ରାଳ, ବାର୍ଣ୍ଣିସ, ଆଲକାତରାର ସହାୟତା ନେବାପାଇଁ ମଧ୍ୟ ପଛାଉ ନାହାନ୍ତି, ଯାହା ଫଳରେ କି ଖେଳରେ ଆମୋଦ ପାଇବା ଅପେକ୍ଷା ଲୋକମାନେ ବିଶେଷ କ୍ଷତିଗ୍ରସ୍ତ ହୁଅନ୍ତି-। ଦୋଳପୂର୍ଣ୍ଣମୀ ପରଦିନ ହୋଲି ଉତ୍ସବ ଭାରତର ସର୍ବତ୍ର ପାଳିତ ହେଉଥିଲେ ମଧ୍ୟ ଓଡ଼ିଶାରେ ପାଳିତ ହେବାର କୌଣସି ବିଧି ନାହିଁ; କିନ୍ତୁ ବର୍ତ୍ତମାନ ଉତ୍କଳବାସୀ ହୋଲି ଉତ୍ସବ ପାଳନ କରିବାରେ ସତତ ଉତ୍ସାହୀ; ଏପରିକି ଓଡ଼ିଶା ସରକାର ଏହାକୁ ଏକ ସରକାରୀ ଛୁଟି ଦିବସ ଭାବେ ଗ୍ରହଣ କରିଛନ୍ତି । ଯେଉଁମାନେ ଦୋଳପୂର୍ଣ୍ଣମୀ ପରଦିନ ହୋଲି ପାଳନ କରନ୍ତି ସେମାନେ ପୂର୍ବୋକ୍ତ ଅଗ୍ନ୍ୟୁତ୍ସବ ବିଧିକୁ ଦୋଳପୂର୍ଣ୍ଣମୀ ଦିନହିଁ ପାଳନ କରନ୍ତି ।

 

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୁଖ୍ୟତଃ ଦ୍ୱାଦଶ ଯାତ୍ରା ଥିଲେ ମଧ୍ୟ ଅନେକ ଉପଯାତ୍ରା ରହିଛି । ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପାଳିତ ଯାତ୍ରାଗୁଡ଼ିକ ସହିତ ଶ୍ରୀମନ୍ଦିରରେ ଅନୁଷ୍ଠିତ କେତେକ ଯାତ୍ରାରେ ବହୁ ସାମଞ୍ଜସ୍ୟ ରହିଛି । କ୍ରୀଡ଼ା ପ୍ରିୟ ଶ୍ରୀକୃଷ୍ଣ ସଦା ସର୍ବଦା ଗୋପୀ ନଥା ସଖାମାନଙ୍କ ଗହଣରେ ଖେଳି ଖେଳି ତାଙ୍କର ପ୍ରାୟ ସମସ୍ତ ସମୟ ବିତେଇ ଥାଆନ୍ତି । ଶ୍ରୀକୃଷ୍ଣଙ୍କର କ୍ରୀଡ଼ା ଉତ୍ସବରୂପେ ଦୋଳାତ୍ସବ ଭାରତରେ ଅତ୍ୟନ୍ତ ଜନପ୍ରିୟ । କେବଳ ସେତିକି ନୁହେଁ ଦୋଳାତ୍ସବରେ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ କେଳି ବେଶରେ ଭୂଷିତ କରାଯାଇ ତଦନୁରୂପ ସ୍ତବକାଳବୀଦ୍ୱାରା ତାଙ୍କର ଉପାସନା କରା ଯାଇଥାଏ ।

 

‘‘ନୀଳେନ୍ଦୀବର ସୁନ୍ଦରଂ ସୁନୟନଂ ଚନ୍ଦ୍ରାନନଂ ପାବନଂ’’

ବନ୍ଧୁକାଧର ସସ୍ମିତଂ ପରିଲସଦ୍ ଭୂଷାବଳୀ ବେଷ୍ଟିତଂ,

ଚଞ୍ଚଚ୍ଚକ୍ର ଗଦାବ୍‌ଜଶଙ୍ଖ ବିଳସଦ୍ଧସ୍ତାରବିନ୍ଦଂ ଲସଦ୍,

ବେଣୁଂ ପୀତତରାଂଶୁକଂ ସୁମଧୁରଂ ଦୋଳାୟମାନଂ ପରମ୍ ।’’

X      X      X      X

ଏବଂ ଧ୍ୟାତ୍ୱା ନୃପଶ୍ରେଷ୍ଠ ଗୋବିନ୍ଦଂ ମୋକ୍ଷଦାୟକଂ,

ପୂଜୟେତ ପରୟା ଭକ୍ତ୍ୟା ଦୋଳାକେଳି ଦିନେଽର୍ଚ୍ଚକଃ ।’’

(ନୀଳାଦ୍ରି ମହୋଦୟ)

 

ଓଡ଼ିଆ କାବ୍ୟ କବିତାମାନଙ୍କରେ ଶ୍ରୀକୃଷ୍ଣଙ୍କର ଦୋଳ ରାସର ବର୍ଣ୍ଣନା ବହୁଳ ଭାବରେ ଦେଖାଯାଏ । ଶ୍ରୀକୃଷ୍ଣଙ୍କର ବିଭିନ୍ନ ରାସ ମଧ୍ୟରେ ଦୋଳ ରାସ ଅନ୍ୟତମ । କବି ଲୋକନାଥ ବିଦ୍ୟାଧର ‘ନୀଳାଦ୍ରି ମହୋଦୟ’ କାବ୍ୟରେ ବିଭିନ୍ନ ବୈଷ୍ଣବ ପର୍ବ ତଥ୍ୟା ଯାତ୍ରାଗୁଡ଼ିକର ବର୍ଣ୍ଣନା କରିବାକୁ ଯାଇ ଦୋଳ ରାସ ଉପଲକ୍ଷେ ଶ୍ରୀକୃଷ୍ଣଙ୍କ ବେଶ ପ୍ରସଙ୍ଗରେ କରିଛନ୍ତି–

 

‘‘ଫୁଲ ଫୁଲରେ ସମସ୍ତ ରଞ୍ଜିତ,      ଫୁଲ ବିତାନ ଫୁଲ ଆତପତ୍ର ।

ଫୁଲ ପଙ୍ଖା ଫୁଲ ଚାମରଚୟ,      ଫୁଲ ଆଲଟ ଶ୍ରକ୍ ସମୁଦାୟ ସେ ।

ଫୁଲରେ ସବୁ ମଣ୍ଡିତ ଯେ,

ପୁଲକିତ ହୋୟେ ସେ ଫୁଲ ବିଲୋକେ ଫୁରୁଣା ହୁଅଇ ଜାତ ଯେ ।।

 

କିବା ଫୁଲ କାଳ ହେତୁ ଏମନ୍ତ,      ନୋହିଲେ ପ୍ରଭୁ ଫୁଲରେ ଅନୁରତ ।

ତେଣୁ ସେ ସକଳ ଫୁଲ ଭିଆଣ,      ସେ କି ଫୁଲ ସେ ଠାକୁର ଭୂଷଣ ସେ ।

ଫୁଲ୍ଲେନ୍ଦୀବରଲୋଚନ ଯେ,

ଫୁରୁଣାରେ ଫଗୁ କୁତୂହଳେ ଆସେ ମହତ ପ୍ରସନ୍ନ ମନ ଯେ ।।

 

ଏ ଦୋଳ ଗହନ ଅତି ବହୁଳ,            ମୁଖରବ ଯା ସିନ୍ଧୁ ଉଚ୍ଛୁଳ ?,

ବହୁତ ଦେଶରୁ ବହୁତ ଜାତି,            ନର ଗୁଞ୍ଜର ଅଶ୍ୱ ଆଦି ଥାନ୍ତି ସେ,

ରାଜା ରାଜପୁତ୍ରମାନେ ଯେ,

ଅତି ସମ୍ପତ୍ତିବନ୍ତ ହୋଇ ଦର୍ଶନ କରନ୍ତି ପ୍ରସନ୍ନ ମନେ ଯେ ।।

X      X      X      X

କି କହିବା ତୃତୀୟ ଦୋଳ ରୀତି,      ଯହିଁରେ ମୋହିତ ମତି ଶ୍ରୀପତି,

ଦୂଷଣହିଁ ଏଥେ ଦିଶେ ଭୂଷଣ,      ନାହିଁ କୁଖ୍ୟାତ ଅନ୍ୟ ସମ୍ଭାଷଣ ସେ,

ବାରନାରୀ ବାରନାରୀ ଯେ,

ଦୀନ କାନ୍ତି ରସି ପୁଂସ ପରସେବୀ ବିକାର ନୋହେ କାହାରି ଯେ ।’’

 

କବି ଗୋପୀନାଥ ନୃପ ମଧ୍ୟ ସେହିପରି ଶ୍ରୀଜଗନ୍ନାଥଙ୍କର ସମସ୍ତ ଯାତ୍ରା ପର୍ବାଦିକୁ ‘ନୀଳାଦ୍ରି ବେହାର’ ଶୀର୍ଷକ କାବ୍ୟରେ ଓଡ଼ିଆ ଛାନ୍ଦରେ ବର୍ଣ୍ଣନା କରି ଯାତ୍ରାଗୁଡ଼ିକୁ ଲୋକଲୋଚନକୁ ଆଣିବାରେ ସାହାଯ୍ୟ କରିଛନ୍ତି । ଦୋଳୋତ୍ସବ ବର୍ଣ୍ଣନାରେ ସେ କହିଛନ୍ତି–

 

‘‘ଏ ଅନ୍ତେ ଗୁରୁତର ଦୋଳମଣ୍ଡପେ ରଙ୍ଗରେ କରନ୍ତି ବିଜୟେ,

ବହୁତ ଲୋକମାନେ ତହିଁ ମିଳିଣ ଉଚ୍ଚେ ବୋଲନ୍ତି ଜୟେ ଜୟେ,

କେ ଫୁଲଧନୁକୁ କରି ମୁଷ୍ଟିଗତ,

ଜଗତନାଥ ଛାମୁ ସେ ସୁମନସ ଦୃଷ୍ଟି କରନ୍ତି ଅବିରତ ।।

X      X      X

କେ କାହାକୁ ଫଗୁ ଫିଙ୍ଗେ ଭଙ୍ଗି କରି କେତେ ପରିରେ ଚାହୁଁଥାନ୍ତି,

ତଡ଼ଇ, କେ କାହାକୁ ମୁଠା ଉଞ୍ଚାଇ,

କେ କାହାକୁ ମାରନ୍ତେ ସେ ନାହିଁ ବୋଲି କରିନିଏ ବିଞ୍ଚାଇ ।

+ + +

ଫଗୁ ଗୁଣ୍ଡିରେ ଯେ ମଣ୍ଡି ହୋଇଥାନ୍ତି ଗୋପ ଯୁବତୀ ସ୍ନେହ,

ଅମର ବର ମଣିରେ ପଡ଼ିଅଛି କି ଅବା ମାଣିକ୍ୟର ଜ୍ୟେତ୍ସ୍ନା,

କୁସୁମେ, ବେଶହୋଇ ଦେବରାଜେ,

ବସନ୍ତ ନୃପକୁ ଦରଶନ ଦେବାପାଇଁ କରିଛନ୍ତି ବିଜେ ।’’

 

କବି ଶରଣ ଦାସ ଶ୍ରୀକୃଷ୍ଣଙ୍କର ଦୋଳ ରାସ ବର୍ଣ୍ଣନାପୂର୍ଣ୍ଣ ଏକ ଗଦ୍ୟ ପଦ୍ୟମୟ କାବ୍ୟ ରଚନା କରିଛନ୍ତି । ଉକ୍ତ ‘ଦୋଳ ଚାଚେରୀ ଲୀଳା’ ଶୀର୍ଷକ କାବ୍ୟରେ ଶ୍ରୀକୃଷ୍ଣଙ୍କ ଲୀଳା ରସକୁ ସେ ବିଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି । ଦୋଳମଣ୍ଡପର ଶୋଭା ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି–

 

‘‘ଦୋଳ ମଣ୍ଡପ ଶୋଭା, କି କହିବା ଅବା, ଉପମା କି ଦେବା,

ସମ କାହିଁ ପାଇବା, ସ୍ଫଟିକର ମଣ୍ଡପ । ପ୍ରବଳର ପାବଚ୍ଛା,

ସ୍ୱର୍ଗରୁ ଖସିକି ପଡ଼ିଛି ପ୍ରତ୍ୟକ୍ଷ । ଚିତ୍ର ବିଚିତ୍ର ସ୍ଥଳୀ ବିସ୍ତାରା ।

ମଧ୍ୟେ ତ୍ରୋଣା ମକର ଆକାର X X X’’

 

ଦୋଳ ଉତ୍ସବ ଦେଖିବାରେ ଭକ୍ତ ଜନତାର ପ୍ରବଳ ଆଗ୍ରହ ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି–

 

‘‘କେ ବୋଇଲ ଆଲୋ ଭାଇଲୋ, ଭିଡ଼େ ନ ପାରିବା ଯାଇଲୋ,

ଏହିଆଡ଼େ ଆମ୍ଭେ ମାଇପଙ୍କ ମେଳେ ଆସିବା ଶ୍ରୀମୁଖ ଚାହିଁ ଲୋ,

ବୋଲଇ କେ ତହିଁ ସିଲଗୋ, ଭିଡ଼ରେ ନମର ପଶି ଗୋ,

ଭିଡ଼ ଗଲେ ପଛେ ଦର୍ଶନ କରିବା ଏହିଠାରେ ଥିବା ବସି ଗୋ

 

କେ ତହିଁ ବୋଇଲ ଚାଲଗୋ, ଦେଖିବା ସଜନି ଦୋଳ ଗୋ,

କେ ତହିଁ ଶ୍ରୀମୁଖ ଦେଖି ଜଣାଉଛି କେ ବୋଲଇ ହରିବୋଲ ଗୋ ।’’

 

ଫଗୁଖେଳ ସମୟରେ ଶ୍ରୀକୃଷ୍ଣଙ୍କ ରୂପ ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି–

 

‘‘ଶ୍ରୀବତ୍ସ ଲାଞ୍ଛନ, ମଣିହାର ଭୂଷଣ, ଅଙ୍ଗେ କର୍ପୂର ଚୁଆ ଚନ୍ଦନ, କରେ ସୁମୁରଲୀ । ଅଙ୍ଗେ ଫଗୁ ଧୂଳି, ନାସେ ଗଜମୁକ୍ତା ଲୁଳି । ରଙ୍ଗ ଜାମୁଡ଼ାଳି, ଗୁଞ୍ଜମାଳି, କର୍ଣ୍ଣାଞ୍ଜଳି, X X X ଫଗୁ ଖେଳେ ସୁରଙ୍ଗ । ଅଧର ଚାରୁ ରଙ୍ଗ X X X ।’’

 

ଶ୍ରୀକୃଷ୍ଣ ଓ ଗୋପୀମାନଙ୍କର ଦୋଳ ରାସ ବର୍ଣ୍ଣନା ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି–

 

‘‘ପାଣି ପକାନ୍ତେ କେ ନିସତେ ଦନ୍ତରେ ତିରଣ ଧରୁଛି,

ପାଚେଲା ବାଳେ କୁଙ୍କୁମ ମେଳେ ସୁନାବେଶ ପ୍ରାୟେ ଦିଶୁଛି,

କାହାର କାୟେ ପଙ୍କର ଘାଏ ଗୋରା ଦେହ କଳା ଦିଶୁଛି,

କେହୁ ପଳାଇ ଭିତରେ ଯାଇ ଗୋଡ଼ାଇ ହଳଦୀ ବୋଳୁଛି,

କେ ଦୂରୁ ଛଡ଼ାଇ ପକାଇ ଦେଇ ଗାଳିଦେଇ କେହି ଚଳୁଛି,

ପିଚକାମାରି କାହାକୁ ଧରି ବିମାନ ତଳରେ ପଶୁଛି ।’’

 

ବଙ୍ଗଳା କବି ନଟବର ଦାସ ‘ଦୋଳରାସ’ ଶୀର୍ଷକ କାବ୍ୟରେ ଦୋଳାତ୍ସବ ବର୍ଣ୍ଣନା କରି ଲେଖିଛନ୍ତି–

 

‘‘ସୁଗନ୍ଧ ଚନ୍ଦନ ଚୁଆ ଚତୁଃସମ ଅବିର ସଙ୍ଗତେ ଗୋଲି ହେ,

ଏକୁ ଆରେ କୋଲ ହୋଇ ସର୍ବେ ମେଲ ପ୍ରେମେ ହୋଇ ବୋଲା ବୋଲିରେ

ସର୍ବେ ଆନନ୍ଦିତ ମନ,

ତାଙ୍କ ପାଦେ ନଟବର ହୀନ ହେ ।’’

 

ଏହିପରି ସମସ୍ତ ଦୋଳୋତ୍ସବ ସମ୍ପର୍କୀୟ କାବ୍ୟ କବିତା ତଥା ପ୍ରଚଳିତ ବିଧିକୁ ଆଲୋଚନା କଲେ ଜଣାଯାଏ–ସାଧାରଣ ଭାବରେ ଯାତ୍ରା ପର୍ବ ପାଳନ କରି ମନକୁ ପ୍ରଫୁଲ୍ଲ ରଖିବା ସଙ୍ଗେ ସଙ୍ଗେ ଦୋଳୋତ୍ସବ ପଛରେ ସ୍ୱାସ୍ଥ୍ୟ, ପରମ୍ପରା, ରୀତି–ନୀତି ପାଳନ କରିବାରା ଉଦ୍ଦେଶ୍ୟ ଅଧିକ ଭାବରେ ନିହିତ ।

ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର–୧୪

***

 

ଓଡ଼ିଶାରେ ଲୋକନାଟ୍ୟର ବିକାଶ ପରମ୍ପରା

ଶ୍ରୀ ଧୀରେନ୍ଦ୍ରନାଥ ପଟ୍ଟନାୟକ

 

ଆମେ ସାଧାରଣତଃ ‘ଲୋକ’ କହିଲେ ବ୍ୟକ୍ତିବିଶେଷକୁ ବୁଝିଥାଉଁ, ଯେପରି ଭଲଲୋକ, ଭଦ୍ରଲୋକ, ପିଲାଲୋକ, ମାଇପିଲୋକ ଇତ୍ୟାଦି । ପୁଣି ବହୁବଚନରେ ଏହା ସାଧାରଣ ଜନ ସମାଜକୁ ମଧ୍ୟ ବୁଝାଇଥାଏ ଯେପରି ‘ବହୁତ ଲୋକ’, ‘ଲୋକେ କହୁଛନ୍ତି’ ଇତ୍ୟାଦି । କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସ୍ତରର । ବିଶେଷ ଭାବରେ ଗ୍ରାମ୍ୟସ୍ତରର ଲୋକମାନଙ୍କ ମଧ୍ୟରେ ପ୍ରଚଳିତ ଗୀତ ନୃତ୍ୟ, ନାଟକ, ଚିତ୍ରକଳା, ସାହିତ୍ୟ ଆଦିକୁ ବୁଝାଇବାକୁ ମଧ୍ୟ ପ୍ରୟୋଗ ହୋଇଥାଏ ଯେପରି ଲୋକଗୀତ, ଲୋକନୃତ୍ୟ, ଲୋକନାଟ୍ୟ, ଲୋକକଳା, ଲୋକ ସାହିତ୍ୟ ଇତ୍ୟାଦି । ଏଭଳି ପ୍ରୟୋଗ ପୂର୍ବେ ଭାରତୀୟ ଭାଷାରେ ନ ଥିଲା । ଇଂରାଜୀ 'FOLK' ଶବ୍ଦର ପ୍ରତିରୂପରୂପେ ଏହି ‘ଲୋକ’ ଶବ୍ଦକୁ ଏ ସ୍ଥଳରେ ପ୍ରୟୋଗ କରାଯାଉଛି । ଏ କ୍ଷେତ୍ରରେ ଏହାର ଅର୍ଥ ବ୍ୟାପକ ନ ହୋଇ ସଂକୀର୍ଣ୍ଣ-। ତେଣୁ ‘ଲୋକ’ ଶବ୍ଦଦ୍ୱାରା ସଂକୀର୍ଣ୍ଣ ଅର୍ଥରେ ନାଗରଶିକ୍ଷା ସଂସ୍କୃତି ବହିର୍ଭୂତ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ଅଳ୍ପ ଶିକ୍ଷିତ, ବିଶ୍ୱାସପ୍ରବଣ ପ୍ରାଚୀନ ସଂସ୍କାର ଓ ପ୍ରଥାଚାଳିତ ମନୁଷ୍ୟର ଗୋଟିଏ ଗୋଷ୍ଠୀକୁ ବୁଝାଏ । ଏହି ଗୋଷ୍ଠୀ ଉଭୟ ଗ୍ରାମ ଓ ସହରରେ ଅବସ୍ଥାନ କରନ୍ତି । କାରଣ ଗ୍ରାମରେ ଯେଉଁମାନେ ଅର୍ଥନୈତିକ ସାମର୍ଥ୍ୟର ଅଭାବରୁ ସଂସ୍କୃତିରେ ଅନଗ୍ରସର ହୋଇ ପ୍ରାଚୀନ ସଂସ୍କାର ଗଣ୍ଡିରେ ଆବଦ୍ଧ ହୋଇ ରହିଛନ୍ତି । ସେମାନେ ଯେପରି ’ଲୋକ’ ଶ୍ରେଣୀର ଅନ୍ତର୍ଗତ, ସେହିପରି ନାଗରିକମାନଙ୍କ ମଧ୍ୟରେ ଯେଉଁମାନେ ଏହି ଏକ କାରଣରୁ ଆଦିମ ମାନସିକତାର ସଂକୀର୍ଣ୍ଣତା ଅତିକ୍ରମ କରିପାରି ନାହାନ୍ତି । ସେମାନେ ମଧ୍ୟ ‘ଲୋକ’ ସ୍ତରରେହିଁ ପଡ଼ି ରହିଛନ୍ତି । ସୁତରାଂ ଏହା ସ୍ୱୀକାର କରିବାକୁ ହେବ ଯେ ଲୋକସ୍ତରର ଅସ୍ତିତ୍ୱ ଉଭୟ ଗ୍ରାମ ଓ ସହରରେ ବିଦ୍ୟମାନ । ଓଡ଼ିଶାର ପ୍ରଧାନ ସହର କଟକର ସାହି ଓ ବସ୍ତିରେ ଯେଉଁମାନେ ବସବାସ କରୁଛନ୍ତି ତାଙ୍କର ଜୀବନଯାପନ ପ୍ରଣାଳୀ, ରୀତିନୀତିକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ଜଣାପଡ଼ିବ । ଏମାନେ ବିଭିନ୍ନ ବ୍ୟବସାୟର ଶ୍ରମଜୀବୀ ହୋଇଥିବାରୁ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅନଗ୍ରସର ହୋଇଥିବାରୁ ପ୍ରାଚୀନ ସଂସ୍କାରର ଗଣ୍ଡି ମଧ୍ୟରୁ ଏବେ ସୁଦ୍ଧା ମୁକ୍ତ ହୋଇପାରି ନାହାନ୍ତି । ଉଦାହରଣ ସ୍ୱରୂପ କଟକ ସହରର ମାରୁତିମଣ୍ଡପରେ ମାସାଧିକକାଳ ଯେଉଁ ରାମଲୀଳା ପରିବେଷିତ ହୁଏ ସେଥିରେ କଟକର ସାହି–ବସ୍ତିର ଲୋକେହିଁ କେବଳ ଅଂଶ ଗ୍ରହଣ କରନ୍ତି । ଉଚ୍ଚଶିକ୍ଷିତ ଓ ସଂସ୍କୃତିସମ୍ପନ୍ନ ବ୍ୟକ୍ତିଙ୍କର ଏଥିରେ ସ୍ଥାନ ନାହିଁ କହିଲେ ଚଳେ ।

 

ଭାରତବର୍ଷରେ ବହୁ ପ୍ରାଚୀନ ଯୁଗରୁ କଳାକ୍ଷେତ୍ରରେ ଦୁଇଟି ସ୍ତର ରହିଆସିଛି । ତାହାକୁ ଶାସ୍ତ୍ରକାରଗଣ ମାର୍ଗୀ ଓ ଦେଶୀ–ଏ ଦୁଇ ଭେଦରେ ବିଭକ୍ତ କରିଅଛନ୍ତି । ଶିକ୍ଷିତ ଓ ସୁସଂସ୍କୃତ ସମାଜରେ ଯେଉଁ ପ୍ରକାର ନିୟମାବଦ୍ଧ, କୌଶଳ ନିୟନ୍ତ୍ରିତ ନୃତ୍ୟ, ସଙ୍ଗୀତ, ନାଟକ ଆଦିର ଚର୍ଚ୍ଚା ହେଉଥିଲା ତାକୁ କୁହାଯାଉଥିଲା ‘‘ମାର୍ଗୀ’ ଅର୍ଥାତ୍ ଏହା ଏକ ନିର୍ଦ୍ଦିଷ୍ଟ ମାର୍ଗ ବା ଧାରାକୁ ଅନୁସରଣ କରୁଥିଲା । ଏହାକୁ ଏବେ କୁହାଯାଉଛି ଶାସ୍ତ୍ରୀୟ ବା Classical । କିନ୍ତୁ ‘ଦେଶୀ’ ପର୍ଯ୍ୟାୟର ନୃତ୍ୟ, ଗୀତ ଇତ୍ୟାଦି କୌଣସି ନିୟମର ବଶବର୍ତ୍ତୀ ନ ହୋଇ ପରମ୍ପରା କ୍ରମେ ଜନ ସମାଜରେ ପ୍ରଚଳିତ ହୋଇ ଆସୁଥିବାରୁ ଏହାକୁ ‘ଲୋକ’ ପର୍ଯ୍ୟାୟର ଅନ୍ତର୍ଗତ କରାଯାଇ କୁହାଯାଉଛି ‘ଲୋକନୃତ୍ୟ, ଲୋକଗୀତ, ଲୋକନାଟ୍ୟ ଇତ୍ୟାଦି ।

 

ପ୍ରତ୍ୟେକ ଆଦିମ ସମାଜରେ ଧର୍ମୀୟ ନୃତ୍ୟଗୀତରୁ ଲୋକନାଟ୍ୟର ଉଦ୍ଭବ ହୋଇଛି । ଏହି ଲୋକନାଟ୍ୟର ଉଦ୍ଦେଶ୍ୟ ଥିଲା ଅଦୃଶ୍ୟ ଶକ୍ତିକୁ ସନ୍ତୁଷ୍ଟ କରି ନାନା ବିଷୟରେ ନିଜର ଓ ଜନ ସମାଜର ମଙ୍ଗଳ କାମନା କରିବା । ପରବର୍ତ୍ତୀ କାଳରେ ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଲୋକନାଟ୍ୟଗୁଡ଼ିକ ବିଭିନ୍ନ ଦେବଦେବୀଙ୍କ ଉପାସନା ସହିତ ସଂପୃକ୍ତ ହୋଇ ଗଢ଼ି ଉଠିଥିଲା । ନୃତ୍ୟଗୀତରୁ ଲୋକନାଟ୍ୟର ଉଦ୍ଭବ ହୋଇଥିବାରୁ ଏଗୁଡ଼ିକରେ ଏପର୍ଯ୍ୟନ୍ତ ସ୍ୱାଭାବିକ ରୀତିରେ ନୃତ୍ୟ–ଗୀତରୁହିଁ ପ୍ରାଧାନ୍ୟ ବେଶି ।

 

ସମଗ୍ର ଭାରତବର୍ଷରେ ଯେଉଁ ଲୋକନାଟ୍ୟ ପରମ୍ପରା ଗଢ଼ି ଉଠିଛି ତହିଁରୁ ଦୁଇଟି କଥା ସ୍ପଷ୍ଟ ହୁଏ । ପ୍ରଥମ କଥା ଆଦିମ ଭାରତୀୟ ସମାଜରେ ନୃତ୍ୟ, ଗୀତ ଓ କାବ୍ୟ ବିଶ୍ଲିଷ୍ଟ ନ ଥିଲା । ଏପରି ନୃତ୍ୟ ନ ଥିଲା ଯାହା ସ୍ୱର ବା କଥା ସହିତ ମିଶି ନ ଥିଲା ବା ଏପରି ଗୀତ ନ ଥିଲା ଯାହା ନୃତ୍ୟ ବା କାବ୍ୟ ନିରପେକ୍ଷ ଥିଲା । ତେଣୁ ଏହି ପର୍ଯ୍ୟାୟର ଲୋକନାଟ୍ୟହିଁ ଆମ ଦେଶର ମୌଳିକ ଲୋକନାଟ୍ୟ । ଏହାକୁ ଦେଶ ଓ ଭାଷାରେ ବୋଲାଯାଏ ‘ନାଟ’ । ଯିଏ ‘ନାଟ’ କରେ ସେ ବୋଲାଏ ‘ନାଟୁଆ’ । ଏହି ‘ନାଟ’ରେ ଗୀତ, ବାଦ୍ୟ, ନୃତ୍ୟ, ଅଭିନୟ–ଏ ସବୁର ଅପୂର୍ବ ସମନ୍ୱୟ ଘଟିଥାଏ । ଆମ ଓଡ଼ିଶାର ଏହି ମୌଳିକ ‘ନାଟ’ ବା ଲୋକନାଟ୍ୟଗୁଡ଼ିକ ହେଲା ଦଣ୍ଡନାଟ, ଚଇତିଘୋଡ଼ା ନାଟ, ଚଡ଼ୟା ନାଟ, ବଣ୍ଡୀ ନାଟ, ବେଶିଆ ନାଟ ଇତ୍ୟାଦି । ଏଥିରେ ଅଂଶ ଗ୍ରହଣକାରୀମାନେ ସରଳ ଗ୍ରାମବାସୀ । ‘ନାଟ’ କରିବା ଏମାନଙ୍କର ପେଶା ନୁହେଁ, ସଉକ । ତେଣୁ ଏହାର ଗୀତ ଓ ଭାଷା ଲିପିବଦ୍ଧ ନୁହେଁ । ଲୋକେ ଶୁଣି ଶୁଣି ମନେ ରଖନ୍ତି । ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଦେବଦେବୀଙ୍କର ଉପାସନା ଉପଲକ୍ଷେ ପାରମ୍ପରିକ ରୀତିରେ ଏସବୁ ‘ନାଟ’ ଆବହମାନ କାଳରୁ ହୋଇ ଆସୁଛି । ତେଣୁ ଆଦିମ ପର୍ଯ୍ୟାୟର ଅଶିକ୍ଷିତ ଗ୍ରାମ୍ୟ କବିମାନଙ୍କଦ୍ୱାରା ରଚିତ ଓ ଅପେଶାଦାର ସୌଖୀନ ଗ୍ରାମ୍ୟ ଅଭିନେତୃଦଳ କର୍ତ୍ତୃକ ଅଭିନୀତ ନାଟ୍ୟହିଁ ଯଥାର୍ଥ ଲୋକ–ନାଟ୍ୟ । ଲୋକନାଟ୍ୟର ପ୍ରଥମ ପର୍ଯ୍ୟାୟର ଏହି ମୌଳିକ ‘ନାଟ’ ଗୁଡ଼ିକୁ anthentic folk play ଭାବରେ ଗ୍ରହଣ କରାଯାଏ । କାରଣ ଏହାର ପରିବେଶଣ ରୀତି ସ୍ୱତଃସ୍ଫୁର୍ତ୍ତ ଓ ଅକୃତ୍ରିମ ।

 

ଦ୍ୱିତୀୟ ପର୍ଯ୍ୟାୟର ଲୋକନାଟ୍ୟ ସାଧାରଣତଃ ଧର୍ମ ଭାବପ୍ରବଣତାରୁ ଉତ୍ପନ୍ନ ଓ ସମାଜର ଉଚ୍ଚଜାତି ତଥା ସାଧାରଣ ଭାବରେ ଶିକ୍ଷିତ ଜନତା ମଧ୍ୟରେ ପ୍ରଚଳିତ । ଏହି ସ୍ତରର ଲୋକନାଟ୍ୟଗୁଡ଼ିକ ହେଲା ଲୀଳା, ସୁଆଙ୍ଗ ଓ ଯାତ୍ରା । ଖାଣ୍ଟି ଲୋକନାଟ୍ୟର ଅକୃତ୍ରିମ ସ୍ୱାଭାବିକତା ଏ ଶ୍ରେଣୀର ଲୋକନାଟ୍ୟରେ ଦେଖାଯାଏ ନାହିଁ । କାରଣ ଏଗୁଡ଼ିକ କବି–ନାଟ୍ୟକାରମାନଙ୍କଦ୍ୱାରା ରଚିତ ଲିପିବଦ୍ଧ ସାହିତ୍ୟକୁ ଅବଲମ୍ବନ କରିଥାଏ । ତେଣୁ ଏଗୁଡ଼ିକୁ ସାହିତ୍ୟିକଲୋକନାଟ୍ୟ (leterary folk play) ବୋଲାଯାଇ ପାରେ । ଏହି କାରଣରୁ ଅନେକେ ଏଗୁଡ଼ିକୁ ଲୋକନାଟ୍ୟ ଭାବରେ ଗ୍ରହଣ କରିବାକୁ କୁଣ୍ଠାବୋଧ କରନ୍ତି । କିନ୍ତୁ ଲୋକସ୍ତରର ଲୋକଦ୍ୱାରା ରଚିତ ଏବଂ ଲୋକ ରଞ୍ଜକ ଊଦ୍ଦେଶ୍ୟରେ ଅଭିନୀତ ହେଉଥିବାରୁ ପ୍ରାଚୀନ ଲୋକ ନାଟ୍ୟର ଭାବ ଓ ଭାଷାର ସରଳତା, ଅକୃତ୍ରିମତା ଏବଂ ଅଭିନୟ ରୀତିର ଲୋକ–ଘନିଷ୍ଠତା ଆଦି ଧର୍ମଗୁଡ଼ିକ ସ୍ୱଳ୍ପ ପରିମାଣରେ ହେଲେହେଁ ଏ ସମସ୍ତେ ନାଟ୍ୟ କଳାରେ ଦେଖା ଯାଉଥିବାରୁ ଏଗୁଡ଼ିକୁ ‘ଲୋକନାଟ୍ୟ’ ପର୍ଯ୍ୟାୟରେହିଁ ଅନ୍ତର୍ଭୁକ୍ତ କରାଯାଏ ।

 

ଲୀଳା

 

କେବଳ ଭାରତବର୍ଷ ନୁହେଁ ସମଗ୍ର ଏସିଆରେ ଧର୍ମପୁସ୍ତକ ବା ଆଖ୍ୟାନମୂଳକ କାବ୍ୟାବୃତ୍ତିରୁ ନାଟକର ଜନ୍ମ । ସ୍ୱର ଧରି ଆବୃତ୍ତି କରୁଥିବା ଆବୃତ୍ତିକାର (narrata)ଙ୍କ ବର୍ଣ୍ଣନା ଅନୁଯାୟୀ ପ୍ରଥମେ ମୂଳ ଅଭିନୟ ମାତ୍ର କରାଯାଉଥିଲା । ଏଥିରେ ଅଭିନୟ ଓ ନୃତ୍ୟ କରୁଥିବା ପାତ୍ରପାତ୍ରୀ ସ୍ୱର ସୁଦ୍ଧା ଉଚ୍ଚାରଣ କରୁ ନ ଥିଲେ । ଏହା ଥିଲା ଆମ ଲୀଳାର ଆଦିରୂପ । ରାମାୟଣ, ମହାଭାରତ ଓ ଭାଗବତ ସ୍ୱରଧରି ପାଠ କରାଯାଉଥିଲା ଓ ପ୍ରତିପଦକୁ ପାଳିଆମାନେ ଦୋହରାଉ ଥିଲେ । ଏହା ସହିତ ନୃତ୍ୟ–ବାଦ୍ୟ ସଂଯୋଗ କରାଯାଇ ଅଭିନୟ ହେଉଥିଲା । ମୁଖ୍ୟତଃ ଏହା ରାମଲୀଳା ଓ କୃଷ୍ଣଲୀଳା ନାମରେ ପ୍ରବର୍ତ୍ତିତ ହେଲା । ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବହୁ ଅଞ୍ଚଳରେ ‘ରାମଲୀଳା’ ଏହି ମୂକ ଅଭିନୟ (Pantomine) ଅବସ୍ଥାରେହିଁ ରହିଛି । ବିଚିତ୍ର ରାମାୟଣର ଛାନ୍ଦଗୁଡ଼ିକ ଏହି ରାମଲୀଳାରେ ସ୍ୱର ଧରି ଗାନ କରାଯାଏ ଏବଂ ଅଭିନେତୃଦଳ କେବଳ ମୂଳ ଅଭିନୟସୂଚକ ଅଙ୍ଗଭଙ୍ଗୀ କରିଥାଆନ୍ତି ।

 

ମହାକାବ୍ୟଗୁଡ଼ିକ ଗୋଟିଏ ଛନ୍ଦରେ ବା ବୃତ୍ତରେ ଲେଖାଯାଇଥିବାରୁ ଏବଂ ଏହା ଜନ ଚିତ୍ତାନୁରଞ୍ଜନରେ ସହାୟକ ନ ହେବାରୁ ବିଭିନ୍ନ ଆଖ୍ୟାନଗୁଡ଼ିକ ଦେଶ ଓ ରାଗରାଗିଣୀ ଅବଲମ୍ବନରେ ଗୀତ ଆକାରରେ ଅଭିନୟ ପାଇଁ ଲେଖାହେଲା । ଓଡ଼ିଶାର ବହୁ ଗ୍ରାମ୍ୟ କବିମାନଙ୍କଦ୍ୱାରା ଏପରି ବହୁ ‘ରାମଲୀଳା’ ଓ ‘କୃଷ୍ଣଲୀଳା’ ବା ରାହାସ (ରାସ) ଲୀଳା ରଚିତ ହୋଇଛି ଏବଂ ଏଗୁଡ଼ିକ ବିଭିନ୍ନ ରୀତିରେ ପରିବେଷିତ ହେଉଅଛି । ବହୁ ଲୀଳା–ସାହିତ୍ୟ ଏବେ ମଧ୍ୟ ଅପ୍ରକାଶିତ ଅବସ୍ଥାରେ ଅଛି । ଅବଶ୍ୟ ଅନେକ ସ୍ଥଳରେ ଏବେ ‘ଲୀଳା’ ଯାତ୍ରାର ଆଙ୍ଗିକକୁ ଗ୍ରହଣ କରି ନେଲାଣି । କଟକ ସହରର ମାରୁତି ମଣ୍ଡପରେ ମାସାଧିକକାଳ ଅଭିନୀତ ହେଉଥିବା ‘ରାମଲୀଳା’ଗୁଡ଼ିକ ପ୍ରାୟ ଯାତ୍ରା’ ରୀତିରେ ପରିବେଷିତ ହେଉଅଛି ।

 

ସୁଆଙ୍ଗ

 

‘ଲୀଳା’ର ଉନ୍ନତ ସ୍ତର ହେଲା ସୁଆଙ୍ଗ । ଏହି ସୁଆଙ୍ଗ ଉତ୍ତର ଭାରତରେ ‘ସ୍ୱାଙ୍ଗ’, ବଙ୍ଗଳାରେ ‘ସୋୟାଂ’, ମଣିପୁର ଓ ଆସାମରେ ‘ସୁମାଙ୍ଗ’ ନାମରେ ପ୍ରଚଳିତ । ଅନେକ କହନ୍ତି ଏହି ଶବ୍ଦଟି ‘ଶୋଭାଙ୍ଗ’ ଶବ୍ଦରୁ ଆସିଅଛି, ଯାହାର ଅର୍ଥ ହେଲା ଶୋଭନୀୟ ଅଙ୍ଗ । କିନ୍ତୁ କାଳିଦାସଙ୍କ ମାଳବିକାଗ୍ନିମିତ୍ର ନାଟକରେ ‘ସ୍ୱାଙ୍ଗ ସୌଷ୍ଠବାଭିନୟ’ କଥା ଉଲ୍ଲେଖ ଅଛି । ଏଣୁ ସଂସ୍କୃତ ଭାଷାର ‘ସ୍ୱାଙ୍ଗ’ (ସୁଆଙ୍ଗ) ଶବ୍ଦରୁ ଓଡ଼ିଆ ‘ସୁଆଙ୍ଗ’ ଶବ୍ଦ ଆସିଅଛି ଯେପରି ‘ସ୍ୱାଦ’ ଶବ୍ଦରୁ ‘ସୁଆଦ’ ହୋଇଅଛି । ସୁଆଙ୍ଗ ସମ୍ପୂର୍ଣ୍ଣ ଭାବରେ ଗୀତାଭିନୟ । ରାମାୟଣ, ମହାଭାରତ ବା ଯେକୌଣସି ପୌରାଣିକ ଆଖ୍ୟାନକୁ ନେଇ ଏହା ରଚିତ । ଏଥିରେ ମୁଖ୍ୟ ଗାୟକ ସୂଚକ ଓ ଭାଷ୍ୟକାରର ଭୂମିକା ଗ୍ରହଣ କରନ୍ତି । ପ୍ରତ୍ୟେକ ଗୀତର ଘୋଷା ଅଂଶଟିକୁ ଦଳେ ପାଳିଆ ଦୋହରାନ୍ତି । ଏଥିରେ ମୁଖ୍ୟ ବାଦ୍ୟଯନ୍ତ୍ର ହେଲା ମର୍ଦ୍ଦଳ ଓ ଗିନି । ଏହି ଲୋକ ନାଟ୍ୟର ବିଶେଷତ୍ୱ ହେଲା ପ୍ରତ୍ୟେକ ଚରିତ୍ର ବା ସୁଆଙ୍ଗ ନିଜକୁ ମଞ୍ଚରେ ସ୍ୱ–ଗୀତରେ ପରିଚିତ କରିବା । ଉଦାହରଣ ସ୍ୱରୂପ ‘ବଳିବାମନ ସୁଆଙ୍ଗ’ (୧୮୯୯–ବାମନ ଦ୍ୱବେଦୀ)ରେ ବଳିରାଜା ପ୍ରବେଶ କରି ଗାଆନ୍ତି–

 

ଦେଖ ସଭାକୁ ଆସେ ବଳି ରାଜନ

ମନ୍ତ୍ରୀପଣେ ଶୁକ୍ର ଜଣେ ଭାଜନ (ପଦ)

ଯୁଦ୍ଧେ ଯୋଦ୍ଧାକୁ ପଡ଼ି

ବାନ୍ଧିଛୁ ଶିରେ ପଗଡ଼ି

ଧାର୍ମ୍ମିକ ଦାତା ଏ ନୁହେଁ ଦୁର୍ଜ୍ଜନ (୧)

ଦେଖ ସଭାକୁ ଆସେ

 

ଏହା ପରେ ପରେ ଆସେ ଗାୟକର ବଚନିକା–

 

ଶୁଣ ହେ ସୁନର ବଳି ନୃପବର

      ସଭାରେ ପ୍ରବେଶ ହେଲେ

ମୋ ମନରେ ଥାଏ କହିବି କଥାଏ

      ଦୈତ୍ୟେଶ୍ୱରୀକୁ ପୁଚ୍ଛିଲେ ।

ଭାର୍ଗବ ହେ ! ଜଣାଇଣ ଆଜ୍ଞା ଦେଲେ, ଇତ୍ୟାଦି ।

 

ଏହିପରି ପ୍ରତ୍ୟେକ ଚରିତ୍ର ‘ସୁଆଙ୍ଗ’ରେ ନିଜର ପରିଚୟ ପ୍ରଦାନ କରୁଛି ଓ ତା’ ପରେ ପରେ ଗାୟକ ଦୃଶ୍ୟର ବିଷୟ ଓ ଅନ୍ୟାନ୍ୟ କଥା ପ୍ରସଙ୍ଗକ୍ରମେ ଅବତାରଣା କରନ୍ତି ।

 

‘ଲୀଳା’ ପ୍ରଧାନତଃ ଧର୍ମ ବିଷୟକ ହୋଇଥିବାରୁ ସେଥିରେ ଲଘୁ ହାସ୍ୟରସର ଅବତାରଣା ନିଷିଦ୍ଧ ଥିଲା । କିନ୍ତୁ ସୁଆଙ୍ଗରେ ଏହି ଲଘୁ ହାସ୍ୟରସ ପରିବେଷଣକୁ ଆଙ୍ଗିକରୂପେ ଗ୍ରହଣ କରାଗଲା । କିନ୍ତୁ ଏହାର ବିଷୟବସ୍ତୁ ମଧ୍ୟ ପୌରାଣିକ ହୋଇଥିବାରୁ ଏବଂ ସେହି ଚରିତ୍ର ମାଧ୍ୟମରେ ଏଭଳି ହାସ୍ୟରସ ପରିବେଷଣ ସମୀଚୀନ ବା ଗ୍ରହଣୀୟ ହେବନାହିଁ ଜାଣି ବିଷୟବସ୍ତୁ ସହିତ କୌଣସି ଦୃଢ଼ ସମ୍ପର୍କ ରଖୁ ନଥିବା ‘ଦ୍ୱାରୀ’ ଓ ଅନ୍ୟାନ୍ୟ ଗୌଣ ଚରିତ୍ରଦ୍ୱାରା ଏହା ପରିବେଷଣ କରାଗଲା । ପୁଣି ଏହି ଗୌଣ ଚରିତ୍ର ପାଇଁ ଉଦ୍ଦିଷ୍ଟ ଗୀତଗୁଡ଼ିକ ସହଜ ସରଳ ଗାଉଁଲୀ ଭାଷାରେ ରଚିତ ହେବାରୁ ତାହା ଅଶିକ୍ଷିତ ଗ୍ରାମବାସୀଙ୍କୁ ଆମୋଦ ଦେବାରେ ଅଧିକ ସାହାଯ୍ୟ କଲା । ଉଦାହରଣ ସ୍ୱରୂପ ‘ଦ୍ୱାରୀ’ ସୁଆଙ୍ଗରେ ଗାଇ କହୁଛି

 

‘‘ଆସିଲା ଦୁଆରୀ ଥରି ଥରି

ରାତିବୁଲା ଠେଙ୍ଗା ଧରି ଧରି

ନାହିଁ ମୋ ଚହକ            ଗଲାଣି ଦିହକ

ରାଜାଙ୍କ ଚାକିରି କରି କରି (ପଦ)

 

ମୁଣ୍ଡେ ନାହିଁ ବାଳ            ପିଣ୍ଡହିଁ ଦୁର୍ବଳ

ତୁଣ୍ଡରେ ବୋଲୁଛି ହରି ହରି ।

ଖାଇଦେଲି ମଣ୍ଡା            ପିଠାରୁ ଦିଗଣ୍ଡା

ଗୋଡ଼ ହାତ ଗଲା ମରି ମରି ।

 

ପୁଣି ଏକ ଗୌଣ ଚରିତ୍ର ନାୟକ ବୁଢ଼ା ପ୍ରସଙ୍ଗରେ ହାସ୍ୟୋଦ୍ରେକ ପାଇଁ ଗୀତ ଲେଖା ହୋଇଛି–

 

‘‘ଦେଖ ଆସିଲେ ନାୟକ ବୁଢ଼ା

ଘୋଡ଼ିଘାଡ଼ି ହୋଇଛନ୍ତି ଛିଣ୍ଡା ଦୋଷଡ଼ା (ଘୋଷା)

କାନ୍ଧରେ ପଇତା ଖଣ୍ଡେ            ଟିପେଇ ତିଳକ ମୁଣ୍ଡେ

ବାନ୍ଧିଛନ୍ତି ଯାଉଁଳିଏ ଖାରିଆ ଖଡ଼ା । ୧।

 

କାଖେ ଜାକି ପାଞ୍ଜିବିଡ଼ା            ହେଉଛନ୍ତି ଛିଡ଼ା ଛିଡ଼ା

ପୋଥି ପଛପାଖୁ ମୋର ଓଲଟ ପଢ଼ା ।୨।

 

ଯା’ର ଦେଖିବି ଜାତକ            ତାକୁ ଘୋଟିବ ପାତକ

ଏହି ଯୋଗେ ମାସକୁ ଦରମା ଦ୍ୱିକଡ଼ା ।୩।

ଯା’ ନାମେ ପକାଏ ଖଡ଼ି            ତାକୁ ଖାଇଯାଏ ବାଡ଼ି

ଶୁଭ ମନାସିଲେ କୁଲା ମାଠିଆ ଲୋଡ଼ା ।୪। ଇତ୍ୟାଦି

 

ଏହିପରି ବିଭିନ୍ନ ଗୌଣ ଚରିତ୍ର ମାଧ୍ୟମରେ ଲଘୁ ହାସ୍ୟରସ ପରିବେଷଣର ବହୁଳତା ‘ସୁଆଙ୍ଗ’ର ଏକ ବିଶେଷତ୍ୱ । ଗୀତ ସହିତ ନୃତ୍ୟ ଅପରିହାର୍ଯ୍ୟ ଥିଲା । ଚରିତ୍ର ପଦେ ଗୀତ ଗାଇ ସାରିବା ପରେ ପାଳିଆମାନେ ତାକୁ ଦୋହରାଉ ଥିଲେ ଓ ସେ ସମୟତକ ଚରିତ୍ର ନୃତ୍ୟ କରୁଥିଲା-। ବାଦ୍ୟର ତାଳେ ତାଳେ ବିଭିନ୍ନ ପ୍ରକାର ପାଦ ପକାଇ ଅଭିନୟ ସ୍ଥଳ ପରିକ୍ରମା କରିବା ମଧ୍ୟରେ ଏହି ନୃତ୍ୟ ସୀମାବଦ୍ଧ ଥିଲା । ବିଭିନ୍ନ ପ୍ରକାର ଅଙ୍ଗୀଭଙ୍ଗୀର ପ୍ରାଚୁର୍ଯ୍ୟ ଏ ଧରଣର ନୃତ୍ୟରେ ନଥିଲା । ତାଳ ରକ୍ଷା କରିବା ପାଇଁ ଘୁଙ୍ଗୁର ବଦଳରେ ସମସ୍ତେ ବାଜେଣୀ ପିନ୍ଧୁଥିଲେ । ବେଶ ପୋଷାକ ମଧ୍ୟ ଅତି ସରଳ ଥିଲା । କାରଣ ସେ ସମୟରେ ଚକଚକିଆ ଜରି ପୋଷାକର ଆବିର୍ଭାବ ଏ ଅଞ୍ଚଳରେ ହୋଇ ନଥିଲା । ସଫା ଧୋତି, ହାତରେ ପାନଡବା ଓ ବଙ୍କୁଲି ବାଡ଼ି ଧରି ମଧ୍ୟ ରାଜା ଚରିତ୍ରର ଅଭିନୟ ହେଉଥିଲା । ସ୍ତ୍ରୀ ଚରିତ୍ରରେ ଅଭିନୟ କରୁଥିବା ପୁରୁଷ ପିଲାମାନେ ଲମ୍ବ କେଶ ରଖୁଥିଲେ । ମୁହଁ ଓ ଦେହରେ ହଳଦୀ ମାଖି, କଜ୍ଜ୍ୱଳ ସିନ୍ଦୂର ନାଇ ରୂପସଜ୍ଜା କରୁଥିଲେ । ବଡ଼ଘର ଝିଅ ବୋହୂଙ୍କ ଠାରୁ ଶାଢ଼ୀ, କାଞ୍ଚୁଲା ଓ ଗହଣା ମଗାହୋଇ ଆସୁଥିଲା । ଅଭିନୟ ସ୍ଥାନ ଥିଲା ରାଜା, ଜମିଦାର ବା ବଡ଼ଲୋକ ଘର ଅଗଣା ବା ଗାଁ ଦାଣ୍ଡ । ଆଲୋକ ସମ୍ପାତ ପାଇଁ ଚାରି କୋଣରେ ଚାରିଜଣ ଲୋକ ମଶାଲ ଧରି ଠିଆ ହେଉଥିଲେ । ତାଙ୍କୁ ‘ମଶାଲଚି’ କୁହା ଯାଉଥିଲା । ଋଷି ଓ ରାକ୍ଷସ ଚରିତ୍ର ପାଇଁ ଝୋଟକୁ ରଙ୍ଗାଇ ନିଶ ଦାଢ଼ି ତିଆରି ହେଉଥିଲା । ଏ ଥିଲା ‘ସୁଆଙ୍ଗ’ର ପରିବେଷଣ ରୀତି । ‘ଯାତ୍ରା’ ପ୍ରଭାବରୁ ଓଡ଼ିଶାର ଉପକୂଳ ଓ ଅନ୍ୟାନ୍ୟ ଅଞ୍ଚଳରୁ ‘ସୁଆଙ୍ଗ’ ନିଶ୍ଚିହ୍ନ ହୋଇ ଗଲେହେଁ କଳାହାଣ୍ଡି ଓ ବଲାଙ୍ଗିର ଅଞ୍ଚଳରେ ଏବେ ମଧ୍ୟ ଏହା ଏକ ଜୀବିତ ପରମ୍ପରା । ଏ ଅଞ୍ଚଳରେ ‘ହାରାବତୀ ହରଣ ସୁଆଙ୍ଗ ଅତି ଲୋକପ୍ରିୟ ଏବଂ ଗ୍ରାମେ ଗ୍ରାମେ ଏହା ଅତି ଉତ୍ସାହ ସହକାରେ ଅଭିନୀତ ହେଉଅଛି ।

 

ଯାତ୍ରା

 

ଊନବିଂଶ ଶତାବ୍ଦୀରେ ଇଂରାଜୀ ସଭ୍ୟତାର ପ୍ରସାର ଫଳରେ ଭାରତୀୟ ସଂସ୍କୃତିରେ ଉଲ୍ଲେଖନୀୟ ପ୍ରଭାବ ପଡ଼ିଲା । ଏହି ପ୍ରଭାବ ଭାରତୀୟ ଶିକ୍ଷା, ସଂସ୍କୃତି, ସାମାଜିକ ନୀତି ନିୟମ, ଧର୍ମାଚରଣ ଓ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିଲା । ଏହି ସମୟରେ ପାଶ୍ଚାତ୍ୟ ରଙ୍ଗମଞ୍ଚ ଅନୁକରଣରେ ଭାରତରେ ଆଧୁନିକ ରଙ୍ଗମଞ୍ଚ (Proscinium Theatre)ମାନ ଗଢ଼ାହେଲା ଏବଂ ଏଥିରେ ପାଶ୍ଚାତ୍ୟ ନାଟକ ଅନୁକରଣରେ ଆଧୁନିକ ଭାଷାରେ ନାଟକମାନେ ଲେଖାଯାଇ ଅଭିନୀତ ହେଲା । ପ୍ରଥମ ପର୍ଯ୍ୟାୟରେ ପୌରାଣିକ ନାଟକଗୁଡ଼ିକ ରାମାୟଣ, ମହାଭାରତ ତଥା ବିଭିନ୍ନ ପୁରାଣର ବିଚିତ୍ରମୟ କାହାଣୀକୁ ଅବଲମ୍ବନ କରିଥିଲା । ଏସବୁ ନାଟକରେ ଫରାସୀ ନାଟକର ଅନୁକରଣରେ ମୁକ୍ତଛନ୍ଦ ବା slank verse ସଂଳାପର ବ୍ୟବହାର କରାଗଲା । ବଙ୍ଗ ଦେଶରେ ଏଭଳି ନାଟକର ପ୍ରଥମ ପ୍ରବର୍ତ୍ତକ ହେଲେ ମାଇକେଲ ମଧୁସୂଦନ ଦତ୍ତ । ଏହି ମୁକ୍ତ ଛନ୍ଦକୁ ଆଶ୍ରୟ କରି ବଙ୍ଗଳାରେ ବହୁ ପୌରାଣିକ ଓ ଐତିହାସିକ ନାଟକ ରଚିତ ହୋଇ ଅଭିନୀତ ହେଲା ।

 

ଏହି ସମୟରେ ବଙ୍ଗ ଦେଶରେ ‘ଯାତ୍ରା’ ଲୋକନାଟ୍ୟ ଭାବରେ ବିଶେଷ ପ୍ରସିଦ୍ଧି ଲାଭ କରୁଥଲା । ଧର୍ମ ବିଷୟକ ଏହି ଯାତ୍ରାଗୁଡ଼ିକର ନାମ ଥିଲା କୃଷ୍ଣ ଯାତ୍ରା, ଚଣ୍ଡି ଯାତ୍ରା, ଶକ୍ତି ଯାତ୍ରା, ଚୈତନ୍ୟ ଯାତ୍ରା, ରାସ ଯାତ୍ରା, ନାଥ ଯାତ୍ରା, ପାଲା ଯାତ୍ରା, ବିଦ୍ୟାସୁନ୍ଦର ଯାତ୍ରା ଇତ୍ୟାଦି । ଏପରିକି ଓଡ଼ିଶାର କବି ରାୟ ରାମାନନ୍ଦ ପଟ୍ଟନାୟକଙ୍କ ରଚିତ ଜଗନ୍ନାଥ ବଲ୍ଲଭ ନାଟକ’ ବଙ୍ଗ ଭାଷାରେ ଅନଦିତ ହୋଇ ଅଭିନୀତ ହେଉଥିଲା । କିନ୍ତୁ ଏଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ‘ଗୀତାଭିନୟ’ ଥିଲା । ଏଥିରେ ଗଦ୍ୟ ସଂଳାପର ଆଦୌ ସ୍ଥାନ ନଥିଲା । ଏଥିରେ ଯେଉଁ ଗୀତ ସବୁ ବ୍ୟବହୃତ ହେଉଥିଲା ତାହା ‘ଯାତ୍ରାଗାନ’ ନାମରେ ପ୍ରସିଦ୍ଧି ଲାଭ କରିଥିଲା । କ୍ରମେ ଏହି ପୌରାଣିକ ଯାତ୍ରା ନିଜସ୍ୱ ଗୀତ ସର୍ବସ୍ୱ ରୂପକୁ ତ୍ୟାଗକରି ଆଧୁନିକ ରଙ୍ଗମଞ୍ଚର ପ୍ରଭାବରେ ବିଭିନ୍ନ ଐତିହାସିକ ଓ ସାମାଜିକ ବିଷୟବସ୍ତୁ ଗ୍ରହଣ କରି ମୁକ୍ତଛନ୍ଦ ସଂଳାପ, ଲଘୁ ରସ ପରିବେଷଣ ପାଇଁ ଗ୍ରାମ୍ୟ ପରମ୍ପରାର ଦ୍ୱୈତ ନୃତ୍ୟ (Duet) ସର୍କସର ବାଦ୍ୟବୃନ୍ଦ (orchestra) ଇତ୍ୟାଦିକୁ ନିଜର ଆଙ୍ଗିକରୂପେ ଗ୍ରହଣ କରିନେଲା । ଏଭଳି ‘ଯାତ୍ରା’ ଆମ ଓଡ଼ିଶାରେ ନଥିଲା, ଯାହା ଥିଲା ଆମର ମୌଳିକ ପରମ୍ପରା–ନାଟ, ଲୀଳା ଓ ସୁଆଙ୍ଗ । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଏହି ଆଧୁନିକ ଯାତ୍ରାଦଳ ବଙ୍ଗୀୟ ଜମିଦାରମାନଙ୍କର ନିମନ୍ତ୍ରଣକ୍ରମେ ଓଡ଼ିଶାକୁ ଆସିଲେ । ତାଙ୍କର ସାଜସଜ୍ଜା, ବାଦ୍ୟବୃନ୍ଦ, ପରିବେଷଣ ପ୍ରଣାଳୀ ଆଧୁନିକ ରୁଚିସମ୍ପନ୍ନ ହେବାରୁ ଓଡ଼ିଶାର ମୌଳିକ ଲୋକନାଟ୍ୟ କ୍ଷେତ୍ରରେ ଆଲୋଡ଼ନ ସଷ୍ଟି କରିଥିଲା । ଏ ସମ୍ପର୍କରେ ତତ୍‌କଳୀନ ସାହିତ୍ୟ ଓ ସମ୍ବାଦ ପତ୍ରିକା ‘ବାଲେଶ୍ୱର ସମ୍ବାଦ ବାହିକା’, ‘ଉତ୍କଳ ଦୀପିକା’ ଓ ‘ଉତ୍କଳ ସାହିତ୍ୟ’ରେ ବହୁ ଆଲୋଚନା ଓ ସମାଲୋଚନା ପ୍ରକାଶ ପାଇଥିଲା । ଏହା ଫଳରେ ଓଡ଼ିଶାର ପେଶାଦାର ସୁଆଙ୍ଗ ନାଟ୍ୟକାର ଜଗନ୍ନାଥ ପାଣି, ଗୋପାଳ ଦାସ, ବୈଷ୍ଣବ ପାଣି, ବନ୍ଧୁ ନାୟକ ପ୍ରମୁଖ ‘ସୁଆଙ୍ଗ’ ରୀତିକୁ ଛାଡ଼ି ଯାତ୍ରାଦଳ ଗଢ଼ିଲେ । ତାଙ୍କୁ ଅନୁସରଣ କଲେ ଶ୍ରୀ ବାଳକୃଷ୍ଣ ମହାନ୍ତି, ଶ୍ରୀ ଦୟାନିଧି ସ୍ୱାଇଁ ଓ ଶ୍ରୀ ରାମଚନ୍ଦ୍ର ସ୍ୱାଇଁ ପ୍ରମୁଖ । ଏମାନେ ସମସ୍ତେ ‘ଯାତ୍ରା’ର ଆଙ୍ଗିକକୁ ଗ୍ରହଣ କରିଥିଲେ ହେଁ ପୌରାଣିକ, ଐତିହାସିକ ଓ କିମ୍ବଦନ୍ତୀମୂଳକ ବହୁ ଯାତ୍ରା ନାଟକ (ଗୀତିନାଟ୍ୟ) ରଚନା କରି ନିଜ ଦଳଦ୍ୱାରା ଅଭିନୟ କରାଇଲେ । ଶ୍ରୀ ବୈଷ୍ଣବ ପାଣି ଦିଗରେ ସମସ୍ତଙ୍କର ଅଗ୍ରଗଣ୍ୟ । ତେଣୁ ତାଙ୍କ ଆଧୁନିକ ଲୋକନାଟ୍ୟର ଜନକ ବୋଲି କୁହାଯାଏ । ଏହି ରୂପାନ୍ତରର ସ୍ରୋତରେ ସେ ତାଙ୍କର ସମସ୍ତ ସୁଆଙ୍ଗ (ଗୀତାଭିନୟ)କୁ ଯାତ୍ରା ନାଟକ (ଗୀତିନାଟ୍ୟ)ରେ ପରିଣତ କରିଥିଲେ । ଓଡ଼ିଶାର ଏହି ସ୍ୱନାମଧନ୍ୟ ଲୋକନାଟ୍ୟକାରମାନେ ଏକାଧାରରେ ଲେଖକ, ଗୀତିକାର, ସଙ୍ଗୀତଜ୍ଞ, ନିର୍ଦ୍ଦେଶକ ଓ ଅଭିନେତାର ସମସ୍ତ ଗୁଣ ବହନ କରିଥିଲେ । ଏହି ପରମ୍ପରା ଓଡ଼ିଶାର ପେଶାଦାର ରଙ୍ଗମଞ୍ଚକୁ ମଧ୍ୟ ପ୍ରଭାବିତ କରିଥିଲା ଏବଂ ଆଧୁନିକ ନାଟ୍ୟ ଜଗତରେ ଏହାର ସବିଶେଷ ବାହକ ଥିଲେ ସ୍ୱର୍ଗତ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ । ଯାତ୍ରାରେ ନୃତ୍ୟ–ଗୀତର ପ୍ରାଧାନ୍ୟ ବଜାୟ ରଖିବା ପାଇଁ ସମ୍ମିଳିତ କଳାରେ ପାରଦର୍ଶିତା ଲାଭ କରିବା ତାଙ୍କ ପକ୍ଷରେ ଅପରିହାର୍ଯ୍ୟ ଥିଲା ।

 

ଓଡ଼ିଆ ଯାତ୍ରାର ଉନ୍ମେଷ କାଳରେ ଯେଉଁ ବରେଣ୍ୟ ନାଟ୍ୟକାରମାନେ ଏହାକୁ ବଙ୍ଗୀୟ ପ୍ରଭାବରୁ ମୁକ୍ତ କରି ଉତ୍କଳୀୟ ଶୈଳୀରେ ରୂପଦାନ କରି ଓଡ଼ିଆ ଭାଷାରେ ଶତାଧିକ ମୌଳିକ ନାଟକ ଲେଖି ଯାଇଥିଲେ, ପରବର୍ତ୍ତୀ କାଳରେ ଏହା ବଙ୍ଗୀୟ ପ୍ରଭାବର ସମ୍ପୂର୍ଣ୍ଣ ଗ୍ରାସ ଭିତରେ ପଡ଼ିଗଲା । ସ୍ୱାଧୀନତା ଲାଭର ପରବର୍ତ୍ତୀ କାଳରେ ଓଡ଼ିଶାରେ ବହୁ ପେଶାଦାର ଯାତ୍ରାଦଳ ଗଢ଼ି ଉଠିଲେ ଏବଂ ଏହି ନାଟ୍ୟ ଦଳଗୁଡ଼ିକ ସମ୍ପୂର୍ଣ୍ଣ ବ୍ୟବସାୟିକ ଭିତ୍ତିରେ ଗଢ଼ି ଉଠିଥିବାରୁ ବଙ୍ଗୀୟ ନାଟକଗୁଡ଼ିକୁ ଅନୁବାଦ କରି ଏବେ ମଧ୍ୟ ପରିବେଷଣ କରୁଛନ୍ତି । ଓଡ଼ିଶାରେ ଓଡ଼ିଆ ଭାଷାରେ ମୌଳିକ ଯାତ୍ରା ନାଟକ ଖୁବ୍ କମ୍ ଲେଖା ଯାଉଛି । ଏହା ଅପ୍ରିୟ ହେଲେ ମଧ୍ୟ ନିତାନ୍ତ ସତ୍ୟକଥା-। ଯାତ୍ରା ଦଳର ତତ୍ତ୍ୱାବଧାରକମାନେ ବଙ୍ଗୀୟ ଯାତ୍ରା ନାଟକଗୁଡ଼ିକର ଓଡ଼ିଆ ଅନୁବାଦ କରି ସାମାନ୍ୟ ପରିବର୍ତ୍ତନ ସହ ଅଭିନୟ କରୁଥିବାରୁ ଏ କ୍ଷେତ୍ରରେ ମୌଳିକ ନାଟ୍ୟକାରମାନେ ମଧ୍ୟ ପ୍ରୋତ୍ସାହନ ପାଉନାହାନ୍ତି ।

 

ବର୍ତ୍ତମାନର ‘ଯାତ୍ରା’ ଆଧୁନିକ ରଙ୍ଗମଞ୍ଚ ଓ ଚଳଚ୍ଚିତ୍ର ସହିତ ପ୍ରତିଯୋଗିତା ଆରମ୍ଭ କରି ଦେଇଛି । ଏହାର ବିଷୟବସ୍ତୁ ଆଉ ପୌରାଣିକ ଆଖ୍ୟାନ ଭିତରେ ସୀମାବଦ୍ଧ ନୁହେଁ । ବର୍ତ୍ତମାନ ବିଶେଷ ଭାବରେ ସାମାଜିକ ଓ କାଳ୍ପନିକ ବିଷୟବସ୍ତୁକୁ ନେଇ ନାଟକ ପରିବେଷଣ କରାଯାଉଅଛି-। ସିନ୍ ପରଦା ସହ ମଞ୍ଚ (double stage), ଅତ୍ୟାଧୁନିକ ଆଲୋକ ସମ୍ପାତ୍ ସରଞ୍ଜାମ, ଡାକବାଜି ଯନ୍ତ୍ରର ବ୍ୟବହାର, ଚଳଚ୍ଚିତ୍ରର ଯୌନୋଦ୍ଦୀପକ ଟୁଇଷ୍ଟ ଓ ଡୁଏଟ୍ (ଦ୍ୱୈତ) ନୃତ୍ୟ, ଅତ୍ୟାଧୁନିକ ସିନେମା ସ୍ତରର ସଙ୍ଗୀତ, ଚମତ୍କାର ବେଶ ପୋଷାକ–ଯାହା ସାଧାରଣ ଲୋକରଞ୍ଜନ ପାଇଁ ଆବଶ୍ୟକ ଏ ସବୁକୁ ଯାତ୍ରା ଗ୍ରହଣ କରି ନେଇଛି । କିନ୍ତୁ, ଏ ସମସ୍ତ ସତ୍ତ୍ୱେ ନୃତ୍ୟ–ଗୀତର ପ୍ରାଚୁର୍ଯ୍ୟ, ସ୍ୱତନ୍ତ୍ର ଅଭିନୟ ରୀତି (ଅତି ନାଟକୀୟ ବା melodramatic), ପରିବେଷଣ ପ୍ରଣାଳୀ ଏହାକୁ ଲୋକ–ନାଟ୍ୟ ସ୍ତରରେହିଁ ରଖିଛି ।

 

***

 

ଚଢ଼େଇଆ–ଚଢ଼େଇଆଣୀ ନାଟ

ଡକ୍ଟର ମନୀନ୍ଦ୍ର ମହାନ୍ତି

 

ନାଟକ ଏକ କ୍ରମବର୍ଦ୍ଧିଷ୍ଣୁ କଳା । ଜାତିର ଶିକ୍ଷା, ସଭ୍ୟତା ଓ ଅଭିରୁଚିକୁ ନେଇ ନାଟକ ଅଭିନବ ରୂପ ଧାରଣ କରେ । ତେଣୁ ଏହାକୁ ‘ଜାତୀୟ ଅନୁଷ୍ଠାନ’ ନାମରେ ଅଭିହିତ କରାଯାଇଥାଏ । ଏବର ନାଟକ ଆଜି ଯେଉଁ ସ୍ତରରେ ପହଞ୍ଚିଛି, ତାହା ମୂଳରେ ଯେ କେତେ ଯୁଗର କ୍ରମବିକଶିତ ନାଟ୍ୟରୂପ ବିଦ୍ୟମାନ, ତାହା ଚିନ୍ତା କରିବାର କଥା । ଉତ୍କଳର ସଭ୍ୟତା ଓ ସଂସ୍କୃତି ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଗଢ଼ି ଉଠିଛି । ପୁଣି ଏହି ବଡ଼ ଠାକୁର ଶ୍ରୀଜଗନ୍ନାଥ ହେଉଛନ୍ତି ଶବରର ଦେବତା ଏବଂ ଶବର ସଭ୍ୟତା ଓ ସଂସ୍କୃତିର ପ୍ରତୀକ । ତେଣୁ ସହଜ କଥାରେ ଉତ୍କଳର ସଭ୍ୟତା ଓ ସଂସ୍କୃତି ଶବରର ସଭ୍ୟତା ଓ ସଂସ୍କୃତି । ଏହି ଶବର ସଂସ୍କୃତି ମଧ୍ୟ ଉତ୍କଳର ନାଟ୍ୟ ସାହିତ୍ୟ କ୍ଷେତ୍ରରେ ଅନେକ ପ୍ରଭାବ ବିସ୍ତାର କରିପାରିଛି । ଆଲୋଚ୍ୟ ‘ଚଢ଼େଇଆ–ଚଢ଼େଇଆଣୀ ନାଟ’ ତନ୍ମଧ୍ୟରୁ ଏକ ଦୃଷ୍ଟାନ୍ତ । କେଉଁ ସୁଦୂର ଅତୀତରେ ସୃଷ୍ଟି ଏହି ଚଢ଼େଇଆ–ଚଚେଇଆଣୀନାଟ ଯୁଗର ଅଭିଚରୁଚିରେ ପରିବର୍ତ୍ତିତ ହୋଇ ଆଜି ଏପରି ସ୍ତରରେ ପହଞ୍ଚିଛି । ଏଠାରେ ଗୋଟିଏ କଥା ସୁସ୍ପଷ୍ଟ ହୁଏ ଯେ ଓଡ଼ିଆ ନାଟ୍ୟ ସାହିତ୍ୟର ସୃଷ୍ଟି ଓ ଅଭିବୃଦ୍ଧି କ୍ଷେତ୍ରରେ ଏହି ଲୋକ–ନାଟ୍ୟାନୁଷ୍ଠାନର ଅବଦାନ ଭୁଲିଯିବାର ନୁହେଁ ।

 

‘ଚଢ଼େଇଆ–ଚଢ଼େଇଆଣୀ ନାଟ’ର ଶୀର୍ଷକରୁ ଏହା ଯେ ଶବର ସଭ୍ୟତା ଓ ସଂସ୍କୃତିରୁ ସୃଷ୍ଟି ତାହା ସୂଚିତ ହେଉଛି । ଜଙ୍ଗଲରେ ନଳ ସାହାଯ୍ୟରେ ଚଢ଼େଇ ଶିକାର କରି ଯିଏ ତା’ର ଭରଣ ପୋଷଣ କରେ ସେ ‘ଚଢ଼େଇଆ’ ନାମରେ ପରିଚିତ । ଏହା ଏକ ଲୋକନାଟ୍ୟ ଭାବରେ ସୁପରିଚିତ । ପୁରୀ ଓ ଗଞ୍ଜାମ ଜିଲ୍ଲାମାନଙ୍କରେ ଏହି ନୃତ୍ୟପାଟୁଆ ଓ ଘୋଡ଼ାନାଚ ପରି ଏକ ସାମୟିକ ନାଟ୍ୟଦଳରୂପେ ଦେଖାଯାଏ । ପୁନଶ୍ଚ ଏହି ଅଞ୍ଚଳରେ ‘ଚଢ଼େଇଆ ଚଢ଼େଇଆଣୀ ନାଟ’ ନୃତ୍ୟ ପ୍ରଧାନ । ଚଢ଼େଇଆ–ଚଢ଼େଇଆଣୀ ଦୁହେଁ ପ୍ରଶ୍ନୋତ୍ତର ଛଳରେ ଗୀତ ବୋଲନ୍ତି । ମାତ୍ର ଏଠାରେ ଯେଉଁ ‘ଚଢ଼େଇଆ–ଚଢ଼େଇଆଣୀ ନାଟ’ କଥା କୁହା ଯାଉଛି, ତାହା ସାମାନ୍ୟ ଭିନ୍ନ ପ୍ରକାରର । ଏହି ନାଟ ଉତ୍ତର ଓ ପୂର୍ବ ବାଲେଶ୍ୱର ଜିଲ୍ଲାରେ ବିଶେଷଭାବରେ ପରିଦୃଷ୍ଟ ହୁଏ । ଏହି ‘ଚଢ଼େଇଆ–ଚଢ଼େଇଆଣୀ ନାଟ’ରେ ସ୍ୱତନ୍ତ୍ର ଗଳ୍ପଭାଗ (Plot) ରହିଛି, ଏକ ନାଟକ ପରି । କେବଳ ସେତିକି ନୁହେଁ, ଠିଆ ଗାହାଣ, ଦ୍ୱୈତ ନୃତ୍ୟ, ଦାସକାଠିଆ, ସମବେତ ନତ୍ୟ, ନୃତ୍ୟନାଟିକା ଆଦି ଗହଣରେ ‘ଯାତ୍ରା’ ପରି ପୁରପଲ୍ଲୀରେ ଏହା ଏକ ସ୍ଥାୟୀ ନାଟ୍ୟାନୁଷ୍ଠାନରେ ପରିଣତ ହୋଇ ଗଲାଣି । ତେଣୁ ଏହି ନବୋନ୍ମେଷିତ ମିଶ୍ର ନାଟ୍ୟାନୁଷ୍ଠାନର ସମୀକ୍ଷଣ ଅତ୍ୟାବଶ୍ୟକ ହୋଇପଡ଼ିଛି । ପଲ୍ଲୀର ଏହି ଲୋକପ୍ରିୟ ନାଟ୍ୟାନୁଷ୍ଠାନ ଉପରେ ସମ୍ୟକ ଆଲୋକପାତ କରିବା ଏହି ଆଲୋଚନାର ମୁଖ୍ୟ ଲକ୍ଷ୍ୟ ।

 

ବିଷୟବସ୍ତୁ :

ଏକଥା ବାରୁଣୀ ଯାତ୍ରା ଉପଲକ୍ଷେ ଚଢ଼େଇଆ ଓ ଚଢ଼େଇଆଣୀ ଅର୍କକ୍ଷେତ୍ର ତନ୍ଦ୍ରଭାଗାକୁ ସ୍ନାନ ଉଦ୍ଦେଶ୍ୟରେ ଯାଇଛନ୍ତି । ସେଠାରେ ଘଟଣାକ୍ରମେ ସେହି ମେଳାରେ ଚଢ଼େଇଆଣୀ ହଜି ଯାଇଛି । ଫଳରେ ଚଢ଼େଇଆ ନିଜର ବିରହ ବିଦଗ୍‌ଧ ହୃଦୟକୁ ନେଇ ଖୋଜି ବୁଲିଛି ଚଢ଼େଇଆଣୀ ଉଦ୍ଦେଶ୍ୟରେ–

 

‘‘ଚନ୍ଦ୍ରଭାଗା ଦେଖି ଯାଇଥିଲୁ

ସଖୀଗଲୁ ମରୁଦଧି ତୀରେ

ସମୁଦ୍ରରେ ବୁଡ଼ଦ୍ୟନ୍ତେ ହେଲୁ ଛାଡ଼

ନ ଦେଖି ରୂପ ତୋହରରେ

ଯାଇ କଳପବଟ

ମନାସିଲି ରାମା ହେଉ ଭେଟ ହେ ।’’

 

ଓଡ଼ିଶାର ବିଭିନ୍ନ ସ୍ଥାନ ପରେ ଭାରତର କେତେକ ପ୍ରସିଦ୍ଧ ସ୍ଥାନରେ ଖୋଜି ବୁଲୁଛି । ଶେଷକୁ ଏକ ସ୍ଥାନରେ ଜନୈକ ସମ୍ବେଦନଶୀଳ ବ୍ୟକ୍ତିକୁ ମଉସା ବୋଲି ସମ୍ବୋଧନ କରି ନିଜର ସମସ୍ତ ଦୁଃଖ କାହାଣୀ କହିଛି । ମଉସା ଚଢ଼େଇଆଣୀକୁ ଚିହ୍ନିବା ପାଇଁ ରୂପ ଆଦି ପଚାରିଛି । ତା’ର ଉତ୍ତରରେ ଚଢ଼େଇଆ–ଚଢ଼େଇଆଣୀର ଉଚ୍ଚତା, ବର୍ଣ୍ଣ, ଅଳଙ୍କାର ଏବଂ ଚକ୍ଷୁ, ନାସିକା ଭୂରୁଲତା, ଗଣ୍ଡଦେଶ, ଅଙ୍ଗୁଳି, ନଖ, ହସ, ମୁଖ ଆଦି ବର୍ଣ୍ଣନା କରିଛି ।

 

‘‘ପଦ୍ମଫୁଲ ପରି ବଦନ ତାହାର

      ଦେହ ତା’ ଚମ୍ପା ବରନ

କଇଁଫୁଲ ହସ ଗୌର ଅଙ୍ଗବାସ

      ଭ୍ରୁଲତା କାମ କମାଣ ।’’

 

ମଉସା ସମବେଦନା ଜଣାଇ ଗାଁର ଚୌକିଦାରକୁ ଖବର ଦେଲେ ଚଢ଼େଇଆଣୀର ଖୋଜ୍ ନେବାକୁ । ଚଢ଼େଇଆଣୀ ମଧ୍ୟ ଚଢ଼େଇଆର ସନ୍ଧାନରେ ବିଭିନ୍ନ ସ୍ଥାନ ଭ୍ରମଣ କରି ଖୋଜି ଖୋଜି ନପାଇ ଘୂରି ବୁଲିଛି । ଦୁହେଁ ଦୁହିଁଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଖୋଜି ବୁଲିବାକୁ ‘ମୁଲକଫେରି’ ବୋଲି କୁହାଯାଏ । ଚଢ଼େଇଆଣୀ ବିଭିନ୍ନ ସ୍ଥାନରେ ଖୋଜିବୁଲି ପରିଶେଷରେ ସେ ସେହି ମଉସା ନିକଟରେ ନିଜର ସମସ୍ତ ଦୁଃଖ କାହାଣୀ କହି ବସିଛି । ମଉସା ପୁଣି ଚଢ଼େଇଆର ରୂପ ଆଦି ପ୍ରଶ୍ନ କରିବାରୁ ସେ କହିଛି–

 

‘‘ହାତେ ନଳ ବିନ୍ଧା, କାନ୍ଧେ ଝୁଲି, ପେଡ଼ା

ବେକରେ ତାବିଜ୍‌ମାଳ ଡଗମାଳିଆ

ମୋ ଗଳାମାଳିଆ, ଅମୃତ ସମାନ ଉର ।

କୁଞ୍ଚ କୁଞ୍ଚ କେଶ’

କେଣେ କରିବ ଗଲା ନିରାଶ–’’ ଇତ୍ୟାଦି ।

 

ତା’ପରେ ମଉସା ପୂର୍ବୋକ୍ତ ଚୌକିଦାର ନିକଟରେ ତାକୁ ଜିମା ଦେଇଛନ୍ତି । ଦିନେ ଚଢ଼େଇଆ ମଉସାଙ୍କ ନିକଟକୁ ଆସି ଚଢ଼େଇଆଣୀର ସନ୍ଧାନ ପାଇଲେ କି ନାହିଁ ପ୍ରଶ୍ନ ପଚାରିଛି । ମଉସା ଗାଁ ଚୌକିଦାର ନିକଟରେ ସେହିପରି ଏକ ନାରୀକୁ ଜିମା ଦିଆଯାଇଛି ବୋଲି କହିଛନ୍ତି ଓ ଚଢ଼େଇଆଣୀକୁ (ଯିଏକି ତାହାର ଏବେ ଧର୍ମଭଗ୍ନୀ) ନେଇ ଆସିବାରୁ ଚଢ଼େଇଆ ଚଢ଼େଇଆଣୀ ପରସ୍ପରକୁ ଚିହ୍ନିଲେ ମଧ୍ୟ ଚଢ଼େଇଆଣୀ ଚଢ଼େଇଆ ସଙ୍ଗରେ ଘରକୁ ଫେରିବାକୁ ଅସମ୍ମତ ହେଲା । ଚଢ଼େଇଆଣୀର ସର୍ତ୍ତ ହେଲା–ତା’ର ପ୍ରଶ୍ନର ଯଦି ଯଥାର୍ଥ ଉତ୍ତର ଚଢ଼େଇଆ ଦେଇପାରେ ତେବେ ସେ ତା’ ସଙ୍ଗରେ ଘରକୁ ଯିବ । ପ୍ରଶ୍ନଛଳରେ ଚଢ଼େଇଆଣୀ ତା’ର ନାମ, ବିବାହ ପ୍ରସଙ୍ଗ ଓ ବିଭିନ୍ନ ପୌରାଣିକ ଆଖ୍ୟାନ ସଂପୃକ୍ତ ପ୍ରଶ୍ନମାନ ପଚାରିଛି । ଏହିପରି ଅନେକ ସମୟ ଧରି ଚାଲିଲା ପରେ ପରିଶେଷରେ ଚଢ଼େଇଆଣୀ ଚଢ଼େଇଆ ସଙ୍ଗରେ ଘରକୁ ଯିବାକୁ ସ୍ୱୀକୃତି ହୋଇଛି । ଧର୍ମଭ୍ରାତା ଚୌକିଦାର ତାକୁ ବିଦାୟ ଦେଇଛି ଏବଂ ଓଡ଼ିଆଣୀ ପରି ସେ ଧର୍ମଭ୍ରାତା ବାହୁନି ବିଦାୟ ନେଇଛି । ସ୍ଥୂଳତଃ ଏହାହିଁ ‘ଚଢ଼େଇଆ ଚଢ଼େଇଆଣୀ ନାଟ’ର ବିଷୟବସ୍ତୁ ।

 

ମାତ୍ର ଫୁଲବାଣୀ, ବୌଦ, କନ୍ଧମାଳ ଅଞ୍ଚଳରେ ଯେଉଁ ଚଢ଼େଇଆ ଚଢ଼େଇଆଣୀ ନାଟ ଦେଖାଯାଏ, ତାହା କେବଳ ବିଷୁବସଂକ୍ରାନ୍ତି ଉପଲକ୍ଷେ ବା ତାହା ପୂର୍ବରୁ ଅନୁଷ୍ଠିତ ‘ଦଣ୍ଡନାଟ’ ପରେ ପରେ ଅନୁଷ୍ଠିତ ହୁଏ । ଏଥିରେ ପ୍ରଥମେ ଚଢ଼େଇଆ ଚଢ଼େଇଆଣୀ ଢୋଲ ଓ ମହୁରୀ ତାଳରେ ଆସି ନୃତ୍ୟ କରନ୍ତି । ତା’ପରେ ଚଢ଼େଇଆ ଚଢ଼େଇଆଣୀଠାରୁ ବିଦାୟ ନେଇ ଜଙ୍ଗଲକୁ ଶିକାର କରିବାପାଇଁ ଯାଏ । ଚଢ଼େଇ ଶିକାର କରୁଁ କରୁଁ ତାକୁ ସର୍ପ ଦଂଶନ କରେ ଏବଂ ଦୁଇଜଣ ସାପୁଆକେଳା ‘‘ଅଇଲୁ ଆମେ ସାପୁଆ ଭାଇ’’ କହି ଆସି ମନ୍ତ୍ରଦ୍ୱାରା ତା’ ଦେହରୁ ବିଷ ବାହାର କରିବାକୁ ଚେଷ୍ଟା କରନ୍ତି । ମାତ୍ର ସେମାନେ ବିଫଳ ହୁଅନ୍ତି ଓ ଚଢ଼େଇଆର ମୃତ୍ୟୁ ହୁଏ । ଚଢ଼େଇଆଣୀ ଜଙ୍ଗଲରେ ନିଜ ସ୍ୱାମୀର ଶବ ଦେଖି ବାହୁନି ଉଠେ ଓ ସଖୀମାନେ ଆସି ତାକୁ ସାନ୍ତ୍ୱନା ଦିଅନ୍ତି । ଏହିପରି ଏକ କରୁଣାତ୍ମକ ପରିବେଶ ମଧ୍ୟରେ ଚଢ଼େଇଆ–ଚଢ଼େଇଆଣୀ ନାଟ ସମାପ୍ତ ହୁଏ ।

 

ଏଥିରେ ଚଢ଼େଇଆ ନାୟକ ଓ ଚଢ଼େଆଣୀ ନାୟିକା, ଏହି ଦୁଇଟି ମୁଖ୍ୟ ଚରିତ୍ର ବ୍ୟତୀତ ଚୈକିଦାର ଓ ମଉସା ଦୁଇଟି ଗୌଣ ଚରିତ୍ର । ପୁନଶ୍ଚ ମଉସା ଚରିତ୍ରଟି ଏକ Stock Character । ଏହି Stock Character କଥାଟି ବେତାର ନାଟକ କ୍ଷେତ୍ରରେ ଖୁବ ପ୍ରଚଳିତ । ମଉସା ବେଶ ପୋଷାକ ହେବାର ଆବଶ୍ୟକ ପଡ଼େ ନାହିଁ । କାରଣ ବାଦ୍ୟକାରୀମାନଙ୍କ ମଧ୍ୟରେ ଜନୈକ ବୟସ୍କ ବାଦକ ଏହି ଭୂମିକା ମଧ୍ୟ କରିଥାଏ । କେତେକ କ୍ଷେତ୍ରରେ ମଉସା ଏକ ସ୍ୱତନ୍ତ୍ର ଚରିତ୍ର ରୂପରେ ଅଭିନୟ କରିଥାନ୍ତି । ମାତ୍ର ଏତିକି ଲକ୍ଷ୍ୟ କରିବାର କଥା ଯେ ସେ ବୟୋଜ୍ୟେଷ୍ଠ ହେବା ଉଚିତ । କଥାଟିକୁ ପଲ୍ଲୀର ଅଶିକ୍ଷିତ ଦର୍ଶକ ସମ୍ପୂର୍ଣ୍ଣରୂପେ ଯେପରି ବୁଝି ପାରିବେ, ସେଥିପାଇଁ ଏହି ମଉସା ଚରିତ୍ରଟି ସାହାଯ୍ୟ କରିଥାଏ । ତେଣୁ କେତେକ କ୍ଷେତ୍ରରେ ଏହା ସୂତ୍ରଧରର ଭୂମିକା ଗ୍ରହଣ କରେ । ଏହି ଚରିତ୍ରଟି ନାୟକ ଚଢ଼େଇଆ ଓ ନାୟିକା ଚଢ଼େଇଆଣୀର ମିଳନ ଦିଗରେ ଏକ ସଂଯୋଜକର କାର୍ଯ୍ୟ କରିଛି । ଏହି ମଉସା ଚରତ୍ରଟି ଯେପରି ଚତୁର ସେହିପରି ହାସ୍ୟରସ ସୃଷ୍ଟି କରିବା ପାଇଁ ଉପଯୁକ୍ତ ହେବା ଆବଶ୍ୟକ ।
 

ଚୈାକିଦାର ଚରିତ୍ରଟି ଏକ ହାସ୍ୟୋଦ୍ଦୀପକ ଚରିତ୍ର । ହାସ୍ୟରସ ସୃଷ୍ଟି କରିବା ତାହାର ମୁଖ୍ୟ ଲକ୍ଷ୍ୟ । ପୁଣି ନାୟକ ନାୟିକାର ମିଳନ କ୍ଷେତ୍ରରେ ତା’ର ଭୂମିକାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ । ଅନ୍ୟାନ୍ୟ ଗୌଣ ଚରିତ୍ର ମଧ୍ୟରେ ଦାସକାଠିଆ, ଦ୍ୱୈତ ନୃତ୍ୟ, ସମବେତ ନୃତ୍ୟ ପାଇଁ ପାତ୍ରପାତ୍ରୀମାନେ ସ୍ଥଳବିଶେଷରେ ଦେଖାଯାଆନ୍ତି । ଅପେରାପାର୍ଟିରେ ପୁରୁଷମାନେ ନାରୀ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ।

 

ସଙ୍ଗୀତ ଓ ନୃତ୍ୟ

‘ଚଢ଼େଇଆ–ଚଢ଼େଇଆଣୀ ନାଟ’ ଏକ ସଙ୍ଗୀତ ପ୍ରଧାନ ନାଟ୍ୟାନୁଷ୍ଠାନ । ଏହାକୁ ‘ସୁଆଙ୍ଗ’ କହିଲେ ଭୁଲ ହେବ ନାହିଁ । ମଉସା ବ୍ୟତୀତ ଅନ୍ୟମାନେ ସମସ୍ତେ ଗୀତ ବୋଲିଥାନ୍ତି । ପ୍ରଥମେ ଚଢ଼େଇଆ ଆସି ଚାରିଦିଗ ଓ ସାରଳାଙ୍କୁ ବନ୍ଦନାକରି ଅଭିନୟ ନିର୍ବିଘ୍ନରେ ସୂଚାରୁରୂପେ ଶେଷ ହେଉ ବୋଲି ପ୍ରାର୍ଥନା କରେ । ଚରିତ୍ର ଗୁଡ଼ିକର ସଂଳାପ ସଙ୍ଗୀତରୂପେ ସ୍ଥାନ ପାଇଥାଏ । ସୁଆଙ୍ଗ ପରି ଚୌକିଦାର ନିଜର ପରିଚୟ ଦେଇ ଗୀତ ଗାଇ ଗାଇ ଭିତରୁ ଆସେ–

 

‘‘କରିବି ନାହିଁ ଏ ଚାକିରି,            ଚୌକିଦାରୀ (ହୋ)

ବ୍ରିଟିଶ ଅମଳ,            ଆଇନ ପ୍ରବଳ

ନଥିଲା ଏତେ ଜାରୀ–’’

 

ପ୍ରତ୍ୟେକ ଗୀତ ବିଭିନ୍ନ ରାଗ–ରାଗିଣୀ ଓ ତାଳରେ ରଚିତ । ଚଢ଼େଇଆ ଗୀତ ବୋଲିଲାବେଳେ ଅଭିନୟ କରେ । ମାତ୍ର ନାୟିକା ଚଢ଼େଇଆଣୀ ନୃତ୍ୟ ଓ ଅଭିନୟ ଉଦୟ କରେ-। ପ୍ରାରମ୍ଭରେ ଅଥବା ଦର୍ଶକଙ୍କ କ୍ଲାନ୍ତି ଦୂର କରିବା ପାଇଁ ମଝିରେ ମଝିରେ ଦ୍ୱୈତ ସଙ୍ଗୀତ ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥାଏ ।

 

ସଂଳାପ

ସଂଳାପ ଗୁଡ଼ିକ ସଙ୍ଗୀତର ମର୍ମକୁ ଅନୁସରଣ କରୁଥିବାରୁ ଏହାକୁ ଲେଖିବାର ଆବଶ୍ୟକତା ନାହିଁ ବୋଲି ମନେ କରାଯାଏ, ତେଣୁ ଯେତୋଟି ପାଣ୍ଡୁଲିପି ଏହି ସମାଲୋଚକର ହସ୍ତଗତ ହୋଇଛି, ସେସବୁ ଗୁଡ଼ିକରେ ଏହି ସଂଳାପ ଗୁଡ଼ିକର ଉଲ୍ଲେଖ ନାହିଁ । ମଉସା ଓ ଚୌକିଦାର ଦୁହିଁଙ୍କ ସଂଳାପ ସଙ୍ଗୀତର ମର୍ମକୁ ଅନୁସରଣ କରି ନଥାଏ । ତେଣୁ ଏହି ସଂଳାପ ଗୁଡ଼ିକ ଖୁବ ଗୁରୁତ୍ୱପୂର୍ଣ୍ଣ । ସମୟ ସମୟରେ ପଲ୍ଲୀର ସାଧାରଣ ଦର୍ଶକଙ୍କର ଅବବୋଧ ପାଇଁ ମଉସା ନିଜ ସଂଳାପରେ ଚଢ଼େଇଆ ବା ଚଢ଼େଇଆଣୀ ବୋଲିଥିବା ଗୀତର ମର୍ମକୁ ସରଳ ଭାଷାରେ ବୁଝାଇ ଦିଅନ୍ତି ।

 

ପୋଷାକ

ନାୟକ ଚଢ଼େଇଆ ଚିତ୍ର–ବିଚିତ୍ର ଲୁଗା ଉପରେ ଛିଟ ରଙ୍ଗର ପଞ୍ଜାବୀ ପିନ୍ଧିଥାଏ । ହାତରେ ନଳ, କାନରେ କୁଣ୍ଡଳ, ବେକରେ ପୋହଳାର ହାର, ମୁଣ୍ଡରେ ଚଢ଼େଇ ପରରେ ତିଆରି ଟୋପି ଏବଂ ହାତରେ ଖଣ୍ଡେ ରଙ୍ଗୀନ ରୁମାଲ ଥାଏ ।

 

ନାୟିକା ଚଢ଼େଇଆଣୀ ଛିଟ ରଙ୍ଗର ଶାଢ଼ୀ ଓ ବ୍ଲାଉଜ ସହିତ ମୁଣ୍ଡରେ ଚଢ଼େଇ ପର ଓ ଡାଳ ଖୋସିଥାଏ । ଦେହରେ ବିଭିନ୍ନ ରୂପାଳଙ୍କାର । ତାକୁ ନୃତ୍ୟ କରିବାକୁ ପଡ଼ୁଥିବାରୁ ଦୁଇପାଦରେ ଘୁଙ୍ଗୁର ବନ୍ଧା ଯାଇଥାଏ । ହାତରେ ଖଣ୍ଡେ ରଙ୍ଗୀନ ରୁମାଲ ମଧ୍ୟ ଧରିଥିବାର ଦେଖାଯାଏ ।

 

ମଉସା ସାଧାରଣ ପୋଷାକରେ ଥାଆନ୍ତ ଏବଂ ଚୌକିଦାର ଚୌକିଦାର ପୋଷାକ ସହିତ ସର୍କସର ଜୋକର ପରି ମୁହଁକୁ ଚିତ୍ର–ବିଚିତ୍ର କରିଥାଏ । ସ୍ୱଳ୍ପ ପୋଷାକ ପତ୍ରରେ ଏହାର ଅଭିନୟ ସମ୍ଭବ ହେଉଥିବାରୁ ଏହା ପ୍ରଯୋଜକଙ୍କ ପକ୍ଷରେ ଅପେକ୍ଷାକୃତ ସହଜ ହୁଏ ।

 

ରଙ୍ଗମଞ୍ଚ ଓ ବାଦ୍ୟଯନ୍ତ୍ର

‘ଯାତ୍ରା’ ପାଇଁ ଯେଉଁ ମୁକ୍ତ ରଙ୍ଗମଞ୍ଚ ଆବଶ୍ୟକ ଏହାର ମଧ୍ୟ ତଦନୁରୂପ ରଙ୍ଗମଞ୍ଚ ଆବଶ୍ୟକ ବେଶ ରଚନା ଗୃହ (Green Room) ଅଦୂରରେ ଥାଏ । ଚାରୋଟି ପେଟ୍ରୋମକ୍‌ସ, ସମାଇନା ଓ ଖଣ୍ଡିଏ ବଡ଼ ଦରି ଉପରେ ଅନାୟସରେ ଏହା ଅଭିନୀତ ହୋଇପାରେ । ରଙ୍ଗମଞ୍ଚ ଦିଗରୁ ମଧ୍ୟ ଏହା ଖୁବ ସରଳ ଓ ସହଜ ।

 

‘ଯାତ୍ରା’ରେ ଯେଉଁ ବାଦ୍ୟଯନ୍ତ୍ରମାନ ବ୍ୟବହାର କରାଯାଇଥାଏ, ସେହିସବୁ ବାଦ୍ୟଯନ୍ତ୍ର ଏଥିରେ ମଧ୍ୟ ବ୍ୟବହୃତ ହୁଏ । ମାତ୍ର, ଏଠାରେ ଢ଼ୋଲକି ଓ ହାରମୋନିୟମର ଭୂମିକା ସ୍ୱତନ୍ତ୍ର ପରି ମନେହୁଏ । ସବୁଠାରୁ ବଡ଼କଥା ହେଲା–ଏହି ବାଦ୍ୟକାରୀମାନେ ଚଢ଼େଇଆ ଓ ଚଢ଼େଇଆଣୀ ଗୀତର ପାଳିଧରି ବୋଲନ୍ତି । ତେଣୁ ଏଠାରେ ବାଦକମାନେ କେବଳ ବିଭିନ୍ନ ବାଦ୍ୟଯନ୍ତ୍ରମାନ ବଜାନ୍ତି ନାହିଁ, ନିଜେ ଗୀତ ମଧ୍ୟ ବୋଲନ୍ତି ।

 

ରଚନା ଶୈଳୀ

ପୁରପଲ୍ଲୀର ସାଧାରଣ ଜନତା ଏହି ନାଟର ଦର୍ଶକ ହେଲେ ମଧ୍ୟ ଏହାର ସଙ୍ଗୀତ ରଚନାରେ କବିର ଦକ୍ଷତା ସ୍ମରଣଯୋଗ୍ୟ । କବି ବିରହ ବର୍ଣ୍ଣନା ଦିଗରେ ସିଦ୍ଧହସ୍ତ । ପ୍ରାଚୀନ ଓଡ଼ିଆ ସାହିତ୍ୟର ନାୟକ–ନାୟିକାର ବିରହ ବର୍ଣ୍ଣନା ସହିତ ଏହା ତୁଳନୀୟ । ଚନ୍ଦ୍ରଭାଗା ମେଳାରେ ନାୟିକା ଚଢ଼େଇଆଣୀକୁ ହଜାର ବସାଇ ନାୟକ ଚଢ଼େଇଆ ବିରହ ଜ୍ୱଳାରେ ଜର୍ଜରିତ ହୋଇ ଉଠିଛି । ଯାହାର ବିରହ ମନକୁ ବେଦନା ଦିଏ ତା’ର ରୂପ ଓ ବ୍ୟବହାର ଆଦି ସ୍ମୃତି ପଥରେ ବାରମ୍ବାର ଉଙ୍କିମାରେ । ସେହି କଥା ସ୍ମରଣ କରି ସେ ବାହୁନି ଉଠେ, ସେହିପରି ଚଢ଼େଇଆ ବିରହ ବିଦଗ୍‌ଧ କଣ୍ଠରେ ଗାଇ ଉଠିଛି–

 

‘‘ତୋ ଲାବଣ୍ୟ ରୂପ ଠାଣୀ            ଆହାରେ ନବ ତରୁଣୀ

ଝୂରିମରେ ତୋର ଗୁଣଗୁଣି

ବୀଣାଜିଣା ତୋର ବାଣୀ            ବଚନ କୋକିଳ ଜିଣି

ଫାଟି ଯାଉଅଛି ଛାତି ପୁଣିରେ ।

 

ଯୁଗେ ଯୁଗେ ଋତୁରାଜ ବସନ୍ତ ବିରହୀମାନଙ୍କ ଅନ୍ତରରେ ବିରହ ବେଦନାକୁ ଦ୍ୱିଗୁଣିତ କରିଛି । ମଳୟର ସ୍ପର୍ଶ ବିରହୀକୁ ମତୁଆଲା କରେ । ତେଣୁ ଚଢ଼େଇଆର ଅନ୍ତରାତ୍ମା ବାହୁନି ଉଠେ–ଚଢ଼େଇଆଣୀକୁ ସ୍ମରଣ କରି–

 

‘‘ଆରେ ଚମ୍ପାଗୋରୀ            ଛଳ ନାଗରୀ

କେଣେ ଗଲୁରେ ନବୀନା,

ମଳୟ ପବନ            ଅଟୁ ମୋ ଯୌବନୀ

ନ ଘେନିଲୁ ମୋର ମନା ଗୋ ।’’

 

ପ୍ରେମିକାର ବିରହରେ ପ୍ରେମିକ ବୈରାଗୀ ସାଜେ । ଏପରିକି ତା’ପାଇଁ ଯୋଗୀବେଶ ସାଜି ଥାଳି ଧରିବାକୁ ମଧ୍ୟ ଆଗେଇ ଆସେ । ସେଥିପାଇଁ ସେ କହିଛି–

 

‘‘ତୋର ପାଇଁ ଥାଳ ଘେନି ମୁଁ ବୁଲିବି

ତୋ ପାଇଁ ମୁଁ ବଇରାଗୀ...’’

 

ଏଥିରୁ ଦୁହିଁଙ୍କର ଦାମ୍ପତ୍ୟ ଜୀବନର ମଧୁର ପ୍ରଣୟ ସୂଚିତ ହୁଏ । ଏଠାରେ ଅନ୍ୟ ଲକ୍ଷ୍ୟ କରିବାର କଥା ହେଲା–ଚଢ଼େଇଆର ବିରହ ବେଦନା ଯେତେ ପରିମାଣରେ ପ୍ରକାଶ ପାଉଛି, ଚଢ଼େଇଆଣୀର ସେତେ ପରିମାଣରେ ପାଇନାହିଁ । ଏକଥା ନୁହେଁ ଯେ ସେ ନାୟକଠାରୁ କମ ବିରହ ବ୍ୟଥା ଅନୁଭବ କରୁଥିଲା, ମାତ୍ର ସେ ଲଜ୍ଜାଶୀଳା ହେତୁ ନିଜର ବିରହ ବେଦନାକୁ ପ୍ରକାଶ କରି ପାରିନାହିଁ ସ୍ୱଚ୍ଛନ୍ଦ ଭାବରେ । ଏଠାରେ ଓଡ଼ିଶାର ଜଣେ ଲଜ୍ଜାଶୀଳା ପଲ୍ଲୀ ନାରୀର ଚିତ୍ରକୁ କବି ସମ୍ମୁଖରେ ରଖିଛନ୍ତି । ସୁତରାଂ ଏହା ଯେପରି ଜୀବନ୍ତ, ସେହିପରି ମନୋଜ୍ଞ ମଧ୍ୟ ।

 

ଦ୍ୱିତୀୟତଃ ରୂପ ବର୍ଣ୍ଣନାରେ କବି ପାରଦର୍ଶିତା ଲାଭ କରିଥିବାର ଜଣାଯାଏ । ରୂପ ବର୍ଣ୍ଣନା ଯେପରି ପୁଙ୍ଖାନୁପୁଙ୍ଖ, ସେହିପରି କବି କଳ୍ପନାରେ ସୁସମୃଦ୍ଧ । ଉପମାଗୁଡ଼ିକ ଯେପରି ସୁନିର୍ବାଚିତ, ସେହିପରି ଆକର୍ଷଣୀୟ ମଧ୍ୟ । ମଉସାର ପ୍ରଶ୍ନରେ ଚଢ଼େଇଆ ଚଢ଼େଇଆଣୀର ରୂପ ବର୍ଣ୍ଣନା କରି କହିଛି–

 

‘‘ପିପ୍‌ପଳୀ ଅଙ୍ଗୁଷ୍ଠି, ନଖ ଗୁଜୁରାତି

      ଭ୍ରୁଲତା ଅଟେ ମରିଚ ।

ତା’ର ଆଖିଠରା ଅଟଇ ମହୁରା

ନେତ୍ର ତା’ର ଅଳାଇଚ ଗୋ ।’’

 

ମୁଖମଣ୍ଡଳର ଶୋଭା, ଦେହର ବର୍ଣ୍ଣ, ପରିଧାନ, ଭ୍ରୁଲତାର ବର୍ଣ୍ଣନା ଦେବାକୁ ଯାଇ ସେ ଗାଇଛି–

 

‘‘ପଦ୍ମଫୁଲ ପରି ବଦନ ତାହାର

      ଦେହ ତା ଚମ୍ପା ବରନ

କଇଁଫୁଲ ହସ, ଗୌର ଅଙ୍ଗ ବାସ,

      ଭ୍ରୂଲତା କାମ କମାଣ ।’’

 

ଚଢ଼େଇଆଣୀ ଚିତାକୁଟା ଗୀତ ଗାଇ ଯେତେବେଳେ ପହଞ୍ଚିଛି, ସେତେବେଳେ ତା’ର ଗୀତରେ ମଧ୍ୟ କବି କଳ୍ପନାର ମଧୁର ସ୍ପର୍ଶ ରହିଛି ।

 

‘‘ଜଳରେ ପୁଷ୍ପକ ରାଜ, ଫୁଟଇ ପଙ୍କଜ

ଯତନରେ ଜାନୁପରେ କୁଟି ଦେବି ଆଜ

ଭୃଙ୍ଗ ପଂକ୍ତି ଗୋ,

ତହିଁ ପରେ କ୍ରୀଡ଼ୁଥିବେ ମତି ଗୋ ।’’

 

ପଙ୍ଖାନୁପୂଙ୍ଖ ରୂପ ବର୍ଣ୍ଣନାରେ ଏହାର ରଚୟିତା ଖୁବ ସିଦ୍ଧହସ୍ତ । ଯେତେବେଳେ ନାୟିକା ଚଢ଼େଇଆଣୀ ମଉସାର ପ୍ରଶ୍ନରେ ଚଢ଼େଇଆର ରୂପ ବର୍ଣ୍ଣନା କରିଛି, ସେତେବେଳେ କବି ଏହି ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କରିବାର ଶକ୍ତିକୁ କିପରି ବିନିଯୋଗ କରିଛନ୍ତି ତାହାର ପ୍ରମାଣ ମିଳେ ।

 

‘‘ହାତେ ଚୈତନ୍ୟ ବାଡ଼ିକି ଧରିଣ ବୟସ ହେବ ଚାଳିଶ

କାନରେ କୁଣ୍ଡଳ, ହାତେ ସୁଇମାଳ

ପୁହୁଳା ମାଳିଆ ବେଶ (ହେ)

ଲୁଗାପିନ୍ଧେ ନିଳିଆ, ତନୁଗୋରା ନୁହଇ କାଳିଆ ।’’

 

ଭାଷା

ନାଟ୍ୟ ସାହିତ୍ୟ କ୍ଷେତ୍ରରେ ଭାଷାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ ଦୈନନ୍ଦିନ ଜୀବନରେ ଆମ ମୁଖର ପ୍ରକୃତ ଭାଷା ଏଥିରେ ପ୍ରତିଧ୍ୱନିତ ହୋଇଥାଏ । କାବ୍ୟ, କବିତା ଆଦିରେ ହୁଏତ ସାର୍ବଜନୀନ ଭାଷା ବ୍ୟବହୃତ ହୋଇନପାରେ । କିନ୍ତୁ ନାଟକରେ ସାର୍ବଜନୀନ ପାତ୍ରମୁଖୀ ଭାଷା ଗ୍ରହଣ ନକଲେ ତାହା ଯେପରି ସ୍ୱାଭାବିକତା ହରାଇ ବସେ, ସେହିପରି ଆକର୍ଷଣୀୟ ମଧ୍ୟ ହୋଇପାରେନା । ଆମେ ଏପରି କଥାକୁ ଅଭିନେତା ଅଭିନେତ୍ରୀଙ୍କ ମୁହଁରେ ଶୁଣିଥାଉଁ । ତେଣୁ ସେମାନେ ଆମଠୁ ଦୂରେଇ ଯାଇ ପାରନ୍ତି ନାହିଁ । ଅଧିକନ୍ତୁ ସେମାନଙ୍କ ମଧ୍ୟରେ ଆମେ ନିଜକୁ ଦେଖି ପାରୁ । ଅତଏବ ନାଟକର ଭାଷା କିପରି ଆମର ଅତି ଆପଣାର ଭାଷା ଏଥିରୁ ସୁସ୍ପଷ୍ଟ ହୁଏ । ଆଲୋଚ୍ୟ ‘ଚଢ଼େଇଆ–ଚଢ଼େଇଆଣୀ ନାଟ’ର ଭାଷା ମଧ୍ୟ ସେହିପରି ସର୍ବଜନବୋଧ୍ୟ ଓ ସାବଲୀଳ । ପୁରପଲ୍ଲୀର ଅଶିକ୍ଷିତ ବା ଅଳ୍ପଶିକ୍ଷିତ ଦର୍ଶକମାନଙ୍କୁ ଯେପରି ଏହା ଆନନ୍ଦ ପ୍ରଦାନ କରିପାରିବ, ସେଥିପାଇଁ ଏହାର ରଚୟିତା ଖୁବ ସତର୍କ ଥାଆନ୍ତି । ତଥାପି କେତୋଟି ପ୍ରାଚୀନ ଶବ୍ଦକୁ ଏଥିରେ ପ୍ରୟୋଗ କରାଯାଇଥିବାର ଦେଖାଯାଏ । ଯଥା–‘ଯୋଷାମଣି’, ରାମା, ଘନଜଘନା ଇତ୍ୟାଦି । ବାସ୍ତବତାର ଅନୁରୋଧରେ କେତୋଟି ଶବ୍ଦର ବିକୃତ ଅପଭ୍ରଷ୍ଟ ରୂପର ପ୍ରୟୋଗ ମଧ୍ୟ ଦେଖିବାକୁ ମିଳେ । ଯଥା–ମହୁଦଧି (ମହୋଦଧି), ସୋଏମ୍ବର (ସ୍ୱୟମ୍ବର), ନୋଟିସି, ରିଲିଫି, ପଞ୍ଚାଏତ୍ ଇତ୍ୟାଦି । ବିଶେଷତଃ ଅଶିକ୍ଷିତ ବା ଅଳ୍ପ ଶିକ୍ଷିତ ବ୍ୟକ୍ତି ଏହାକୁ ବୋଲୁଥିବା ବୋଳୀ ତାହା ଉଚ୍ଚାରଣବେଳେ ଭିନ୍ନରୂପ ଧାରଣ କରିଯାଏ । ଗୋଟିଏ ବିଷୟ କିନ୍ତୁ ଲକ୍ଷ୍ୟ କରିବାର କଥା ଯେ ଶବର ବା ଆଦିବାସୀ ଭାଷା ଏଥିରେ ବ୍ୟବହୃତ ହୋଇନାହିଁ ଯଦିଚ ପାତ୍ରପାତ୍ରୀ, ବିଷୟବସ୍ତୁ ଏବଂ ବର୍ଣ୍ଣନା ଆଦି ସବୁ ଦୃଷ୍ଟିରୁ ଶବର ଜାତିର ଜୀବନକୁ କେନ୍ଦ୍ରକରି ଏହାର ସୃଷ୍ଟି ହୋଇଛି । ଏହାର କାରଣ ଅନୁମାନ କରାଯାଇପାରେ ଯେ କେଉଁ ଏକ ସୁଦୂର ଅତୀତରେ ଶବର ଜାତି ମଧ୍ୟରେ ହୁଏତ ଏହିପରି ଏକ ନାଟର ଆରମ୍ଭ ହୋଇଥିଲା । ସମୟ କ୍ରମେ ଯୁଗର ରୁଚିରେ ପରିବର୍ତ୍ତନ ହୋଇ ତାହା ଆଜି ଏପରି ସ୍ତରରେ ଉପନୀତ ହୋଇଛି । ମାତ୍ର ଚରିତ୍ରଗୁଡ଼ିକ ସେହିପରି ଅପରିବର୍ତ୍ତିତ ହୋଇ ରହିଯାଇଛନ୍ତି । କିନ୍ତୁ ବେଶ ପୋଷାକରେ ଆଧୁନିକ ରୁଚିର ସ୍ପର୍ଶ ପରିଲକ୍ଷିତ ହେଉଛି । ସ୍ଥୂଳତଃ, ଏତିକି କହିଲେ ଯଥେଷ୍ଟ ହେବ ଯେ ଏହାର ଭାଷା–ଗାଁ ତୁଠର ଭାଷା । ଯେପରି ଏହା ସରଳ, ସାର୍ବଜନୀନ, ସେହିପରି ଏହାର ଭାବ ମଧ୍ୟ ବେଶ୍ ହୃଦୟଗ୍ରାହୀ । ତେଣୁ ବିଲରେ ହଳ କରୁଥିଲାବେଳେ, ଗାଁ–ଗୋହିରୀରେ ଶଗଡ଼ ଚଳାଉଥିଲାବେଳେ ପଲ୍ଲୀର ସରଳ, ନିରାଡ଼ମ୍ବର କୃଷକ ପଦେ ସଦେ ଗାଇ ଉଠେ–

 

‘‘କହୁଛି ମଉସା ଶୁଣନ୍ତୁ ମୋର ଦୁଃଖ ଦୁର୍ଦ୍ଦଶା

ନୀଳାଞ୍ଚଳଠାରୁ ଖୁଜୁଲି ତେର ଜିଲ୍ଲା ଓଡ଼ିଶା ।’’

 

X      X      X

କରିବି ନାହିଁ ଏ ଚାକିରି ଚୌକିଦାରୀ (ହୋ)

ବ୍ରିଟିଶ ଅମଳ ଆଇନ–ପ୍ରବଳ

ନ ଥିଲା ଏତେ ଜାରୀ–’’

 

X      X      X

‘‘ଆସ ଗୋ ସହି ସଙ୍ଗାତ କୋଟି ଦେବି ଚିତା

ମୋର ଚିତା ଗୋଟି ଖଣ୍ଡେ ଜଗତେ ଶୋଭିତା ।’’

 

ଲୋକ ଜୀବନର ଚିତ୍ର :

ନାଟ୍ୟକଳା ମୁଖ୍ୟତଃ ଆନନ୍ଦ ପ୍ରଦାନ କଲେ ମଧ୍ୟ ସେହି ଆନନ୍ଦ ମଧ୍ୟଦେଇ ଲୋକ ଜୀବନର ଚିତ୍ର ଆଙ୍କି ବସେ । ଫଳରେ ନାଟ୍ୟକଳା ଅଧିକ ସମାଜ ସଚେତନ ହୋଇଉଠେ । ଲୋକ ଜୀବନର ସୁଖ ଓ ଦୁଃଖରେ କାହାଣୀ ମଧ୍ୟରେ ଜୀବନକୁ ଅନୁଧ୍ୟାନ କରି ଗଢ଼ି ତୋଳିବାର ଯେଉଁ ସ୍ୱାକ୍ଷର ରହିଥାଏ, ତାହାହିଁ ନାଟ୍ୟକଳାର ଚରମ ଉଦ୍ଦେଶ୍ୟ । ତେଣୁ ଜୀବନ ଏଠାରେ କେବଳ ଏକ ବର୍ଣ୍ଣନୀୟ ବିଷୟ ନୁହେଁ, ଅଧିକନ୍ତୁ ଜୀବନକୁ ନୂତନ ସନ୍ଦେଶ ଦେଇ ଗଢ଼ି ତୋଳିବାର ଅପୂର୍ବ ପ୍ରୟାସ । ଅତଏବ କାବ୍ୟ, କବିତା ଅପେକ୍ଷା ନାଟକରେ ଅଧିକ ସମାଚେତନ ଓ ଲୋକଜୀବନ ସହିତ ଓତଃପ୍ରୋତ ଭାବରେ ଜଡ଼ିତ । ଏହି ପରିପ୍ରେକ୍ଷୀରେ ଆଲୋଚ୍ୟ ଚଢ଼େଇଆ–‘ଚଢ଼େଇଆଣୀ ନାଟ’ରେ ଲୋକ ଜୀବନର ଚିତ୍ର କିପରି ନିହିତ ରହିଛି ତାହା ବିଶ୍ଲେଷଣ କରିବାର ବିଷୟ ।

 

ପ୍ରଥମତଃ, ଶବରର ଜୀବନଯାପନ ପ୍ରଣାଳୀର ସ୍ପଷ୍ଟଚିତ୍ର ଏଥିରେ ଅଙ୍କିତ ହୋଇଛି । ଶବର ହାତରେ ନଳବିଡ଼ା ଧରିଥାଏ, ଚଢ଼େଇ ଶିକାର କରିବାପାଇଁ କାନ୍ଧରେ ଝୁଲିଥାଏ ପେଡ଼ା (ପେଡ଼ି) । ବେକରେ ତାବିଜ୍, ପୋହଳାର ମାଳ ଓ କାନରେ କୁଣ୍ଡଳ ଆଦି ଶୋଭା ପାଉଥାଏ । ସ୍ଥୂଳତଃ ଏହାହିଁ ଶବରମାନଙ୍କର ପରିଧେୟ । ସେହିପରି ଶବରୁଣୀର ବେଶ ପୋଷାକ ମଧ୍ୟ ଏଥିରୁ ସୂଚିତ ହୁଏ । ଶବରୁଣୀ (ଚଢ଼େଇଆଣୀ)ମାନେ ଚିତା କୁଟେଇ ପଇସା ଉପାର୍ଜନ କରି ଶବରର ଗୁରୁଦାୟିତ୍ୱକୁ ଲାଘବ କରି ଦିଅନ୍ତି । ସେମାନେ ହସ୍ତ, ଚିବୁକ, କପାଳ, ଜାନୁ, କୁଚତଳ ଓ ବକ୍ଷ ଆଦି ସ୍ଥାନରେ ଚିତା କୁଟେଇ ନାରୀର ଶୋଭାକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରନ୍ତି । ତେଣୁ ଚଢ଼େଇଆଣୀ ଚିତାକୁଟା ଗୀତରେ ସୁର ଧରିଛି–

 

‘‘ବକ୍ଷପରେ କୁଟିବି ଭ୍ରମର ଯତନରେ

କେଳିପୁରେ କାନ୍ତି କୋଳେ ରତ୍ନ ପଲଙ୍କରେ

ଦେଖୁଥିବେ ଗୋ ତେତେବେଳେ ମନେ ପକାଇବ ।’’

 

ଶବର ଶବରୁଣୀର ଦୈନନ୍ଦିନ ଜୀବନଯାପନ ପ୍ରଣାଳୀର ବାସ୍ତବ ଚିତ୍ର ଯେ ଏଥିରେ ଉତ୍କୀର୍ଣ୍ଣ ହୋଇଛି ତା’ ନୁହେଁ । ତାହା ସହିତ ସାଧାରଣ ସମାଜର, ପରମ୍ପରା ଓ ଉତ୍ସବର ମଧୁର ଆଲେଖ୍ୟ ରହିଛି । ଏଥିରେ ବିବାହ ଉତ୍ସବରେ ବରକନ୍ୟା ଘରକୁ ଶୋଭାଯାତ୍ରା କରି ବାଣ ଆଦି ଫୁଟାଇ ବିଭିନ୍ନ ବାଦ୍ୟଯନ୍ତ୍ର ଆଦି ବଜାଇ ଆସୁଥିଲେ । ବାଟବରଣ କରୁଥିଲେ କନ୍ୟାର ପିତା । କନ୍ୟାର ପିତା କନ୍ୟାକୁ ବରହସ୍ତରେ ଅର୍ପଣ କରୁଥିଲେ । ବ୍ରାହ୍ମଣ ଏହି ଉତ୍ସବରେ ବେଦୀରେ ପୌରୋହିତ୍ୟ କରି ମନ୍ତ୍ର ଉଚ୍ଚାରଣ କରୁଥିଲେ । ଅଗ୍ନିକୁ ସାକ୍ଷୀ ରଖି ବର ଓ କନ୍ୟା ଦୁହେଁ ଜୀବନର ସାଥିରୂପେ ବରଣ କରି ନେଉଥିଲେ ଚିରଦିନ ପାଇଁ । କନ୍ୟା ନାନ୍ଦୀମୁଖୀଶ୍ରାଦ୍ଧ, ହସ୍ତଗ୍ରନ୍ଥି ମୋଚନ, କନ୍ୟାର ବର ଉପରେ ଲୁଣ ପକାଇବା, ବିଦାୟବେଳେ କନ୍ୟାର ମର୍ମଭେଦୀ ରୋଦନ ଇତ୍ୟାଦି ମଧ୍ୟରେ ଓଡ଼ିଶାର ଚଳଣି ଓ ପରମ୍ପରାର ସ୍ପଷ୍ଟ ପରିଚୟ ମିଳେ । ଏଥିରେ ଯେଉଁ ବିବାହ ପଦ୍ଧତି ଚଢ଼େଇଆ ଓ ଚଢ଼େଇଆଣୀଙ୍କ କଥୋପକଥନ ମଧ୍ୟରେ ବର୍ଣ୍ଣିତ ହୋଇଛି, ତାହା ଆଦିବାସୀର ସମାଜ ଚିତ୍ର ହୋଇଥିଲେ ଅଧିକ ବାସ୍ତବ ହୋଇଥାନ୍ତା, କିନ୍ତୁ ଭାଷାର ପାତ୍ରମୁଖତା ପରିହାର କରି ସାର୍ବଜନୀନ ଭାଷାର ଆଶ୍ରୟ ନେବାର ତଥା ସମାଜ ଚିତ କ୍ଷେତ୍ରରେ ଓଡ଼ିଶାର ସାଧାରଣ ଜନଜୀବନ ତଥା ପୁରପଲ୍ଲୀର ରୁଚି ଓ ସମାଜ ଚିତ୍ରକୁ ନେଇ ଏହା ପରିପୁଷ୍ଟ ଲାଭ କରିଛି । ଏହାର ଦର୍ଶକମାନଙ୍କ ଉପଭୋଗ ଅନୁକୂଳତା ସୃଷ୍ଟି କରିବାଲାଗି ସତେ ଯେପରି ଏହା ନାଟ୍ୟକାରର ଏକ ସାଲିସ୍ ପ୍ରସ୍ତାବ ।

 

ସନ୍ତାନ ଜନ୍ମ ହେଲେ ତାହାର ସମ୍ପର୍କୀୟମାନେ ଶ୍ରଦ୍ଧାର ପ୍ରତ୍ୟେକେ ଭିନ୍ନ ଭିନ୍ନ ନାମ ଦେଇଥାନ୍ତି । ଗୋଟିଏ ନାମ ମୁଖ୍ୟ ଥାଏ ମାତ୍ର ତାହା ବ୍ୟତୀତ ବାପ ମା, ଆଈମା, ଅଜା ଆଦି ଆଦରରେ ବିଭିନ୍ନ ନାମ ଦେଇଥାନ୍ତି । ପ୍ରତ୍ୟେକ ଓଡ଼ିଆ ପରିବାରର ଏହା ଏକ ସୁପ୍ରଚଳିତ ଚଳଣି-। ‘ଚଢ଼େଇଆ–ଚଢ଼େଇଆଣି ନାଟ’ରେ ଏହି ରୀତିର ଉପଯୋଗ ମଧ୍ୟ ଦେଖାଯାଏ ।

 

ଲୋକ ଜୀବନର ଚରିତ୍ର ପ୍ରସଙ୍ଗରେ ଚୌକିଦାର ଚରିତ୍ରଟିକୁ ଭୁଲିଯିବାର ନୁହେଁ । ଗାଁ ଚୌକିଦାର ଅଭାବୀ ଜୀବନରେ ବଞ୍ଚିବା ଏକ ସମସ୍ୟା ହୋଇ ପଡ଼ିଛି । ମାସକୁ ମାତ୍ର ଆଠଟଙ୍କା ଦରମା । କିନ୍ତୁ, ତା’ର କାର୍ଯ୍ୟ ଅଧିକରୁ ଅଧିକ ବଢ଼ି ଚାଲିଛି । ରିଲିଫ୍ ଚାଉଳ, ଦୁର୍ଭିକ୍ଷ, ମରୁଡ଼ି ଓ ବନ୍ୟା ମଧ୍ୟରେ ତା’ର ଅଭାବୀ ଜୀବନ ଚିତ୍କାର କରି ଉଠିଛି–

 

‘‘ମାସକୁ ଆମ୍ଭର ଥିଲା ଆଠଟଙ୍କା,

ପଞ୍ଚାଏତ୍ ଯୋଗୁଁ ବଢ଼ିଲା ଅଧିକା ।

ନୋଟିସ୍‌ ତାଗିଦା କରି କରି ଆମ୍ଭେ,

ଜୀବନ୍ତୁ ଗଲୁଣି ସରି–’’

X      X      X

 

‘‘ମାସକୁ ଯେ ଥିଲା ଚାରିଦିନ ପାଳି

ତିରିଶି ବାବୁ ଦିନେ ଗଲା ବଳି

ରିଲିଫି ଚାଉଳ            ହେଲା ଆମ୍ଭ କାଳ

ଜଗି ଜଗି ଗଲୁଁ ମରି....

କରିବି ନାହିଁ ଏ ଚାକିରି ଚୌକିଦାରୀ (ହୋ)’’

 

ପୌରାଣିକ ଆଖ୍ୟାନ :

ବିହଙ୍ଗମ ଦୃଷ୍ଟିକୋଣରୁ ବିଶ୍ଲେଷଣ କଲେ ଏଥିରେ ଲୋକ ଜୀବନର ଚିତ୍ର ବିକ୍ଷିପ୍ତ ରୂପରେ ପରିପ୍ରକାଶ ଲାଭ କରିଥିଲେ ମଧ୍ୟ ସେଗୁଡ଼ିକ ଯେ ଖୁବ୍ ବାସ୍ତବ ଓ ଜୀବନ୍ତ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

 

ପୁରାଣର ବିଷୟ ବସ୍ତୁକୁ ନେଇ ଯେ ସାହିତ୍ୟର ସୃଷ୍ଟି ସମ୍ଭବ ହୋଇଛି–ପ୍ରାଚୀନ ସାହିତ୍ୟ ପୃଷ୍ଠା ଉନ୍ମୋଚନ କଲେ ଏହାର ପ୍ରମାଣ ମିଳେ । ପୁରାଣର ଆଧ୍ୟାତ୍ମିକ ବିଷୟବସ୍ତୁ ଯୁଗେ ଯୁଗେ ମଣିଷ ଉପରେ ପ୍ରଭାବ ବିସ୍ତାର କରି ଆସିଛି । ଏହି ପ୍ରଭାବର ପରିଣାମରେ ହୃଦୟରେ ଜାଗ୍ରତ ହୁଏ–ଗଭୀର ବିଶ୍ୱାସ ଓ ଐଶୀ ଶକ୍ତି, ଉପଲବ୍‌ଧି କରିବାର ଅନୁକୂଳ ପରିବେଶ ।

 

ପୁରପଲ୍ଲୀର ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବ୍ୟକ୍ତିମାନେ ଅଧିକ ଧର୍ମବିଶ୍ୱାସୀ । ପୁରାଣ ସେମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ । ରାମାୟଣ, ମହାଭାରତ, ଭାଗବତ ଓ ବିଭିନ୍ନ ପୁରାଣ ହେଲା ସେମାନଙ୍କ ଧର୍ମ ବିଶ୍ୱାସର ବୀଜ । ଏ କ୍ଷେତ୍ରରେ ପଲ୍ଲୀର ‘ଭାଗବତ ଘର, ଖୁବ୍ ଗୁରୁତ୍ୱପୂର୍ଣ୍ଣ-। ଏମାନଙ୍କ ନିକଟରେ, ପୁରାଣ କେବଳ ଭକ୍ତିର ସନ୍ଦେଶ ନେଇ ଆସେନା, ମନୋରଞ୍ଜନର ଏକ ମାଧ୍ୟମରୂପେ ମଧ୍ୟ ପ୍ରତିଭାତ ହୁଏ । ସୁତରାଂ, ଆଲୋଚ୍ୟ ‘ଚଢ଼େଇଆ–ଚଢ଼େଇଆଣୀ ନାଟ’ ଯାହାକି ପଲ୍ଲୀର ଏକ ପ୍ରିୟ ନାଟ୍ୟାନୁଷ୍ଠାନ ସେଥିରୁ ବାଦ୍ ପଡ଼ିଯିବ ବା କିପରି ? ମୁଖ୍ୟତଃ ଏହି ପୌରାଣିକ ଆଖ୍ୟାନ ବର୍ଣ୍ଣନା କରି ଜୀବନକୁ ସଂଯତ କରି ଗଢ଼ି ତୋଳିବା ପାଇଁ ଚଢ଼େଇଆ ଓ ଚଢ଼େଇଆଣୀ ନୃତ୍ୟ ମଧ୍ୟରେ ସଙ୍ଗୀତ ରୂପରେ କଥୋପକଥନ ହୁଅନ୍ତି । ଏହି ମୂଳ ଉଦ୍ଦେଶ୍ୟଟି ଏବର ପରିବର୍ତ୍ତିତ ଚଢ଼େଇଆ–ଚଢ଼େଇଆଣୀ ନାଟରେ ମଧ୍ୟ ସଂରକ୍ଷିତ ହୋଇ ରହିଛି ।

 

ଏହି ପୌରାଣିକ ଆଖ୍ୟାନ ବର୍ଣ୍ଣନାର ଉପଯୁକ୍ତ ସମୟ ମିଳିଛି, ଯେତେବେଳେ ଚଢ଼େଇଆ ଓ ଚଢ଼େଇଆଣୀଙ୍କର ମିଳନ ହୋଇଛି ମଉସା ଓ ଚୈକିଦାରଙ୍କ ମଧ୍ୟସ୍ଥତାରେ । ମାତ୍ର ଚଢ଼େଇଆଣୀ କହିଛି–‘‘ଗୋଟିଏ ସର୍ତ୍ତରେ ମୁଁ ଘରକୁ ଫେରିବି, ଯଦି ମୋ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇ ପାରନ୍ତ ।’’ ସେ ବିଭିନ୍ନ ପୁରାଣର କେତୋଟି ରହସ୍ୟପୂର୍ଣ୍ଣ ଆଖ୍ୟାନ ଓ ଶବର ଜାତି ସମ୍ପର୍କୀୟ କେତୋଟି ପୌରାଣିକ ଉପାଖ୍ୟାନ ସମ୍ପର୍କରେ ପ୍ରଶ୍ନ କରିଛି ଓ ଚଢ଼େଇଆ ଉତ୍ତର ଦେଇଛି । ଏହି ପୌରାଣିକ ଉପାଖ୍ୟାନ ମଧ୍ୟରେ ପୃଥିବୀର ସୃଷ୍ଟିତତ୍ତ୍ୱ, ରାମ ରାଘବ ନାମ କାହିଁକି ବୋଲାଇଲେ ? ‘‘କାହିଁରେ ରାମ ହେଲେ ‘‘କାହିଁରେ ରାମ ହେଲେ ସିନ୍ଧୁ ପାର’’ କିଏ ବଳାଇଲା’’, କିଏ ବଳାଇଲା, କାହାକୁ ଡେଇଁ ହନୁମନ୍ତ ଗଲା ?, କାହାଠାରୁ ରଘୁବଂଶ ଜନ୍ମିଲେ ? ଶେଷରେ ସୀତା କେଉଁ ବନକୁ ଗଲେ ? ଇତ୍ୟାଦି ବିଭିନ୍ନ ପାଣ୍ଡୁଲିପିରେ ବିଭିନ୍ନ ପ୍ରକାର ପୌରାଣିକ ଆଖ୍ୟାନମାନଙ୍କର ବର୍ଣ୍ଣନା ରହିଛି । ଗ୍ରାମବାସୀମାନେ ସେହି ପୌରାଣିକ ଉପାଖ୍ୟାନମାନ ଶୁଣି ଖୁବ୍ ଆନନ୍ଦିତ ହୋଇ ଏହାକୁ ଉପଭୋଗ କରନ୍ତି ରାତି ତମାମ୍ ।

 

ପୃଥିବୀର ସୃଷ୍ଟିତତ୍ତ୍ୱ ପ୍ରସଙ୍ଗରେ ଚଢ଼େଇଆଣୀ ପ୍ରଶ୍ନ କରିଛି–

 

‘‘ଶୁଣହେ ନାଗର, କୁହ ମୋ ଆଗର

      ପୃଥିବୀ କାହୁଁ ହୋଇଲା,

କିଏ ଜାତକଲା, କାହୁଁ ସେ ଅଇଲା

      ଏକଥା କହିବ ଭଲା ।

ତେବେ ଯିବି ସଙ୍ଗରେ,

      ମୋର ଏହି ସତ୍ୟ ସମାଚାର ।’’

 

ଚଢ଼େଇଆ ତା’ର ପ୍ରତ୍ୟୁତ୍ତରରେ ବୋଲିଛି–

 

‘‘ସେ ସତ୍ୟଯୁଗେଣ ନିଜେ ନାରାୟଣ

      ବଟପତ୍ରରେ ଭାସିଲେ ଗୋ

ମେଦାସୁରକୁ ବଧ ଯେ କରିଣ

      ମେଦିନୀ ତିଆରି କଲେ ଗୋ,

ସେ ସତ୍ୟଯୁଗର,

ସତ୍ୟ ନାହିଁ ଦରକାର ଗୋ ।’’

 

ଚଢ଼େଇଆଣୀ ଶବର ଜୀବନ ସମ୍ପର୍କୀୟ ପୌରାଣିକ ଉପାଖ୍ୟାନମାନ ପ୍ରଶ୍ନ କରିଛି ସେ କହିଛି–

 

‘‘ଶୁଣ ଗୁଣ–ମଣି            କହିବି ମୁଁ ପୁଣି

ଶିକାର କରି ଯେ ଯାଅ

ମନ୍ଦରପର୍ବତ

ସେ କୋଡ଼ିଏ ହାତ

କେଉଁ ଶାସ୍ତ୍ରରେ ଅଛି କୁହ ଗୋ,

ଏହା କହିବ ମୋତେ,

ବାବୁମାନେ ଶୁଣିବେ ସମସ୍ତେ ।’’

 

ଚଢ଼େଇଆ ତା’ ଉତ୍ତରରେ ଗାଇଛି–

 

‘‘ଶୁଣ ଗୋ ସୁନ୍ଦରୀ            ହେ ହୀନ ସ୍ତିରୀ

ଶାସ୍ତ୍ର ପଚାରିଲୁ ମୋତେ

ମନ୍ଦର ପର୍ବତ            ଶହ କୁଡ଼ିଏ ହାତ

ବ୍ରହ୍ମାଣ୍ଡକୁ କରେ ଜାତ

ଏହା କହିଲି ମୁହିଁ

ସିନ୍ଧୁପୁରାଣେ ଲେଖା ଅଛଇ ହୋ ।’’

 

ଚଢ଼େଇଆଣୀ କଥା ପ୍ରସଙ୍ଗରେ ପୁଣି ପ୍ରଶ୍ନ କରିଛି–ତୁମର (ଶବରର) ଗୁରୁ କିଏ ? ତୁମେ ପେଡ଼ା, ଭିକ୍ଷାଝୁଲି, ଲାଉତୁମ୍ବା, ନଳ ଆଦି କେଉଁଠାରୁ ପାଇଲ ? ଚଢ଼େଇଆ ତା’ର ଉତ୍ତରରେ ବିଭିନ୍ନ ଶାସ୍ତ୍ରରେ ଉଲ୍ଲିଖିତ ଉପାଖ୍ୟାନମାନ ଶୁଣାଇଛି ।

 

ଏଥିରେ ମୁଖ୍ୟତଃ ବିପ୍ରଳୟ ଶୃଙ୍ଗାର, ହାସ୍ୟ, କରୁଣ ଏବଂ ଭକ୍ତିରସର ଅବତାରଣା କରାଯାଇଥାଏ । ଏହି ‘ଚଢ଼େଇଆ ଚଢ଼େଇଆଣୀ ନାଟ’ର ବିଶିଷ୍ଟ ଲକ୍ଷଣ ହେଲା–ଏହା ‘ଯାତ୍ରା’ର ପୂର୍ବାବସ୍ଥା । ଅର୍ଥାତ୍ ଏଥିରେ ‘ଯାତ୍ରା’ର ଅନେକ ଲକ୍ଷଣ ପରିଦୃଷ୍ଟ ହୁଏ । ସୁଆଙ୍ଗ, ଦାସକାଠିଆ, ଠିଆଗାହାଣ, ଦୈତନୃତ୍ୟ ଓ ସମବେତ ନୃତ୍ୟ ସଙ୍ଗୀତ ମଧ୍ୟରେ ଏହା ଏକ ‘ସମନ୍ୱୟ କଳା’ରେ ପରିଣତ ହୋଇଛି । ଅଳ୍ପ ବ୍ୟୟରେ ପୁରପଲ୍ଲୀର ଅଶିକ୍ଷିତ, ଅଳ୍ପ ଶିକ୍ଷିତ ଦର୍ଶକଙ୍କର ମନୋରଞ୍ଜନ ପାଇଁ ଏହା ଏକ ଲୋକପ୍ରିୟ ନାଟ୍ୟାନୁଷ୍ଠାନ । ଦିନତମାମ କଠିନ ପରିଶ୍ରମ କରି ସନ୍ଧ୍ୟାବେଳେ ହାରମୋନିୟମ ଏବଂ ଢୋଲକର ତାଳେ ତାଳେ ସେମାନେ ଯେଉଁ ଚିତ୍ତବିନୋଦନ କରନ୍ତି ତାହାହିଁ ଏହି ନାଟ୍ୟାନୁଷ୍ଠାନକୁ ଏକ ସ୍ଥାୟୀ ଗ୍ରାମ୍ୟ ଅନୁଷ୍ଠାନରେ ପରିଣତ କରି ଦେଇଛି । ଏହି ଆଖଡ଼ାଘର ହୁଏ ଗ୍ରାମବାସୀମାନଙ୍କର ମିଳନପୀଠ ।

 

ଯୁଗରୁଚିରେ ପ୍ରଭାବିତ ହୋଇ ନାଟ୍ୟକଳା ଭିନ୍ନ ଭିନ୍ନ ରୂପ ଧାରଣ କରେ । ଯେଉଁ ‘ଚଢ଼େଇଆ ଚଢ଼େଇଆଣୀ ନାଟ’ କେଉଁ ସୁଦୂର ଅତୀତରେ ସୃଷ୍ଟି ହୋଇ ପରିବର୍ତ୍ତିତ ନୂତନ ରୂପ ନେଇ ପଲ୍ଲୀର ଦର୍ଶକଙ୍କୁ ଆଜି ମୁଗ୍‌ଧ କରୁଛି, କିଏ ଜାଣେ ଆସନ୍ତା କାଲିକୁ ସେ କେଉଁରୂପେ ଧାରଣ କରିବ । ମାତ୍ର ଗୋଟିଏ କଥା ସୁସ୍ପଷ୍ଟ ହୁଏ ଯେ ଆସନ୍ତକାଲିର ନାଟ୍ୟ ସାହିତ୍ୟକୁ ଅଭିନବରୂପ ଦେବାପାଇଁ ଆଜିର ଏହିପରି ବିଭିନ୍ନ ନାଟ୍ୟାନୁଷ୍ଠାନଗୁଡ଼ିକର ନିଶ୍ଚିତ ଭାବରେ ଏକ ଭୂମିକା ରହିଛି ।

 

*

ବାଲେଶ୍ୱର ଜିଲ୍ଲାସ୍ଥ ଇରମ ଗ୍ରାମବାସୀ ଶ୍ରୀ ସନାତନ ବେହେରା ଏବଂ ‘ବାଞ୍ଛାନିଧି ସ୍ମାରକ ନାଟ୍ୟ ନିକେତନ’ର ସଦସ୍ୟ ଶ୍ରୀ ନବକୃଷ୍ଣ ମହାନ୍ତି ‘ଚଢ଼େଇଆ–ଚଢ଼େଇଆଣୀ ନାଟ୍ୟ ପାଣ୍ଡୁଲୁପି ଏବଂ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ସାହାଯ୍ୟ କରିଥିବାରୁ ସେମାନଙ୍କୁ ଏହି ଆଲୋଚକ ସାଧୁବାଦ ଜଣାଉଛି ।

 

***

 

ସମ୍ପାଦକୀୟ

 

କୌଣସି ଜାତି ବା ତା’ର ସାହିତ୍ୟର ଯଥାର୍ଥ, ଧାରାବାହିକ ଓ ପ୍ରାମାଣିକ ଇତିହାସ ରଚନା କରିବା କ୍ଷେତ୍ରରେ ସଂଗ୍ରହାଳୟ ଓ ଅଭିଲେଖାଗାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ଗୁଡ଼ିକରେ ସଂରକ୍ଷିତ ବିଭିନ୍ନ ତଥ୍ୟ ଓ ତତ୍ତ୍ୱ ସମ୍ବନ୍ଧୀୟ ନଥିପତ୍ର ଓ ସନନ୍ଦ ଇତ୍ୟାଦିକୁ ଭିତ୍ତିକରି ଆମର ଐତିହ୍ୟ, ପରମ୍ପରା ଓ ପୂର୍ବସୂରୀମାନଙ୍କ ସମ୍ବନ୍ଧରେ ବହୁ ଅଜ୍ଞାତ କଥା ଆମେ ଜାଣିବା ଦିଗରେ ସକ୍ଷମ ହେଉ । ବିବିଧ ଘଟଣାର ଦେଶ, କାଳ ଓ ପାତ୍ର ସମ୍ପର୍କରେ ମଧ୍ୟ ବହୁ ତଥ୍ୟ ଆମର ଗୋଚରକୁ ଆସିଥାଏ ।

 

ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ଇତିହାସର ବହୁ ବିଭାବ ଉଦ୍‌ଘାଟିତ ହୋଇପାରି ନାହିଁ ଓ ଓଡ଼ିଆ ସାହିତ୍ୟର ଏକ ପ୍ରାମାଣିକ ତଥା ତଥ୍ୟ ସମ୍ବଳିତ, ସମୀକ୍ଷାତ୍ମକ ଇତିହାସ ରଚନାର ଆବଶ୍ୟକତା ବରାବର ଉପଲବ୍‌ଧ ହେଉଛି । ଏ ଦିଗରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଆମର ସଂଗ୍ରହାଳୟ ଓ ଅଭିଲେଖାଗାର ଗୁଡ଼ିକ ଯଥେଷ୍ଟ ସମୃଦ୍ଧ ହେବା ଆବଶ୍ୟକ ।

 

ନିକଟରେ ‘‘ଆନ୍ତର୍ଜାତିକ ଅଭିଲେଖାଗାର ସପ୍ତାହ’’ ଉପଲକ୍ଷେ ଭୁବନେଶ୍ୱରଠାରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର ପକ୍ଷରୁ ସଂଗୃହୀତ ବହୁ ଐତିହାସିକ–ତଥ୍ୟପୂର୍ଣ୍ଣ ଦଲିଲ ଦସ୍ତାବିଜ୍‌ ଓ ସନନ୍ଦ ଇତ୍ୟାଦିର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଦର୍ଶନୀରେ ସ୍ଥାନ ପାଇଥିବା ତଥ୍ୟପୂର୍ଣ୍ଣ ଅଭିଲେଖମାନଙ୍କରୁ ଓଡ଼ିଶାର ରାଜନୈତିକ, ସାଂସ୍କୃତିକ ଓ ସାହିତ୍ୟର ଇତିହାସ ସମ୍ପର୍କୀୟ ବହୁ ଗୁରୁତ୍ୱପୂର୍ଣ୍ଣ ନୂତନ ତଥ୍ୟ ଉଦ୍‌ଘାଟନ କରାଯାଇପାରେ । ସଂଗୃହୀତ ଅଭିଲେଖ ସମୂହ ସମ୍ପର୍କରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ କେତେ ଖଣ୍ଡି ବିବରଣାତ୍ମକ ପୁସ୍ତକ ମଧ୍ୟ ପ୍ରକାଶ ପାଇଛି ଏବଂ ଏ ସମ୍ପର୍କୀୟ ଅଧିକ ସୂଚନା ପ୍ରକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ଅଭିଲେଖାଗାରଙ୍କର ଏପରି ଉଦ୍ୟମ ପ୍ରଶଂସନୀୟ ।

 

ଓଡ଼ିଶା ରାଜ୍ୟ ସଂଗ୍ରହାଳୟଦ୍ୱାରା ସଂଗୃହୀତ ଓ ସଂରକ୍ଷିତ ବହୁ ପୁରାତନ ଓ ମଧ୍ୟଯୁଗୀୟ ଓଡ଼ିଆ କବିମାନଙ୍କର ଅନେକ ସଂସ୍କୃତ ଓ ଓଡ଼ିଆକୃତି ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ । ସଂଗ୍ରହାଳୟ ପକ୍ଷରୁ ସଂଗୃହୀତ ଓ ସଂରକ୍ଷିତ ଏ ସମସ୍ତ କୃତିର ପରିଚୟାତ୍ମକ ଓ ବିବରଣାତ୍ମକ ତାଲିକା ମଧ୍ୟ ପ୍ରକାଶ ପାଇଛି । ରାଜ୍ୟ ସଂଗ୍ରହାଳୟର ଏ ସମସ୍ତ ଅପ୍ରକାଶିତ ଗ୍ରନ୍ଥରାଜିକୁ ପ୍ରକାଶ କରିବା ଦିଗରେ ରାଜ୍ୟ ସାଂସ୍କୃତିକ ବିଭାଗ ଓ ସାହିତ୍ୟ ଏକାଡେମୀ ମଧ୍ୟ ଉଚିତ ପଦକ୍ଷେପ ଗ୍ରହଣ କରିଛନ୍ତି ।

 

ରାଜ୍ୟ ସଂଗ୍ରହାଳୟ ଓ ରାଜ୍ୟ ଅଭିଲେଖାଗାରର ପକ୍ଷରୁ ପ୍ରାଚୀନ ପୁସ୍ତକ ଓ ନଥିପତ୍ର ସଂଗ୍ରହ ପାଇଁ ଯେଉଁ ଉଦ୍ୟମ ଚାଲିଛି, ତାହା ଆମ ଓଡ଼ିଶାର ପୂର୍ବ ସୂରିମାନଙ୍କଦ୍ୱାରା ଲିଖିତ ଏବଂ ସଂରକ୍ଷିତ ବିଭବ ତୁଳନାରେ କିଛି ନୁହେଁ ବୋଲି କହିବାକୁ ହେବ । ଅଦ୍ୟାପି ପୂର୍ବତନ ରାଜା ମହାରାଜା, ଜମିଦାର, ମନ୍ଦିର ଓ ମଠବାଡ଼ି ଏବଂ ବ୍ରାହ୍ମଣ–ଶାସନମାନଙ୍କରେ ବହୁ ସଂଖ୍ୟାରେ ପୁସ୍ତକ ଓ ନଥିପତ୍ର ଗଚ୍ଛିତ ରହିଛି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଏ ପର୍ଯ୍ୟନ୍ତ ସେ ଗୁଡ଼ିକ ରାଜ୍ୟ ସଂଗ୍ରହାଳୟ କିମ୍ୱା ଅଭିଲେଖାଗାର ପରି ଦାୟିତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ଦାନ ବା ବିକ୍ରି ସୂତ୍ରରେ ହସ୍ତାନ୍ତର କରିବାପାଇଁ ଯଥେଷ୍ଟ ଆଗ୍ରହ ପ୍ରକାଶ ପାଇନାହିଁ । ଏହା ଫଳରେ ଅଗ୍ନି, କୀଟ ଓ ବନ୍ୟାର କରାଳ କବଳରେ ପଡ଼ି ଆମର ବହୁ ମହାର୍ଘ ଐତିହାସିକ ତଥ୍ୟ ବିଲୟ ଭଜୁଛି ।

 

ଆମ ରାଜ୍ୟର ପାଠାଗାର, ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ଏବଂ ଆଗ୍ରହୀ ବ୍ୟକ୍ତି ବିଶେଷ ନିଜ ନିଜର ସୀମା ମଧ୍ୟରେ ମୂଲ୍ୟବାନ୍‌ ନଥିପତ୍ର ଓ ଅପ୍ରକାଶିତ ରଚନାର ସୁରକ୍ଷା ଦିଗରେ କିଞ୍ଚିତ ଆଗ୍ରହୀ ଓ ଚେଷ୍ଟିତ ହେଲେ ଏ ପରିସ୍ଥିତିର ଯଥେଷ୍ଟ ଉନ୍ନତି ହୋଇ ପାରନ୍ତା । ଅତୀତରେ ୰ଡଃ ଆର୍ତ୍ତବଲ୍ଲଭ ମହାନ୍ତି ଏବଂ ୰ ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୩୦ ମସିହାରେ ପ୍ରତିଷ୍ଠିତ ‘ପ୍ରାଚୀ–ସମିତି’ଙ୍କର ଉଦ୍ୟମରେ ସଂଗୃହୀତ କେତେକ ଗୁରୁତ୍ୱପୂର୍ଣ୍ଣ ଅପ୍ରକାଶିତ ଗ୍ରନ୍ଥର ପ୍ରକାଶଦ୍ୱାରା ଓଡ଼ିଆ ସାହିତ୍ୟର ବହୁ ଅପ୍ରକାଶିତ ରଚନାମାନ ଯେପରି ପ୍ରକାଶିତ ହେବା ସମ୍ଭବ ହୋଇଥିଲା ଆଜି ସାଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ, ଗ୍ରନ୍ଥାକାର ଓ ବ୍ୟକ୍ତି ବିଶେଷଙ୍କ ସାଧୁ ଉଦ୍ୟମ ଫଳରେ ସେପରି ବହୁ ଅପ୍ରକାଶିତ ରଚନା ଓ ତଥ୍ୟ ଆଲୋକକୁ ଆସି ପାରିବ ବୋଲି ଆଶା କରାଯାଏ।

 

ସମସ୍ତଙ୍କର ଅନୁପ୍ରେରଣା ଓ ସାହାଯ୍ୟ ମିଳିଲେହିଁ ଓଡ଼ିଶା ତଥା ଓଡ଼ିଆ ସାହିତ୍ୟର ପୂର୍ଣ୍ଣାଙ୍ଗ ଇତିହାସ ପ୍ରଣୟନ ହୋଇପାରିବ । ଡକ୍ଟର ମହତାବଙ୍କ ଓଡ଼ିଆ ଇତିହାସ ପ୍ରଣୟନ ପରେ ଏବେ ଭିନ୍ନ ଭିନ୍ନ ଅଞ୍ଚଳକୁ ନେଇ ଗବେଷଣାତ୍ମକ ନିବନ୍ଧ ସବୁ ଓଡ଼ିଶାର ତିନି ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗମାନଙ୍କରେ ପ୍ରଣୟନ ହେଲାଣି । ବ୍ୟକ୍ତିଗତ ଭାବେ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଡକ୍ଟର ସତ୍ୟନାରାୟଣ ରାଜଗୁରୁ ଓ ଶ୍ରୀଯୁକ୍ତ କେଦାରନାଥ ମହାପାତ୍ର ମଧ୍ୟ ସେମାନଙ୍କ ପ୍ରଣୀତ ଓଡ଼ିଶା ଇତିହାସ ପ୍ରକାଶ ଦିଗରେ ଉତ୍ସାହୀ ହେଲେଣି । ସମ୍ୱଲପୁର ଓ ଉତ୍କଳ ବିଶ୍ୱବିଦ୍ୟାଳୟସ୍ତରରେ ମଧ୍ୟ ଉତ୍ସାହଜନକ ଅଗ୍ରଗତି ଦିଗରେ ଦେଖାଦେବା–ଆମ ପକ୍ଷରେ ଏକ ଶୁଭ ସଂକେତ । କିନ୍ତୁ ଓଡ଼ିଆ ସାହିତ୍ୟ ଇତିହାସ ପ୍ରଣୟନରେ ବୈଜ୍ଞାନିକତା ଓ ପୁରୋଦୃଷ୍ଟିର, ଅଭାବ ଲକ୍ଷିତ ହେଉଛି । କବି ଓ କାବ୍ୟାକୃତିର ମୂଲ୍ୟାୟନରେ ଆମର ଭାବପ୍ରବଣତା, ବୈଜ୍ଞାନିକତା ଓ ପ୍ରାମାଣିକତାକୁ ବଳିଯାଉଛି । ଓଡ଼ିଶା ସାହିତ୍ୟର ଇତିହାସ ରଚନାରେ କେତେକ ବ୍ୟକ୍ତିବିଶେଷ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି ସତ; କିନ୍ତୁ ‘ହିନ୍ଦୀ ସାହିତ୍ୟର ବୃହତ୍‌ ଇତିହାସ’ ରଚନାରେ ଯେଉଁ ସଂହତି ଓ ମିଳିତ ଉଦ୍ୟମ; ସେପରି ଚେଷ୍ଟା ଆଜିପର୍ଯ୍ୟନ୍ତ ହୋଇନାହିଁ । ହିନ୍ଦି ତଥା ଇଂରାଜୀ ଭାଷାରେ ମଧ୍ୟ ମାନସିଂହଙ୍କ ଇତିହାସଠାରୁ ଆହୁରି ପ୍ରାମାଣିକ ଓ ତଥ୍ୟ ସଂବଳିତ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣୟନ ହେବା ଆବଶ୍ୟକ । ଏ ଦିଗରେ ଆମର ସୁଧୀ ସାହିତ୍ୟ ସମ୍ମିଳିତ ଉଦ୍ୟମ କରିବେ ବୋଲି ଆଶା ।

 

***